Unknown

 

 

 

 

 

 

 

 

 

 

 

କଥା ଓ କାହାଣୀ

ଶ୍ରୀ ଅପୂର୍ବ ରଞ୍ଜନ ରାୟ

 

ପୃଥକ୍ ପୃଥିବୀ : ଭିନ୍ନ ଯାତ୍ରୀ

 

ଆଜିର ଗାଳ୍ପିକ ନିଆଁର ଜ୍ଜ୍ଵଳନ୍ତ ଶିଖାକୁ ନ ଦେଖି, ସେହି ଜ୍ଵଳନରେ ଅନ୍ତର୍ନିହିତ ଶକ୍ତିକୁ ପରୀକ୍ଷାକରି ତା’ ପ୍ରାଣସତ୍ତାକୁ ଅନୁଭବ କରିବାରେ ଆଗ୍ରହୀ । ବରଫ, ଉତ୍ତାପ ଫଳରେ ତରଳି ଜଳରେ ପରିଣତ ହେବା ନ ଦେଖି, ସେ ଖୋଜୁଛି ଯେଉଁ ବରଫଟି ତରଳିଗଲା ତା’ର ଅଦେଖା ରୂପକୁ । ସେହି ରୂପର ରହସ୍ୟ ଖୋଜିବା ଲାଗି ସେ ହେଉଛି ରହସ୍ୟବାଦୀ । ସେହି ରହସ୍ୟାଚ୍ଛନ୍ନ ଅନ୍ଧକାରର ଗୀତିରେ ନିଜେ ବିଭୋର ହୋଇପାରିବାର ସାଧନା କରୁଛି । ଆପଣାର ନୀରବ ଶୁଷ୍କ ଜୀବନକୁ ମୁଖର ଓ ଆର୍ଦ୍ର କରିବାପାଇଁ ସେହି ରହସ୍ୟର ଅନ୍ଧାରୀ ଭାଷା ବୁଝିବାର ପ୍ରଚେଷ୍ଟା ଚଳାଇଛି ।

 

ଅନ୍ତର୍ନିହିତ ରୂପରାଗ ଓ ତାକୁ ଘେରିରହିଥିବା ଅନ୍ଧକାରକୁ ସେଦିନର ଗଳ୍ପ ଓ ତା’ ଚରିତ୍ରମାନେ ଦେଖାଉ ନ ଥିଲେ ବୋଲି ଆଜିର ଗାଳ୍ପିକର ଅଭିଯୋଗ । ସେଠି ଜୀବନର ଯେଉଁ ନବ ଦିଗନ୍ତାଲୋକର ସ୍ପର୍ଶ ରହିଛି ଏବଂ ବାସ୍ତବତାର ସ୍ୱର ମୁଖରି ଉଠୁଛି, ତାକୁ ଅନୁଭବ କରିବାପାଇଁ ସେ ବ୍ୟସ୍ତ ହୋଇପଡ଼ିଛି; କାରଣ ସେ ଜାଣିଛି, ଏହାକୁ ଅନୁଭବ ବିନା ଅନ୍ୟ କାହାଦ୍ଵାରା ବୁଝିବା ସମ୍ଭବ ନୁହେଁ ।

 

ସେ ଗଳ୍ପରେ ବର୍ଣ୍ଣନା ଲାଗି ଆଗ୍ରହୀ ନୁହେଁ । କୌଣସି ଗୋଟିଏ ଘଟଣାକୁ ସେ ନିଜେ ନ ଘଟାଇ ଆମ ସମ୍ମୁଖରେ ତାହା ଘଟିବା ଲାଗି ଉପସ୍ଥାପନ କରିଦିଏ । ସେହି ଘଟଣାଟି ପାଠକ ପାଖରେ ଘଟିଯାଇ ଜୀବନ୍ତ ରୂପ ନିଏ । ସେତେବେଳେ ପାଠକ ଘଟିଥିବା ଘଟଣାର ଅଂଶବିଶେଷ ହୋଇଉଠେ ।

ପ୍ରକୃତ କ୍ଷୁଦ୍ରଗଳ୍ପ ଜୀବନର ସଂପୂର୍ଣ୍ଣତାକୁ ଦୃଷ୍ଟି ଦେଇ ପାରେନା । ତା’ର ଖଣ୍ଡିତାଂଶକୁ ହିଁ ଗ୍ରହଣ କରିଥାଏ । ଦିନ ଥିଲା, ଗାଳ୍ପିକ ଜୀବନର ଖଣ୍ଡିତାଂଶର ବିସ୍ତୃତ ବିବରଣୀ, ବିଭିନ୍ନ ଚରିତ୍ର, ଘଟଣା ଓ ପରିବେଶ ମାଧ୍ୟମରେ ଶୁଣାଉଥିଲା । ସେପାଇଁ କେବଳ ଜୀବନର ସମସ୍ୟାବଳୀ ହିଁ ଉପସ୍ଥାପିତ ହେଉଥିଲା, ମାତ୍ର ଏବର ଗାଳ୍ପିକ ନିତିଦିନିଆ ସମସ୍ୟା ସହ ମଣିଷର ଯେଉଁ ସାଧାରଣ ସଂପର୍କ, ସେ ସଂପର୍କକୁ ଅଧିକ ଘନିଷ୍ଠ କରି, ଆତ୍ମୀୟତାର ଘନିଷ୍ଠ ବନ୍ଧନରେ ଜୀବନର ଗୋଟିଏ ମୁହୂର୍ତ୍ତକୁ ଆବଦ୍ଧ କରିବା ଲାଗି ଅନ୍ତରଙ୍ଗ ହୋଇଉଠେ । ଫଳରେ ବାହ୍ୟ ପୃଥିବୀରୁ ଅନ୍ୟ ପୃଥିବୀ, ଯାହାର ରହସ୍ୟମୟ ଆଳାପ ଲାଗି ସେ ବ୍ୟତିବ୍ୟସ୍ତ, ସେଠାକୁ ଗତି କରିପାରେ । ମୁହୂର୍ତ୍ତକ ପାଇଁ ସେ ରୂପକାର ହେଲେ ବି ସୁଦ୍ଧା, ସେଥିରେ ଚିରନ୍ତନ ପୁଲକ ଅନୁଭବ କରେ । ଚିରନ୍ତନତାର ପ୍ରଲେପ ଦେଇଯାଏ । ସତେ ଯେମିତି ଯୁଗଯୁଗର ସଞ୍ଚିତ ହୃଦୟାବେଗକୁ ଗୋଟିଏ ବିନ୍ଦୁରେ ରୂପକଳ୍ପ ଦେଇ ତୃପ୍ତ ହୁଏ । ପରିବ୍ୟାପ୍ତ ଶୂନ୍ୟତାର ରୂପାନ୍ତର ଘଟାଇ ରୂପାନ୍ତରିତ ଦୃଶ୍ୟକୁ ସେ କୋଳାଗ୍ରତ କରିନେବା ଲାଗି ସତତ ଚେଷ୍ଟିତ । ଶୂନ୍ୟ ନୀରବତାକୁ ଆଲିଙ୍ଗନ କରିବାଲଗି ତା’ର ପ୍ରତୀକ୍ଷା ।

 

ଆଜିର ଗଳ୍ପରେ ବାହାର ଦୃଶ୍ୟରେ ବୈଚିତ୍ର୍ୟ ନାହିଁ । ତା’ ଭିତର ଦୃଶ୍ୟରେ ବୈଚିତ୍ର୍ୟ, ବୈଶିଷ୍ଟ୍ୟ ପୂରି ରହିଛି । ଅନ୍ତଦୃଶ୍ୟ ସଜ୍ଜାପାଇଁ ଆଜିର ଗାଳ୍ପିକ ସଚେତନ । ତା’ ଗଳ୍ପର ବହିଦୃଶ୍ୟରେ ଯେତେ ଆକର୍ଷଣ ନାହିଁ, ଆଭ୍ୟନ୍ତରୀଣ ଦୃଶ୍ୟରେ ତା’ଠୁଁ ଯଥେଷ୍ଟ ଅଧିକ ବିସ୍ମୟ ଓ କଂପନ ଭରିରହିଥାଏ । ଏହା ଏତେ ଶକ୍ତିଶାଳୀ ଯେ, ସମଗ୍ର ଜୀବନଟା ଉପରେ ତା’ର ଅଖଣ୍ଡ ରାଜତ୍ଵ । ଅଥଚ ତାହା ମଣିଷ ଲକ୍ଷ୍ୟକୁ ଆସି ପାରେନା । ଅଲକ୍ଷ୍ୟରେ ଯେମିତି କେତେ କ’ଣ ଅସମ୍ଭବ ଘଟଣା ଘଟିଯାଏ, ତା’ର ହିସାବ କେହି ରଖେନା । ଭିତରର ନାଟକୀୟତା ମଣିଷକୁ ଆକୃଷ୍ଟ କରେ—ବାନ୍ଧିରଖେ ।

 

ଆଜିର ଗଳ୍ପକୁ ପରୀକ୍ଷା କରି ଦେଖିଲେ ମନେହୁଏ, ସେଥିରେ ଥିବା ଗାଳ୍ପିକ ଓ ଗଳ୍ପର ସଂପର୍କର ଦୂରତା କ୍ରମେକ୍ରମେ ହ୍ରାସ ପାଇ ଆସୁଛି । ଗାଳ୍ପିକ ବ୍ୟକ୍ତିଗତ କଥାକୁ ବେଶି ମାତ୍ରାରେ ଗଳ୍ପରେ କହିବାକୁ ଚେଷ୍ଟାକରୁଛି । ତା’ ଅନୁଭୂତିଲବ୍‍ଧ ଚିନ୍ତାଧାରାକୁ କେନ୍ଦ୍ରକରି ଗଳ୍ପର ଭିତ୍ତିଭୂମି ଗଠିତ ହେଉଛି । ସେହି ଭିତ୍ତିଭୂମିରେ ସ୍ରଷ୍ଟାମାନସର ଯେଉଁ ଅସ୍ତିତ୍ଵ ଉକୁଟି ଉଠୁଛି, ତାହା ସହ ପାଠକ ନିଜକୁ ମିଶାଇ ଦେଉଛି । ସେଠି ଜୀବନର ବ୍ୟାପକତାର ପ୍ରଶ୍ନ ଉଠେନା । ଗଭୀରତାର କଥା ଆସେ—ସୂକ୍ଷ୍ମତା ଅନୁଭୁତ ହୁଏ ।

 

ଆଜିର ଗଳ୍ପର ନିର୍ଦ୍ଦିଷ୍ଟ ପରିଚୟ ଖୋଜି ବସିଲେ କେହି ପାଇପାରିବେ ନାହିଁ । ଏହା ସଂଜ୍ଞାର ନୀତି ନିୟମରେ ବାନ୍ଧି ହୁଏନା । କୌଣସି ନିୟମକୁ ଦୃଷ୍ଟି ରଖି ଏହା ଆତ୍ମ ପ୍ରକାଶ କରେନା । ଏହା ହଠାତ୍ ସୃଷ୍ଟି ହୁଏ । ଚମକ ଖେଳାଇ ଦିଏ—ଝଲକ ରଖିଦେଇଯାଏ । କୌଣସି ଆଦର୍ଶ କିମ୍ବା ଆଭିମୁଖ୍ୟର ଧ୍ୱନି ନେଇ ତା’ର ଆଗମନ ନୁହେଁ । ସେ ହେଉଛି ଏକ ନବଚେତନାର ବାର୍ତ୍ତାବହ—ନବ ଜୀବନର ଉଦ୍‍ଘାଟକ । ତେଣୁ କ୍ଷଣିକ ଝଲକରେ ସେ ଯେଉଁ ଆତ୍ମ ପ୍ରତ୍ୟୟର ବାର୍ତ୍ତା ଥୋଇଦେଇଯାଏ, ତା’ପାଇଁ ଜୀବନର ଏକ ସ୍ୱତନ୍ତ୍ର ସ୍ଥାନରେ ସମ୍ମାନ ଆପେ ଆପେ ପ୍ରତିଷ୍ଠିତ ହୋଇଯାଏ । ଆମକୁ ସେ ମନଖୋଲି କିଛି ନ କହିଲେ ବି ସୁଦ୍ଧା, ଆମ ପାଇଁ ଉପଦେଷ୍ଟାର ଭୂମିକା ଗ୍ରହଣ ନକଲେ ବି ସୁଦ୍ଧା, ତାର ପ୍ରଭାବ ଜୀବନ ଉପରେ ରହିଯାଏ । ତା’ର ଛନ୍ଦ, ତା’ର ସଂଳାପ ଜୀବନ ଭିତରେ ଭେଦିଯାଏ । ଆମକୁ ସେ ପୃଥକ୍ ପୃଥିବୀ ପାଇଁ ବାଟ ଦେଖାଏ । ସେ ପୃଥିବୀର ନୂଆ ନୂଆ ସନ୍ଦେଶ ଆମ ଆଗରେ ଉପସ୍ଥାପିତ କରେ ।

 

ଆଜିର ଗାଳ୍ପିକ କୋଳାହଳମୁଖର ଜଗତର ନୀରବତା ଭିତରେ ଆତ୍ମତୃପ୍ତି ଲାଭକରେ । ତା’ର ନୀରବତାର ସ୍ଵରଲିପି ଶୁଣିବା ପାଇଁ ଆତ୍ମବିହ୍ଵଳ ହୋଇଉଠେ, ତାକୁଇ ନେଇ ଗଳ୍ପର ଜୀବନ ଗଢ଼ିପକାଏ । ସେଇ ସ୍ଵରଲିପିରେ କେବେହେଲେ ପରିଚିତ ଜଗତର କାହାଣୀ ଓ ସମସ୍ୟା ଫୁଟି ଉଠେନା । କାରଣ ବାହ୍ୟ ଜଗତର ଚାରିତ୍ରିକ ଗୁଣଠାରୁ ତା’ର ଚରିତ୍ର ଓ ଆଦର୍ଶ ଭିନ୍ନ । ଆଜିର ଗାଳ୍ପିକ ଗଳ୍ପକୁ କାହାଣୀସର୍ବସ୍ଵ କରିବାକୁ ଚାହେଁନାହିଁ, କେବଳ ସେହି କାହାଣୀ ଭିତରେ ଏଇ ଦୁନିଆର ଛବିକୁ ବାନ୍ଧି ରଖିବାକୁ ଆଗ୍ରହୀ ନୁହେଁ । ତା’ର ବିଶ୍ୱାସ, ଗାଳ୍ପିକ କେବଳ ଛବି ଉପସ୍ଥାପକ ନୁହେଁ, ସେ ସତ୍ୟର ଉଦ୍‍ଘାଟକ, ତା’ର ଏକନିଷ୍ଠ ଉପାସକ । ସେହି ସତ୍ୟର ଉଷ୍ମତାକୁ ଅଙ୍ଗେ ଅଙ୍ଗେ ଅନୁଭବ ପାଇଁ ଗାଳ୍ପିକ ବଦ୍ଧ ପରିକର । ରହସ୍ୟାଳୟ ଭିତରକୁ ପ୍ରବେଶ କରି, ସବୁ ରହସ୍ୟର ଗଭୀର ତତ୍ତ୍ୱ ବୁଝିବା ଲାଗି ତା’ର ଉତ୍କଣ୍ଠା ରହିଛି । ସେଥିପାଇଁ ଗାଳ୍ପିକ ଏଇ ସାଧାରଣ ମଣିଷର ବନ୍ଧୁ ହୋଇଛି, ଯାତ୍ରାପଥରେ ତା’ର ସାହାଯ୍ୟ ଲୋଡ଼ିଛି । ପୁଣି ଆହୁରି ଆଗକୁ ଯିବା ଲାଗି ମନ ଭିତରେ ପ୍ରଶ୍ନ ପରେ ପ୍ରଶ୍ନ ତା’ର ଉଙ୍କିମାରି ଉଠିଛି ।

 

ପୃଥକ୍ ପୃଥିବୀର ମଣିଷ ହୋଇଗଲା ପରେ, ତାକୁ ଆହୁରି ନିଜକୁ ଚିହ୍ନିବାକୁ ମନହୁଏ । ସେହି ଚିହ୍ନାପରିଚୟ ପର୍ବ ପରେ ପର୍ବ ଯେତେ ଶେଷ ହେଉଥିବ, ପୁରୁଣା ପୂର୍ବପରିଚିତ ପୃଥିବୀର ନାଟକୀୟ ଘଟଣାଠାରୁ ସେ ଦୂରେଇ ଦୂରେଇ ଯିବ । ପରିଚିତ ପୃଥିବୀରେ ନିଜର ସ୍ଥିତି ଖୋଜି ବସିଲେ ତାକୁ ମିଳିବନାହିଁ । ପରିଚିତ ଓ ଚିହ୍ନା ମୁହଁ ତାକୁ ଅପରିଚିତ ଓ ଅଚିହ୍ନା ଲାଗେ । ସେହି ପରିଚିତ ପୃଥିବୀ ପାଇଁ ସେ କୁଣିଆ ହୋଇଯାଏ । ଏତେବେଳେ ତା’ର ପରିଚୟ କିଏ ବା ଦେବ ! ସେ ଯେ ସତ୍ୟ, ସେ ଯେ ରହସ୍ୟ ! ତା’ ନହେଲେ, ମିଳାଇ ଯାଇ ପୁଣି ନିଜକୁ ନିଜ ଭିତରେ ଦେଖିବା ଲାଗି ଖୋଜା ପଡ଼ନ୍ତା କାହିଁକି ? କାହିଁକି ସେ ଅନାଗତ ପୃଥିବୀରେ ଠିଆ ହୋଇ ଭିନ୍ନ ଚେତନା ଫଳରେ ଘନିଷ୍ଠ ପରିଚିତ ଜଗତକୁ ଏତେ ବିକଟାଳ ରୂପେ ଦେଖେ ! ହଠାତ୍ ତା’ ଜୀବନରେ ଏଇ ଅଭିନୟର ଶୁଭାରମ୍ଭ କାହିଁକି ହୁଏ ?

 

ଶୂନ୍ୟ ଇଲାକାର ସ୍ଵପ୍ନ ଭିତରେ ଆଜିର ଗାଳ୍ପିକ ବୁଡ଼ିଯିବାକୁ ଚାହେଁ । ସେହି ସ୍ଵପ୍ନର ମନହରା ସଂଳାପରେ ସେ ଆନନ୍ଦିତ । ଶୂନ୍ୟତାକୁ ନେଇ ସେ କେତେ ଯେ ପରିକଳ୍ପନା କରେ, ତା’ର ସୀମା ନାହିଁ । ପୃଥକ୍ ପୃଥିବୀର ଇଲାକାରେ ସେ ହଜିଯାଏ । ହଜାଇଦିଏ ତା’ର ପୁରୁଣା ରୂପକୁ । ହଜି ଯାଉଥିବା ଚେହେରା ଭିତରେ ପୁଣି ନୂଆ ଚେହେରାକୁ ପାଇଯାଏ—ନିଜ ଚେହେରାକୁ ପାଏନା, ସବୁ କେମିତି ନୂଆ ନୂଆ ଲାଗେ ।

 

ଆଜିର ଗାଳ୍ପିକ ଆଗରେ ଗଭୀର ସତ୍ୟ ହିଁ ବଡ଼ କଥା । ଏହାର ସନ୍ଧାନରେ ସେ ସଫଳ ହେଲେ ସାର୍ଥକ ମନେକରେ । ବାସ୍ତବତାର ପୂଜକ ହୋଇ, ବାସ୍ତବତାର ଜୟଗାନ କରିବାକୁ ଭଲପାଇବାଠାରୁ ସେ ଅନୁଭୂତିଲବ୍ଧ ସତ୍ୟତାର ଜୟକାରକୁ ଅଧିକ ପସନ୍ଦ କରେ । ସେହି ସତ୍ୟତାରୁ ଯେଉଁ ସ୍ପର୍ଶ ଟିକକ ପାଏ, ସେଥିରେ ତା’ର ସ୍ପର୍ଶାତୁର ଜୀବନ ଧନ୍ୟ ହୁଏ । ସେହି ସ୍ପର୍ଶର ଭାବକୁ ଗଳ୍ପରେ ରୂପଦିଏ । ଇଙ୍ଗିତ ମାଧ୍ୟମରେ ସେ କଥାକୁ ଥୋଇଦିଏ । ଏ ପ୍ରକାଶ ଲାଗି କୃତ୍ରିମତାକୁ ପ୍ରଶୟ ଦିଏନା । ଅକୃତ୍ରିମ ଶୈଳୀକୁ ଏଲାଗି ସମ୍ନାନ ଦିଏ ।

 

ସେ ଭାବେ, କାହାଣୀ ଯୁଗଠାରୁ ଏ ଯାବତ୍ ବର୍ଣ୍ଣନା ଅନେକ ତ ହୋଇ ଗଲାଣି—ତେବେ ବର୍ଣ୍ଣନା ଭିତରେ ବିଶ୍ଳେଷଣ ଆସିବାରେ କ୍ଷତି କଣ ! ବରଂ ଯେଉଁ ସମାଜ ଓ ଜୀବନ ବର୍ଣ୍ଣିତ, ସେହି ଜଗତକୁ ବିଶ୍ଳେଷଣ କରିପାରିଲେ ଆମ ସମ୍ମୁଖରେ ଗୋପନୀୟ ପୃଥିବୀଟି ଉଦ୍‍ଭାସିତ ହୋଇଉଠିବ । ସେ ପୃଥିବୀ ବେଶି ଦୂର ନୁହେଁ, ଆମର ଅତି ନିକଟରେ; ମାତ୍ର ବାହ୍ୟ ଜଗତର ଅଧିକ କୃତ୍ରିମତା ଆମକୁ ଏତେ ମୋହାବିଷ୍ଟ କରିପକାଇଛି, ଯାହାପାଇଁ ଆମକୁ ତାରି ବନ୍ଧନରେ ଅନ୍ଧ କରି ରଖିଛି । ଫଳତଃ ନିକଟର ପୃଥିବୀ ଆମକୁ ଦୂରବର୍ତ୍ତୀ ପରି ଅନୁଭୂତ ହେଉଛି-। ଏହି ଅନୁଭବର ଦୂରତାକୁ ସଂକୁଚିତ କରିଦେବା ହେଉଛି ସେହି ନୂତନ ଗାଳ୍ପିକର ଆଭିମୁଖ୍ୟ । ତେଣୁ ତା’ର ଆଦର୍ଶ ବାହ୍ୟଜଗତର ମନ ନେଇ, ଅନ୍ୟ ଏକ ପୃଥିବୀର ଦ୍ୱାରକୁ ଉନ୍ମୋଚନ କରିବ । ଉନ୍ମୋଚିତ ଜଗତ୍ ହେବ ତା’ ଲାଗି ଅକଳ୍ପନୀୟ ଚିନ୍ତାର ବାର୍ତ୍ତାବହ ।

 

ଗତାନୁଗତିକ ପାରଂପରିକ ସ୍ଵରଲିପିରେ ଗଳ୍ପ-ଜଗତର ଚତୁଃପାର୍ଶ୍ଵକୁ ମୁଖରିତ କରିବା ଅପେକ୍ଷା, ଗୋଟାଏ ପରିକଳ୍ପିତ ଅନ୍ଧାରିତ ଆଲୋକରେ ଉଜ୍ଜ୍ଵଳ ହୋଇ ଉଠୁଥିବା ପୃଥିବୀ ଲାଗି ଆଜିର ଗାଳ୍ପିକ ଦୃଷ୍ଟି ପ୍ରସାରିତ କରିବା ଲାଗି ତା’ଠୁ ଅଧିକ ଆଗ୍ରହୀ । ସେଥିପାଇଁ ନିରବଚ୍ଛିନ୍ନ ଭାବରେ ସେ ଧାଏଁ ତା’ର ସଂଧାନୀ ମନକୁ ନେଇ ସେଇ ପୃଥିବୀର ଇଲାକାକୁ ସନ୍ଧାନ କରିବା ପାଇଁ । ସେ ଜାଣେ, ତା’ର ଗତାନୁଗତିକ ପୃଥିବୀରେ ପରିପୂର୍ଣ୍ଣ ହୋଇଛି ଏଇ ଜୀବନ—ଏଇ ସଂସ୍କୃତି, ଏଇ ଆକାଶ—ଏଇ ମାଟିର ଧୂଳି ଧୂସରିତ କିଆବଣ ବୁଦା ଘେରା ଅସୁମାରି ପଥର କାହାଣୀ; କିନ୍ତୁ ସେଇ ଜୀବନର ଯେଉଁ ନବ ଦିଗନ୍ତାଲୋକର ସାମାନ୍ୟ ଝଲକ ସେ ଅନୁଭବ କରୁଛି, ତାହା ଆଉ କେଉଁଠୁ ପାଇବା ଲାଗି ତାକୁ ସୁଯୋଗ ମିଳୁନି । ତା’ ଭିତରେ ଆମ ଆଗୋଚରରେ ହେଲେ ବି ସୁଦ୍ଧା, ବାସ୍ତବତାର ଆବରଣ ସେହି ଝଲକକୁ ଆହୁରି ନୂତନତାରେ ବିଭୂଷିତ କରିବସେ । ସେଥିରେ ଅନୁଭବ କରିହୁଏ ରହସ୍ୟାଚ୍ଛନ୍ନ ଶାଣିତ ଭାବାବେଗ । ସେହି ଭାବାବେଗ ନିଛକ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇଥିବା ହେତୁ, ଭିନ୍ନ ସ୍ଵାଦର ଜୀବନକୁ ଶିହରିତ କରିପକାଏ ।

ସେ ଅନୁଭବ କରେ ଦୁନିଆରୁ ସଂଗ୍ରାମ ଲୋପ ପାଇଗଲେ ମଣିଷ ସେ ଦୁନିଆରେ ଆଉ ମଣିଷ ପରି ବଞ୍ଚିରହିବା ସମ୍ଭବ ହେବନି । ତେଣୁ ମଣିଷ ଜାଣି ଜାଣି ବି ବହୁ କ୍ଷେତ୍ରରେ ଜୀବନକୁ ସଂଗ୍ରାମମୁଖର କରେ, ଚିନ୍ତାଧାରାରେ ବୈପ୍ଳବିକ ଚେତନା ଜାଗ୍ରତ କରାଏ । ଆହୁରି ଅଧିକରୁ ଅଧିକତର ବିଶ୍ଳେଷଣ ପାଇଁ ଆଗ୍ରହୀ ହୁଏ । ସେ ଅଧିକ କିଛି କରିବାକୁ ଗଲାବେଳେ, ତା’ପାଇଁ ପଡ଼ିରହିଥିବା ପଥକୁ ଅସ୍ଵୀକାର କରେନା । ପ୍ରତ୍ୟାଖାନ କରି ନୂତନ ଦିଗ୍‍ବଳୟ ଉନ୍ମୋଚନ କରିବା ଅପେକ୍ଷା, ତା’ ଲାଗି ଉଦ୍ଦିଷ୍ଟ ଭୂଇଁ ଉପରେ ଠିଆହୋଇ ଆହ୍ଵାନକୁ ହୃଦୟଙ୍ଗମ କରି ଆଗକୁ ପାଦ ବଢ଼ାଇବାରେ ସେ ଉତ୍ସାହୀ ।

 

ଆଜିର ଗାଳ୍ପିକ ଚାହେଁ, ଯେପରି ସେ ତା’ର ଅନ୍ଧକାର ରହସ୍ୟାଲୋକରେ ନିଜକୁ, ନିଜର ସ୍ଥିତିକୁ, ନିଜର ଅହଂକୁ ଏବଂ ତା’ର ମନସ୍ତତ୍ତ୍ଵକୁ ଉଜ୍ଜ୍ଵଳମୟ କରିପାରିବ । ଦୁଃଖାନ୍ତକ ଓ ମିଳନାନ୍ତକ ଜଗତର ଇଲାକା ଯେମିତି, ବାହ୍ୟ ପୃଥିବୀର କୋଳାହଳ ଭିତରୁ ନୀରବତାର ସଂଳାପ ଶୁଣି ପାରିବ, ଏ ପୃଥିବୀ ସେତେବେଳେ ହୋଇ ଉଠିବ ଅନାଗତ ପୃଥିବୀ ଲାଗି ଏକ ପ୍ରତୀକ, ଏକ ସୂଚନା—ଏକ ଇଙ୍ଗିତ । ଏଇ ଅନୁଭବ ପାଇଁ ଆଜିର ଗାଳ୍ପିକକୁ କମ୍ କଷଟିରେ କଷାହେବାକୁ ବି ପଡ଼ୁନାହିଁ । ଚିନ୍ତାକୁ ଶାଣିତ କରିବାର ପ୍ରବଳ ବାସନା ତାକୁ ଦେଇଛି ଏ ଦିଗରେ ଯଥେଷ୍ଟ ପ୍ରେରଣା ଓ ଉତ୍ସାହ । ସେଲାଗି ସେ ଖୋଜୁଛି ଗୋଟିଏ ନୂଆ ପଥ, ଯେଉଁ ପଥରେ ସେ ଏକାକୀ ନୁହେଁ—ସମଗ୍ର ସମାଜକୁ ନେଇଯିବ । ଯିବା ଲାଗି ସମାଜ ଆଗରେ ଆକର୍ଷଣୀୟ ପ୍ରଲୋଭନ ଥୋଇଦେବ-। ସେହି ପ୍ରଲୋଭନର ସୂଚନା ମିଳେ ଗୋଟିଏ ଗୋଟିଏ ମୁହୂର୍ତ୍ତର ନୀରବତାରୁ । ତାକୁ କେମିତି ସେ ରକ୍ତରେ ଅନୁଭବ କରି ପାରୁଛି—ନିଜ ଚେତନାର ପ୍ରତିଧ୍ୱନି କରାଇପାରୁଛି, ସେତକ ହିଁ ତା’ର କାମ୍ୟ ।

 

ସେ ନୂତନ ସତ୍ୟାନୁସନ୍ଧୀ ସତ, ହେଲେ କିନ୍ତୁ ଜୀବନ ପ୍ରତି ବୀତସ୍ପୃହ ନୁହେଁ । ଜୀବନକୁ ଶ୍ରଦ୍ଧା କରି, ଜୀବନକୁ ଅତି ଆପଣାର ମନେକରିବାକୁ ତା’ର ଇଚ୍ଛା । ଜୀବନକୁ ଭଲ ପାଇବାର ସାଧନା ଭିତରେ ସେ ନୂଆ ଦୁନିଆ ଗଢ଼ିବସୁଛି । ଅବଶ୍ୟ ପ୍ରକାଶ ଭଙ୍ଗୀରେ ଭିନ୍ନତା ରହିଛି—ତାହା ତ ରହିବ । ସବୁ ଯେତେବେଳେ ନୂତନର ଆମନ୍ତ୍ରଣ ପାଇଁ, ସେତେବେଳେ ବା ପୁରୁଣା ପ୍ରକାଶଭଙ୍ଗୀ ଓ ଶୈଳୀ କିମ୍ବା ଭାଷା ବିନ୍ୟାସରେ ନୂତନତା ନ ଆସିବ ବା କିପରି ? ସେଥିପାଇଁ ଆଜିର ଗଳ୍ପରେ ଏତେ ପରୀକ୍ଷା ନିରୀକ୍ଷା—ଏତେ ନୂତନ ଭାବର ଅବତାରଣା ।

 

ଯେତେ ଯାହା ହେଉନା କାହିଁକି, ସକଳ ପରୀକ୍ଷା, ସକଳ ଅନୁସନ୍ଧାନ ଭିତରେ ନିର୍ଦ୍ଦିଷ୍ଟ ପତାକାଟିଏ ପୋତିବାର ପ୍ରୟାସ କରିଛି ଆଜିର ଗାଳ୍ପିକ । ସେହି ପତାକାର ସ୍ୱର ଗଭୀରରୁ ଆହୁରି ଗଭୀରକୁ ଭେଦି ପାରିବାର ଉଦଗ୍ର କାମନା ଓ ଅଭିଳାଷର ବସା ବାନ୍ଧିଛି ତା’ ମନରେ । ସେ କାହାରି ଆଦର୍ଶବାଦ, କାହାରି ନୀତିବାଦ ଉପରେ କୁଠାରାଘାତ କରେନା, ବରଂ ସେହି ପଥକୁ ସମ୍ମାନଦେଇ, ନିଜର ସ୍ୱକୀୟ ଆତ୍ମବୋଧ ପାଇଁ ନୂଆ ନୂଆ ଖସଡ଼ା ତିଆରିକରି ବସେ ।

 

ଆଜିର ଗଳ୍ପରେ ଅନେକ ନୂଆ ସ୍ୱର ଶୁଣିବାକୁ ମିଳେ । ଭିନ୍ନ ଭିନ୍ନ ସ୍ୱାଦରେ ଏହା ରୁଦ୍ଧିମନ୍ତ । ଓଡ଼ିଆ ଗଳ୍ପ ସାହିତ୍ୟରେ ନବ ଦିଗନ୍ତ ଉନ୍ମୋଚିତ ହୋଇଛି—ଅସୁମାରି ସ୍ୱପ୍ନ, ସାର୍ଥକତାର ସମ୍ଭାବନାରେ ଚିତ୍ରିତ । ସବୁ ଦିଗକୁ ଏଠାରେ ଆଲୋକପାତ କରିବା ସମ୍ଭବ ନୁହେଁ—ପରିସର ସୀମିତ । ମୋର ବିଶ୍ୱାସ, ଯେଉଁ କେତେଜଣ ପ୍ରତିଭାବାନ୍ ଗାଳ୍ପିକଙ୍କୁ ଯାତ୍ରୀ ଭାବରେ ଏଠାରେ ନିଆ ଯାଇଛି, ସେମାନଙ୍କଠାରେ ଗଳ୍ପର ନୂତନ ଚେତନା ପରିଷ୍ଫୁଟ ହୋଇଛି । ନୂତନ ଶୈଳୀ ଓ ଆଙ୍ଗିକକୁ ଆଖିରେ ରଖି ଦିନେ ଯେଉଁ ନୂତନ ଓଡ଼ିଆ ଗଳ୍ପ ସୃଷ୍ଟି ହୋଇଥିଲା, ସେହି ସ୍ରୋତ ମରିଯାଇନାହିଁ । ତାହା ପରବର୍ତ୍ତୀ ବହୁ ପ୍ରତିଭାବାନ୍ ସ୍ରଷ୍ଟାଙ୍କ ଦ୍ୱାରା ରକ୍ଷା କରାଯାଇଛି । ବରଂ ଆହୁରି ଅଧିକରୁ ଅଧିକତର ଏ ପୃଥକ୍ ପୃଥିବୀ ଲାଗି ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟିହୋଇଛି, ଏହା ନିଃସନ୍ଦେହରେ କୁହାଯାଇପାରେ । ସେହି ପରଂପରାର ଉତ୍ତରାଧିକାରୀ ଭାବରେ ଆଜି ବହୁ ଗାଳ୍ପିକ ସାଧନାରତ—ସେମାନଙ୍କ ପ୍ରତିଭାର ସ୍ୱାକ୍ଷର ଗଳ୍ପ ଜଗତରେ ଅଙ୍କିତ । ମୁଁ ଏଥିରେ ଅଳ୍ପ କେତେଜଣଙ୍କୁ ସ୍ଥାନ ଦେଇପାରିଛି ମାତ୍ର ।

 

ଯେଉଁ ସହୃଦୟ ଗାଳ୍ପିକମାନେ ସେମାନଙ୍କ ଗଳ୍ପକୁ ଏଠାରେ ସ୍ଥାନ ଦେବାଲାଗି ମୋର ଅନୁରୋଧ ରକ୍ଷାକରି ସଦୟ ସ୍ଵୀକୃତି ପ୍ରଦାନ କରିଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି । ଏପରି ଏକ ନୂତନ ପୁସ୍ତକ ପ୍ରକାଶନର ପରିକଳ୍ପନାକୁ କାର୍ଯ୍ୟରେ ପରିଣତ କରିବାଲାଗି ପ୍ରକାଶକ ବନ୍ଧୁ ଶ୍ରୀ ଅଭିରାମ ମହାପାତ୍ର ସହଯୋଗ କରିଥିବାରୁ ତାଙ୍କୁ ମଧ୍ୟ ମୋର ଧନ୍ୟବାଦ ।

 

ଆଉ ଅଧିକ କିଛି କହି ଗୌରଚନ୍ଦ୍ରିକା ଭାରାକ୍ରାନ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଗଳ୍ପଗୁଡ଼ିକ ସେମାନଙ୍କ ନିଜ କଥା ନିଜ ତୁଣ୍ଡରେ କହି ପାରିବେ, ଏଥିରେ ମୁଁ ନିଶ୍ଚିତ ।

 

ଏ ସଂକଳନରୁ ପାଠକମାନେ ଜଣେ ନୁହେଁ, କେତେଜଣ ଭିନ୍ନ ଯାତ୍ରୀଙ୍କର ପରିଚୟ ପାଇବା ସଙ୍ଗେ ସଙ୍ଗେ, ସେମାନଙ୍କ ପୃଥକ୍ ପୃଥିବୀର ପରିଚୟ ପାଇବେ ବୋଲି ମୋର ଆଶା । ସେମାନଙ୍କ ଯାତ୍ରା ଶେଷ ହୋଇନାହିଁ । ସେମାନେ ଚାଲିଛନ୍ତି…ଆଗକୁ…ଆହୁରି ଆଗକୁ…ସେ ଯାତ୍ରା କଣ ଏତେବେଳୁ ଶେଷ ହେବ ! ତାହାର ଯେ ଶୁଭାରମ୍ଭ…

 

ମଠସାହି, ଭଦ୍ରକ

ବିନୀତ

୧୯୮୧

ଶ୍ରୀ ଅପୂର୍ବ ରଂଜନ ରାୟ

Image

 

ଶ୍ରୀ ସତ୍ୟ ମିଶ୍ର

 

ମାଛି

 

ଉପରକୁ ଅନେଇଲେ ଛାତ ଉପରୁ ଝୁଲୁଥିବା ପଙ୍ଖାଟା ଦିଶିଯିବ । କାନ୍ଥକୁ ଦେଖିଲେ ଦେଖାଯିବ ଅନେକ ପ୍ରେତପୁରୁଷଙ୍କ ଶେତା ମୁହଁ ଓ ସେମାନେ ଦାନ୍ତ ଦେଖେଇ ଖତେଇ ହେଉଥିବାର ଦୃଶ୍ୟ । ବିଛଣାକୁ ଅନେଇଲେ ଦିଶିଯିବ ଗୋଟାଏ ଦରମରା ବୁଢ଼ୀର ଦେହ । ମୁଣ୍ଡଟା ଦିଶୁଥିବ ଗୋଟାଏ ସଢ଼ିଯାଇଥିବା ତରୁଭୁଜ ପରି । ମୁଣ୍ଡର ପାଚିଲା, ଟାଆଁସା ବାଳସବୁ ପିନ୍‍ପରି ଛୋଟ ଛୋଟ କରି କଟା ହୋଇଥିବ । ନିହାତି ବିଭସ୍ର-ନାରୀ ବୋଲି ଭାବିହେବ ନାହିଁ । ଜଣାଯିବ ଯେମିତି ଗୋଟାଏ ନୃଶଂସ କାପାଳିକ । ଛାତ ଉପରେ ଫେନ୍ଟା ଘୁରୁନାହିଁ, ସ୍ଥିର ହୋଇ ରହିଚି । ତେଣୁ ଦେଖିଲେ ମନେ ହେବ ଯେମିତି ଗୋଟାଏ ଅତିକାୟ ଡ୍ରାଗନ୍ ପକ୍ଷୀ ତା ‘ର ବିଶାଳ ଡେଣା ମେଲାଇ ଛାତତଳେ ସ୍ଥିର ହୋଇ ରହିଯାଇଚି :

 

ଏବେ ଯଦି ଲୋରା ଆଖି ଖୋଲିଦିଏ, ତା’ହେଲେ ସିଏ ନିଜ ଚାରିପଟେ ଦେଖିବ, ଏଭଳି କେତେକ ବିରକ୍ତିକର ଦୃଶ୍ୟ ! ସେ ସବୁ ଦୃଶ୍ୟ ଅତି ଭୟଙ୍କର ।

 

ଏସବୁ ଦେଖିବା ଅପେକ୍ଷା ବରଂ ଆଖିବନ୍ଦ କରି ପଡ଼ିରହିବା ଶହେଗୁଣ ଭଲ । ତେଣୁ ଲୋରା ଠିକ କଲା ଯେ ସେ ଆଖି ଖୋଲିବ ନାହିଁ । ସେମିତି ଆଖି ବନ୍ଦ କରି ଚୌକିରେ ବସିଥିବ–ଆଖି, ନାକ, କାନ ସବୁ ଇନ୍ଦ୍ରିୟକୁ ବନ୍ଦ କରିଦେଇ ଗୋଟାଏ ନିବୁଜ କୋଠରି ପରି ପଡ଼ିରହିଥିବ ଖାଲି ।

 

କୋଠରି ଭିତରର ଭୂଗୋଳ । ମଝିରେ ଗୋଟାଏ ପୁରୁଣା ପଟାଖଟ । ତା’ ଉପରେ ଅତି ଯତ୍ନ ଓ ସତର୍କତାର ସହିତ ଗୋଟାଏ ବିଛଣା ପକାଯାଇଛି । ଖଟର ଗୋଟାଏ ପ୍ରାନ୍ତକୁ ଲାଗି ରହିଚି ମେହଗାନି କାଠର ଗୋଟାଏ ଓଜନିଆ ଟେବୁଲ । ତା’ ପାଖରେ ଲୋରାର ଚୌକି । ଟେବୁଲ୍‍ର ପ୍ରଶସ୍ତ ପିଠି ଉପରେ ଗୋଟାଏ ଧଳା ଟେବୁଲ୍-କ୍ଳଥ୍‍ର ବିନୀତ ପ୍ରସାର । ଚାରିକଡ଼ରେ ଓ ମଝିରେ ରଙ୍ଗିନ୍ ସୂତାରେ ତିଆରି ଫୁଲର ଚିତ୍ର । ସବୁ ଫୁଲ ନିଦ୍ରାଗତ । ଟେବୁଲ ଉପରେ କେତେଟା ଔଷଧ ବୋତଲ, ଗୋଟଏ ଅଧାଛଡ଼ା ହୋଇଥିବା କମଳା, ଥର୍ମୋଫ୍ଳାସ୍କରେ ଗରମ ବାର୍ଲି ଏବଂ ଇତ୍ୟାଦି । ଖଟ ଉପରେ ରୋଗୀ ଶୋଇଚି, ଚୌକି ଉପରେ ନର୍ସ ଲୋରା ବସିଚି ।

 

ନର୍ସ ହିସାବରେ ଲୋରାର ସୁନାମ ଅଛି । ଯେତେ ଦୁଃସାଧ୍ୟ ରୋଗୀ ହେଲେ ବି ସେବାଧର୍ମବଳରେ ଲୋରା ତାକୁ ଆପଣାର କରିନିଏ ବୋଲି ଜନଶ୍ରୁତି ରହିଚି । ତେଣୁ ଏବେ ଏଇ ବୁଢ଼ୀଟାର ଶୁଶ୍ରୂଷା ଦାୟିତ୍ୱ ଲୋରା ଉପରେ ବିଶ୍ୱସ୍ତଭାବେ ନ୍ୟସ୍ତ କରାଯାଇଛି ଓ ତା’ ପ୍ରତି “ବିଶେଷଭାବେ” ଦୃଷ୍ଟି ଦେବାଲାଗି ଡାକ୍ତରଙ୍କଠାରୁ ସ୍ୱତନ୍ତ୍ର ହୁକୁମ ମିଳିଚି । ଏଭଳି ଗୋଟିଏ ବୀଭତ୍ସ ରୋଗୀକୁ ଦେଖିଲେ ମନରେ ଅବଶ୍ୟ ସେବାଭାବ ଆସେନାଇଁ, ତଥାପି ଲୋରା ଯଥାବିଧି ତା’ର ସେବା କରିଚାଲିଚି । ରୁଟିନ୍ ଅନୁଯାୟୀ ତାକୁ ପ୍ରତି ପନ୍ଦର ମିନିଟ୍‍ରେ ଔଷଧ ଓ ପ୍ରତି ଅଧଘଣ୍ଟାରେ ମିକ୍ସଚର୍ ଦେଉଚି । ପ୍ରତି ଚାରିଘଣ୍ଟାରେ ଥରେ ଫଳରସ ଦେଉଚି ଓ ଅନ୍ୟାନ୍ୟ ଯାବତୀୟ ସେବା କରୁଚି । ତା’ଛଡ଼ା ଖାସ୍ ତା’ରି ପାଇଁ ତ ସେ ଏଠି ଚୌକି ପକାଇ ବସିରହିଚି ଓ ଏଭଳି ବସି ରହି ସାରାରାତି କଟେଇଦେବା ପାଇଁ ସ୍ଥିର କରିଚି ।

 

ଅଥଚ ସାରାରାତି କଥା ଚିନ୍ତାକଲେ ହିଁ ଦେହର ସ୍ନାୟୁସବୁ ନିସ୍ତେଜ ହୋଇ ଉଠୁଛନ୍ତି । ରାତ୍ରି ଏଇମାତ୍ର ଆରମ୍ଭ ହୋଇଚି, ଅଥଚ ସେ ଭୀଷଣ କ୍ଳାନ୍ତି ଓ ବିରକ୍ତି ବୋଧ କଲାଣି । କେହି ନାହିଁ—ନିଃଶଦ୍ଦ କୋଠରି, ନିରୁଦ୍‍ବେଗା ରୋଗିଣୀ ଓ ସ୍ତବ୍ଧ ଆସବାବପତ୍ର ଯେମିତି ରାତି ଏକ ତୀବ୍ର ଏନାସଥେସିୟାପରି ତା’ ଦେହରେ ଚରିଯାଇଛି; ଏପରିକି ସେ ଆଖିଖୋଲି କୋଠରିକୁ ଦେଖିବାକୁ ମଧ୍ୟ ସାହସ କରୁନାହିଁ । ଆଗାମୀ କେତେ ମିନିଟ୍ ପାଇଁ ଅନ୍ତତଃ ଆଖି ଖୋଲିବାର କିଛି ଆବଶ୍ୟକତା ନାହିଁ । ରୋଗୀକୁ ରାତିର ପ୍ରଥମ ଡୋଜ୍ ଔଷଧ ଦିଆସରିଚି । ପନ୍ଦର ମିନିଟ୍ ପରେ ପୁଣି ଔଷଧ ଦେଇ ଦେହର ଉତ୍ତାପ ନୋଟ୍ କରିବା କଥା । ରୋଗିଣୀ କିନ୍ତୁ ନିହାତି ନିଶ୍ଚଳ—ଥରେ ଔଷଧ ଦେଲା ପରେ ଆଉଥରେ ନ ଉଠାଇବା ପର୍ଯ୍ୟନ୍ତ, ନିଦରେ ଶୋଇଯାଏ । ବେଶି ଅସୁବିଧା କରେ ନାହିଁ, ବେଶି ଅଳିଆଦବ୍ ନାହିଁ । ନିଜ ରୋଗର ବଳିଷ୍ଠ ଘୋଷଣା ନାହିଁ ।

 

“ନ ଥାଉ...କିନ୍ତୁ ତା’ରି ପାଇଁ ଯେ ମୁଁ ନିଜେ ରୁଗ୍‍ଣ ହୋଇପଡ଼ୁଚି !” —ଲୋରା ମନେ ମନେ ଏଭଳି ଗୋଟିଏ ବାକ୍ୟ ତିଆରି କରି ତାକୁ ବାରମ୍ବାର ଦୋହରାଇବରେ ଲାଗିଲା । ଏଇ ବୀଭତ୍ସ, ଅସୁନ୍ଦର ବୁଢ଼ୀଟା ପାଇଁ ଲୋରା ନିଜେ ରୁଗ୍ଣ ହୋଇପଡ଼ୁଚି ! ଲୋରା ଏହା ଭାବି ଗୋଟାଏ ଆତ୍ମସନ୍ତୋଷ ଅନୁଭବ କଲା ! ସେ ନିଜେଇ ଗୋଟିଏ ଫ୍ଲୋରେନ୍ସ ନାଇଟିଙ୍ଗେଲ ? ସେ ନିଶ୍ଚୟ ତା’ର ବାନ୍ଧବୀମାନଙ୍କୁ, ଅନ୍ତତଃପକ୍ଷେ ସୁନନ୍ଦାକୁ, ଚିଠି ଲେଖି ଜଣାଇବ ଯେ ସେ ଆଜିକାଲି ରୁଗ୍‍ଣ ଅନୁଭବ କଲାଣି ।

 

ହଠାତ୍ ଲୋରା ଭାବିଲା, ସେ କିଛି ଗୋଟାଏ ଶଦ୍ଦ ଶୁଣିପାରୁଚି । ଅତି ଅସ୍ପଷ୍ଟ, ଏପରି କି ଟିକିଏ ଅମନୋଯୋଗୀ ହେଲେ ମୋଟେ ଶୁଣି ନ ପାରିବାଟା ବି ବହୁତ ସମ୍ଭବ । ମନଦେଇ ଶୁଣିଲେ ଜଣାଯିବ, ଯେମିତି ଦୂରରୁ, ଅତି ଦୂରରୁ କିଏ ଜଣେ, ମାଇପିଟାଏ ବୋଧହୁଏ, ଗୁମ୍‍ଗୁମ୍ ହୋଇ କାନ୍ଦୁଚି; କିନ୍ତୁ ନା, ସ୍ୱରଟି କ୍ରମେ ସ୍ପଷ୍ଟ ହୋଇ ଆସିଲା । ଏକପ୍ରକାର ଘୁଁ ଘୁଁ ଶବ୍ଦ । କୋଠରିଟା ଏତେ ମାରାତ୍ମକଭାବରେ ନିଶ୍ଚଳ ଯେ, ଯେତେ କ୍ଷୀଣ ଧ୍ୱନି ହେଲେ ବି ଅତି ଅଭଦ୍ର ଭାବରେ ଆସି କାନକୁ ବିରକ୍ତ କରିବ । ନିହାତି, ନିହାତି ଅନିଚ୍ଛାସତ୍ତ୍ୱେ ଲୋରା ତା’ ଆଖିପତାର ବୋଝ ଉପରକୁ ଉଠାଇ କୋଠରିକୁ ଦେଖିବାକୁ ଲାଗିଲା ।

 

ସେଇ ପୁରୁଣା କାନ୍ଥ, ଖଟ ଟେବୁଲ ଓ ଆନୁଷଙ୍ଗିକ ସବୁ ଜିନିଷର ବିରକ୍ତି କର, ଅପରିବର୍ତ୍ତିତ ସ୍ଥିତି । ଅଥଚ ଗୋଟାଏ କ୍ଷୀଣ ଅନୁନାସିକ ଧ୍ୱନି ତା’ର ଅଦୃଶ୍ୟ ଜିଭ ବୁଲାଇ କୋଠରିର ସବୁ ଆସବାବପତ୍ରକୁ ଚାଟି ଚାଟି ଯାଉଛି । ଲୋରା ଉପରକୁ ଅନେଇ ଦେଖିଲା ! ଓଃ, କଥା ଏମିତି ! ଲୋରା ବେଶି ବିସ୍ମିତ ହେଲା ନାହିଁ; କହିବାକୁ ଗଲେ ମୋଟେ ବିସ୍ମିତ ହେଲା ନାହିଁ । ମାଛିଟାଏ । ବୁଢ଼ୀର ବିଛଣା ଉପରେ ପ୍ରାୟ ଛ’ ଫୁଟ ଛାଡ଼ି ବାୟୁଭିତରେ ଗୋଟାଏ ଅଦୃଶ୍ୟ ବୃତ୍ତ ଅଙ୍କନ କରିପକାଉଚି ଓ ତା’ର ପରିଧିରେ ନିଜେ ଏକଲା ବାରମ୍ବାର ଘୂରୁଚି, ଗୋଟାଏ ଘୁଁ ଘୁଁ ଶବ୍ଦ ସହିତ ଅବଶ୍ୟ ।

 

ଲୋରା 'କିଛି ନାଇଁ ମ, ମିଛିଟାଏ’ ସୂଚକ ଭଙ୍ଗୀରେ ପୁଣି ନିଜ ଆଖିପତା ବନ୍ଦକରି ଆଣୁଥିଲା, ହଠାତ୍ କିନ୍ତୁ ତାର ମନେପଡ଼ିଗଲା ଯେ ରୋଗୀକୁ ସଂପୂର୍ଣ୍ଣ ନୀରବତା ଆବଶ୍ୟକ । ତାକୁ ମୋଟେ ଡିଷ୍ଟର୍ବ କରିବା ଉଚିତ ନୁହେଁ । ସେ ଟିକିଏ ରାଗିଗଲା । ରୋଗୀର ଏକାନ୍ତ କୋଠରି ଭିତରକୁ ନର୍ସ ଭିନ୍ନ ଅନ୍ୟାନ୍ୟ ଅନାବଶ୍ୟକ ଜୀବଜନ୍ତୁଙ୍କର ପ୍ରବେଶ ନିଷିଦ୍ଧ ବୋଲି ମାଛିମାନେ କାହିଁକି ଜାଣୁନାହାନ୍ତି କେଜାଣି ! ମାଛିଟା ଅନ୍ତତଃ ଏତିକି ବିଚାର କରିବା ଉଚିତ ଯେ ଏଠି ଜଣେ ରୋଗୀ ଶୋଇଛି ! ସେଇ ରୋଗୀଟା ଅବଶ୍ୟ ଦେଖିବାକୁ ଟିକେ ବେଶି କଦର୍ଯ୍ୟ । ତେବେ ତା’ ବୋଲି ? ତା’ ବୋଲି ମାଛିଟା ଯାଚ୍ଛାତା’ ଅନୁପ୍ରବେଶ କରିଯିବ ନା କ’ଣ ! ଲୋରା ମନେ ମନେ ମାଛିକୁ ଗାଳିଦେଲା ଓ ମାଛିଦ୍ଵାରା ହଇଜା ପରି ଅନେକ ମାରାତ୍ମକ ରୋଗ ସଂକ୍ରମିତ ହୁଏ ବୋଲି ସ୍ମରଣ କଲା । ଉଦ୍ଧତ; ଟିକିଏ ବୋଲି ଭଦ୍ରତା–ଜ୍ଞାନ ତା’ର ଥାନ୍ତା !

 

ଲୋରା ଭାବିଲା, ସେ ମାଛିକୁ ହାତରେ ଆଘାତ କରିବ । ଅଥବା ଯେକୌଣସି ଉପାୟରେ ତାକୁ କୋଠରି ବାହାରକୁ ତଡ଼ିଦେବାକୁ ଚେଷ୍ଟା କରିବ; କିନ୍ତୁ କିଛି ଲାଭ ନାଇଁ ! ବରଂ ଏହାଦ୍ଵାରା ଜଣାପଡ଼ିଯିବ ଯେ ଲୋରା, ଖ୍ୟାତନାମା ସେବିକା ଲୋରା, ଗୋଟାଏ ସାଧାରଣ ମାଛିର ନିରୀହ ଦୁଷ୍ଟାମି ରେ ତ୍ରସ୍ତ ଓ ବ୍ୟତିବ୍ୟସ୍ତ ହୋଇଯାଇଚି ! ମାଛିକୁ ଆଦୌ ଖାତିର କରୁନଥିବା ଭଳି ଗୋଟିଏ ଭଙ୍ଗୀ ତା’ର ମୁହଁରୁ ହିଁ ସାଫ୍ ସାଫ୍ ଜଣାପଡ଼ିଯିବା ଉଚିତ ।

 

ଲୋରା କାହାକୁ ଖାତିର୍ କରେ ନାଇଁ !

 

ହଠାତ୍ ଲୋରା କ’ଣ ଭାବି ଟେବୁଲ ଡ୍ରୟର ଭିତରୁ ଲେଟର୍‍ପ୍ୟାଡ଼୍ ଓ କଲମ ଟାଣିଆଣି ଚିଠିଲେଖା ଆରମ୍ଭ କରିଦେଲା—

 

‘ସୁନନ୍ଦା, ମୁଁ ଆଜିକାଲି କାହାକୁ ଖାତିର୍ କରୁନାଇଁ ।

ସୁନନ୍ଦା, ମୁଁ ଆଜିକାଲି ରୁଗ୍‍ଣ ହୋଇପଡ଼ିଲିଣି ।’

 

କିନ୍ତୁ ନା ! ଚିଠିଟା ଚିଠିପରି ଲାଗୁନାଇଁ ! କିଛି ସମୟ ଚିନ୍ତାକରି ଲୋରା ତା’ତଳକୁ ଲେଖିଲା—”ସୁନନ୍ଦା, ମୋ’ଠୁ ଚିଠି ନପାଇ ତୁ ବୋଧହୁଏ ରାଗିଯାଇଥିବୁ; କିନ୍ତୁ ତୁ ବୁଝିପାରିବୁ ନାଇଁ ମୁଁ କେମିତି ଗୋଟାଏ ଭୟଙ୍କର ଜୀବନକୁ ନେଇ ବଞ୍ଚିଚି ।

 

ଆଶାକରେ ଅନ୍ୟ କିଛି ବୁଝିବୁ ନାଇଁ । ମୁଁ ଜିଇଁଚି ଗୋଟାଏ ଅତି କୁତ୍ସିତ ସାଲିସ ଭିତରେ—ନିଜେ ଅନୁଭବ ନ କରିବା ପର୍ଯ୍ୟନ୍ତ ତୁ ବୋଧହୁଏ ବୁଝିପାରିବୁ ନାହିଁ; କିନ୍ତୁ ସତ କହୁଚି ସୁନନ୍ଦା, ଆଠବର୍ଷ କାଳ ରୋଗୀମାନଙ୍କର ସେବା କରି ମୁଁ ବି ରୁଗ୍ଣ ହୋଇଗଲିଣି । ଏବେ ଆଉ ବେଶି ମୋହ କିମ୍ବା ଉତ୍ସାହ ନାଇଁ । ଆଜି ସକାଳେ ବିଛଣାରୁ ଉଠି ମୁହଁ ଧୋଇବା ଆଗରୁ ମୁଁ ଟିକିଏ କାନ୍ଦିପକାଇଥିଲି ମଧ୍ୟ ! ଏବେ ଏଇ କୋଠରିରେ ଶୋଇଚି ଯେଉଁ ରୋଗିଣୀ, ତା’ର ବୟସ ହେବ ପ୍ରାୟ ପଞ୍ଚାବନ ବର୍ଷ । ନିହାତି ଅସୁନ୍ଦର ବୁଢ଼ୀଟାଏ—ଦିଶୁଚି ମେଦାଏ ପଚିଯାଇଥିବା ମାଂସପରି । କାହାକୁ ଭଲ ଲାଗିବ କହ ତ ? ହଁ, ଆଉ ଗୋଟାଏ ଜୀବନ ବି ଏ ରୁମ୍ ଭିତରେ ନିଜକୁ ବାରମ୍ଵାର ଘୋଷଣା କରି ବୁଲୁଚି; କିଏ ବୋଲି ଭାବୁଚୁ ? ମାଛିଟାଏ ମ, ଆଉ କିଛି ନୁହଁ ! ତୁଚ୍ଛା ମାଛିଟାଏ, ଅଥଚ ତା’ର କି ପରାକ୍ରମ ଦେଖିବୁ ! ଭୟଙ୍କର ଭାବେ ଊଦ୍ଧତ ! ସୁନନ୍ଦା, ଏବେ ମୁଁ ବସି ଚିଠି ଲେଖୁଥିବାବେଳେ ଏମିତି ଗୋଟାଏ ଘଟଣା ଘଟିଯାଇଚି ଯାହା ତୋତେ ଜଣାଇବା ଉଚିତ ବୋଲି ମୁଁ ମନେକର । ଏ କୋଠରିର ନିର୍ଜନତା ଆଉ କୋଠରିର କେନ୍ଦ୍ରବିନ୍ଦୁରେ ଏଇ ବୁଢ଼ୀଟିର ଅନୁପସ୍ଥିତ ଉପସ୍ଥିତି, ଏ ସବୁକୁ ମୁଁ ପ୍ରଚଣ୍ଡ ଭୟ ଓ ଘୃଣା କରେ; ଅଥଚ ଏଇ ମାଛିଟା ମୋତେ ସାହଚର୍ଯ୍ୟ ଦେବା ତ ଦୂରର କଥା; ବରଂ ସେମାନଙ୍କ ସହିତ ମିଶିଯାଇ ମୋତେ ଭୟଭୀତ କରିବାକୁ ଚେଷ୍ଟା କରୁଚି ! କଥାଟା ଅତି ସିରିଅସ୍ । ମୁଁ ମୋ ଚୌକିରେ ବସିଚି, ମାଛିଟା ମୋ ସାମ୍ନା କାନ୍ଥ ଉପରର ଗୋଟାଏ ବିନ୍ଦୁରୁ ହଠାତ୍ ମୋ ଆଡ଼କୁ ଏତେ ଜୋରରେ ଉଡ଼ିଆସିଲା ଯେ ମୋର ମନେ ହେଲା, ମୁଁ ଏ ଚୌକିରେ ଆଦୌ ନାହିଁ ବୋଲି ତା’ର ବିଶ୍ଵାସ । ବୁଝିପାରୁଚୁ ତ ? ଯେମିତି ଚୌକି ଉପରେ ମୁଁ ଆଦୌ ବସି ନାହିଁ କିମ୍ଵା ଯଦିବା ବସିଚି, ତା’ ହେଲେବି ମୋର କୌଣସି ଅବସ୍ଥିତି ନାଇଁ ! ସେ ସିଧାସଳଖ ଏଇ ଅବସ୍ଥିତିବିହୀନ ଶୂନ୍ୟସ୍ଥାନ ଦେଇ ଆରପାଖକୁ ଉଡ଼ିଯାଇପାରିବ ବୋଲି ତା’ର ଧାରଣା । ସୁନନ୍ଦା, ତୁ କ’ଣ କେବେ ତୋ ଉପସ୍ଥିତିର ଏମିତି ସିଧାସଳଖ ଅସ୍ଵୀକାରକୁ ସହିପାରନ୍ତୁ ?”

 

ଲୋରା ମନେମନେ ମାଛିଟା ଉପରେ ଏତେ କ୍ଷୁବ୍ଧ ହୋଇଯାଇଥିଲା ଯେ, ସେ ଆଉ ଚିଠି ଲେଖିପାରିଲାନାହିଁ । ଭୀଷଣ ବିରକ୍ତିରେ ଚିଠି ଲେଖା ବନ୍ଦକରି ସେ ପୁଣି ମାଛିଟିକୁ ଅନାଇବାରେ ଲାଗିଲା । ମାଛିଟା ଏହା ଭିତରେ ଆହୁରି କିଛି ବାଟ ଉଡ଼ିଯାଇଛି ଓ ଲୋରାର ସକଳ ମୂଲ୍ୟବାନ୍ ଚିନ୍ତା, ବ୍ୟକ୍ତିତ୍ଵ ଓ ସ୍ଥିତିକୁ ଆଦୌ ଖ୍ୟାତିର୍ କରୁ ନ ଥିବା ପରି ଏକ ସ୍ଵତନ୍ତ୍ର ଭଙ୍ଗୀରେ ଗୁଣୁଗୁଣୁ ଶବ୍ଦ କରି ଚାଲିଚି—ଯେମିତି ଲୋରାକୁ ସିଏ ଆଦୌ ବିଚାରକୁ ନିଏ ନାହିଁ । ଲୋରା ବିମୂଢ଼ ହୋଇ ତାକୁ ଅନେଇବାରେ ଲାଗିଲା । ମାଛିର ଇତସ୍ତତଃ ଗତିପଥକୁ ଅନୁସରଣ କରି ଲୋରାର ଦୃଷ୍ଟି ମଧ୍ୟ ଗୋଟାଏ ଅସନ୍ତୁଷ୍ଟ କୀଟ ପରି ଘରସାରା ପଇଁତରା ମାରିବାରେ ଲାଗିଲା-। ମାଛିଟା ମଶାରି ବାଡ଼ ଉପରେ ବସିଚି, ଏକଲୟରେ କ’ଣଟାଏ ପରୀକ୍ଷାକରୁଚି ଓ ପୁଣି ଉଠିଲା...ପୁଣି ଉଡ଼ିଲା । ଫେନ୍‍ର ଉଇଂଗ ଉପରେ ବସିଲା ବୋଧହୁଏ । ଏବେ ମାଛିଟା ଟେବୁଲ୍ ଉପରେ, ମାଛିଟା ଛାତତଳେ, ମାଛିଟା ଶୂନ୍ୟରେ ଓ ମାଛିଟା ସବୁଆଡ଼େ । ମାଛର ଗତି ସବୁଆଡ଼େ ଓ ମାଛିର ଗୁଞ୍ଜନ ସବୁଆଡ଼େ । ଲୋରାର ସକଳ ଚିନ୍ତା, ଚୈତନ୍ୟ ମାଛିର ଅନିର୍ଦ୍ଦିଷ୍ଟ କକ୍ଷରେ ଆଉ ଗୋଟାଏ ମାଛି ହୋଇ ଘୂରିବୁଲିଲା ଓ ମାଛିର ଗୁଣୁଗୁଣୁ ଶବ୍ଦ ଶୁଣିବାରେ ଲାଗିଲା । ଏହିପରି ଘୂରୁଘୂରୁ ଏକସମୟରେ ଲୋରା ଅନୁଭବ କଲା ଯେ ଏଇ ନିରବଚ୍ଛିନ୍ନ ଅଦମ୍ୟ ଧ୍ୱନିପ୍ରବାହର ହୁଏତ ଗୋଟାଏ ଅର୍ଥ ବି ରହିଚି ! ଏହା ବି ହୋଇପାରେ ଯେ ସେଇଟା କେବଳ ତା’ରି ପାଇଁ ଉଦ୍ଧିଷ୍ଟ । ମାଛିଟା ଲୋରା ବିରୁଦ୍ଧରେ, କେବଳ ଲୋରା ବିରୁଦ୍ଧରେ ଗୋଟିଏ ସ୍ଲୋଗାନ ବାରମ୍ବାର ଉଚ୍ଚାରଣ କରି ସାରା ପୃଥିବୀକୁ ଶୁଣାଇବାକୁ ଚାହେଁ ! ଲୋରା ମନଦେଇ ଶୁଣିଲା ଓ ବୁଝିଲା, ମାଛିଟା କହୁଛି ଯେ ଲୋରା ନାହିଁ ! ଲୋରା ନାହିଁ ! ମାଛିଟା ଅଛି, ଉଡ଼ୁଚି, ଶବ୍ଦ କରୁଚି; କିନ୍ତୁ ଲୋରା ନାହିଁ । କେବେ ନଥିଲା କି ଏବେ ମଧ୍ୟ ନାହିଁ । ଲୋରାର ଅସ୍ତିତ୍ଵ ତେଣୁ ଏକ ବିରାଟ ନାସ୍ତି, ଏକ ମସ୍ତବଡ଼ ଫ୍ଲପ୍ । ଗୋଟାଏ ‘କିଛି ନାହିଁ’ । ସମସ୍ତେ ସବୁଠି ଅଛନ୍ତି, କେବଳ ଲୋରା ଛଡ଼ା । ବିଛଣା ଉପରେ ରୋଗିଣୀ ସାମାନ୍ୟ ହଲଚଲ ହେଲା । ଲୋରା ଦେଖିଲା ତା’ର ଶୁଶ୍ରୂଷାରେ ସମୃଦ୍ଧ ଏଇ ରୋଗିଣୀର କୌଣସି ଅଙ୍ଗଚାଳନାରେ ତା ସ୍ଥିତିର ସାମାନ୍ୟତମ ସ୍ୱୀକୃତି ବି ନାହିଁ । ସତେ ଯେମିତି ବୁଢ଼ୀଟା ଭାବୁଚି ଯେ ସେ ସେଇ କୋଠରିରେ ଏକଲା ଶୋଇଚି !

 

ଲୋରା ଅଭିମାନ କରିବାକୁ ଆରମ୍ଭ କଲା ।

 

ଲୋରା ସମସ୍ତଙ୍କ ଉପରେ ରାଗିବାକୁ ଆରମ୍ଭ କଲା ।

 

ଲୋରା କାନ୍ଦ କାନ୍ଦ ହୋଇଗଲା ଏବଂ ତା’ ବିରୁଦ୍ଧରେ ସମସ୍ତଙ୍କର ଏହି ‘‘ଲୋରା ନାହିଁ’’ ଘୋଷଣାକୁ ପ୍ରତିରୋଧ କରିବାପାଇଁ ନିଜେ ନିଜର ଘୋଷଣା ଆରମ୍ଭ କରିଦେଲା—

 

ତା’ର ପ୍ରଥମ ଘୋଷଣା—ମୁଁ ଅଛି ।

 

ତା’ର ଦ୍ଵିତୀୟ ଘୋଷଣା—ମୁଁ ଅଛି ।

 

ତା’ର ତୃତୀୟ ଘୋଷଣା—ମୁଁ ଅଛି ।

 

ତା’ର ଅନ୍ୟ ସବୁ ଘୋଷଣା–ମୁଁ ଅଛି ।

 

ଏବଂ ଆନୁଷଙ୍ଗିକ—ମୁଁ ଜଣେ ନର୍ସ । ମୋ ନାଁ ଲୋରା । ମୁଁ ଧଳା ଏପ୍ରନ୍, ଧଳା ଲୁଗା ପିନ୍ଧିଛି । ମୁଁ ଫାଷ୍ଟ୍ ଇଅର ପର୍ଯ୍ୟନ୍ତ ପଢ଼ିଚି । ମୁଁ ଅରୁଣକୁ ଆଦୌ ପ୍ରେମ କରେ ନାହିଁ ।

 

ଲୋରା ଏଭଳି ଘୋଷଣା କରିବାବେଳେ ମାଛିଟା ଅବଶ୍ୟ ଆପତ୍ତି କଲା ନାହିଁ—କିନ୍ତୁ ଗୋଟାଏ କଡ଼ରେ ଚୁପ୍‍ଚାପ୍ ବସିରହି ତା’ ଆଡ଼କୁ ଏମିତି ଚାହିଁରହିଲା, ସତେ ଯେମିତି ତା’ ପ୍ରତି ଗୋଟାଏ ବଡ଼ ଅନୁଗ୍ରହ କରୁଚି ! ଲୋରା ପୁଣି ବାକୀ ଚିଠି ଲେଖିବାରେ ମନଦେଲା ।

 

‘‘ସୁନନ୍ଦା‚ ମୁଁ ଅଛି । ସମସ୍ତେ ଯେତେ ଅସ୍ୱୀକାର କଲେ ମଧ୍ୟ‚ ସୁନନ୍ଦା, ମୋର ସ୍ଥିତି ସମ୍ପର୍କରେ ମୁଁ ଅତିମାତ୍ରରେ ସଚେତନ । ଆଜି କାହିଁକି କେଜାଣି ମୁଁ ଭାବିବାକୁ ଆରମ୍ଭ କରିଚି ଯେ ମୁଁ ଅନ୍ୟ ସମସ୍ତଙ୍କ ଆଖିରେ ଗୋଟାଏ, ‘କିଛି ନୁହେଁ’ । ତୁ ନିଜେ ତ ଜାଣୁ—ମୋତେ ଆଜି ପର୍ଯ୍ୟନ୍ତ ସବୁଠି ସମସ୍ତେ କେବଳ ଇଗ୍ନୋର୍ ହିଁ କରିଆସିଛନ୍ତି । ଟିକଟ୍ ପାଇଁ କ୍ୟୁରେ ଠିଆହୋଇଥିବାବେଳେ ମୋତେ ଅସ୍ୱୀକାର କରି ପଛରେ ଥିବା ଲୋକ ଆଗକୁ ଚାଲିଆସିବାଟା ଏକ ନିତ୍ୟନୈମିତ୍ତିକ ଘଟଣା । ଆଉ ଯେକୌଣସି ଆସରକୁ ଗଲେ ମଧ୍ୟ ମୁଁ ନିଜେ ନିଜର ଆଗମନୀ ଘୋଷଣା ନ କରିବା ପର୍ଯ୍ୟନ୍ତ କେହି ମୋତେ ପଚାରିନାହାନ୍ତି । ପାର୍ଟିରେ ସିମ୍ପୋସିଅମ୍‍ରେ ଯୋଗଦେବାକୁ ଗଲେ କେହି ବସିବାପାଇଁ ଚୌକିଟାଏ ବି ଯାଚୁନାହାନ୍ତି ! ତୁ ତ ଜାଣୁ‚ ଆମେ ଏକାଠି କଲେଜରେ ପଢ଼ୁଥିବାବେଳେ ମୁଁ ଥିଲି ସବୁଠୁ ନଗଣ୍ୟ ଓ ସବୁଠୁ ପଛୁଆ । ତେଣୁ ପିକ୍‍ନିକ୍ ପାଇଁ ତାଲିକା କଲାବେଳେ ଅନେକ ଥର ମୋ ନାଁଟା ସମସ୍ତେ ଭୁଲିଯାଆନ୍ତି । ସୁନନ୍ଦା, ସତେ କ’ଣ ମୋର ଅସ୍ତିତ୍ଵଟା ଏତେମାତ୍ରାରେ ନେଗେଟିଭ୍ ? ଏଇ ମାଛିଟାକୁ ଦେଖିଲେଇ ମୁଁ ମନେକରେ ଯେ ମୋର ଅସ୍ତିତ୍ଵ ନାହିଁ । ଆଜି ଅନୁଭବ କରୁଚି ଯେ ମାଛିଟା ବୋଧହୁଏ ମୋର ସ୍ଥିତି ସମ୍ପର୍କରେ ସମଗ୍ର ପୃଥିବୀର ଅସମ୍ମତି । ମୁଁ ନିଜକୁ ସାବ୍ୟସ୍ତ କରିପାରୁ ନାହିଁ, ମୁଁ ନିଜକୁ କେଉଁଠି ଜାହିର୍ କରିପାରୁ ନାହିଁ—ତେଣୁ ମୁଁ ଏ ପୃଥିବୀର ଅନୁପସ୍ଥିତ ନାଗରିକ । ସୁନନ୍ଦା‚ ତୁ କେବେ ନିଜର ଅନୁପସ୍ଥିତି ନିଜେ ଦେଖି ନଥିବୁ ! ବୋଧହୁଏ ତୁ ୟାକୁ ଗୋଟାଏ ଅବ୍‍ଷ୍ଟ୍ରାକ୍‍ଟ ଫିଲସଫି ବୋଲି କହିବୁ; କିନ୍ତୁ ରାଣ ଖାଇ କହୁଚି ସୁନନ୍ଦା‚ ଏବେ ମୁଁ ନିଜର ଅନୁପସ୍ଥିତି ନିଜେ ଅନୁଭବ କରୁଚି । ଶେଷରେ ଏଇ ମାଛିଟାଏ ବି ମୋ ଭିତରେ ଦେଇ ଏ ପାଖରୁ ଆରପାଖକୁ ଚାଲିଯିବା ସମ୍ଭବ ବୋଲି ଭାବିଲାଣି; ସତେ ଯେମିତି ମୁଁ ଗୋଟିଏ ଅଶରୀରୀ ! ଆ... !”

ବିଛଣା ଉପରୁ କିଛି ଗୋଟିଏ ହଲଚଲ୍ ହେବାର ଅସ୍ପଷ୍ଟ, ଅତି ଅସ୍ପଷ୍ଟ ଶବ୍ଦର ହାତୁଡ଼ି କୋଠରିର ନୀରବତାକୁ ଆଘାତକରିବା ମାତ୍ରେଇ ଚିଠି ଉପରେ ଲୋରାର କଲମ ଉଦ୍ଦେଶ୍ୟହୀନ ଭାବରେ ଅଟକିଗଲା । ମାଛିଟା ଆସି ବୁଢ଼ୀର ମୁହଁ ଉପରେ ବସିଯାଇଚି ଓ ବୁଢ଼ୀ ଅଧା ନିଦରେ ଥାଇ ସୁଦ୍ଧା ହାତରେ ମାଛିକୁ ତଡ଼ିଦେବାର ଚେଷ୍ଟା କରୁଚି । ମାଛିଟି ଗୋଟିଏ ସ୍ପ୍ରିଂ ପରି କିଛିବାଟ ସିଧା ଉପରକୁ ଉଠିଯାଇ ପୁଣି ବୁଢ଼ୀର ମୁହଁ ଉପରକୁ ଫେରିଆସୁଚି । ଲୋରା ତା’ର ସବୁ କୋହ ଓ ଅଭିମାନ ସତ୍ତ୍ଵେ ବି ସତର୍କ ହୋଇଉଠିଲା । ଏଥର ତା’ ଭିତରେ ଥିବା ସେବାଧର୍ମ ତା’ର ପ୍ରତିକ୍ରିୟା ଦେଖାଇବାରେ ଳାଗିଲା । ମାଛିଟିକୁ ସେ ନିଜେ ତଡ଼ିଦେଲା ଓ ରିଷ୍ଟୱାଚ୍‍ରୁ ସମୟ ଦେଖି ଜାଣିଲା, ବୁଢ଼ୀକୁ ଔଷଧ ଦେବା ସମୟ ହୋଇଗଲାଣି ? ଏହା ଭିତରେ ରାତି ଯେ ଏତେ ବେଶି ଆଗେଇଗଲାଣି, ଲୋରାର ଧାରଣା ନଥିଲା । କୋଠରିର ଝରକା ଆରପଟେ ରାତିଟା ଅଦ୍‍ଭୁତ ଦିଶୁଚି । କେତେଟା ଘରର ଅସ୍ପଷ୍ଟ ଛାୟାକୃତି । ତା’ ଭିତରେ ବିକ୍ଷିପ୍ତ ଭାବେ ବାଣ୍ଟି ହୋଇଯାଇଛି କେତେକ ନିର୍ଦ୍ଦିଷ୍ଟ ଆକୃତିରେ କାଟି ସାଇଜ୍ କରାହୋଇଥିବା ଆଲୁଅର ଦୁର୍ବୋଧ୍ୟ କ୍ଳାନ୍ତିକର ଜ୍ୟାମିତି-। ରାତି ନିଜେ ଯେମିତି ଏକ ଅବସନ୍ନ ଲେଣ୍ତ୍ ସ୍କେପ୍ କିମ୍ବା ଗୋଟିଏ ଧୂସର ରଙ୍ଗର ଆବ୍‍ଷ୍ଟ୍ରାକଟ୍‍ ପେଣ୍ଟିଂ । ଲୋରା ଯଦି ଶିଳ୍ପୀ ହୋଇଥାନ୍ତା, ତା’ହେଲେ ସେ ଏଇ ରାତିର ଛବିଟାଏ ନିଶ୍ଚୟ ଆଙ୍କନ୍ତା-। ଛବିତଳେ “ମୋ ନିଜ ସାମ୍ରାଜ୍ୟ” ବୋଲି ଶୀର୍ଷକ ଲେଖି ଏଇ କୋଠରିରେ ଝୁଲାଇ ଦିଅନ୍ତା ? ରାତିଟାର ଏଭଳି କରୁଣ ନିରୀହ ବ୍ୟାପ୍ତି ଦେଖି ସେ ଭାବିଲା, ଏଇଟା ହିଁ ସମୟ-? ଏ ସାରା ରାଜ୍ୟ ଦଖଲକରି ସେଠି ନିଜକୁ ଅତି ଦୃଢ଼ ଭାବେ ପ୍ରତିଷ୍ଠା କରିବାକୁ ହେବ । ତା’ ନହେଲେ କେହି ଲୋରାକୁ ସ୍ଵୀକୃତି ଦେବେ ନାହିଁ ।

ଏହା ଭିତରେ ଲୋରାର ହାତ ଦୁଇଟି ଅନୁଗତ ଅନୁଚର ପରି ବୁଢ଼ୀ ପାଇଁ ମିକଶ୍ଚର୍ ତିଆରି କରିବାରେ ଲାଗିଯାଇଥିଲେ । କାଚଗ୍ଲାସର ଧଳା ଗୁଣ୍ତ ଉପରେ ବୋତଲରୁ ଔଷଧ ଅଜାଡ଼ିଲାବେଳେ ଗୋଟାଏ ଫେଣ ଗ୍ଳାସ୍‍ର ଉପର ମୁହଁ ପର୍ଯ୍ୟନ୍ତ ଫୁଲି ଫୁଲି ଆସୁଥିଲା । ଔଷଧର ନିଶା ପରି ବାସ୍ନା ଓ ତା’ସହିତ ମିଶାମିଶି ଗୋଟାଏ ଫେଣମୟ ଦୃଶ୍ୟାନୁଭୂତି ଛଡ଼ା ଲୋରାର ବାକୀ ସବୁ ଅନୁଭବ ମଧ୍ୟ କୁଆଡ଼େ ହଜିଯାଇଥିଲା ଯେମିତି । କେଉଁଠି କିଛି ଗତି ନାହିଁ, ହଲ୍‍ଚଲ୍ କିଛି ନାହିଁ । ସବୁ ସ୍ଥିର, ନିହାତି ସ୍ଥିର । କାନ୍ଥରେ ଧକା ଟିଉବ୍ ଲାଇଟ୍ଟା ଜଳୁଚି ଗୋଟାଏ ଅଭିନିବିଷ୍ଟ ଯୋଗୀ ପରି । ପବନ ବି ବହୁନାହିଁ । ଏପରିକି ଟେବୁଲ୍ କ୍ଲଥ୍‍ଟା ବି ଥରୁନାହିଁ । ଲୋରାର ମନେ ହେଲା ତା’ ନିଜ ଛାତିର ସ୍ପନ୍ଦନ ବି ଆସ୍ତେ ଆସ୍ତେ ବନ୍ଦ ହୋଇ ଆସୁଚି, ସତେ ଅବା ମାଛିଟା ତା’ର ଘୁଁ ଘୁଁ ମନ୍ତ୍ର ଉଚ୍ଚାରଣ କରି ସବୁକିଛିକୁ ଷ୍ଟାଚ୍ୟୁ କରିଦେଇଯାଇଚି । ଏଭଳି ଗୋଟିଏ ଦୁଃସହ ମନୋଟନି ଓ ବିରକ୍ତିରୁ କିପରି ମୁକ୍ତି ମିଳିବ ସେ କିଛି ସ୍ଥିର କରିପାରୁ ନଥିଲା । ଏପରିକି, ମାଛିଟା ବି ସ୍ଥିର ହୋଇ ବସିଯାଇଚି । କିଛି ହଲ୍ ଚଲ୍ ନାଇଁ କେଉଁଠି ।

ଲୋରା ଏହା ଭିତରେ ବୁଢ଼ୀକୁ ଔଷଧ ଦେଇସାରିଥିଲା । ଔଷଧକୁ ଗର୍ଭସାତ୍ କରିସାରିବା ପରେ ବୁଢ଼ୀ ତା’ର ରୁଗ୍‍ଣ, ବିକୃତ ମୁହଁରେ ସନ୍ତୋଷ ଓ କଲ୍ୟାଣର ଏକ ଅଭିବ୍ୟକ୍ତିକୁ ଅତି ଅପମାନଜନକଭାବେ ପରୀକ୍ଷା କରୁଥିଲା; ସତେ ଯେମିତି ତା’ର ଶକ୍ତି ଥିଲେ ସେ ଲୋରକୁ ସ୍ନେହରେ କୁଣ୍ଢେଇ ଧରନ୍ତା; ଲୋର ଏଥିରେ ଟିକିଏ ବି ସନ୍ତୁଷ୍ଟ ହେଲାନାହିଁ । ତା’ର ସେବା କାର୍ଯ୍ୟପାଇଁ ଏମିତି ପ୍ରଶଂସା ତ ତାକୁ ଆଗରୁ ବି ମିଳିଚି । କିନ୍ତୁ ଲୋରା ଜଣେ ଯେ ତା’ର ପ୍ରୋଫେସନ୍, ତାର ଦାୟିତ୍ଵ ଓ ତାକୁ ମିଳୁଥିବା ପ୍ରଶଂସାସବୁ କେବଳ ତା’ର ଦେହ ଉପରର ଧଳା ପୋଷାକ । ସେ ମନେ ମନେ ଟେବୁଲ ଉପରେ ବସିଥିବା ସେଇ ମାଛି ସମେତ ପୃଥିବୀର ସମସ୍ତଙ୍କୁ ଉଦ୍ଦେଶ୍ୟକରି ମନେ ମନେ କହିଲା, ତମେ ସମସ୍ତେ ମୋର ଏଇ ଧଳାପୋଷକକୁ ହିଁ ଦେଖ । ମୋର ତ୍ୟାଗ ଓ ସେବାକୁ ସ୍ଵୀକାର କର ଓ ଖୁସି ହୁଅ । କିନ୍ତୁ ସତେ ଯେମିତି ତମେ ପୂରା ଚିହ୍ନି ପକେଇଚ, ଏମିତି ଭଙ୍ଗୀ ଦେଖାଅ ନାହିଁ । ମୋତେ ଗୋଟାସରା ଖୋଲି ଚିହ୍ନପକାଅ ନାହିଁ । ମୋତେ ମୋର ସ୍ଵାତନ୍ତ୍ର୍ୟ ରକ୍ଷା କରିବାକୁ ଦିଅ । ପୋଷକକୁ ଦେଖ; କିନ୍ତୁ ମୋର ପୋଷାକ ତଳକୁ ଅନାଆ ନାହିଁ । ସେଠି ମୋର ଦେହ ଅଛି, ତାକୁ ଏମିତି ଅଶ୍ଳୀଳ ଭାବରେ ଦେଖନାହିଁ । ପ୍ଲିଜ୍‍ ! ସେଇଟା ମୋର ପ୍ରାଇଭେଟ୍ ସିକ୍ରେସି; ତମେ ତାହା ଦେଖିବାର ଅର୍ଥ ହେଉଚି ମୋର ନିଜତ୍ଵକୁ ଅସ୍ଵୀକାର କରିବା, ମୋ ଉପରେ ତମର ଇଚ୍ଛାକୁ ଜବରଦସ୍ତ ଲଦିଦେବ ! ତା’ କର ନାହିଁ.....

ଲୋରା ଏପରି ଅନୁନୟ କଲା, କାରଣ ହଠାତ୍ ବିନା କାରଣରେ ତା’ର ମନେ ହୋଇଥିଲା ଯେ ସେ ଅତର୍କିତଭାବେ ଆବରଣ ବିହୀନ ହୋଇପଡ଼ିଚି ଓ ମାଛିଟା ତା’ର ଦୁଷ୍ଟପ୍ରେମିକ ପରି ତା’ର ସବୁ ଅନାବୃତ ଅଂଶକୁ ଦେଖି ପକାଉଚି ! ଅଭଦ୍ର ! ଲୋକ ଭାବିଲା, ଏଥର ସେ ତା’ର ସେବାଧର୍ମ ପ୍ରତି ଅଧିକ ନିଷ୍ଠାପର ହେବାକୁ ଚେଷ୍ଟା କରିବ । ତେଣୁ ମାଛିକୁ ଆଘାତ କରିବ ନାହିଁ, ଅନୁନୟ କରିବ ବିନୀତ ଭାବରେ ଅନୁରୋଧ କରି । ତା’ ହେଲେ ହୁଏତ ମାଛିଟା କଥା ଶୁଣିବ ! ଏକ କୃତ୍ରିମ ଅଭିମାନରେ ସେ ନାକଫୁଲେଇ ମାଛିକୁ ଅନାଇଲା ଓ ତା’ କାନରେ ଫିସ୍ ଫିସ୍ କରି ଗୋଟାଏ ଅତି ଗୋପନୀୟ କଥା ଉଚ୍ଚାରଣ କଲା, ଏମିତି ଦେଖୁଚୁ କ’ଣ-? ଏବେ ମୋ ଦେହରେ ନର୍ସ ପୋଷାକ ନାହିଁ ! ମୁଁ ଏବେ ବିଲ୍ କୁଲ୍ ଉଭା–ନଙ୍ଗଳା ! ମୁଁ ଏବେ ନର୍ସ ନୁହେଁ, ଲୋରା ! ମୋ କଥା ଶୁଣିବୁ ? ଯା, ସେଇ ବୁଢ଼ୀର ଠିକ୍ କପାଳ ଉପରେ ବସିଯା ! ତାପରେ କେତେ ରକ୍ତ ଶୋଷିପାରୁଚୁ ଶୋଷିପକା । ତୋ ଦେହରେ ଯେତେ ଜୀବାଣୁ ଆଣିଚୁ ସବୁ ତା’ ରକ୍ତ ଭିତରକୁ ଠେଲିଦେ ! ବୁଝିଲୁ ?

କିନ୍ତୁ ଆଶ୍ଚର୍ଯ୍ୟ ! ମାଛି ତା’ର ପରାମର୍ଶ ମୋଟେ ଗ୍ରହଣ କରୁନାହିଁ ।

ଲୋରା ଆତ୍ମସଚେତନ ହୋଇଯାଇ ନିଜର ଅନାବୃତ ସ୍ଥିତିକୁ ଚଟ୍‍ପଟ୍ ତା’ର ଧଳାପୋଷାକରେ ଢାଙ୍କି ଦେଲା । ମାଛି ଉପରେ ତା’ର ରାଗହେଲା ଭୀଷଣ । ପୁଣି ସେଇ ଇଗ୍ନୋର୍ କରିଦେବା ଭଙ୍ଗୀ । ତା’ ପାଇଁ ଏ ଅପମାନ ଅସହ୍ୟ ! ରାଗରେ ଲାଲ୍ ହୋଇଯାଇ ଲୋରା ତପସ୍ୱୀ ପରି ମନ୍ତ୍ରଜଳ ଫିଙ୍ଗି ଅଭିଶାପ ଦେଲା, ଧ୍ଵଂସ ହୋଇଯା ! ନଷ୍ଟ ହୋଇଯା ! ଉଦ୍ଧତ, ମୂର୍ଖ ! ସଙ୍ଗଠନର କ୍ରୀତଦାସ ! ଏଷ୍ଟାବ୍ଳିଶମେଣ୍ଟ୍ ର ଦଲାଲ ! ତମର ଜାତି ପୃଥିବୀରୁ ଧ୍ୱଂସ ହେଉ !

ମାଛିଟି କିନ୍ତୁ ତଥାପି ନିର୍ବିକାର । ଅଧିକନ୍ତୁ ନିରର୍ଥକଭାବରେ ଦୁଇ ତିନିଥର ଡେଣା ଝାଡ଼ି ସେ ପ୍ରକାରାନ୍ତରେ ସୂଚେଇଦେଲା ଯେ ସେ ଏସବୁ ଆପେକ୍ଷପୋକ୍ତିକୁ ତା’ ଡେଣାର ଧୂଳିପରି ଝାଡ଼ି ଫୋପାଡ଼ି ଦେଉଚି ।

ଏଥର ଆଉ କିଛି ସନ୍ଦେହ କରିବାର ନାହିଁ ଯେ ମାଛିଟା ଲୋରା ବିରୁଦ୍ଧରେ ଗୋଟାଏ ଭୟଙ୍କର ଷଡ଼ଯନ୍ତ୍ରରେ ଲିପ୍ତ । ମାଛି ସହିତ ସହଯୋଗ କରୁଚନ୍ତି ପୃଥିବୀର ଅନ୍ୟ ସମସ୍ତେ । ଉତ୍ତେଜନାରେ ଲୋରା ଥରିବାରେ ଲାଗିଲା । ତା’ର ଅତିଷ୍ଠ ବ୍ୟକ୍ତିତ୍ଵ ଅତର୍ଚ୍ଛ ହୋଇ କୁଆଡ଼େ ପଳେଇବାକୁ ବ୍ୟାକୁଳ ହୋଇ ଉଠିଲା; ସବୁ ଶିକୁଳି ଛିଣ୍ଡେଇ ଦଗ୍‍ବିଦିଗ ଶୂନ୍ୟ ହୋଇ କୁଆଡ଼େ ଦୌଡ଼ିଯିବାକୁ ଅସ୍ଥିର ହେଲା । ସେ ଚାହେଁ ମୁକ୍ତି । ତା ଭିତରେ ଅନେକଯୁଗରୁ ସଞ୍ଚିତ କେତେ ବିଶ୍ଵାସ ଓ କେତେ କୁସଂସ୍କାରର ଗଣ୍ଠି କ୍ରମେଽପି ହୁଗୁଳି ଆସୁଥିଲା । ଲୋରାକୁ ପୁଣି ପରିବେଶର ସେଇ ଦୁଃସହ ନିଶ୍ଚଳତା ବିବ୍ରତ କରିବାକୁ ଆରମ୍ଭ କଲା । କୋଠରି ଭିତରେ ସେଇ ଦୁର୍ବିସହ ଗତିହୀନତା ଯେମିତି ଏହିଭଳି ଗୋଟାଏ ଅନନ୍ତ ନିଶ୍ଚଳତା ଭିତରେ ତା’ର ସତ୍ତା ଦାନାଏ ଚିନିପରି କ୍ରମେଽପି ମିଳେଇଯାଉଚି ? ଆତ୍ମରକ୍ଷା କରିବାକୁ ହେବ ।

ମାଛିଟା ଆଗପରି ଟେବୁଲଉପରେ ବସିରହିଛି । ଟେବୁଲର ଗୋଟାଏ ଧାରରେ ଲାଗିଥିବା ବୁନ୍ଦାଏ ଫଳରସ ଉପରେ ତା’ର ସବୁ ଚେତନା ନିବିଷ୍ଟ । ଲୋରା ପ୍ରତି ଟିକିଏ ବି ଦୃଷ୍ଟି ନାହିଁ । ସେହି ଅବଜ୍ଞାଭାବ ।

ଲୋରା କାମନା କଲା, ଏ ନିଶ୍ଚଳତାର ମୃତ୍ୟୁ ହେଉ । କିଛି ଗୋଟାଏ ଘଟିଯାଉ । ବୋମାଟାଏ ବିସ୍ଫୋରିତ ହେଉ । ଏଇ ଦୁଃସହ ପରିବେଶଟା ଗୋଟାଏ ଅଣ୍ଡା ହୋଇ ହଠାତ୍ ଫୁଟିଯାଆନ୍ତା ଯଦି ତା’ ଭିତରୁ ଜନ୍ମ ନିଅନ୍ତା ଏକ ନୂତନ ସୃଷ୍ଟିର ନୂତନ ଶାବକ । ଲୋରା ସେଇ ଆଗାମୀ ଜୀବନକୁ ସ୍ୱାଗତ ଜଣାଇଲା ମନେ ମନେ । ତା’ପରେ ଚୌକିରୁ ଉଠିପଡ଼ିଲା ଓ ସିଧାସିଧା ଖଟ ଆଡ଼କୁ ଆଗେଇଲା । ତା’ ମୁହଁରେ କିମିତି ଗୋଟାଏ ଦୃଢ଼ତାର ଛାଇ । ଗୋଟାଏ ଅଣ୍ଡା ଫୁଟେଇ ଛୁଆ ବାହାର କରିବା ପରି ଭାବ । ବିଛଣା ଉପରୁ ବୁଢ଼ୀର ମୁଣ୍ଡଟାକୁ ଦୁଇପଟେ ହାତରେ ଚାପିଧରି ଲୋରା ଉପରକୁ ଉଠାଇଲା । ମୁହଁସବୁ ଏତେ ବୀଭତ୍ସ କିପରି ଦେଖାଯାଏ କେଜାଣି ! ତେଲିଆ ଚମସବୁ ପରସ୍ତ ପରସ୍ତ ଭାଙ୍ଗି ହୋଇ ବିକୃତ ଦିଶୁଚି, ପାଟିରୁ ଲାଳ ଗଡ଼ି ତକିଆକୁ ଓଦା କରିଦେଇଚି । ଲୋରା ଏକପ୍ରକାର ଘୋଷାଡ଼ିଲା ପରି ବୁଢ଼ୀର ମୁଣ୍ଡଟାକୁ ଟେବୁଲ ଆଡ଼କୁ ଟାଣିଆଣିଲା । ବୁଢ଼ୀର ମୁଣ୍ଡ ଓ ବେକ ସମେତ ଛାତିର ଉପରିଭାଗ ପର୍ଯ୍ୟନ୍ତ ଖଟ ବାହାରକୁ ଓଟାରି ହୋଇ ଆସିଲା । ତା’ପରେ ଲୋରା ମୁଣ୍ଡଟାକୁ ଦୁଇହାତରେ ଖୁବ୍ ଉପରକୁ ଉଠାଇ ଟେବୁଲ ଉପରେ ଠିକ୍ ସେଇ ମାଛିକୁ ଲକ୍ଷ୍ୟ କରି କଚିଦେଲା । ଠୁକ୍ ! ଥରେ, ଠୁକ୍ ଦୁଇଥର । ମର୍ ବଦମାସ ମାଛି ! ବୁଢ଼ୀଟା ଗଁ ଗଁ କଲା । ପୁଣି ଠୁକ୍ । ଏଥର ବୁଢ଼ୀର ପାଟିରୁ ପ୍ରଥମେ ମେଞ୍ଚାଏ ଫେଣ ଓ ତା’ପରେ ପିଛୁଳାଏ ରକ୍ତ ବାହାରିଆସିଲା । ଲୋରା କିନ୍ତୁ ତା’ର ସବୁଶକ୍ତି ଖର୍ଚ୍ଚକରି ମୁଣ୍ଡଟାକୁ କେବଳ ଟେବୁଲ ଉପରେ ବାରମ୍ବାର ଛେଚିବାରେ ହିଁ ଲାଗିଲା । ହଠାତ୍ ବୁଢ଼ୀର ମୁଣ୍ଡଟା ସତକୁ ସତ ଗୋଟିଏ ଛୋଟ ଅଣ୍ଡା ପରି ଫାଟିଗଲା । ଚାରିଆଡ଼େ ତଟକା ରକ୍ତର ଛିଟିକା ।

ଲୋରା ତାକୁ ଛାଡ଼ିଦେବା ମାତ୍ରେଇ ଦେହଟା ଛଟପଟ ହୋଇ ତଳକୁ ଝୁଲିପଡ଼ିଲା ।

ଲୋରାର ସମଗ୍ର ଦେହ ଥର ଥର କମ୍ପୁଛି । ଅଥଚ କି ଏକ ବିଚିତ୍ର ତୃପ୍ତି, ଆତ୍ମସନ୍ତୋଷ ଓ ଆନନ୍ଦରେ ମନ ତା’ର ପୂରି ଆସୁଚି । ଅନେକ ବର୍ଷ ହେଲା ସେ ଏତେ ବେଶି ଆନନ୍ଦ ଅନୁଭବ କରି ନ ଥିଲା । ମନଟା କିପରି ହାଲୁକା ହାଲୁକା ଲାଗୁଛି । ଗୀତ ଗାଇବାକୁ ଇଚ୍ଛା ହେଉଛି । କେତେବର୍ଷ ପଛକୁ ଫେରିଯିବାକୁ ଇଚ୍ଛା ହେଉଛି, ପ୍ରେମ କରିବାକୁ ଇଚ୍ଛା ହେଉଛି । ଶେଷକୁ ଲୋରା ତା’ର ପ୍ରତ୍ୟାଖ୍ୟାତ ପ୍ରେମିକ ଅରୁଣ ସହିତ ନିଜକୁ ଏକ ଅସଭ୍ୟ ସମ୍ପର୍କରେ ଯୋଗ କରିଦେଇ ଗୋଟିଏ ଅଶ୍ଳୀଳ, ନିହାତି ଅଶ୍ଳୀଳ ଶବ୍ଦ ଉଚ୍ଚାରଣ କରିପକାଇଲା ଓ ଧଇଁସଇଁ ହେବାରେ ଲାଗିଲା ।

ଟେବୁଲ୍ ଉପରେ ଲାଲ୍ ଚିତା । ଧଳା ଟେବୁଲକ୍ଳଥ୍‍ରେ ଗୋଟିଏ ଗୋଲାକାର ସ୍ଥାନ ରକ୍ତରେ ଭିଜିଯାଇଛି, ଚାରିଆଡ଼େ ଅନେକ ରକ୍ତ ଛିଟିକା । ସମୁଦାୟ ଦୃଶ୍ୟଟା ଦିଶୁଚି ଯେମିତି ଗୋଟିଏ ବଡ଼ ଲାଲ୍ ଫୁଲକୁ ଚାରିଆଡ଼େ ବେଢ଼ି ରହିଥିବା ଅନେକ ଛୋଟ ଛୋଟ ଫୁଲ । ରକ୍ତବୃତ୍ତ-। ଲୋରାର ଶାଢ଼ିରେ କୋଠରିର ଚଟାଣରେ ଥୋପି ଥୋପି ରକ୍ତର ଚିତା । ଚିତାକୁ ଜଗିଚି ବୁଢ଼ୀର ଦେହ । ହଠାତ୍ ଲୋରା ଆବିଷ୍କାର କଲା ଯେ ଟେବୁଲ୍ ଉପରେ ମାଛିର ଶବ ନାହିଁ-। ଲୋରା ମାଛି ଉପରେ ମୁଣ୍ଡଟାକୁ ଛେଚିବା ବେଳେ ସେଇଟା କେଜାଣି କେଉଁ ବାଗରେ ଖସିଯାଇଚି । ହାୟ, ଖସିଯାଇଚି !

ବାହାରେ ପାଦଶବ୍ଦ । ଲୋରା ଘଡ଼ି ଦେଖି ଜାଣିଲା, ଏଇଟା ଡାକ୍ତରଙ୍କ ଆସିବା ସମୟ-

ବାହାରେ ସିମେଣ୍ଟ ଚଟାଣ ଉପରେ କ୍ରେପସୋଲ୍ ଜୋତାର ଚାଇଁ ଚାଇଁ ଶବ୍ଦ ପାଖେଇ ଆସୁଚି । କେଜାଣି କାହିଁକି ଲୋରା କାନକୁ ସେଇ ଶବ୍ଦଟା ମାଛିର ଘୁଁ ଘୁଁ ଗୁଞ୍ଜନ ସହିତ ଅନେକାଂଶରେ ସମାନ ଶୁଭିଲା । ଡାକ୍ତର ଦରଜା ଖୋଲି ଭିତରକୁ ଆସିଲେ । ମୁଣ୍ଡଟା ତାଙ୍କର ଦିଶୁଚି ଗୋଟିଏ ମାଛିର ମୁଣ୍ଡ ପରି ତିନିକୋଣିଆ ଓ ବେଢ଼ଙ୍ଗ । ଓଠରେ ଲମ୍ବ ଚୁରୁଟ୍ ଓ ଚରୁଟ୍‍ରୁ କୁଣ୍ଡଳୀ କାଟି ଉପରକୁ ଉଠୁଥିବା ଧୂଆଁ ମାଛିର ମୁହଁରେ ଥିବା ସ୍ପ୍ରିଙ୍ଗପରି ଦିଶୁଚି । ଲୋରା ଆଖିରେ ଡାକ୍ତର କ୍ରମେ କ୍ରମେ ଗୋଟିଏ ମାଛିପରି ଦିଶିବାକୁ ଲାଗିଲେ । ଏପରିକି ତାଙ୍କ ବୋତାମ ଦିଆହୋଇ ନଥିବା ଏପ୍ରନ୍‍ଟା ଦୁଇ ପଟକୁ ଖୋଲିଯାଇ ଗୋଟିଏ ମାଛିର ଦୁଇଟା ପ୍ରସାରିତ ପକ୍ଷପରି ଦେଖାଯାଉଚି ।

ଡାକ୍ତର ଆସିଲେ ପ୍ରାୟ ଉଡ଼ି ଉଡ଼ି । ଏବେ ସିଏ ମାଛିପରି ଲୋରାର ଦେହରେ ଚଢ଼ି ତା’ର ରକ୍ତ ଶୋଷି ପୁନରାୟ ତା’ର ସ୍ଥିତିକୁ ଅସ୍ଵୀକାର କରିବେ କି ? ମାଛିମାନଙ୍କ କବଳରୁ ମୁକ୍ତି ନାହିଁ—ଲୋରା ଭାବିବାକୁ ଲାଗିଲା ।

Image

 

ଶ୍ରୀ ସମରେନ୍ଦ୍ର ପ୍ରସାଦ ଦାସ

 

ସାମ୍ରାଜ୍ଞୀ

 

ସିରିଞ୍ଜ ଭାଙ୍ଗିଗଲା । ଏ ଧରଣର ସିରିଞ୍ଜ ଏ ସହରରେ ମିଳିବନି । ତେଣୁ କର୍ମବ୍ୟସ୍ତତାର ଯେଉଁ କୋଳାହଳ ଆରମ୍ଭ ହୋଇଆସୁଥିଲା ତାହା ଅଚାନକ ବନ୍ଦ ହୋଇଗଲା । ଆଜିଦିନର କର୍ମସୂଚୀରେ ଏନ୍‍ଗେଜମେଣ୍ଟ୍ ଡାଏରିର ଯେଉଁ ପୃଷ୍ଠା ଭର୍ତ୍ତି ହୋଇଥିଲା ତାକୁ ଚିରି ଅଳିଆଗଦାରେ ଫିଙ୍ଗିଦେଲେ କିଛି କ୍ଷତି ନାହିଁ । ପ୍ରମୁଖ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇବା ପାଇଁ ତା’ର ଉପସ୍ଥିତି କେଇ ମିନିଟ୍ ପୂର୍ବରୁ ଯେତେ ଅପରିହାର୍ଯ୍ୟ ଥିଲା ବର୍ତ୍ତମାନ ଆଉ ତାର କିଛି ମୂଲ୍ୟ ନାହିଁ । ସମ୍ମିଳନୀରେ ତା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା କିମ୍ବା ପ୍ରମୁଖଙ୍କ ସହ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାଭଳି କୌଣସି ଗୋଟିଏହେଲେ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସମ୍ଭବ ହବନି । ଆର ଘରକୁ ଯାଇ ଏ ସବୁ କାମ ତୁଲାଇବା ପାଇଁ ଟେଲିଫୋନ୍‍ରେ ଆଉ କାହାକୁ ଅନୁରୋଧ କରିବା ଲାଗି ମଧ୍ୟ ସେ ସମର୍ଥ ନୁହେଁ । ନିଜର ନିତ୍ୟକର୍ମ ଭିତରୁ ଅନେକ ବିଛଣା ଉପରେ ସାରିବାକୁ ହେବ । ମୋଟ ଉପରେ ଆଉ ଗୋଟିଏ ସିରିଞ୍ଜ ନ ଆସିବା ପର୍ଯ୍ୟନ୍ତ ତାକୁ ବିଛଣାରେ ଶୋଇରହିବାକୁ ପଡ଼ିବ ।

 

ସଦାନନ୍ଦ ଆଶ୍ଚର୍ଯ୍ୟ ହେଉଥିଲା ତଥାପି ଡାକ୍ତରମାନେ ତାକୁ କହିଛନ୍ତି, ଏକ ସାଧାରଣ ଲୋକ ଭଳି ଜୀବନ ଯାପନ କରିବାରେ ତା’ର କୌଣସି ଅସୁବିଧା ନାହିଁ । ରୋଗ ହୋଇ ନ ଥିଲେ ଯେତେଦିନ ସେ ବଞ୍ଚିଥା’ନ୍ତା ଏମିତି ବି ସେତେଦିନ ବଞ୍ଚିପାରିବ । ସ୍ୱାଭାବିକ ଜୀବନ ଯାପନ ପାଇଁ ଯାହା କରିବାକୁ ପଡ଼ିବ, ତାହା ହେଲା ସକାଳୁ ଉଠିବା ପରେ ଦିନର କାମ ଆରମ୍ଭକରିବା ପୂର୍ବରୁ ତା’କୁ ଗୋଟାଏ ଇଞ୍ଜେକ୍‍ସନ୍‍ ନବାକୁ ହବ । ବିନା ଇଞ୍ଜେକ୍‍ସନ୍‍ ବିଛଣା ଛାଡ଼ିବା ପୂରାପୂରି ନିଷେଧ ।

 

ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଅର୍ଦ୍ଧରାତ୍ରି ଯାଏ ବିଭିନ୍ନ କାମଧନ୍ଦାରେ ବ୍ୟସ୍ତ ରହିବା ଥିଲା ସଦାନନ୍ଦ ପାଇଁ ଜୀବନ ଯାପନ । ସକାଳୁ ଗୋଟାଏ ଇଞ୍ଜେକ୍‍ସନ୍‍ ନେଇ ଯଦି ଏସବୁ କାମଧନ୍ଦା କରି ହୁଏ ତେବେ ତା ପାଇଁ ବ୍ୟସ୍ତତାର କିଛି କାରଣ ନ ଥିଲା । ଜୀବନ ଯାପନର ସମସ୍ତ ସ୍ୱାଭାବିକତା ଭିତରେ ଇଞ୍ଜେକ୍‍ସନ୍‍ ନବାଟା ହିଁ ଥିଲା ଅସ୍ୱାଭାବିକ, ଯାହାକୁ ସେ ମାନିନେଇଥିଲା ଡାକ୍ତରଖାନାର ବିଛଣା ଉପରେ । ଡାକ୍ତରଖାନାର ଚିକିତ୍ସା ଭିତରେ ସଦାନନ୍ଦକୁ ଯେତେବେଳେ କୁହାଗଲା ଯେ ପ୍ରତିଦିନ ଗୋଟିଏ ଲେଖାଏଁ ଇଞ୍ଜେକ୍‍ସନ୍‍ ନେଇ ସାରାଜୀବନ ତାକୁ ବଞ୍ଚିବାକୁ ହେବ । ସେ ଯେ ଭାଙ୍ଗିପଡ଼ି ନଥିଲା ତା’ ନୁହେଁ । ଛୋଟ ଛୋଟ ଘଟଣାରେ ବିବ୍ରତ ହୋଇ ପଡ଼ୁଥିବା ତା ଭଳି ଏକ ଯୁବକ ସାରାଜୀବନକୁ ଇଞ୍ଜେକ୍‍ସନ୍‍ ସିରିଞ୍ଜରେ ମାପିବାର ସାହସ ସଂଗ୍ରହକରିବା କେତେ ଯେ କଷ୍ଟସାଧ୍ୟ ସେ କେବେଳ ଜାଣିଥିଲା । ତେବେ ବିଶେଷଜ୍ଞ ଓ ଅଭିଜ୍ଞମାନଙ୍କ ଉତ୍ସାହବାଣୀ ଭିତରେ ସେ ନିଜ ପାଇଁ ଯେଉଁଥିରୁ ସାହସ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ତାହା ହେଲା ଆଜିକାଲିକାର ମାଦକଦ୍ରବ୍ୟ ସେବନକାରୀମାନଙ୍କର ପ୍ରତିଦିନ ଇଞ୍ଜେକ୍‍ସନ୍‍ ନବା ଘଟଣା । ଜୀବନକୁ ଭୁଲିଯିବା ପାଇଁ ଯଦି କେତେକଙ୍କ ପାଇଁ ଇଞ୍ଜେକ୍‍ସନ୍‍ ନବା ଜରୁରି, ତେବେ ଜୀବନକୁ ଜୀବନ ଭାବରେ ବିତାଇବା ଲାଗି ଇଞ୍ଜେକ୍‍ସନ୍‍ ଦରକାର ପଡ଼ିଲେ ହତୋତ୍ସାହ ହବାର କ’ଣ ଅଛି ? ଯେହେତୁ ସେ ଲୋକହିତମୂଳକ କାର୍ଯ୍ୟରେ ନିଯୁକ୍ତି ଏବଂ ତା ଜୀବନ ତା’ ଚାରିପାଖର କେତେକଙ୍କ ପାଇଁ ମୂଲ୍ୟବାନ ଇଞ୍ଜେକ୍‍ସନ୍‍ ନେଇ ସାରାଜୀବନ ବଞ୍ଚିବାରେ ବିଶେଷ ଉଦ୍ଦେଶ୍ୟ ରହିଛି ବୋଲି ସେ ନିଜକୁ ବୁଝାଇଥିଲା ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲା ।

 

ଏଭଳି ଏକ ପ୍ରସ୍ତୁତି ପରେ ଡାକ୍ତରଖାନାରୁ ଆସିବା ଏବଂ ଆଜିର ସିରିଞ୍ଜ୍ ଭାଙ୍ଗିବା ମଧ୍ୟରେ ବେଶ୍ ସ୍ୱାଭାବିକତା ବଜାୟ ରହିଥିଲା । ପ୍ରତ୍ୟହ ସକାଳୁ ବିଛଣା ଛାଡ଼ିବା ପରେ ଗୋଟାଏ ଛୁଞ୍ଚିଫୋଡ଼ା ତାକୁ ସମୟେ ସମୟେ ବିବ୍ରତ କରୁଥିଲେ ମଧ୍ୟ ତା’ ଜୀବନ ଯାପନର ସ୍ୱାଭାବିକତା ବ୍ୟାହତ ହୋଇ ନ ଥିଲା ।

 

ଜୀବନ ଯାପନ ସମ୍ପର୍କରେ ସଦାନନ୍ଦ କେବେ ହୁସିଆର ହୋଇ ପାରିନି ବୋଲି ସେ ବର୍ତ୍ତମାନ ବିଛଣାରେ ଶୋଇ ଶୋଇ ଭାବୁଛି । ଗୋଟଏ ସିରିଞ୍ଜ୍ ଉପରେ ଯେତେବେଳେ ତା ଜୀବନ ଯାପନର ସ୍ୱାଭାବିକତା ନିର୍ଭର କରୁଛି, ସେ ନିଜ ପାଖରେ ଦୁଇଟି ସିରିଞ୍ଜ୍ ତ ରଖି ପାରିଥାନ୍ତା । ଜୀବନକୁ ଏଡ଼େଇ ଏଡ଼େଇ ଚାଲିବା ବୋଧହୁଏ ତା’ ଜୀବନ ଯାପନ ପ୍ରଣାଳୀର ଥିଲା ସବୁଠାରୁ ବଡ଼ ଦିଗ ଏବଂ ଏଇଥିପାଇଁ ବୋଧହୁଏ ଆଜିଠାରୁ କେତେ ମାସ ପୂର୍ବ ପର୍ଯ୍ୟନ୍ତ ସେ ଆନୁଷ୍ଠାନିକ ଭାବରେ ଜୀବନ ଆରମ୍ଭ କରିପାରୁ ନ ଥିଲା । ସେଇଭଳି ଏକ ଜୀବନ ଆଜିଯାଏ ଗଡ଼ିଆସୁଥିଲା ତା’ର ଶୋଚନାର କାରଣ କ’ଣ ଥିଲା ?

 

ସଦାନନ୍ଦ ଖଟ ଉପରେ ପେଟେଇପଡ଼ି ତଳକୁ ଚାହିଁଲା । ଚଟାଣ ଉପରେ ଭଙ୍ଗା ସିରିଞ୍ଜ୍ ଭିତରେ ସେ ଦେଖୁଛି ସେହି ସାମ୍ରାଜ୍ଞୀଙ୍କୁ ଯାହାଙ୍କୁ ସେ ସ୍ପଷ୍ଟ ଦେଖିଥିଲା, ଆଜିଠାରୁ କେତେ ମାସ ପୂର୍ବେ । ହାତର ରାଜଦଣ୍ଡ ହଲାଇ ହଲାଇ ସେ ତାକୁ କହିଥିଲେ, “ଦେଖ୍ ସଦାନନ୍ଦ, ବଗୁଲିଆମି କଲେ ଲାଭ ନାହିଁ । ତୋର ସେ ବଗୁଲିଆମି ମଧ୍ୟ ମୋର ପରିକଳ୍ପନା । ତୁ ଭୂମିଷ୍ଠ ହେବାର ଅନେକ ଆଗରୁ ତୋ ଜୀବନୀ ଲେଖା ହୋଇ ମୋ ପାଖରେ ସୁରକ୍ଷିତ । ସେଥିରେ ମୁଁ ତୋ ଗତିବିଧିର ଯେଉଁ ଘର କାଟିଦେଇଛି, ସେଥିରୁ ତୁ ଗୋଟିଏ ବିନ୍ଦୁ ମଧ୍ୟ ଏପଟ ସେପଟ ହୋଇ ପାରିବୁନି ।” ତା’ପରେ ସଦାନନ୍ଦ ପାଖରେ ଆଉ କି ଯୁକ୍ତି ଥିଲା ତଥାକଥିତ ବଗୁଲିଆମି କରିବା ପାଇଁ । ସେଇ ମୁହୂର୍ତ୍ତରେ ସେ ନିଜକୁ ଯେତେ ଅସହାୟ ମନେ କଲା, ତାହା ଥିଲା ତା’ ଜୀବନର ସେ ସମ୍ପର୍କିତ ପ୍ରଥମ ଅଭିଜ୍ଞତା ଏବଂ ତା’ପରେ ସେ ଆନୁଷ୍ଠାନିକ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

 

ଆନୁଷ୍ଠାନିକ ଜୀବନର କ୍ରମ ପରିଣତି ସ୍ୱରୂପ ଯିଏ ଆସି ସଦାନନ୍ଦ ଆଗରେ ଠିଆ ହେଲା, ସେ ହେଉଛି ତା’ର ସନ୍ତାନ । ସଦାନନ୍ଦର ସନ୍ତାନ ସଦାନନ୍ଦକୁ ଆହ୍ୱାନ ଦେଉଛି । ସେ ପଚାରୁଛି ସଦାନନ୍ଦକୁ, “ତମର କି ଅଧିକାର ଥିଲା ମୋତେ ସୃଷ୍ଟି କରିବାପାଇଁ ? ନିଜ ରକ୍ଷଣ ଅସଂଭାଳ ଅଥଚ ତମେ ପାଗ ଭିଡ଼ିଛ ଆଉ ଏକ ଜୀବନ ସୃଷ୍ଟି କରି ତା’ର ଦାୟିତ୍ୱ ନବାକୁ ।”

 

“ତମ ଯୁବକାବସ୍ଥାରେ ତମକୁ ଗୋଟାଏ ସିରିଞ୍ଜ୍ ଧରାଇ ଦିଆଗଲା ସାରା ଜୀବନ ବଞ୍ଚିବା ପାଇଁ । ତମେ କଣ ଚିନ୍ତାକରି ପାରିଲନି, ଉତ୍ତରାଧିକାରର ଋଣ ଶୁଝିବା ପାଇଁ ମୋତେ ହୁଏତ ମୋ ଶୈଶବରୁ ଯୁଦ୍ଧ ଆରମ୍ଭ କରିବାକୁ ପଡ଼ିବ ।”

 

“ସଦାନନ୍ଦ ସନ୍ତାନକୁ ପାଖକୁ ଡାକିଲା । ଭଙ୍ଗା ସିରିଞ୍ଜ୍ ଭିତରକୁ ଚାହିଁବାପାଇଁ କହିଲା ତାକୁ । ସନ୍ତାନ ଭଙ୍ଗା ସିରିଞ୍ଜ୍ ଭିତରକୁ ଚାହିଁଲା । ବହୁତ ସମୟ ନିରେଖି ଦେଖିଲା ପରେ ମୁଣ୍ଡ ହଲାଇ ମନା କଲା, ନା ସେ କିଛି ଦେଖିପାରୁନି ।

 

ସଦାନନ୍ଦ ଜାଣିଥିଲା ସନ୍ତାନ କିଛି ଦେଖି ପାରିବନି । ସଦାନନ୍ଦ ନିଜ କଥା ହେଜିଲା । ସେ କ’ଣ ଦେଖି ପାରିଥିଲା ତା’ ଶୈଶବରେ । ଆନୁଷ୍ଠାନିକ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ତାଙ୍କୁ ଦେଖିଥିଲା ପ୍ରଥମଥର ପାଇଁ । ସେ କେବଳ ଦେଖି ନ ଥିଲା ସେହି ସାମ୍ରାଜ୍ଞୀଙ୍କୁ; ତାଙ୍କ ହାତର ରାଜଦଣ୍ଡ ଆଗରେ ସେ କେତେ ଛୋଟ ହୋଇ ଯାଇଥିଲା, କେତେ ଅସହାୟ ମଣିଥିଲା ନିଜକୁ । ନିଜକୁ ସେ ସାମ୍ରାଜ୍ଞୀଙ୍କୁ ସମର୍ପଣ କରିଦେବା ଛଡ଼ା ତା’ ଆଗରେ ଆଉ କିଛି ବାଟ ନ ଥିଲା-

 

ତେଣୁ ସନ୍ତାନକୁ ସେ ଦୟାକଲା । ସନ୍ତାନର ସମସ୍ତ ବାକ୍ୟବାଣ ସେ ଗୋଟାଏ ଫୁତ୍କାରରେ ଉଡ଼ାଇଦେଲା ।

 

ନିକଟବର୍ତ୍ତୀ ବଡ଼ ସହରରୁ ଇତି ମଧ୍ୟରେ ସଦାନନ୍ଦ ପାଇଁ ସିରିଞ୍ଜ୍ ଅଣାଯାଇଥିଲା । ଦୁଇଟି ସିରିଞ୍ଜ୍ ଅଣାଯାଇଚି । ଗୋଟିଏ ସିରିଞ୍ଜ୍ ଲୋଡ଼୍ କରାଯାଇ ସାରିଲାଣି । କ୍ଷଣକେ ସଦାନନ୍ଦ କର୍ମଠ ହୋଇ ଉଠିବ ।

 

ସଦାନନ୍ଦ ଇଞ୍ଜେକ୍‍ସନ୍‍ ନେଲା । ଦ୍ଵିତୀୟ ସିରିଞ୍ଜ୍ ହାତରେ ଧରି ସନ୍ତାନକୁ ପାଖକୁ ଆସିବା ପାଇଁ ନିର୍ଦ୍ଦେଶ ଦେଲା । ସନ୍ତାନ ଆସନ୍ତେ ସିରିଞ୍ଜଟିତା’ ହାତକୁ ବଢ଼ାଇଦେଇ କହିଲା; “ନେ, ଏଇଟା ପାଖରେ ରଖ । ଦରକାର ବେଳେ କାମରେ ଲାଗିବ ।”

Image

 

ଶ୍ରୀ ନାରାୟଣ ପଣ୍ଡା

 

ବାଞ୍ଛିତ ପ୍ରଭାତ

 

ନଅରରେ ସମ୍ରାଟଙ୍କର ଦୈନନ୍ଦିନ ନୀତି ବଢ଼ିବା ବେଳଠାରୁ ଆରମ୍ଭକରି ମୃଗୟା ଓ ଦିଗ୍‍ବିଜୟ ପର୍ଯ୍ୟନ୍ତ କେତେବେଳେ ବା ବିଦ୍ୟାଧର ତାଙ୍କଠାରୁ ଅନ୍ତର ହୁଏ । ତଥାପି ତା ପାଇଁ ସମ୍ରାଟ ଅବୋଧ୍ୟ ରହନ୍ତି । ଅବଶ୍ୟ ତା’ପରି ଜଣେ ଅକିଞ୍ଚନ ଭାଟ ପକ୍ଷରେ ସମ୍ରାଟଙ୍କୁ କଳନା କରିପାରିବା ଅଭିଳାଷ ଏକ ଅହେତୁକ ଦାମ୍ଭିକତା ହୁଏତ; ତଥାପି ତାଙ୍କୁ ସେ ଅନେଇ ରହେ ଖୁବ୍ ପାଖରୁ ସେ ବିଜେ ହେବା ସଙ୍ଗେ ସଙ୍ଗେ ବାଜୁଥିବା ବହୁବିଧ ବାଦ୍ୟ ତୂରୀ ଓ ଶଙ୍ଖଧ୍ୱନି ଭିତରେ ଗମ୍ଭୀର ଓ କର୍ତ୍ତବ୍ୟପରାୟଣଭାବେ ତାଙ୍କ ପ୍ରଶସ୍ତିର ଶ୍ଳୋକ ପରେ ଶ୍ଳୋକ ଆବୃତ୍ତି କରିଗଲାବେଳେ ଏବଂ ଗଡ଼ଠାରୁ ଛଅ କିଲୋମିଟର ଦୂରସ୍ଥ ଭିନ୍ନ ଉଦ୍ଦେଶ୍ୟରେ ନିର୍ମିତ; କିନ୍ତୁ ଗଡ଼ ଭିତରେ ବାସଗୃହର ଅଭାବହେତୁ ବିଦ୍ୟାଧର ଓ ତାର କେତେକ ସହକର୍ମୀଙ୍କଦ୍ୱାରା ଅର୍ଦ୍ଧନିର୍ମିତ ଅବସ୍ଥାରୁ ବି ଅଧିକୃତ ଘରଗୁଡ଼ିକର ଗୋଟିଏ କୋଠରିରେ ବିଶ୍ରାମ ନେଲାବେଳେ ବି ଶୟନକକ୍ଷସ୍ଥ ସମ୍ରାଟଙ୍କ ମନୋଭାବ ସମ୍ପର୍କରେ ହିଁ ସେ ଭାବୁଥାଏ । ନିର୍ଜନ ରାତିରେ ଗଡ଼ଠାରୁ ଦୂରବର୍ତ୍ତୀ ଭାଲୁ ଓ ବାରହା ଅଧ୍ୟୁଷିତ ଉକ୍ତ ନିର୍ଜନତାରେ ମିଞ୍ଜି ମିଞ୍ଜି ଲଣ୍ଠନ ଜଳା କୋଠରି ଭିତରୁ ପାହାଡ଼ କଟାଯାଇ ଗଡ଼ଆଡ଼କୁ ଉଠି ଯାଇଥିବା ଅଙ୍କାବଙ୍କା ରାସ୍ତାକୁ ଅନେଇ ଅନେଇ ସମ୍ରାଟଙ୍କ ସମ୍ପର୍କରେ ଭାବିବାର ଆଶଙ୍କାଗ୍ରସ୍ତ ଅନୁଭୂତି, ଗାଢ଼ ଅନ୍ଧାର ରାତିର ନିଦ୍ରାହୀନତା ଜାବୁଡ଼ି ଧରୁଥିବା ଶୀତ ଗଡ଼ ଆଡ଼କୁ ମାଡ଼ି ଯାଉଥିବା ପଣ୍ୟବୋଝେଇ ଟ୍ରକ୍‍ର ଶବ୍ଦସହ ମିଶିଯାଇ ଉଦ୍‍ବିଗ୍ନତାର ବିଷାକ୍ତ ହାତୁଡ଼ିରେ ତାକୁ ଲହୁଲୁହାଣ କରି ଅସହାୟ ଅବସ୍ଥାରେ ପକେଇଦିଏ ।

 

ଆପାତତଃ ବିଦ୍ୟାଧର ଭଲ ଚଳୁଛି ତ । ପାଆଁଶ ଟଙ୍କିଆ ଟେରିଉଲ୍ ସୁଟ୍ ପିନ୍ଧୁଛି, ମାସକୁ ମାସ ରାଜକୋଷରୁ ପାରିଶ୍ରମିକ ନିୟମିତ ଓ ତା ଯୋଗ୍ୟତାର ଅନୁରୂପ । ସର୍ବୋପରି ସପ୍ତାହକୁ ଅନ୍ତତଃ ଖଣ୍ଡେ ଚିଠି ନିଶ୍ଚିତଭାବେ ଲେଖୁଥିବା ନିର୍ଭରଯୋଗ୍ୟ । ଠିକ୍ ତାର ମନମୁତାବକ ପ୍ରେମିକା ତଥା ତାର ସବୁ ଜିଦ୍ ଓ ଖିଆଲି ପ୍ରତି କ୍ଷମାଶାଳୀ ଉଦାର ପିତାମାତା ।

 

ବିଦ୍ୟାଧର କିନ୍ତୁ ସେ ଦିନ କଥା ଭାବୁଥାଏ । ସମ୍ରାଟଙ୍କ ବିରୁଦ୍ଧରେ ପ୍ରଭୁତ୍ଵହୀନ ବ୍ୟବସ୍ଥା ପ୍ରତିଷ୍ଠା ଲାଗି ଶୋଭାଯାତ୍ରା । ନା ଇଚ୍ଛା ନା ଅନିଚ୍ଛା ନା, ଆଗ୍ରହ ନା ଅନାଗ୍ରହ ଭିତରେ ମାତ୍ର କେତେ ମିଟର ସେ ଭିତରେ ସେ ଚାଲି ଯାଇଥିଲା । ପ୍ରତ୍ୟେକଟି କାନ୍ଥରେ କିନ୍ତୁ ରାଜାଜ୍ଞା ସ୍ପଷ୍ଟଭାବେ ଲେଖାଥିଲା—ଏ ଶୋଭାଯାତ୍ରାକାରୀମାନେ ରାଜଦ୍ରୋହୀ ଓ ତେଣୁ କସ୍ମିନ୍ କାଳେ ବି ରାଜକର୍ମଚାରୀ ହେବାକୁ ସଂପୂର୍ଣ୍ଣ ଅଭାଜନ । ତାକୁ ମଧ୍ୟ ଜଣାଥିଲା ଯେ ଅନେକ ଅଦୃଶ୍ୟ କେମେରାରେ ଉଠାଯାଇ ସମଗ୍ର ଶୋଭାଯାତ୍ରାର ସବୁ ମୁହଁମାନଙ୍କର ଫଟୋ ଗଡ଼ ଭିତରର କୌଣସି ଏକ ସ୍ଥାନରେ ଅବସ୍ଥିତ ଗୁପ୍ତ ଫଟୋଖାନାରେ ସୁରକ୍ଷିତ । ତା’ ଫଟୋ ବି ଯେ ସେଠି ଥିବ, ସେ ସମ୍ପର୍କରେ ସନ୍ଦେହ କରିବାରେ କ’ଣ ଅଛି ? ଏବଂ ଥରଟିଏ ମାତ୍ର କେବେ ଯଦି ସମ୍ରାଟ ଫଟୋଖାନାର ପରିଦର୍ଶନରେ ଯାଇ ଶୋଭାଯାତ୍ରା ଭିତରେ ଥିବା ଅବସ୍ଥାରେ ଉଠିଥିବା ଫଟୋରୁ ତାକୁ ଚିହ୍ନି ଦିଅନ୍ତି । ଏଇ ଆଶଙ୍କାରେ ଦେହ ମୁଣ୍ଡ ଅବଶ ହୋଇ ଆସିଲାବେଳେ ପ୍ରେମିକାର କମନୀୟ ମୁହଁଟି ହିଁ ତା ଆଖି ସାମ୍ନାରେ ଝଟକି ଉଠେ । ଭରଣ ପୋଷଣର ଅର୍ଥନୈତିକ ନିରାପତ୍ତାର କି ପ୍ରତିଶ୍ରୁତି ଭାବୀପତ୍ନୀ ପ୍ରତି ତା ନିକଟରେ ଗଚ୍ଛିତ ?

 

ଅବଶ ଅସହାୟ ବିଦ୍ୟାଧର କିନ୍ତୁ ତଥାପି ବିଧ୍ୱସ୍ତ ସ୍ଥିତିକୁ ଯୋଡ଼ାଯୋଡ଼ି କରିବାକୁ ଚେଷ୍ଟାକରି ଭାବେ—କିନ୍ତୁ ସମ୍ରାଟଙ୍କ ବିରୁଦ୍ଧରେ ଶୋଭାଯାତ୍ରା ତ ପ୍ରାୟ ସବୁଦିନ ଏମିତି ବାହାରୁଛି କେତେ ଫଟୋ; ତେଣୁ ସେଠି ଗଚ୍ଛିତ ଥିବ । ସମ୍ରାଟ କ’ଣ ଫଟୋଖାନା ପରିଦର୍ଶନରେ ଯିବାକୁ ପ୍ରକୃତରେ କେବେହେଲେ ସମୟ ପାଇବେ ? ଯଦି ବି ମନେକର ଦୈବାତ୍ କେବେ ସେ ଯାଆନ୍ତି, ସେ କ’ଣ ନିଠେଇ ନିଠେଇ ସବୁ ଫଟୋକୁ ଦେଖିବେ, ବିଶେଷତଃ ଶୋଭାଯାତ୍ରାମାନଙ୍କର ଫଟୋଗୁଡ଼ିକର ପ୍ରତ୍ୟେକଟି ମୁହଁକୁ ? ସମ୍ରାଟ କ’ଣ ଥରେହେଲେ କେବେ ଫଟୋଖାନା ପରିଦର୍ଶନରେ ଯାଇଛନ୍ତି ? ବିଦ୍ୟାଧର ଚିନ୍ତାକରେ କ’ଣ କରାଯାଇପାରେ ଏ ସମ୍ପର୍କରେ । ଯଦି କୌଣସିମତେ ଉକ୍ତ ଶୋଭାଯାତ୍ରାର ଫଟୋଟି ସମ୍ରାଟଙ୍କ ନଜରରେ ନ ପଡ଼ିବା ଭଳି ଗୋଟିଏ ଜାଗାକୁ ଘୁଞ୍ଚେଇ ଦିଆଯାଏ; କିନ୍ତୁ କେମିତି ? ଧର, ଫଟୋଖାନାର ତତ୍ତ୍ୱାବଧାରକଙ୍କୁ ଧରାଧରି କରି; କିନ୍ତୁ ଏହା କ’ଣ ବିଦ୍ୟାଧରଦ୍ୱାରା ସମ୍ଭବପର ? ଏଥିରେ ସମସ୍ୟା ଦ୍ୱିବିଧ । ପ୍ରଥମତଃ ଫଟୋଖାନା ଗଡ଼ର କେଉଁଠି ଅବସ୍ଥିତ ଓ ସେଥିର ତତ୍ତ୍ୱାବଧାରକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ କେଉଁଠି ରହନ୍ତି ତାହା ତ ତାକୁ ଅଗୋଚର । ଯଦିଓ ଚେଷ୍ଟାକଲେ ସେ ସଂପର୍କରେ ଖବର ମିଳିପାରେ; କିନ୍ତୁ ତତ୍ତ୍ୱାବଧାରକ କେମିତି ମନୋବୃତ୍ତିର ବ୍ୟକ୍ତି କିଏ ଜାଣେ । ଯଦି ସେ ସାଧୁ ହୋଇଥାନ୍ତି, ତେବେ ବି ବିପଦ । ତାଙ୍କ ଦାୟିତ୍ୱ ସବୁ ଫଟୋକୁ ଉପଯୁକ୍ତ ବିଧିରେ ଓ ବ୍ୟବସ୍ଥା ସହକାରେ ସଜେଇ ରଖିବା । କାହାକୁ କୌଣସି ଫଟୋ ଛୁଇଁବାକୁ ଦବା ତ ଦୂରର କଥା, କେବଳ ସମ୍ରାଟଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଫଟୋଖାନା ଭିତରକୁ ପ୍ରବେଶ କରେଇ ନ ଦବାକୁ ସେ କଡ଼ାକଡ଼ିଭାବେ ଆଦିଷ୍ଟ । ସେ ଯଦି ଅସାଧୁ ପ୍ରକୃତିର ହେଇଥାନ୍ତି, ଅନ୍ୟାନ୍ୟ ଅଧିକାଂଶ ରାଜକର୍ମଚାରୀଙ୍କ ଅନୁରୂପ ତେବେ ବି ବିପଦ । ପ୍ରଥମତଃ ବିଦ୍ୟାଧର ଏମିତି ତ ବେଶ୍ ଚଳିଯାଉଛି, ସମ୍ରାଟ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀର ଜଞ୍ଜାଳ ଭିତରେ ଫଟୋଖାନାକୁ ଆସିବା ଓ ଫଟୋଗୁଡ଼ିକୁ ନିଠେଇ ନିଠେଇ ଦେଖିବା ଏକବାରେ ଅସମ୍ଭବ ନ ହେଲେ ବି ସୁଦୂରପରାହତ ଆଶଙ୍କାମାତ୍ର ଓ ସେଦୃଷ୍ଟିରୁ ବର୍ଷ ପରେ ବର୍ଷ ତ ବିତି ଯାଉଛି ଓ ଆଗାମୀ ବର୍ଷମାନ ବି ଏମିତି ଏମିତି ବିତି ଯାଇପାରେ; କିନ୍ତୁ ତତ୍ତ୍ୱାବଧାରକ ଯଦି ଅସାଧୁ ପ୍ରକୃତିର ହେଇଥାନ୍ତି, ତେବେ ବିଦ୍ୟାଧରର ଅନୁରୋଧର ବିନିମୟରେ କ’ଣ ଯେ ନ ଚାହିଁବେ କିଏ ଜାଣେ । ତା ଛଡ଼ା ଏହାଦ୍ୱାରା ଅନ୍ୟଥା ଅବହେଳିତ ହେଇ କୋଉ ସ୍ତୂପ ଭିତରେ ପଡ଼ିଥିବା ଉକ୍ତ ଫଟୋଟି ତତ୍ତ୍ୱାବଧାରକଙ୍କ ଆଖିରେ ସ୍ୱତନ୍ତ୍ରଭାବେ ଗୁରୁତ୍ୱପୂର୍ଣ୍ଣ ହେଇଉଠିବ ଓ ତାକୁ ସେ ସେଠୁ ନେଇଆସି ଠିକ୍ ଆଖିରେ ପଡ଼ିବା ପରି ଗାଲେରିରେ ଯେ ସଜେଇ ନ ଥୋଇବେ କିଏ କହିବ ?

 

ବିଦ୍ୟାଧର ଭାବେ, ସମ୍ରାଟଙ୍କ ପାଦ ଧରି ସେ କହି ଦିଅନ୍ତା ଯେ ସେ ରାଜଦ୍ରୋହୀ ନୁହେଁ-। ଉକ୍ତ ଶୋଭାଯାତ୍ରାକାରୀମାନଙ୍କ ସହ ତା’ର କୌଣସି ସମ୍ପର୍କ ନ ଥିଲା । କିଶୋର ବୟସରେ ଏକଦା ରାସ୍ତାରେ କୋଳାହଳ ଶୁଣି ବାପା ମାଆଙ୍କ ସହ ଗଡ଼ ଭିତରେ ରହୁଥିବା ଘରଭିତରୁ ସେ ଯେ ବାହାରି ଆସିଥିଲା, ତାହା କେବଳ ମାତ୍ର କୌତୂହଳବଶତଃ । ଏପରିକି ସେ ଶୋଭାଯାତ୍ରାରେ କିଛିବାଟ ଆଗେଇଯିବାଟା ବି ନିରୀହ କୌତୂହଳ ହେତୁ କେବଳ; ମଫସଲରୁ ଗଣ୍ଠିଲିପତ୍ର ବୋହି ଚାଷବାସ ଧନ୍ଦା ଛାଡ଼ି ଶୋଭାଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ବି ଅଜ୍ଞ ସେଇ ଲୋକମାନଙ୍କର ନିରୀହପଣିଆଁ ଲକ୍ଷ୍ୟ କରିବାର ଲାଳସା ସମ୍ବରଣ କରି ନ ପାରିବାଜନିତ । ବିଦ୍ୟାଧର ଭାବେ, ଆହୁରି ବି ସେ କହିଦିଅନ୍ତା ଯେ ଖାଲି ସେତିକି ନୁହେଁ, ସେ ସେଦିନର ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କୁ ଘୃଣା କରେ ଓ ସେମାନଙ୍କ ଦାବୀର ଅସାରବତ୍ତାକୁ ଭଲଭାବରେ ହୃଦୟଙ୍ଗମ କରେ । ଉଦାହରଣସ୍ୱରୂପ ପ୍ରଭୁହୀନ ବ୍ୟବସ୍ଥା ଦାବୀକଥା ବିଚାରକୁ ନିଆଯାଉ । ବିଦ୍ୟାଧର କଳ୍ପନା କରେ ସମ୍ରାଟଙ୍କୁ ଖୁବ୍ ପ୍ରଭାବିତ କଲାଭଳି ନାଟକୀୟ ଭଙ୍ଗୀରେ ସେ କହୁଛି—ଏହା କ’ଣ କେବେହେଲେ ସମ୍ଭବ ? ବିଶ୍ୱାସ କରନ୍ତୁ ମଣିମା ! ମୁଁ ସେମାନଙ୍କୁ ଘୃଣା କରେ; କାରଣ ସେମାନେ ପ୍ରବଞ୍ଚକ । ନହେଲେ ସେମାନେ ନେତୃତ୍ୱ ନିଅନ୍ତେ କାହିଁକି ? ନେତୃତ୍ୱ ଓ ପ୍ରଭୁତ୍ୱ ଭିତରେ କିଛି ଗୁଣାତ୍ମକ ପାର୍ଥକ୍ୟ ମତେ ଦିଶୁନାହିଁ ମଣିମା, ତେଣୁ ସେମାନଙ୍କ ଚାଲବାଜୀ ମୁଁ ବୁଝିଛି-। ତେଣୁ ମତେ ଆପଣ ରକ୍ଷାକରନ୍ତୁ । ଛାମୁଙ୍କ ସେବାର ସୁଯୋଗରୁ ଅଧୀନକୁ ବଞ୍ଚିତ କରନ୍ତୁନାହିଁ । ମୁଁ ଅନୁଗତ ଓ ବିଶ୍ୱସ୍ତ ଏତେ ଦିନର କର୍ତ୍ତବ୍ୟପରାୟଣ ନିରୀହ ଭାଟ ।

 

ବିଦ୍ୟାଧର ଭାବେ ନିକାଞ୍ଚନରେ ଥରେ ମାତ୍ର ସମ୍ରାଟଙ୍କୁ ପାଇଲେ ଏସବୁ ସେ କହନ୍ତା, ସବୁ ଅଡ଼ୁଆ ତୁଟିଯାଆନ୍ତା ଏକାଥରକେ । ଏତେ ଦହଗଞ୍ଜ ଆଉ ଲାଗନ୍ତା ନାଇଁ । ଆଶଙ୍କାପୂର୍ଣ୍ଣ ଅନିଶ୍ଚିତ ଭବିଷ୍ୟତ ଏତେ ବିକଟାଳ ରୂପନେଇ ତାକୁ ଡହଳବିକଳ କରନ୍ତା ନାଇଁ କର୍ମହୀନ ସୁଦୀର୍ଘ ମଧ୍ୟାହ୍ନ ମଧ୍ୟାହ୍ନ ଧରି କିମ୍ବା ନିଦ୍ରାହୀନ ରାତି ରାତି ଧରି । କିନ୍ତୁ ହାଏ; ସେ ସୁଯୋଗ କ’ଣ କେବେହେଲେ ଆସେ ? ଢିଲାହେଇ ବାଙ୍କି ଯାଇଥିବା ସାଇକେଲ ହେଣ୍ଡେଲକୁ ସଳଖି ଟାଇଟ୍ କରିଦେବାପରି ଏତେ ସହଜରେ କ’ଣ ଭବିଷ୍ୟତକୁ ସଜାଡ଼ି ହୁଏ ?

 

କ୍ରମେ କ୍ରମେ ସମ୍ରାଟଙ୍କ ସ୍ୱରୂପ ବିରାଟରୁ ବିରାଟତର ଓ ଅଧିକରୁ ଅଧିକ ଓଜନିଆଁ ହେଇ ବିଦ୍ୟାଧରର ସମଗ୍ର ଚେତନାକୁ ପଙ୍ଗୁ ଓ ଜଡ଼ କରିପକାଉଛି । ବିଦ୍ୟାଧରର କିନ୍ତୁ ଦୃଢ଼ ଧାରଣା ତା ଚେତନାର ଏ ଦୁର୍ଦ୍ଦଶା ଓ ତଦ୍‍ଜନୀତ ଶାରୀରିକ ଓ ସ୍ନାୟୁଗତ ନିଶ୍ଚେଷ୍ଟତା ଓ ନିର୍ବେଦତା ଲାଗି ସମ୍ରାଟ କଦାପି କାରଣ ହେଇ ନଥାନ୍ତେ ଯଦି ସେ କେବଳମାତ୍ର ତାର ଅର୍ଥନୈତିକ ଅବଲମ୍ବନ ବା ରାଜନୈତିକ ବ୍ୟବସ୍ଥାର ନିୟନ୍ତ୍ରକ ମାତ୍ର ହେଇଥାନ୍ତେ । ହୁଏତ ଏକ ମହାନ୍ ଆଦର୍ଶରେ ଉଦ୍‍ବୁଦ୍ଧ ହେଇ ସେଇ ସଙ୍କଟରୁ ଉଧୁରିଯାଇ ନିଜକୁ ପ୍ରତିଷ୍ଠିତ କରିବାକୁ ସେ ଉଦ୍ୟମ କରନ୍ତା । କିନ୍ତୁ ଆଜି ସେ ଏତେ ଅସହାୟ କାରଣ ସମ୍ରାଟ ଆଜି ତା ଆଗରେ ଉଭା; ନୈତିକ ମୂଲ୍ୟ ନିରପେକ୍ଷ କାୟାହୀନ ଦୁର୍ଭେଦ୍ୟ ଅନତିକ୍ରମ୍ୟ ଅନ୍ଧାର ହେଇ ଏବଂ ତାକୁ ଘେରି ରହିଥିବା ଏଇ ନିଷ୍କରୁଣ ଭାବେ ନିର୍ଲିପ୍ତ ପ୍ରତିଶ୍ରୁତିହୀନ ଅନ୍ଧାକାର ପ୍ରେମ କରୁଥିବା, ନିୟମିତ କର୍ତ୍ତବ୍ୟ କରୁଥିବା ଓ ପ୍ରତିବର୍ଷ ଶୀତଋତୁରେ ବେଡ଼ମିଣ୍ଟନ୍ ଖେଳୁଥିବା, ହର୍‍ଦମ ଭାଣ୍ଡାମିକରି ବନ୍ଧୁମାନଙ୍କୁ ହସଉଥିବା ବିଦ୍ୟାଧରର ବାସ୍ତବ ସ୍ଥିତିର ପ୍ରତ୍ୟେକଟି ମୁହୂର୍ତ୍ତରେ ଅନାଗତ ଅନିଶ୍ଚିତ ବିକଟାଳ ଭବିଷ୍ୟତକୁ ଆହୁରି ଭୟଙ୍କର ଭାବେ ଦେଖେଇବାଲାଗି ତା ଆଖି ସାମ୍ନାରେ ମସ୍ତବଡ଼ ଯବକାଚ ତୋଳିଧରେ ।

 

ବିଦ୍ୟାଧର ଭାବେ, ସେ ଯଦି ତାକୁ ଘେରି ରହିଥିବା ଏଇ ଦୁର୍ଭେଦ୍ୟ ଅନ୍ଧାରକୁ ନିଃଶେଷ କରିଦେବାପରି ଏକ ପରିବ୍ୟାପ୍ତ ଶୂନ୍ୟତାରେ ପରିଣତ ହେଇଯାଆନ୍ତା ! ଏଭଳି ଏକ ଦିଗ୍‍ବିଦିଗ୍‍ ଘେରି ରହିଥିବା ଶୂନ୍ୟ ପରେ ସେ ରୂପାନ୍ତରିତ ହୁଅନ୍ତା, ଯାହା ଭିତରେ ସମୁଦ୍ର ମଝିରେ ଦୁଆତେ କାଳି ଇଡ଼ିଦେଇ ସତ୍ତା ହଜେଇବାପରି ତାର ସମସ୍ତ ଉତ୍ପୀଡ଼ନର ହେତୁ ଉକ୍ତ ଅନ୍ଧାରତକ ଗୋଳି ହେଇଯାଇ ଲୋପ ପାଆନ୍ତା । ଏଭଳି ଏକ ସମ୍ଭାବନା ସମାଧାନର ଏଇ ଶେଷପୁତ୍ର ବିଦ୍ୟାଧରକୁ ତେଣୁ ପୁଲକିତ କରେ ବର୍ତ୍ତମାନ I ଏତେ ତାଡ଼ନା ସତ୍ତ୍ୱେ ବି ତା’ର ମନେହୁଏ ମୁକ୍ତି ତା ହେଲେ ନିହାତି ଅଲଭ୍ୟ ନୁହେଁ ଜୀଇଁଥାଇ ନହେଲେ ବି ଜୀବନ୍ନୋତ୍ତର ଉକ୍ତ ପରିବ୍ୟାପ୍ତ ବିସ୍ତାରିତ ଶୂନ୍ୟତାରେ ବିଚ୍ଛୁରିତ ଅବସ୍ଥାରେ ଅନ୍ତତଃ I ବିଦ୍ୟାଧରର ଆଖିକୁ ତେଣୁ ଦେଖାଯାଏ ଗୋଟାଏ ମଶାଣିରେ ଗୋଟିଏ ଚିତା ମଣ୍ଡପରେ ତା ନିଜର ଓ ସମ୍ରାଟ ଉଭୟଙ୍କର ଶବ ପୋଡ଼ୁଥିବା ଦୃଶ୍ୟ ଓ ତେଣୁ ସେ ସେଇ ଶୁଭ ଅବସରର ବ୍ୟାକୁଳ ଅପେକ୍ଷାରେ ଯେତେବେଳେ ପରିବ୍ୟାପ୍ତ ଶୂନ୍ୟତାରେ ରୂପାନ୍ତରିତ ବିଦ୍ୟାଧର ଝୁଲୁଥିବା ଆକାଶଦେଇ ଭାସୁଥିବା ମେଘ ଓ ଅଦୂରସ୍ଥ ଶସ୍ୟକ୍ଷେତ୍ରର ହିଡ଼ଉପରର ବିରାଟ ଗଛର ବାୟାବସାମାନଙ୍କ ଗହଣରେ ଉକ୍ତ ଶାନ୍ତ ଓ ନିଶ୍ଚୁପ ସକାଳେ ତାର ଓ ତାର ସମସ୍ତ ଅନିଶ୍ଚିତତାର ଓ ଆଶଙ୍କାର ହେତୁ ଓ ସୁତରାଂ ତାର ପ୍ରତିପକ୍ଷ ସମ୍ରାଟଙ୍କ ଶେଷକୃତ୍ୟର ନୀରବ ଦୃଶ୍ୟ ନିଷ୍କାମ, ନିରୁଦ୍‍ବିଗ୍ନ ଓ ନିର୍ଲିପ୍ତଭାବେ ଦେଖୁଥିବ ।

 

ଶ୍ରୀ ଜଗଦୀଶ ମହାନ୍ତି

 

ଶୂନ୍ୟ ଇଲାକାର ସ୍ଵପ୍ନ

 

ହଠାତ୍ ସତର୍କ ହେଇଯିବାର ଅଭ୍ୟାସଟା, ଅନ୍ତତଃ ଭିଡ଼ ଭିତରେ, ଏବେ ବି ରହିଯାଇଚି-I ବସ୍‍ରେ ଉଠିଲାବେଳେ, କାନ୍ଥ ପାଖରେ ଘଷିହେଇ ଯାଉଥିଲା ବେଳେ କିମ୍ଵା କବାଟ ଡେଉଁଥିଲାବେଳେ ଅରୁଣାଭ ସତର୍କ ହେଇଯାଏ, ଏବେ ବି । ବାଁ ହାତଟାକୁ ଏମିତି ସତର୍କ ଅବସ୍ଥାରେ ରଖେ, ଯେମିତି କି ମଣିବନ୍ଧ ଉପରେ ଆଘାତ ଲାଗିବନି; ଅଥଚ, ଆଉ ଏବେ ସତର୍କ ହେବାର କିଛି ଆବଶ୍ୟକତା ନାହିଁ I

 

ଅରୁଣାଭ ନିଜର ବାଁ ହାତର ମଣିବନ୍ଧକୁ ଅନେଇଲା । ଲିଭିଆସୁଥିବା ଦାଗଟିଏ, ଆଉ ଅଳ୍ପଦିନ ଭିତରେ ନିଜର ଅସ୍ତିତ୍ଵ ଲିଭେଇଦେବ I ସବୁ ସ୍ମୃତିର ଦାଗ, ଏମିତି ପାଣିଚିଆ ହେଉ ହେଉ, ମିଳେଇଯାଏ I କେତେଦିନ ବା ଆଉ ଧରି ରଖିହୁଏ ସେ ଦାଗକୁ ? ଭୁଲିବାକୁ ପଡ଼େ I ଏୟାହିଁ ନିୟମ I

 

ପାଣିଚିଆ ଦାଗ ଉପରେ ହାତ ବୁଲେଇଲା । ବ୍ୟଥା ତ ନାହିଁ, ତେବେ ବି ଛାତିର କେଉଁ କୋଣରେ ଗୋଟେ ଅସ୍ପଷ୍ଟ ଦରଜ ରହିଯାଇଚି I ଗୋଟେ ଖାଲି-ବଖରାର ଶୋକ ଯେମିତି I ଏତେଦିନ ଧରି ମଣିବନ୍ଧରେ ଗୋଟେ ବୋଝ ଥିଲା କି ? ସେତେବେଳେ ଅନୁଭବ କରିପାରୁନଥିଲା ଅରୁଣାଭ I ଆଜିକାଲି ବେଳେବେଳେ ହାଲୁକା ଲାଗେ ହାତଟା, ଯେତେବେଳେ ଅନୁଭବ କରିପାରେ ଯେ, ଗୋଟେ ଶୂନ୍ୟତା ଘେରି ରହିଛି, ମଣିବନ୍ଧ ଉପରେ । ଶୂନ୍ୟତାର ଏତେ ଜ୍ଵାଳା ?

 

ରାସ୍ତାରେ, ଅଫିସ୍‍ରେ କିମ୍ବା କ୍ଲବରେ, ଲୋକମାନେ ଯେତେବେଳେ ଆଖିରେ ନେଇ ଉତ୍ସୁକତାର ପ୍ରଶ୍ନବାଚୀ ପଚାରନ୍ତି; ‘ଟାଇମ ପ୍ଲିଜ୍‍’, ଏବେବି ତା’ର ଆଖି ବାଁ ହାତର ମଣିବନ୍ଧକୁ ଚାଲିଯାଏ ଓ ସେ ବାଧ୍ୟହେଇ କୁହେ: ‘ଘଡ଼ି ନାହିଁ । ’ କୁହେ ଏମିତି ଭାବରେ, ଯେମିତିକି ସେ ଉପେକ୍ଷା କରିବାକୁ ଚାହୁଁଛି ସେମାନଙ୍କର ପ୍ରଶ୍ନିଳ ଆଖି ଦି’ଟାକୁ । ଯେତେବେଳେ ଘଡ଼ି ଥିଲା, ସେ ଅନୁଭବ କରିପାରିନଥିଲା, ତା’ର ମଣିବନ୍ଧ ଉପରେ ବି ଅନେକେ ଭରସା କରିପାରନ୍ତି । ଏବେ ବୁଝିପାରୁଚି । ଏଇଟା ହିଁ ନିୟମ । ଶୂନ୍ୟତା ହିଁ ଜଣାଇଦିଏ ପୂର୍ଣ୍ଣତାର ମହତ୍ତ୍ୱ ।

 

ପ୍ରଥମ ଯେଉଁଦିନ ଖାଲି ହାତରେ ସେ ଯାଇଥିଲା ଅଫିସ୍‍, ଆଶ୍ଚର୍ଯ୍ୟର କଥା ସମସ୍ତେ ଲକ୍ଷ୍ୟ କରିଥିଲେ, ତାର ମଣିବନ୍ଧର ଶୂନ୍ୟତାକୁ । ଅଥଚ, ୟା ପୂର୍ବରୁ କେହି ପଦେହେଲେ କହିନଥିଲେ ଘଡ଼ି ବିଷୟରେ, ଯେତେବେଳେ ହାତ ଉପରେ ସମୟଟା ସର୍କସର ମୋଟରସାଇକେଲ ଭଳି ଘୂରିବୁଲୁଥିଲା ।

 

ଅଫିସ୍‍ର ରାସ୍ତୋଗୀବାବୁ ଆଶ୍ଚର୍ଯ୍ୟ ହେଇଥିଲେ: ମୁଁ ତ ବୁଝିପାରୁନି ମହାନ୍ତି, ଏମିତି ସୁନ୍ଦର ଘଡ଼ିଟାକୁ ବିକିଦେବା ପାଇଁ ତମ ମନ କେମିତି ଚାହିଁଲା ? ପୁଣି ଗୋଟେ ପଚାଶପୃଷ୍ଟିଆ ମ୍ୟାଗାଜିନ ବାହାରକରିବା ପାଇଁ, କ’ଣ ଭେଲ୍ୟୁ ଅଛି ତମର ସେ ପତ୍ରିକାଟିର । କୋଉ ଲାଭ ପାଇବ ତମେ ?

 

ୟାର ଉତ୍ତର କ’ଣ ଦିଆଯାଇପାରେ ? ଗଳ୍ପ, ଉପନ୍ୟାସ କିମ୍ବା ରେଡ଼ିଓ ନାଟକର ନାୟକ ଭଳି ବହୁତଗୁଡ଼େ ଡାଇଲଗ୍ ଗପିହୁଅନ୍ତା; କିନ୍ତୁ ଅରୁଣାଭର ମୁହଁ ତ ଫିଟେନି ଏତେ ଶୀଘ୍ର । ସେ ମୁହଁ ତଳକୁକରି ଜୋର୍‍ କରି ମୁରୁକି ହସିବା ପାଇଁ ଚାହିଁଥିଲା; କିନ୍ତୁ ଛାତି ଭିତରେ କେଉଁଠି ଯେମିତି ଦୁଃଖର ପିନକଣ୍ଟା ଫୋଡ଼ିହେଉଥିଲା । ପରେ ଅବଶ୍ୟ ମନକୁ ବୁଝାଇ ଥିଲା ଏୟା ଭାବି ଯେ, ଶଳା ରାସ୍ତୋଗୀଟି କ’ଣ ଜାଣିବ ମ୍ୟାଗାଜିନ ବିଷୟରେ, ସାହିତ୍ୟ ବିଷୟରେ ? ରୁଚିବୋଧ ତ ନାଇଁ ବୁଢ଼ାଟାର । ଖାଲି ଟଙ୍କା ଉପରେ ନଜର ।

 

କିନ୍ତୁ ତଥାପି ଦୁଃଖ ଟା ରହିଗଲା, ମ୍ୟାଗାଜିନ ପାଇଁ ନୁହଁ, କେବଳ ମଣିବନ୍ଧର ଶୂନ୍ୟତାର ଉପଲବ୍ଧି ପାଇଁ । ଯେଉଁଦିନ ପ୍ରଥମ ସକାଳ ଆସିଲା, ପ୍ରେସ୍‍ରୁ ମ୍ୟାଗାଜିନ ମୁକୁଳିବା ପରେ, ବିଛଣାରୁ ଉଠି ବସି ଅରୁଣାଭ ପ୍ରତିଦିନର ଅଭ୍ୟାସ ମୁତାବକ ତକିଆ ତଳକୁ ହାତ ବଢ଼େଇଥିଲା । ସବୁଦିନ ବିଛଣାରୁ ଉଠି, ଚାବି ଦିଏ ସେ ଘଡ଼ିରେ । ଆଜି କିନ୍ତୁ ଖାଲି ହାତମୁଠାଟା ଫେରିଆସିଲା । ଆସିଲା ଓ ସେ ଅନୁଭବ କରିପାରିଲା, କାଲି ସନ୍ଧ୍ୟାରେ ହିଁ ସେ ବିକ୍ରି କରି ଆସିଛି, ଯାହା ଆଜି ତା’ର ହାତ ମୁଠାରେ ଥାଆନ୍ତା ।

 

ସେଇ ସମୟରୁ ହିଁ ତା’ର ଛାତିତଳେ ଗୋଟେ କଣ୍ଟାଫୁଟା ବ୍ୟଥାଟିଏ ରହି ରହି ଵ୍ୟସ୍ତ କଲା । ଦ୍ୱିପ୍ରହରରେ ଖାଇସାରି ସେ ଶୋଇପଡ଼ିଥିଲା, କ୍ୱାଟରରେ, ଲଞ୍ଚ ସମୟରେ ସବୁଦିନ ଏମିତି ଶୋଇପଡ଼େ । ନିଦ ଭାଙ୍ଗିଲାବେଳେ ଆକାଶରେ ମେଘର ରେଜେଇ ତଳେ ସୂର୍ଯ୍ୟ ସୋଇପଡ଼ିଛି । ସମୟ କେତେ ହେବ ? ମଣିବନ୍ଧ ଉପରକୁ ଅନେଇଲା ଓ ଲୋମଶ ହାତଟିର ଶୂନ୍ୟତା ତା’ର ଛାତି ବଖରା ଭିତରକୁ ଧସେଇ ପଶିଗଲା । ସଶବ୍ଦ ଧିକ୍କାର ଫିଟିଗଲା ମନ ବଖରାର ବ୍ୟର୍ଥତାର ଦୁଆର-। ସେ ଅନୁଭବ କଲା, ମଣିବନ୍ଧର ଶୂନ୍ୟତାଟି ହିଁ ନିଜ ଆକାର ବଢ଼େଇ ଚାଲିଛି । ଆସ୍ତେ ଆସ୍ତେ ଏତେ ବଡ଼ ଆକାରର ହୋଇଯାଉଛି ଯେ, କୂଅ ଭଳି, ପୋଖରୀ ଭଳି, ସମୁଦ୍ର ଭଳି । ସେଇ ଶୂନ୍ୟତା ଭିତରେ ହଜିଯାଉଛି ନିଜେ ଅରୁଣାଭ । ହଜିଯାଉଛି ଏମିତି ଭାବରେ ଯେ, ଖୋଜି ପାଉନି ନିଜକୁ । ଖୁବ୍ ଗଭୀର ଶୂନ୍ୟତାରେ ସେ ଅନୁଭଵ କରିଥିଲା ଓ ଥରି ଉଠିଥିଲା ଭୟରେ । ଶୀଘ୍ର ସାର୍ଟ ପେଣ୍ଟ ପିନ୍ଧି ସେ ବାହାରି ଯାଇଥିଲା ଅଫିସ୍‍କୁ ।

 

ଅଫିସ୍‍ରେ ପହଞ୍ଚି ଜାଣିପାରିଲା, ଅଧ ଘଣ୍ଟାଏ ପୂର୍ବରୁ ସେ ପହଞ୍ଚିଯାଇଚି । ବୁଝିପରିଲାବେଳେ ଅନୁଭଵ କଲା ଶୂନ୍ୟତାର ଗୋଟେ ସ୍ଥିର ନଦୀ ଭିତରେ ସେ ବୁଡ଼ିଯାଉଛି । ଏତେ ଚେୟାର, ଟେବୁଲ, ଆଲମିରା, ଫାଇଲ, ଫ୍ୟାନ ଓ ଆସବାବପତ୍ର ଥିଲେ ବି ଅଫିସ୍‍ ଘରଟା ଏତେ ନିର୍ଜନ—ଯେମିତି ଖାଲି ହୋଇଯାଉଛି । ଅରୁଣାଭ ସେଦିନ ପ୍ରଥମକରି ଅନୁଭବ କରିପାରିଥିଲା ଯେ, ଗୋଟେ ଛୋଟିଆ ଜିନିଷର ବି ଯେତେ ମୂଲ୍ୟହୀନ ହେଉଥାଉନା କାହିଁକି, ଅନୁପସ୍ଥିତି ଅସହ୍ୟ ହୋଇପଡ଼େ ।

 

ଅରୁଣାଭ ସେଇ ନିର୍ଜନ ଘରେ, ଚେୟାରରେ ଆଉଜିପଡ଼ି ଆଖି ବନ୍ଦ କରିଥିଲା ଯନ୍ତ୍ରଣାରେ ଓ ତା’ ଆଗରୁ ବର୍ତ୍ତମାନ ମୁହୂର୍ତ୍ତଟି ଉଭେଇଗଲା । ଭାସିଆସିଥିଲା ଯାହା, ତାହାହିଁ ହେଉଛି ଅତୀତ । ଘଡ଼ିଟି ଯେତେବେଳେ ପ୍ରଥମ କରି କିଣିଥିଲା ସେ, ସୁସ୍ମିତା ବୋଧେ ସବୁଠୁ ଖୁସି ହେଉଥିଲା । କହିଥିଲା: “ଏତେ ସୁନ୍ଦର ଘଡ଼ିଟାକୁ ଏ ଚେନ୍‍ଟି ଖାପ ଖାଉନି । ତମେ ଗୋଟେ ଭାଲ ଚେନ୍ କିଣ । ଦାମୀ ଚେନ୍ ।” ଅରୁଣାଭ କିନ୍ତୁ ଆଉ ଚେନ୍ କିଣି ପାରିନଥିଲା; କିମ୍ବା ଆବଶ୍ୟକତା ଅନୁଭବ କରିପାରିନଥିଲା ।

 

ଦିନେ ତା’ର ଜନ୍ମଦିନରେ, ସୁସ୍ମିତା କହିଥିଲା: ତମ ଜନ୍ମଦିନରେ ଘଡ଼ିର ଚେନ୍‍ଟିଏ ଉପହାର ଦେବି ବୋଲି ଭାବିଥିଲି ଯେ, ହେଲେ ଗୋଟେ ଗଳ୍ପ ମନେପଡ଼ିଗଲା, ତେଣୁ ଦେଲିନି ।

 

: କି ଗଳ୍ପ ? —ପଚାରିଥିଲା ଅରୁଣାଭ, ଆଗ୍ରହରେ ।

 

: କେଉଁଠି ପଢ଼ିଥିଲି ମନେନାହିଁ, କାହାର ଲେଖା! —ସୁସ୍ମିତା ଗପ ଆରମ୍ଭ କରିଥିଲା ଏଇ ଭାବରେ ଯେ ପ୍ରେମିକ–ପ୍ରେମିକାଙ୍କ ଗପ । ପ୍ରେମିକର ଥିଲା ଗୋଟେ ସୁନ୍ଦର ଘଡ଼ି; କିନ୍ତୁ ନଥିଲା ଘଡ଼ି ଭଳି ସୁନ୍ଦର ଚେନ୍‍ଟିଏ । ପ୍ରେମିକାର ଥିଲା ସୁନ୍ଦର ବାଳ; କିନ୍ତୁ ନଥିଲା ମୁଣ୍ଡର କୌଣସି ଗହଣା । ତା’ପରେ ଏମିତି ଗୋଟେ ଦିନ ଆସିଲା, ଯେଉଁଦିନ ଥିଲା ତାଙ୍କର ସ୍ମୃତିର ଗୋଟେ ମୁଗ୍ଧ ଉତ୍ସବ । କେତେ ବର୍ଷ ତଳେ ଠିକ୍ ଏହିଭଳି ଦିନରେ ସେମାନଙ୍କର ପ୍ରଥମ ପରିଚୟ ହେଇଥିଲା, ସେ ଦିନଟିର ସ୍ମାରକୀକୁ ସେମାନେ ସାଇତି ରଖିଥାଆନ୍ତି ମନଫରୁଆରେ । ବର୍ଷରେ ଥରେ ଫରୁଆ ଫିଟେ ଓ ଖେଳିଯାଏ ମୁଗ୍ଧ ଉତ୍ସବ । ହଁ, ସେଇଟା ଥିଲା ସେଇଭଳି ଦିନଟେ । ପ୍ରେମିକର ଇଚ୍ଛାଥାଏ, ସେଦିନ ପ୍ରେମିକାର ମୁଣ୍ଡର ଗହଣାଟେ ଉପହାର ଦେବ, ଯେମିତି ତାର ବାଳର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ, କିନ୍ତୁ ତା’ ପାଖରେ ଏତେ ଟଙ୍କା ନଥାଏ । ପ୍ରେମିକା ଭାବିଥିଲା, ପ୍ରେମିକର ଘଡ଼ି ପାଇଁ ଦେବ ସୁନ୍ଦର ଚେନ୍‍ଟିଏ; କିନ୍ତୁ ତା’ ପାଖରେ ବି ଏତେ ଟଙ୍କା ଆସିବ କେଉଁଠୁ ? ପ୍ରେମିକାଟି ଶେଷରେ ନିଜର ସୁନ୍ଦରବାଳ ସବୁ କାଟି ବିକ୍ରି କରିଦେଇ, ସେହି ଟଙ୍କାରେ ଗୋଟେ ଚେନ୍ କିଣି ନେଇଗଲା ତା’ ପ୍ରେମିକ ପାଇ; ସେଇ ଦିନଟିରେ ଯାଇ ପହଞ୍ଚି ଦେଖେ ତ ପ୍ରେମିକ ହାତରେ ଘଡ଼ି ନାହିଁ । ପ୍ରେମିକଟି ନିଜର ଘଡ଼ି ବିକ୍ରି କରିଦେଇ ତା’ ମୁଣ୍ଡର ବାଳ ପାଇଁ ଗହଣାଟେ କିଣିଆଣିଚି ।

 

ସତରେ କ’ଣ ଏଇଟା ଗୋଟେ ଗଳ୍ପ ଥିଲା, ସୁସ୍ମିତା କେଉଁଠି ପଢ଼ିଥିଲା ? ସେ ତ ଜାଣେନି, ଅରୁଣାଭ ଘଡ଼ିଟା ବିକ୍ରି କରିଦେଇଚି ପତ୍ରିକା ପାଇଁ । ଯେତେବେଳେ ଜାଣିବ, ଦୁଃଖ କରିବ ? ଗପର ସେଇ ପ୍ରେମିକାଟି ଭଳି, ସେ ବି କ’ଣ କିଣି ରଖିଥିବ ଚେନ୍‍ଟିଏ, ଅରୁଣାଭକୁ ଉପହାର ଦେବା ପାଇଁ ? ଯେତେବେଳେ ଜାଣିବ, ତା’ର ଉପହାରଟି ବ୍ୟର୍ଥ ହେଇଯାଇଚି, ସେତେବେଳେ ଅଭିମାନ ଓ ଦୁଃଖରେ ଭାଙ୍ଗି ପଡ଼ିବ ?

 

ଚାଲିଯାଇଥିବା ଘଡ଼ିଟି ଯେ ଏତେ ସ୍ମୃତିର ସ୍ମାରକୀ ହେଇଯାଇଚି, କେବେ ତ ଲକ୍ଷ୍ୟ କରି ପାରି ନଥିଲା ଅରୁଣାଭ, ୟା ପୂର୍ବରୁ । ସେ ତ ଭାବି ପାରିନଥିଲା, ସେହି ଘଡ଼ିଟି ହିଁ କାହାରି ଛାତି ତଳର ସୁଇଚ୍ ଟିପି ମନବଖରାରେ ଫୁଟାଇ ଦେଉଥିବ ଆନନ୍ଦ ଆଲୁଅର ଫୁଲକଢ଼ିକୁ । ଏବେ କ’ଣ ଘଡ଼ିର ଅନୁପସ୍ଥିତିରେ ସୁସ୍ମିତାର ମନବଖରା ଶୋକର ଅନ୍ଧକାରରେ ଭରିଯିବ ?

 

ଛିଣ୍ଡା ବୋତାମ ଭଳି, ମଣିବନ୍ଧର ଶୂନ୍ୟତା, ଦୁଃଖ ହେଇ, ଝୁଲିରହିଲା ତା’ର ଛାତିରେ ।

 

ଆଖି ଖୋଲିଲାବେଳକୁ ସେଇ ଶୂନ୍ୟ ଘରର ସ୍ଥିର ନଦୀ । କେତେ ସହିହୁଏ ଏହି ଶୂନ୍ୟତାକୁ ? ଯେମିତି ଶୂନ୍ୟତା ଧୀରେ ଧୀରେ ପଶିଯାଉଛି ପିଞ୍ଜରାର କବାଟ ଖୋଲି, ତା’ର ମନେହେଲା, ଛାତି ବଖରାକୁ । ଗୋଟେ ଖାଲି ଲୋମଶ ମଣିବନ୍ଧ ଯେମିତି ବଢ଼ି ବଢ଼ି ହେଇଯାଇଛି ସେ ବଖରା । ସେମିତି ହେଇଯାଇଛି ଏଇ ଫାଙ୍କା ଅଫିସ୍‍ଘର ।

 

ଅନୁଭଵ କଲାବେଳକୁ, ଜାଣିପାରିଲା, କାନ୍ଥଘଡ଼ିର ପେଣ୍ଡୁଲାମ ଖୁବ୍ ଜୋରରେ ଯେମିତି ଚିତ୍କାର କରୁଚି । ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ବିରତି । ପୁଣି ଶବ୍ଦ । ପୁଣି ବିରତି । ପୁଣି ଶବ୍ଦ । ଶୂନ୍ୟତା ଯେମିତି ଟହଲୁଚି ଘରଭିତରେ, ମନ ଭିତରେ । ତା’ର ଜୋତାର ଶବ୍ଦ ଯେମିତି କଣ୍ଟା ବାଡ଼ଉଚି ତା’ର ମନ ଚଟାଣରେ । ଅଥଚ, ଏମିତି ଗୋଟେ ଶବ୍ଦ ତା ସାଥିରେ ବହୁ ଦିନରୁ ମଣିବନ୍ଧ ସହ ଲାଗିରହିଥିଲାବେଳେ, ସେ ଖାତିର କରିନଥିଲା ଏବଂ ଲକ୍ଷ୍ୟ ବି କରିନଥିଲା ତା’ର ଉପସ୍ଥିତିକୁ-। ଏମିତି କି, ଥରେ ଘଡ଼ିଟା ବନ୍ଦ ହୋଇଯାଇଥିଲା ହଠାତ୍ । ଅରୁଣାଭ ଅବଶ୍ୟ ତା’ ପାଇଁ କୌଣସି ମରାମତି ଦୋକାନରେ ଦେଖାଇ ନଥିଲା । କେବଳ ଗୋଟେ ଦୁଃଖ ରହିଯାଇଥିଲା, ଏତେ ଦାମୀ ଓ ସୁନ୍ଦର ଘଡ଼ିଟା ଖରାପ ହେଇଗଲା ବୋଲି, ଯେଉଁଟା ସେ ଆଶା କରିପାରିନଥିଲା-। ଘଡ଼ିଟାକୁ ଦି’ ଦିନ ରଖି ଦେଇଥିଲା, ଚୁପ୍‍ଚାପ । ଦିନେ ଖୁବ୍ ଜୋରରେ ହଲେଇଦେବାରୁ ଘଡ଼ିଟା ଚିତ୍କାର କରି ଉଠିଥିଲା ପୂର୍ବଭଳି, ଅରୁଣାଭର ମନରେ ଖୁସିର ଦୀପାଳି ଜାଳିଦେଇ; କିନ୍ତୁ ଯେତେବେଳେ ବନ୍ଦ ହୋଇଯାଇଥିଲା ସେ ଶବ୍ଦ, ସେତେବେଳେ ବି ଆଜି ଭଳି, ଏମିତି ଦୁଃଖର ବାସି ଲୁଗା ପିନ୍ଧି ପକେଇ ନଥିଲା, ମନପେଡ଼ିର ତାଲା ଭାଙ୍ଗି । କିଛି ନ ହେଲେ ବି, ଘଡ଼ିଟା ଅଛି–ଯେତେବେଳେ ଇଚ୍ଛା ଠିକ୍ କରିହେବ—ଏଇଭଳି ଏକ ସ୍ୱସ୍ତିକର ଭାବନାରେ ସେ ଭୁଲି ପାରିଥିଲା ଶୂନ୍ୟତାର ଦୁଃଖକୁ; କିନ୍ତୁ ଆଜି, ଗୋଟେ ବିରାଟ ନାହିଁର ଭାବନା, ପ୍ରତି ମୁହୂର୍ତ୍ତରେ ପଶିଯାଉଛି ଛାତି ଭିତରକୁ, କାନ୍ଥଘଡ଼ିର ପେଣ୍ଡୁଲାମର ଶବ୍ଦ ସହ ପାଦ ମିଳେଇ ।

 

ହୋଟେଲରୁ ଖାଇ ଫେରୁଥିବାବେଳେ, ରାତିର ନମାଜ ପଢ଼ି ଫେରୁଥିବା ଲୋକମାନଙ୍କୁ ଦେଖି ଅନୁମାନରେ ଜାଣିପାରିଲା ଯେ, ରାତି ସାଢ଼େ ନଅଟା ହୋଇଥିବ । ଅନୁମାନ କଲା ଓ ମନେପଡ଼ିଗଲା ଘଡ଼ିଟିର କଥା । ମଣିବନ୍ଧଟି ହଠାତ୍ ଖାଲି ଖାଲି ଲାଗିଲା । ଯେମିତି ଗୋଟେ ବୋଝ ବୋହି ସେ ଚାଲୁଥିଲା ସେଦିନ ସୁଦ୍ଧା । ଆଜି ହାଲୁକା ହେଇଯାଇଚି, ଉତାରି ଦେଇ । ହାଲୁକା ହେଇଯିବାର ଏତେ କଷ୍ଟ ?

 

କିନ୍ତୁ ପ୍ରକୃତ ସମୟ କେତେ ହେଇଥିବ ? ନଅଟା ପଇଁତିରିଶି, ନଅଟା ପଇଁଚାଳିଶି, ଦଶଟା ? ମଣିବନ୍ଧକୁ ଅନେଇଲା । ଅନ୍ଧାରରେ ସ୍ପଷ୍ଟ ବାରିହେଉନି, ଚେନ୍‍ଟି ରଖିଯାଇଥିବା ଦାଗଟି-। ଆଉଁସିଲା ଜାଗାଟି । ଯେମିତି ଗୋଟେ ପଡ଼ିଆ, ଯେଉଁଠୁ ଘରଫର ଭାଙ୍ଗିଦେଇ, ଫାଙ୍କା କରିଦିଆଯାଇଛି । କେତେ ସମୟ ହେବ ଏଇନା !

 

କ୍ଵାର୍ଟରରେ ପହଞ୍ଚି, ତାଲା ଖୋଲି, ଘର ଭିତରକୁ ପଶିଯିବା ପୂର୍ବରୁ ନିଜ ଅଜାଣତରେ, ସତର୍କ ହୋଇ ଯାଇ ବାଁ ହାତଟାକୁ ନିରାପଦ ଭାବରେ ରଖିଲା—ଯେମିତି ଚୌକାଠରେ ଧକ୍କା ନ ବାଜେ; କିନ୍ତୁ ପର ମୁହୂର୍ତ୍ତରେ ବୁଝିପାରିଲା, ଚୌକାଠକୁ ଆଉ ଡରିବାର ଦରକାର ନାହିଁ । ବୁଝିପାରିଲା ଓ ଭାଙ୍ଗିପଡ଼ିଲା । ଘର ଭିତରେ ପଶି ଜୋତା ଖୋଲିଲା, ସାର୍ଟ ପେଣ୍ଟ ପାଲଟି ଲୁଙ୍ଗି ପିନ୍ଧିଲା ଓ ବାଁ ହାତର ମଣିବନ୍ଧ ଉପରକୁ ହାତ ବଢ଼ିଗଲା, ସବୁ ଦିନର ଅଭ୍ୟାସ ଭଳି ଓ ପୁଣି ଶୂନ୍ୟ ବଖରାର ଶୋକ ନେଇ ଫେରିଆସିଲା । କେତେ ସମୟ ହେବ ବର୍ତ୍ତମାନ ? ନଅଟା ପଇଁଚାଳିଶି-? ଦଶଟା ପନ୍ଦର-?

 

ଛାତି ଭିତରେ ତା’ର ଯେମିତି କଣା ହେଇଯାଇଚି ଗୋଟେ ଓ ସେଇ କଣା ବାଟଦେଇ ପଶିଯାଉଛି ହୁ–ହୁ କରି ପବନ । ସେଇ ପବନରେ ଯେମିତି ଭରିରହିଚି ଖାଲି ବଖରାର ଶୋକ । ଛାତି ଭିତରେ ଗୋଟେ ଧକ୍‍ଧକ୍ ଶବ୍ଦ ତା’ର ଦେହ ଭିତରେ ତୋଳି ଧରୁଚି ପ୍ରକୃତ ସମୟ ଜାଣିବାର ଆବଶ୍ୟକତା, କେତେ ସମୟ ହୋଇଥିବ ବର୍ତ୍ତମାନ ?

 

ତା’ର ମନେହେଲା, ଯେମିତି ହେଉ, ପ୍ରକୃତ ସମୟ ଜାଣିବାକୁ ପଡ଼ିବ ବର୍ତ୍ତମାନ । କିନ୍ତୁ କେମିତି ଜାଣିବ ? ସେ ବାହାରକୁ ବାହାରିଆସିଲା । ଆକାଶକୁ ଅନେଇଲା । ରାତିର ଆକାଶକୁ ଅନେଇ, ସମୟ କହିବାର ଅଭ୍ୟାସ ତା’ର ନାହିଁ । ତେବେ କେମିତି ଜାଣିବ ସେ ପ୍ରକୃତ ସମୟ କେତେ ହେଇଚି ? ପଡ଼ୋଶୀ ରଥବାବୁଙ୍କୁ ପଚାରିଲେ ସେ କହିପାରନ୍ତେ କେତେ ଟାଇମ୍ ହେଇଚି ଏଇନା । ହଁ, କହିପାରିବେ ।

 

ସେ ଆଗେଇଗଲା ଓ ରଥବାବୁଙ୍କ ଗେଟ୍ ପାଖରେ ଠିଆହେଇଗଲା । ଗେଟ୍ ଖୋଲିବାକୁ ଯାଇ ଦେଖିଲା, ରଥବାବୁଙ୍କ ଘରେ ଆଲୁଅ ଲିଭିଯାଇଛି । ଶୋଇପଡ଼ିଥିବେ ନିଶ୍ଚୟ । ଏଇ ଅଧରାତିରେ ତାଙ୍କୁ ନିଦରୁ ଉଠେଇବା ଅଭଦ୍ରାମି ହେବନି ? ପୁଣି ଖାଲି ସମୟ ପଚାରିବା ପାଇଁ ? କ’ଣ ଭାବିବେ ସେ ? ଭାବିବେନି ଯେ, ପାଗଳ ହେଇଯାଇଚି ବୋଲି ? ପଛରେ ହସିବେନି, ଥଟ୍ଟା କରି ? ନାଃ, ଥାଉ । ତାଙ୍କୁ ଡାକି ଲାଭ ନାହିଁ ।

 

ତେବେ କ’ଣ କରିବ ସେ ? କେମିତି ଜାଣିବ ସେ, କେତେ ସମୟ ହେଇଚି ବୋଲି ? ରାତିସାରା ସେ ଏମିତି ସମୟ ଖୋଜି ଖୋଜି ବୁଲୁଥିବ ? ତା’ର ମନେ ହେଲା, ଛାତି ଭିତରର କଣା ବାଟରେ, ବାଁ ହାତର ମଣିବନ୍ଧର ଶୂନ୍ୟତା ପଶିଯାଉଛି । କ’ଣ, କ’ଣ କରିବ ସେ ? କେମିତି ଭୁଲିବ ବୃତ୍ତ ଭିତରେ ଧାଇଁ-ବୁଲୁଥିବା ସମୟର ଆବଶ୍ୟକତାକୁ ? କେମିତି ? କେମିତି ?

 

ଛାତିରେ ହାତ ଚାପି ଧରି, ଯନ୍ତ୍ରଣାରେ କାତର ହେଇ, ଅସ୍ପଷ୍ଟ ଚିତ୍କାର କରି ଉଠିଲା ଅରୁଣାଭ, ଯେମିତି ସେ ପଞ୍ଜରାରେ ହେଇଯାଇଥିବା କଣାଟିକୁ ବନ୍ଦ କରିବାକୁ ଚାହୁଁଛି । ଯେମିତି, ସେ ଚାହେଁନି ସେଇ କଣାବାଟେ ପଶିଯାଉ, ବାଁ ହାତର ମଣିବନ୍ଧର ଶୂନ୍ୟତା ।

Image

 

ଶ୍ରୀ ପଦ୍ମଜ ପାଳ

 

ମୁଁ ଓ ମୋର ଅବତାର

 

ହୃଦୟେଶ୍ଵରି !

 

ଦେଖ, ଦେଖ ଏଇ ମାନଚିତ୍ରଟିକୁ ଦେଖ । ଖୁବ୍ ସତର୍କତା ସହକାରେ ଦେଖ । ଦେଖ ଏହାର ରାଜପଥରୁ ଗଳି ଉପଗଳି ପର୍ଯ୍ୟନ୍ତ । ଏହାର ସହର ନଗ୍ର ଗ୍ରାମଗଣ୍ଡା ସବୁ ଦେଖ । ସ୍କାଏ–କିପର ଠାରୁ ମାଟି ଉପରେ ନିଜର ଭାରସାମ୍ୟ ରକ୍ଷା ନକରିପାରି ପେଟେଇ ପଡ଼ିଥିବା ଝୋପଟିଟିକୁ ବି ଦେଖ । ବିଧ୍ଵସ୍ତ ପରିତ୍ୟକ୍ତ ସ୍ଥାନଗୁଡ଼ିକ ଉପରେ ଥରେ ଆଖିପକାଅ । ଆଖିପକାଅ ଏହାର ମୃତ ଜୀବନ୍ତ ନଦୀ ଉପରେ । ଉଜୁଡ଼ିଯାଉଥିବା ଜଙ୍ଗଲ ଉପରେ । ଜଙ୍ଗଲରେ ପୁଣି ନିର୍ଭୟରେ ଛପି ଛପି ବିଚରଣ କରୁଥିବା ହିଂସ୍ରଜନ୍ତୁମାନଙ୍କୁ ଦେଖ । ଦେଖ ପୁଣି ଚିଡ଼ିଆଖାନାରେ ପିଞ୍ଜରାବଦ୍ଧ ସେମାନଙ୍କର ସ୍ୱରୂପ । ଏକ ସାମଗ୍ରିକଭାବେ ପୁଣି ଥରେ ଦେଖ ଏଇ ମାନଚିତ୍ରଟି—ଯାହା ତୁମ ଆଖି ଆଗରେ ଖୋଲା ହୋଇ ଝୁଲୁଛି । ତେବେ ଯାଇ ବୁଝିପାରିବ ତୁମେ—ମୋତେ । ତୁମକୁ । ଏ ସମସ୍ତ ଭୂଖଣ୍ଡକୁ । କେବେ ଯଦି ନିଜର ଅହଂକାରରେ, କେଉଁ ଘଟଣା ବା ଦୁର୍ଘଟଣାକୁ ସମଗ୍ର ଜୀବନର ଏକ ମୁଖଶାଳା ବୋଲି ଧରିନେବ—ତେବେ ସମସ୍ତ କାହାଣୀ ହେବ ଖଣ୍ଡିତ । ଅସଂପୂର୍ଣ୍ଣ । କବନ୍ଧର ଉଦ୍ଦଣ୍ଡ ନୃତ୍ୟଭଳି ଉଦ୍ଦେଶ୍ୟହୀନ—ଯନ୍ତ୍ରଣାକାତର । ତେଣୁ ବୁଝିବାର ଆନ୍ତରିକତା ନେଇ ଥରେ ଦେଖ ଆଖି ଆଗରେ ଝୁଲୁଥିବା ସେଇ ମାନଚିତ୍ରଟିକୁ । ବୈଚିତ୍ର୍ୟ ଯାହାର କାହାଣୀ । ମୋର ସେଇ ସମଗ୍ର ଆପାତନ ବିଚ୍ଛିନ୍ନ ବୈଚିତ୍ର୍ୟକୁ ଧରିରଖିଥିବା ସେଇ ସୂକ୍ଷ୍ମ ଅଦୃଶ୍ୟ ରଜ୍ଜୁଟି କେତେ ଶକ୍ତ, ପୁଣି କେତେ ନିୟାମକ ।

 

ଆଖି ଆଗରେ ଝୁଲୁଥିବା ତୁମ ଦେହ ଓ ମନର ମାନଚିତ୍ରଟିକୁ ଦେଖୁ ଦେଖୁ ମୋର ଗୋଟାଏ ଅଦ୍‍ଭୂତ କଥା ମନେପଡ଼ୁଛି । ଜାଣିପାରୁଛ ନା ?

 

ଦୀର୍ଘ ଏକ କାଠର ଛବି । ତା’ ଉପରେ ଦାଢ଼ି ବଢ଼ିଯାଇଥିବା ଗୋଟାଏ ପ୍ରାୟେ ଦରିଦ୍ର ଦେଖାଯାଉଥିବା ଦୁର୍ବଳ ମଣିଷକୁ ଚଢ଼େଇ ଦିଆଯାଇ ଶକ୍ତ ଲୁହାକଣ୍ଟା ହାତରେ, ବାହୁରେ, ଗୋଡ଼ରେ, ପେଟରେ, ଛାତିରେ, ପିଟି ଦିଆଯାଇଛି । ଝରୁଛି ଅନବରତ ଲହୁ । ମୁଣ୍ଡଟା ଝୁଙ୍କି ଆସିଛି ସାମାନ୍ୟ ଆଗକୁ । ଏମିତି ଗୋଟାଏ କୁଣ୍ଢେଇ ମୁଁ କିଣି ଆଣିଛି ବଜାରରୁ । ଆଉ ସେଇ ଚମତ୍କାର ଦୃଶ୍ୟକୁ ଅନେକ ସମୟ ମୁଁ ଚାହିଁଲାବେଳେ—ମୋତେ ଲାଗେ—ମୁଁ ଯେପରି ନିଜେ ଝୁଲୁଛି ସେଠି ।

 

ହଁ, ନିଜେ ।

 

ମୋର ହାତ ଗୋଡ଼ ପେଟ ଛାତି ଉପରେ ଶକ୍ତ କଣ୍ଟା ପିଟି ଦିଆଯାଇଛି; ଏବଂ ଆଗକୁ ସାମାନ୍ୟ ଝୁଲି ଆସିଥିବା ମୁଣ୍ଡଟା ନିଜର ସମସ୍ତ ଯନ୍ତ୍ରଣା କଷ୍ଟ ସତ୍ତ୍ୱେ—ଯେତେବେଳେ ତୁମକୁ ଦେଖୁଛି, ଆଶ୍ଚର୍ଯ୍ୟଜନକ ଭାବେ ମୁଁ ସବୁ ଭୁଲିଯାଉଛି ।

 

ତୁମେ କ’ଣ ମୋର ସମସ୍ତ କାମନାରହିତ ଦେହାତୀତ ସତ୍ତା ? ନା ତୁମେ ମୋର ଜୀବନ ମୁକ୍ତିର ସେଇ ଅନୁଭୂତି ! ଯାହା ସବୁ ବନ୍ଧନ ସବୁ କଷ୍ଟ ଛିନ୍ନକରି ମୋର ଅନ୍ତରାତ୍ମାରେ ଶୀତଳତା ଭରିଦେଇଛି । ନା, ଏମିତି ହୁଏ ହୃଦୟଶ୍ଵରି ?

 

ଛାଡ଼ । ତମେ ତ ମୋ ମନ ଭିତରେ ସୁନ୍ଦର ଏକ ହଳଦିବସନ୍ତ ଭଳି ସବୁବେଳେ ଉଡ଼ିବୁଲୁଛ । ତୁମର ସ୍ପର୍ଶ, ତୁମର ସ୍ଥିତି ସବୁବେଳେ ମୁଁ ଅନୁଭବ କରୁଛି । କେତେବେଳେ ଏକ ଫୁଲଭରା ଡାଳରେ ବସି ହଲୁଛ ତ କେତେବେଳେ ପରିବ୍ୟାପ୍ତ ଆକାଶର ନୀଳିମାରେ ଡେଣା ଝାଡ଼ୁଛ । ଆଉ ଯଦି କେତେବେଳେ କେଉଁ ବିରାଟ ଗଛର ପତ୍ରଗହଳିରେ ଲୁଚି ରହୁଛ । ତୁମକୁ ନଦେଖି ମୋତେ ଖୁବ୍ କଷ୍ଟ ଲାଗୁଛି । ଆଉ ତୁମ ସ୍ୱର ଶୁଣିଲେ ଲାଗେ ତୁମେ ଯେପରି ଲୁଚୁକାଳି ଖେଳୁଛ ।

 

ୟେ ସେପରି ଲୁଚୁକାଳି ନୁହେଁ—ଯେଉଁଠି ତୁମେ କେଉଁ କନ୍ଦିରେ ଲୁଚିଥିବ ଓ ଲୁଚିଥିବ, ଆଉ ମୁଁ ଖାଲି ବ୍ୟାକୁଳତାରେ ଖୋଜୁଥିବି ଓ ଖୋଜୁଥିବି । ଏମିତି କରିବା ଭଲ ହେବନି । ତୁମକୁ ଅନ୍ତତଃ ଥରକ ପାଇଁ ମୋର ପାଇବା ଦରକାର । ନହେଲେ ତୁମେ ଜାଣ ସେ କବିତାପଦକ—

 

ଗଲେଣି ତୋ ସାଙ୍ଗରୁ ଯେତେକ ଜନ

ଗଣ୍ଠିରେ ବାନ୍ଧ ନେଲେ କେ କେତେ ଧନରେ...

 

ଆମେ ଯଦି ଚାଲିଯିବା କେବଳ ପରସ୍ପରକୁ ଖୋଜି ଖୋଜି, ତେବେ ଖେଳଟା ଭାରି ଟ୍ରାଜେଡ଼ି ହେବ ଏବଂ ସବୁବେଳେ ଯେଉଁ ଟ୍ରାଜେଡ଼ିକୁ ଆଉ ଏଡ଼େ କରାଯାଇ ନପାରିବ; କ୍ଷତି କ’ଣ ସେଥିପ୍ରତି ସଜାଗ ରହି ଜୀବନକୁ ଆଉ ଟିକେ ପୂର୍ଣ୍ଣକରି ଦେବାରେ ?

 

ହୃଦୟେଶ୍ୱରି, ଏବେ ଦିନେ ଦିନେ ମୃତ୍ୟୁ ମୋତେ ଖୁବ୍ ଭୟ ଦେଖାଉଛି । ତୁମ କଥାରୁ ମୁଁ ବି ତ ସେଇ ଆଭାସ ପାଇଛି । ଅବଶ୍ୟ ସମୟେ ସମୟେ ମୋତେ ଲାଗୁଛି—ମୁଁ ଯେପରି ମରିଯାଇଛି ଏବଂ ମୋର ମୃତ ଦେହ ଭିତରେ ଗୋଟାଏ ଅଦୃଶ୍ୟ ହାତ ପଶି ମୋତେ ଦୟନୀୟ ଭାବେ ନଚାଉଛି । କେତେବେଳେ ହାତ ହଲାଉଛି ମୁଁ । କେତେବେଳେ ମୁଣ୍ଡ । କେତେବେଳେ ହସୁଛି ତ, କାନ୍ଦୁଛି ପୁଣି । ରାଗ, ଅଭିମାନ, ପ୍ରେମ, ଘୃଣା ସବୁ ଯେମିତି ଗୋଟିକ ପରେ ଗୋଟିଏ ଋତୁଭଳି ସବୁ ସେଇ କରାଉଛି ।

 

ଏମିତି ମରିବା ବଞ୍ଚିବା ଭିତରେ ପୁଣି ମୁଁ ଭାବୁଛି ମୋର ଗୋଟାଏ କିଛି କରିବା ଦରକାର । ଅବଶ୍ୟ କ’ଣ କରିବା ଦରକାର ତା’ ଏ ଯାବତ୍ ମୁଁ ଜାଣିପାରୁନି । ସମୟେ ସମୟେ ଭାବୁଛି ଗୋଟାଏ ବିରାଟ ଲେଖକ ହେବି ।

 

ତୁମେ ଜାଣିଥିବ, ପୃଥିବୀରେ କୁଆଡ଼େ ଯେଉଁ ପରିବର୍ତ୍ତନ ଓ ବିପ୍ଳବ ଘଟିଯାଇଛି, ତାକୁ ଲେଖକମାନେ ହିଁ କରିଛନ୍ତି । କୌଣସି ତରବାରିଦ୍ୱାରା ତା’ ସମ୍ଭବ ହୋଇନି ।

 

ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲାବେଳେ ସାହିତ୍ୟ ଶିକ୍ଷକ ଦେଇଥିଲେ ଗୋଟିଏ ରଚନା ତିନିଶହ ଶବ୍ଦ ଭିତରେ ଲେଖିବାକୁ–”ଅସି ଓ ମସୀ” ।

 

ମୁଁ ଲେଖିଥିଲି କଲମର ଶକ୍ତି ଅଧିକ । ହିଂସା ଅପେକ୍ଷା ଅହିଂସାର ଶକ୍ତିଭଳି । କ୍ଷମତା ଓ ଭୟର ଶକ୍ତି ଅପେକ୍ଷା ପ୍ରେମର ଶକ୍ତି ଭଳି । କଲମ କାଳଜୟୀ । ସମସ୍ତ ସାମାଜିକ, ରାଜନୈତିକ, ଭୌଗୋଳିକ, ଆର୍ଥନୀତିକ ପରିବର୍ତ୍ତନର ଏକମାତ୍ର ଆଧାର ।

 

ସତ କହିଲେ ମୁଁ ଲେଖିଥିବା ସେଇ କଥାକୁ ଆଜିଯାଏ ମୁଁ ବୁଝିପାରୁନି । ଯୁଦ୍ଧ ବିରୁଦ୍ଧରେ କେତେ ନଲେଖା ଯାଇଛି ! କାହିଁ, ବନ୍ଦ ହୋଇପାରିଲା ଯୁଦ୍ଧ ? ଏବେ ବି ତ ମଣିଷ ପୁଣି ନିଜକୁ ଯୁଦ୍ଧପାଇଁ ଅଧିକ ପ୍ରସ୍ତୁତ କରୁଛି । ହିଂସା, ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ କେତେ କ’ଣ ଲେଖା ନଯାଇଛି ବା ନଚାଲିଛି, କିଛି ବନ୍ଦ ହୋଇ ପାରିଛି ?

 

ତେଣୁ ଭାବେ, ଲେଖକ ଏକ ମାନସିକ ରୋଗୀ । ନିଜର କା’ପୁରୁଷତ୍ୱକୁ ଛପାଇବା ଲାଗି ପାଗଳଭଳି କେବଳ ପ୍ରଳାପ କରେ କାଗଜ କଲମରେ । ବିଚରା ଆଉ କରିପାରନ୍ତା କ’ଣ ? ତେଣୁ ଏମିତି ଲେଖି କେବଳ ଆତ୍ମସାନ୍ତ୍ବନା ପାଇବା ବ୍ୟତୀତ ଆଉ ବାଟ କାଇଁ ?

 

ଏମିତ ଏକ କା’ପୁରୁଷ ତ ପାଲଟି ପାରିବିନାହିଁ । ତା’ଛଡ଼ା ତୁମେ ଭାବିବ କ’ଣ ?

 

ହୃଦୟେଶ୍ୱରି–ମୋତେ ଘେରିଥିବା ଏଇ ସାଧାରଣ ମଣିଷଙ୍କୁ ଦେଖିଲେ, ଛାତି ମୋର ଥରିଉଠେ । କେମିତି ବଞ୍ଚିଛନ୍ତି ସେମାନେ ? କେତେ ଦାରିଦ୍ର୍ୟ, ହତାଶା । କେତେ ଅସହାୟ ଭାବ-। କେତେ ମର୍ମସ୍ପର୍ଶୀ । ଭାଗ୍ୟକୁ ଆଦରି ନେଇଥିବାର ଦୟନୀୟ ଚାହାଣି । ସମଗ୍ର ଜୀବନ ଅନ୍ୟ ପାଖରେ କ୍ରୀତଦାସଭଳି ଖଟି ଖଟି ପାଉଛନ୍ତି କ’ଣ ? ଖାଇବାକୁ ଯଥେଷ୍ଟ ନାହଁ, ପିନ୍ଧିବାକୁ ନାହିଁ । ରୋଗ ହେଲେ ପାଖରେ ପଇସା ନାହିଁ ।

 

ସେଦିନ ରୁଗ୍‍ଣ ଶିଶୁଟିକୁ ଭଲ କରିବା ଲାଗି ମା’ ତାର ବିକଳରେ ମାଟି ଉପରେ ହାତ ବୁଲାଇ, ବିଭୂତିକରି ବୋଳି ଦେଇଥିଲା ତା’ ଦେହରେ । ରୁଦ୍ଧହୋଇ ଆସୁଥିଲା କଣ୍ଠ । ଆଖିରେ ଜକ୍ ଜଲ୍ କରୁଥିଲା ଦି’ଟୋପା ଲୁହ । କେଉଁ କଷ୍ଟ ହେତୁ କୋଳରେ ବସି ଚିତ୍କାରକରି କାନ୍ଦୁଥିବା ସେଇ ପିଲାଟିକୁ ଛାତି ଭିତରକୁ ଭୟରେ ଜାକିଆଣି ଭଙ୍ଗା କଣ୍ଠରେ ସେ କହୁଥିଲା–କାନ୍ଦନା, କାନ୍ଦନାରେ ସବୁ ଭଲ ହୋଇଯିବ ।

 

ନିଜକୁ ସେ ସାନ୍ତ୍ୱନା ଦେଉଥିଲା ବା ପିଲାଟିକୁ ବୁଝାଉଥିଲା—ସେଦିନ ମୁଁ ଜାଣି ପାରିନଥିଲି । ଶିଶୁଟିର ସମସ୍ତ କଷ୍ଟ ହଠାତ୍ ବନ୍ଦ ହୋଇଯାଇଥିଲା ଯେତେବେଳେ ଶେଷଥର ପାଇଁ ଏ ପୃଥିବୀର ବିଷାକ୍ତ ବାୟୁ ଭିତରକୁ ସେ ଟାଣିନେଇଥିଲା ।

 

ଇଚ୍ଛାହୁଏ ଏଇ ଅସହାୟ ତଳପାହାଚର ଲୋକମାନଙ୍କ ପାଇଁ ମୁଁ କିଛି କରିବି । ସମଗ୍ର ସାମାଜିକ ଧାରାକୁ ଭାଙ୍ଗିଦେଇ ପୁଣିଥରେ ନୂଆକରି ଗଢ଼ିବ—ଅନ୍ତତଃ ସମସ୍ତେ ଜୀବନର ନିମ୍ନତମ ଆବଶ୍ୟକତାକୁ ସହଜରେ ପାଇପାରିବେ ।

 

ମୁଁ ରାଜନୀତି କରିବି ।

 

ହୃଦୟେଶ୍ୱରି କିଛିଦିନ ଏମିତି ମୋରି ଭଳି ଅନୁଭବ କରୁଥିବା ମଣିଷମାନଙ୍କ ସାଙ୍ଗରେ ମୁଁ ମିଶିଥିଲି । କାମ ମଧ୍ୟ କରିଥିଲି । କେଇଜଣ ବନ୍ଧୁ ଯିଏ ତଳ–ମଣିଷର ଦୁଃଖରେ ଲଜ୍ଜିତ ହେଉଥିଲେ, ସେମାନଙ୍କୁ ପଠାଇଲୁ କ୍ଷମତାକୁ, ତା’ପରେ ଘଟିଲା ଏକ ଅଦ୍‍ଭୁତ ଘଟଣା ।

 

ଏଇ ସାଧାରଣ ମଣିଷର ମୁଣ୍ଡ ଉପରେ ପାଦରଖି ଉପରକୁ ଉଠିଯାଇଥିବା ମଣିଷମାନଙ୍କର ଆଖିର ରଙ୍ଗ ହୃଦୟର କମ୍ପନସବୁ ବଦଳିଗଲା । ନିଜର ସ୍ଥିତି ପ୍ରତିଷ୍ଠା କ୍ଷମତା ପାଇଁ ସେମାନେ ପ୍ରତ୍ୟକ୍ଷ–ପରୋକ୍ଷ ଭାବେ ଲଢ଼େଇ କଲେ । କୁଆଡ଼େ ଗଲା ପୂର୍ବର ପ୍ରତିଶ୍ରୁତି । ଯେଉଁମାନଙ୍କ ବିରୁଦ୍ଧରେ ସେମାନେ ତଳେ ରହି ସ୍ଳୋଗାନ ଦେଉଥିଲେ, ଉପରକୁ ଉଠିଯିବା ପରେ ସେଇମାନେ ହେଲେ ତାଙ୍କର ବନ୍ଧୁ । ପଥ ପ୍ରଦର୍ଶକ ।

 

ଏମିତି କ’ଣ ହୁଏ ହୃଦୟେଶ୍ୱରି ? ମଣିଷ ନିଜ ନିଜର ଅତୀତକୁ, ତାର ପ୍ରତିଶ୍ରୁତିକୁ କ’ଣ ଭୁଲିଯିବାକୁ ସମୟ ବି ଲାଗେନି ?

 

ମୋତେ ଭୟ ଲାଗୁଛି । ଯଦି ମୋ ଭିତରେ ଏମିତି ପରିବର୍ତ୍ତନ ହୁଏ—ମୁଁ କ’ଣ ବଞ୍ଚି ପାରିବି ? ନିଜର ସ୍ଥିତିପାଇଁ ଏଇ ତଳ ପାହାଚର ଲୋକମାନଙ୍କ ମୁଣ୍ଡ ଉପରେ ଛିଡ଼ାହୋଇ—ହସିପାରିବ ? ଭୁଲିଯାଇ ପାରିବି ? କ୍ଷମତାର ଘୋଡ଼ା ଦୌଡ଼ରେ ଯୋଗଦେଇ ପାରିବି ?

 

—ଯାହା ବା ଏମାନଙ୍କ ପାଇଁ କରାଯାଇପାରନ୍ତା, ସେଇ କ୍ଷେତ୍ରରେ ତ ଆସ୍ଥାନ ଜମେଇଛନ୍ତି ରକ୍ତଲୋଭୀ ଅସୁରଙ୍କ ଦଳ । ଛଦ୍ମବେଶୀ ରାବଣର ଦଳ । ମୁଁ ସେଇ ଦଳର ଶିକାର ହୋଇ ନିଜକୁ ହତ୍ୟା କରିପାରିବି ନାହିଁ ।

 

ମୁଁ ଛାଡ଼ିଦେଇଛି ରାଜନୀତି । ଛାଡ଼ିଦେଇଛି ସେଇ କୁତ୍ସିତ ପନ୍ଥା ।

 

କିନ୍ତୁ ହୃଦୟେଶ୍ୱରି, ମୋତେ ତ କିଛି କରିବାକୁ ପଡ଼ିବ ମୋର ପୌରୁଷକାରର ପ୍ରତିଷ୍ଠା ପାଇଁ । ପ୍ରତିଭାର ଉନ୍ମୋଚନ ପାଇଁ । ତୁମର ଆସ୍ଥା ପାଇଁ, ଗର୍ବ ପାଇଁ, ଅହଂକାର ପାଇଁ ମୋତେ ତ କିଛି କରିବାକୁ ପଡ଼ିବ ।

 

ନାରୀମାନେ କୁଆଡ଼େ ପୌରୁଷକାରହୀନ ପୁରୁଷ ଓ ପ୍ରତିଭାହୀନ ମଣିଷକୁ । ଗ୍ରହଣ କରିପାରନ୍ତି ନାହିଁ । ସହିପାରନ୍ତି ନାହିଁ ଏଇ ସାଧାରଣ ମଣିଷକୁ ଯେଉଁଠି ଗର୍ବ କରିବାର, ଅହଂକାର କରିବାର କିଛି ନାହିଁ ସେଠି ସେମାନଙ୍କର ଭଲପାଇବା, ଆତ୍ମସମର୍ପଣ ସବୁ ବରଫ ଭଳି ଶୀତଳ ।

 

ମୁଁ ତ ସହିପାରିବି ନାହିଁ ହୃଦୟେଶ୍ୱରି, ତୁମର ଯଦି ଏଇ ଭାବ କେବେ ମୁଁ ଅନୁଭବ କରେ ।

 

ନାଁ । ମୋତେ ଗୋଟାଏ କିଛି କରିବାକୁ ପଡ଼ିବ । ହଁ, ହଁ ମୁଁ ଗୋଟାଏ ଧନପତି ହେବି । ଅଜସ୍ର ଅର୍ଥରେ ମାଲିକ । ଅର୍ଥପତି । ପୃଥିବୀର ଏମିତି ସୌଭାଗ୍ୟବାନ୍ ପୁରୁଷ ବା କେତେଜଣ ଅଛନ୍ତି ?

 

ତୁମେ ତ ଜାଣ, ଇଏ ଏକ ଅଦ୍‍ଭୁତ ଜାଗା । ଏଠି ଧନୀହେବା କେତେ ସହଜ । ସାମାନ୍ୟ ମୂଳଧନରେ କିଛି ଗୋଟାଏ ବ୍ୟବସାୟ କର । ଲୁଚେଇ ଛପେଇ କଳାବଜାରି, ସ୍ମଗ୍ଲିଂ, ତା’ପରେ ଜାଣିପାରିବ ଟଙ୍କା ଆସିବାର ନିଶ୍ଚିତ ବାଟ । ନହେଲେ ଗରିବ ଚାଷୀମାନଙ୍କଠାରୁ ଉତ୍ପାଦନ ସମୟରେ କଞ୍ଚାମାଳ କିଣିଆଣି ମହଜୁଦ କର । ଅଭାବ ସୃଷ୍ଟି କର । ମାତ୍ର କେଇଟା ମାସ ପରେ ଧୀରେ ଧୀରେ ଛାଡ଼ ବଜାରକୁ । ତା’ପରେ, ତା’ପରେ ଆସିଯିବ ପ୍ରଚୁର ଧନ ।

 

ଅଥବା ଆଉ ଏକ ସହଜ ଉପାୟ ଅଛି । ପ୍ରତି ବର୍ଷ ବନ୍ୟା ବାତ୍ୟାରେ ଭାଙ୍ଗି ପଡ଼ୁଥିବା ବନ୍ଧ ପୋଲ ମରାମତି ପାଇଁ—ମନ୍ତ୍ରୀଙ୍କ ସାହାଯ୍ୟରେ ନିଅ କନ୍‍ଟ୍ରାକ୍‍ଟ୍ରୀ । ବିଶେଷ କିଛି କଷ୍ଟ ନୁହେଁ–ସାମାନ୍ୟ କିଛି ଉତ୍କୋଚ ନେତାଙ୍କୁ, ଇଂଜିନିଅର ଓଭରସିଅରଙ୍କୁ । ମଝିରେ ମଝିରେ ମଦ ମାଂସ ନାରୀର ମହୋତ୍ସବ କରି—ଖୁବ୍ ସହଜ ଉପାୟ ଧନୀ ହୋଇ ଯିବାର ।

 

ପାଖରେ ମୋର ପ୍ରଚୁର ଅର୍ଥ । ଯାହା ସମୟକ୍ରମେ ବଢ଼ାଇ ଚାଲିବ ମୋର କ୍ଷମତା, ପ୍ରତିଷ୍ଠା, ପ୍ରତିଭା ସବୁକିଛି । ତୁମେ ବି ତୁମର ବିଳାସ ପାଇଁ ଯାହା ଇଚ୍ଛା ତା’ କରିପାର । କ୍ଳବ୍ ଯାଇପାର । ଟୁରିଷ୍ଟ ସାଜିପାର । ସଭା ସମିତିରେ ନିଜର ପଦମର୍ଯ୍ୟାଦା ବଢ଼ାଇ ଭାଷଣ ଦେଇପାର-। ଅନ୍ୟକୁ ଯଥେଷ୍ଟ ଅର୍ଥ ଦେଇ ବଶମ୍ବଦ କରିପାର—ଯାହା ଇଚ୍ଛା ।

 

କିନ୍ତୁ ହୃଦୟେଶ୍ୱରି ଯଦି କେବେ ଏଇ ବିଳାସ ଭିତରେ ବୁଡ଼ିରହି ମୁଁ ଦେଖେ ମୋର ଚାରିପାଖର ନିରୀହ ମଣିଷଙ୍କ ଦାରିଦ୍ର୍ୟ, ହତାଶାର ମୁଖଶାଳା—କେବେ ଯଦି ତାଙ୍କର କରୁଣ ଦୁଃଖର ଆଖି ଦୁଇଟା ମୋର ଔଦ୍ଧତ୍ୟରେ ଚକ୍‍ଚକ୍ କରୁଥିବା ଆଖି ସହ ମିଳିଯିବ । ଥରିଉଠିବ ତ ମୋର ଛାତି ।

 

ନିଜକୁ କ’ଣ କ୍ଷମା କରିପାରିବି ସେତେବେଳେ ମୁଁ ? ମୋତେ ଲାଗିବ—ମୁଁ ଯେପରି ସେଇ ରକ୍ତଲୋଭୀ ଶୋଷଣକାରୀ, ଯିଏ ବଞ୍ଚିଛି ଏବଂ ନିଜକୁ ବଞ୍ଚାଇବା ପାଇଁ ଅନ୍ୟକୁ ଅନବରତ ହତ୍ୟାକରି ଚାଲିଛି ।

 

ସେତେବେଳେ ମୋ ବାପାଙ୍କର ହତାଶାଭରା ଆଖି ବୋଉର ଦୀଘଦିନର ରୁଗ୍ଣ ପଣ୍ଡୁର ମୁହଁ ତ ଭାସିଉଠିବ ଆଖି ଆଗରେ, କେମିତି ମୁଁ ଗ୍ରହଣ କରିବି ନିଜକୁ ?

 

ତା’ ମୁଁ ପାରିବିନାହିଁ ହୃଦୟେଶ୍ଵରି ! କେବେ ବି ପାରିବି ନାହିଁ । କିନ୍ତୁ...ମୋତେ ଯେ କିଛି କରିବାକୁ ପଡ଼ିବ ।

 

ନହେଲେ....

 

ନା । ଆଜିକାଲି ମୁଁ ଏମିତି ରହିବାକୁ ଚାହୁଁଛି—ଗୋଟାଏ ଖୁବ୍ ସାଧାରଣ ମଣିଷ ଭଳି-। ତାଙ୍କର ସୁଖ, ଦୁଃଖ, ଅଭାବ, ଅସୁବିଧା, ଭଲମନ୍ଦ, ଈର୍ଷା, ଘୃଣା, ରାଗ, ଅସହାୟତା ସବୁ ହେଉ ମୋର ନିଜର । ବଞ୍ଚିବା ଲାଗି ମୁଁ କରେ ଅନବରତ ସଂଘର୍ଷ । ବଞ୍ଚେ ବା ମରେ ।

 

ମରିମରି ବଞ୍ଚେ ବା ବଞ୍ଚିବଞ୍ଚି ମରେ ।

 

ହେଲେ ହୃଦୟେଶ୍ଵରି ! ଏଇ ସାଧାରଣ ମଣିଷ, ଯିଏ ରାସ୍ତାରେ ବୁଲୁଥିବା ଏକ ଅବାଞ୍ଛିତ କୁକୁର ଭଳି—ତାଙ୍କୁ ପଚାରେ କିଏ ? ତାଙ୍କୁ ନେଇ ଗର୍ବ ବା ଅହଂକାର କ’ଣ କରାଯାଇପାରେ ? କେହି କ’ଣ ସେମାନଙ୍କୁ କେବେ ଭଲ ପାଇପାରେ—ଦୟାକରିବା ବ୍ୟତୀତ ?

 

ତୁମେ ବି ତ ପାରିବନାହିଁ ।

 

ମୁଁ ବି ତ ପାରିବିନାହିଁ । ଅ-ପୌରୁଷର ଜୀବନକୁ ଏକ ଫୁଟ ପେଣ୍ଡୁ ଭଳି ତୁମ ହାତକୁ ଟେକିଦେଇ—ମୁଁ ବି ତ ଶାନ୍ତି ପାଇପାରିବି ନାହିଁ ।

 

ତେବେ ମୋତେ କ’ଣ କରିବାକୁ ପଡ଼ିବ ? କ’ଣ ? କ’ଣ ?

 

ଏବେ ଗୋଟାଏ ଅଦ୍‍ଭୁତ ଉପାୟ ନିଜକୁ ଠିକ୍‍ଭାବେ ବଞ୍ଚାଇବା ଲାଗି ମୁଁ ପାଇଯାଇଛି-

 

ମୋ ଜୀବନର ସୀମାକୁ ଭାଙ୍ଗି, ଅସହାୟତାକୁ ଅତିକ୍ରମକରି ପୌରୁଷକାରର ଶୀର୍ଷ ସୀମାରେ ପହଞ୍ଚିଯିବାର ଏକ ସାର୍ଥକ ଉପାୟ ।

 

ଶୁଣିବ, ଶୁଣିବ ସେଇ ଉପାୟ ।

 

କେତେଦିନ ହେବ ଗୋଟାଏ ରବର କୁଣ୍ଢେଇ ମୁଁ କିଣି ଆଣିଛି । କିଣିଛି ଖଣ୍ଡେ ସୂତା ।

 

ମୋ କୋଠରିର ସେଇ ଫ୍ୟାନ୍ ପଏଣ୍ଟରେ ସେ ସୂତାକୁ ବାନ୍ଧି ଝୁଲାଇ ଦେଇଛି ଏବଂ ତଳକୁ ଝୁଲୁଥିବା ତାର ଅନ୍ୟ ପ୍ରାନ୍ତରେ ଗୋଟାଏ ଫାଶକରି କିଣିଥିବା କଣ୍ଢେଇଟିର ବେକରେ ବାନ୍ଧି ଝୁଲାଇ ଦେଇଛି । କେବେ ସେଇଟା ପବନରେ ଝୁଲୁଛି ତ, କେବେ ନିଜ ହାତରେ ମୁଁ ତାକୁ ଝୁଲାଇ ଦେଉଛି ।

 

ଆଜିକାଲି ଇଏ ମୋର ଖେଳ । ଚମତ୍କାର ଖେଳନା । ଆଉ ଦିନେ ଆସିବ ସେଇ ସମୟ । ବାହାରେ ଋତୁଜାତ ଫୁଲ ସବୁ ଫୁଟିଥିବ । ପକ୍ଷୀମାନେ ଉଡ଼ି ଉଡ଼ି ସଙ୍ଗୀତ ଗାଉଥିବେ । ଦିନର ସୂର୍ଯ୍ୟାଲୋକ ତଳେ ବ୍ୟସ୍ତଭାବେ ଗଡ଼ିଚାଲିଥିବା ସମୟକୁ ମୁଁ ଅନୁଭବ କରୁଥିବି ଅଥବା ରାତ୍ରୀର ଗଭୀର ନୀରବତାରେ କାନ୍ଥକୁ ଆଉଜି ଛିଡ଼ାହୋଇ ଚାହିଁ ଚାହିଁ ଖୋଜୁଥିବି ତୁମକୁ ।

 

ସମଗ୍ର ପୃଥିବୀରେ ତୁମର ସତ୍ତା ଯେତେବେଳେ ବ୍ୟାପିଯାଇ ଏକ ପାଲଟିଯିବ—ଆକାଶର ତାରାରେ ଅଥବା ପବନର ସ୍ପର୍ଶରେ ଯେତେବେଳେ ଦୂରରୁ ଶୁଭିବ ସେଇ ସଙ୍ଗୀତ, ସେଇ କରୁଣ ସଙ୍ଗୀତ—ମୁଁ ଅନୁଭବ କରିବି—ମୁଁ ଖୁବ୍ ଏକା, ଏକା, ଏକା ।

 

ଏ ଦେହ ମୋର ଅସହାୟତାର କାରଣ । ଏ ମନ ମୋର କାମନାର ସମୁଦ୍ର । ଏ ଆଖି ମୋର ଅହଂକାର । ଯାହା ଅନବରତ ମୋତେ ବିଦୀର୍ଣ୍ଣକରି ଆସିଛି ।

 

ତା’ପରେ ଝୁଲୁଥିବା ମୋର ସୂତାଟି ହେବ ଶକ୍ତ ଏକ ରଶି । ଆଉ ସେଇ ରବରର କଣ୍ଢେଇଟା ପାଲଟିଯିବ ଗୋଟାଏ ମଣିଷ ।

 

—ସେ ମୁଁ । ପଦ୍ମଜ ପାଳ ।

 

ତୁମ ପାଇଁ ହୃଦୟେଶ୍ୱରି—ସେଇ ଦୃଶ୍ୟ—ମୋର ଗର୍ବ । ଅହଂକାର । ଆଭିଜାତ୍ୟର ଏକ ସାର୍ଥକ ମିଶ୍ରିତ ଉପହାର । ମୁଁ ଯାହା ତୁମକୁ, କେବଳ ତୁମକୁ ଦେଇଯିବି ମୋର ପୌରୁଷକାର ପ୍ରତିଷ୍ଠା ପାଇଁ ।

 

ସେଇ ଦୃଶ୍ୟକୁ ଏ ସହରର ଛକରେ ତୁମେ ଝୁଲେଇ ଦେଇ ଲେଖିଦେଇ ପାର—ଜୀବନକୁ ଗଭୀରଭାବେ ଭଲ ପାଉଥିବା ଏଇ ମଣିଷଟିର ବଞ୍ଚିବାର ଏକମାତ୍ର ସାର୍ଥକ ଉପାୟ ।

Image

 

ଶ୍ରୀ ରବି ସ୍ଵାଇଁ

 

ମଲା ନଈର ସୁଅ

 

ଗାଡ଼ି ଘୁଷୁରି ଘୁଷୁରି ଆସି ବତିଖୁଣ୍ଟ ତଳେ ଠିଆହେଲା । ଯାନ୍ତ୍ରୀମାନେ ନିଃଶ୍ୱାସ ପକେଇଲେ । ଯାହାହେଉ ତିନିଘଣ୍ଟା ସାଢ଼େ ତିନିଘଣ୍ଟାର ଭୂମିକମ୍ପରୁ ରକ୍ଷା ମିଳିଲା । ପଛକବାଟ ଖୋଲା ହଉହଉ ଗାଡ଼ି ଯେପରି ଲୋକମାନଙ୍କୁ ବାନ୍ତି କରି ପକେଇଲା । ସମସ୍ତଙ୍କ ମୁହଁରେ—ଓହୋ ! ମଣିଷ ବଞ୍ଚିଗଲା । ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ କିଛି କହୁ ନଥାଏ । ବିରକ୍ତ ହେଉନଥାଏ ମଧ୍ୟ । ସେ ସବା ପଛରେ ଓହ୍ଲେଇ ପ୍ରଥମେ ତା’ ହାତଘଣ୍ଟାକୁ ଅନେଇଲା । ଆଠଟା ତିରିଶି । ହିସାବ କରି ପକେଇଲା । ତିନି, ସାଢ଼େ ତିନିଘଣ୍ଟାର ବାଟକୁ ସେ ଦି’ଘଣ୍ଟା ଭିତରେ ମାଡ଼ି ଆସିଚି । ମନ ଖୁସି ହେଇଗଲା । ବାହାରେ ବି ସୁନ୍ଦର ସୁଲୁସୁଲିଆ ପବନ ହଉଥାଏ । ବରଗଛମୂଳ ଚାନ୍ଦିନୀରେ ଯାଇ ଟିକେ ବସିପଡ଼ିଲା । ହଁ—ଘରକୁ ଯିବ ତ ! ଏଇ ମାତ୍ର ୮ ଟା ୩୦ ବାଜିଚି । ବାଟ ମାଇଲିଏ ଚାଲିବାକୁ । ସାଙ୍ଗସୁଙ୍ଗା ପାଇଲେ କଥା ନହସରେ ବାଟ କଟିଯିବ । ତରତର ହବାର କ’ଣ ଅଛି ?

 

ପକ୍କା ଚାନ୍ଦିନୀ ଉପରେ ପାଖ ବତିଖୁଣ୍ଟରୁ ନୁଆଁଣିଆ ବରଡ଼ାଳ ଦେଇ ଛପିଛପିକିଆ ଆଲୁଅ ତେରଛେଇ ପଡ଼ିଚି । ତାକୁ ଏମିତି ଜାଗାରେ ବସିବାକୁ ଭଲଲାଗେ । ପୂରାପୂରି ଆଲୁଅରେ ତାକୁ ଜଣାପଡ଼େ କିଏ ଯେପରି ତାକୁ ଚାରିଆଡ଼ୁ ନିରିଖେଇ ଅନଉଚି । ସେ ନଙ୍ଗଳା ହେଇ ବସି ଖାଲି ଦାନ୍ତ ଦେଖେଇ ହସୁଚି । ସେ ଯୋଉ ସ୍କୁଲରେ କିରାଣି, ସେଇ ସ୍କୁଲର ହେଡ଼ମାଷ୍ଟର ବାରମ୍ବାର ତାର ଦାନ୍ତ ଦେଖେଇ ହସିବା ପାଇଁ ତା’ ଉପରେ ବିଗଡ଼ନ୍ତି । ରାଗନ୍ତି । ତଥାପି ବି ସେ ଛାଡ଼ି ପାରେନା । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପଯ୍ୟନ୍ତ ତାର ଏଇ ବିକଳ ଅବସ୍ଥା ଟାଣିହେଇ ରହିଥାଏ । ସନ୍ଧ୍ୟା ହେଇଗଲେ ତାକୁ ଲାଗେ କିଏ ଯେପରି ତା ଭଳି ଗୋଟିଏ ଜୀବକୁ ପାଟି ପାକୁ ପାକୁ କରି ମରିଯାଉଥିବା ମାଛକୁ ପାଣି ଭିତରେ ଛାଡ଼ିଦେଲା । ସନ୍ଧ୍ୟାର ପାଣିଚିଆ ଅନ୍ଧାର ତାକୁ ବେଶ୍ ସୁହାଏ । ଏଇ ଅନ୍ଧାରରେ ଖଟଟି ଉପରେ ବସି ବା ଶୋଇ ଢୋଳେଇ ହବାରେ ବି ତା’ପାଇଁ ଏକପ୍ରକାର ଆନନ୍ଦ ବା ଆରାମ ବା ସେମିତି ଗୋଟାଏ କିଛି ମିଳେ । ରାତିର ଘନ ଅନ୍ଧାରରେ ତାକୁ ଭୀଷଣ ଡର ମାଡ଼େ । ଜଣାପଡ଼େ ସେ ଯେପରି ଅନ୍ଧାରରେ ମିଳେଇଯାଉଚି । ତାର ଆଉ ଅସ୍ତିତ୍ଵ ନାହିଁ । ସେଇଥିପାଇଁ ଲଣ୍ଠନଟି ମିଞ୍ଜି ମିଞ୍ଜି ଜାଳି ମୁଣ୍ଡ ଉପରେ ରଖିଥାଏ; କିନ୍ତୁ ନିଦ ହୁଏନା । କିଛି ସମୟ ଛାଇନିଦରେ ଶୋଇସାରିବା ପରେ ଆଖି ବୁଜିଧରି ଝିଟିପିଟିର ଶବ୍ଦ ଶୁଣେ । ବିଲୁଆ, ଫେରଣ୍ଡା, କୁକୁରମାନଙ୍କର ରଡ଼ି ଶୁଣି କାନ ବୁଜିପକାଏ । ନିଦ ଆସେ ଆସେନା, ଆସେ ଆସେନା; ଏଇ ଅବସ୍ଥାରେ ସକାଳ ଚାଲିଆସେ । ତା ପରେ ପରେ ଚାଲିଆସେ ମୋଟା କାଚ ତଳେ ଦୁଇଟି ତତଲା ଆଖି, ହେଡ଼ମାଷ୍ଟରଙ୍କର ।

 

ବେଳେବେଳେ ରାତିରେ ଶୋଇଲାବେଳେ ସେ ଭାବେ, ଠିକ୍‍କରି ପକାଏ ମଧ୍ୟ ସେ ଆଉ ହେଡ଼ମାଷ୍ଟର କେୟାର୍ କରିବନି । ଆଉ କାହିଁକି ସେ ଡରନ୍ତା କି ? ଏତେ ବର୍ଷ ଚାକିରି କଲାଣି । କୋଉଁ ସେ ଚାକିରି ନେଇଯିବେ ? ତା’ପରେ ଯାହା ଇନ୍‍କ୍ରିମେଣ୍ଟ ବନ୍ଦ କରି ଦିଅନ୍ତେ, ତା’ ତ କେବେଠୁଁ ଆପେ ଆପେ ବନ୍ଦ ହେଇଗଲାଣି । ଗୋଟାଏ ଶୁଖିଲା କାଠ ଆଉଗୋଟା ଶୁଖିଲା କାଠକୁ କାହିଁକି ଡରିବ ? ତା’ପରଦିନ ସେଇ ଆଖିଦୁଇଟି ସହ ଭେଟ ହେଲେ ସମସ୍ତ ପ୍ରତିଜ୍ଞା ଝାଳ ହେଇ ବୋହିପଡ଼େ । ତାପରେ ଆରମ୍ଭ ହୋଇଯାଏ ନଙ୍ଗଳା ମଣିଷ ପିଲାଟିର ଦାନ୍ତଦେଖା ସର୍କସ ।

 

ହାଇମାରି ସେ ଉଠିଲା ଚାନ୍ଦିନୀ ଉପରୁ । ଆଲୁଅକୁ ଆସି ଅନେଇଲା ହାତ ଘଣ୍ଟାକୁ । ଠିକ୍ ଆଠଟା ତିରିଶ । ବିଶ୍ଵାସ ହେଲାନି । ପୁଣି ଅନେଇଲା । ଘଣ୍ଟାକଣ୍ଟା ଆଠ ଓ ନଅ ମଝିରେ ଅଟକିଯାଇଚି । ମିନିଟ୍ କଣ୍ଟା ଛଅ ପାଖରେ ଶୋଇପଡ଼ିଚି । ପାଖ ଦୋକାନକୁ ଯାଇ ଦେଖିଲା ଦଶଟା ପନ୍ଦର ହେବାକୁ ବସିଲାଣି । ଚମକି ପଡ଼ିଲା ପ୍ରଥମେ । ଆରେ ବାବା, ଏତେ ଡେରି ହେଇଗଲାଣି ! ଆଉ ତ କେହି ସାଙ୍ଗ ମିଳିବେନି । ହାତରୁ ଘଣ୍ଟାକୁ ଖୋଲି ଟାଇମ୍ ଆଡ଼ଜଷ୍ଟ କରି ପୁଣି ହାତରେ ବାନ୍ଧିଦେଲା । ତାପରେ ଚାଲିବାକୁ ଆରମ୍ଭ କଲା ।

 

ପକ୍କା ରାସ୍ତାରେ ଅଳ୍ପବାଟ ଗଲାପରେ ତାଙ୍କ ଗାଁକୁ ପଡ଼େ ମାଟି ରାସ୍ତା । ମଲା ସାପଟି ଭଳି ପାଟ ଉପରେ ପେଟେଇ ପଡ଼ିଚି । ସେଇ ରାସ୍ତାକୁ ଗଡ଼ିଗଲା ସେ । କାନରେ ଘଣ୍ଟାକୁ ଦାବି ଧରିଲା ଟିକ୍ ଟିକ୍ ଶବ୍ଦ ଶୁଣିବା ପାଇଁ । ନାଁ—ସେ ଶବ୍ଦ ଆଉ ଆସୁନି । ତେବେ ଘଣ୍ଟାକଣ୍ଟା କଣ ବନ୍ଦ ହେଇଗଲାଣି ? ଏତେ କିଟିକିଟି ଅନ୍ଧାର ଯେ କିଛି ଦିଶୁନି । ହାତରୁ ଘଣ୍ଟାକୁ ଖୋଲି ଆନୁମାନିକ ଦଶ ମିନିଟ୍ ବଢ଼େଇ ଦେଇ ପୁଣି ହାତରେ ବାନ୍ଧିଦେଲା । ଜୋରରେ ଚାଲିବାକୁ ଚେଷ୍ଟାକଲା । ତାର କଣି ଢଙ୍ଗିଆ ନହନହକା ଗୋଡ଼ ଦିଟା ନାଠି ହେଇଯାଉଚି । ବାଟ ଦିଶୁନି । ଜଣାଯାଉଚି ଗୋଡ଼ଦିଟା ଯେମିତି ତା ଅଚଳ ଘଣ୍ଟାର ଘଣ୍ଟାକଣ୍ଟା ଓ ମିନିଟକଣ୍ଟାପରି ଅଚଳ ହେଇପଡ଼ୁଛନ୍ତି । ସେ ଏତେ ବାଟ ଯିବ କିପରି ?

 

ଘଣ୍ଟାଟା ଉପରେ ତାର ରାଗ ହେଲା । ଏବେ ସେ କେବଳ ଏଇ ଘଣ୍ଟାଟା ଉପରେ ହିଁ ରାଗେ । ରାଗିକରି ଜୋରରେ ତା ଉପରେ ହାତ ବାଡ଼େଇଦିଏ । ଘଣ୍ଟା ବିଚରା ବିକଳରେ ଟିକ୍‍ଟିକ୍ ଶବ୍ଦକରି ଧକାଏ କିଛି ସମୟ । ତା’ପରେ ପୁଣି ମରିଯାଏ । ଆଜି ତାର ଭାରି ରାଗ ଚିଡ଼ିଗଲା । ସେ ଭାବିଲା ଏ ଘଣ୍ଟାକୁ ବାଟ ମଝିକି ଫୋପାଡ଼ିଦେବ । ନହେଲେ ଗୋଡ଼ତଳେ ରଖି ଗୋଇଠା ମାରି ମାରି ଭାଙ୍ଗି ଦବ । ହାତରୁ ଘଣ୍ଟା ଖୋଲୁଖୋଲୁ ନିଜେ କାହିଁକି କାନ୍ଦ କାନ୍ଦ ହୋଇଉଠିଲା । ତା’ପରେ ଘଣ୍ଟାରେ ଟିପାଟେ ମାରି କାନ ପାଖରେ ଜାକି ଧରିଲା ଘଣ୍ଟାକୁ । ଜବାବ୍ ଦେଲା ଟିକ୍ ଟିକ୍ ଟିକ୍ । ସବୁ ପୁଣି ଯେପରି ଠିକ୍ ହେଇଗଲା । ନଳି କଣି ଗୋଡ଼ି ଦିଟା ଉଠିଲେ ପଡ଼ିଲେ ।

 

ଏଇ ଘଣ୍ଟା—ସେ ପାଇଥିଲା ତା ବାହାଘରକୁ । ଏକମାତ୍ର ଯୌତୁକ ଭାବରେ । ତା ଜୀବନରେ ଘଣ୍ଟା ବାନ୍ଧିବା ଏଇ ପ୍ରଥମ । ବାହାଘର ପରେ ଗାଧୋଇସାରି ନୂଆ ଲୁଗା ଜାମା ପିନ୍ଧି ଏଇ ଘଣ୍ଟାଟିକୁ ହାତରେ ବାନ୍ଧି ପକେଇଲା । ବାନ୍ଧି ପକେଇବାକ୍ଷଣି କାନରେ ଜାକି ଧରିଲା । ଟିକ୍‍ଟିକ୍‍ ସଙ୍ଗୀତରେ ଭରିଗଲା ତାର କାନ, ଦେହ, ମନ, ହୃଦୟ ସବୁକିଛି । ତା’ପରେ ଏଇ ଘଣ୍ଟାକୁ ନେଇ ତା ଜୀବନରେ ବି ଅନେକ ପରିବର୍ତ୍ତନ ଘଟିଚି । ଗାଁରେ ଯେତେବେଳେ ଗାଧେଇ ପାଧେଇ ସାରି ଲୁଙ୍ଗି ଖଣ୍ଡେ ପିନ୍ଧି ଏଇ ଘଣ୍ଟାକୁ ହାତରେ ବାନ୍ଧି ବାହାରିପଡ଼େ, ତାର ସାଙ୍ଗମାନେ ତା ହାତକୁ ଚାହିଁରହନ୍ତି । ଅନେକେ ତା ହାତରୁ ଫିଟେଇ ନେଇ କାନ ପାଖରେ ଜାକି ଦିଅନ୍ତି । କେତେକ ନିଜ ହାତରେ ବାନ୍ଧିପକେଇ ବାରମ୍ଵାର ହାତକୁ ଚାହାନ୍ତି । ଆଉ କେତେକ ମଧ୍ୟ ସାହସ କରନ୍ତିନି ବାନ୍ଧିବା ପାଇଁ ।

 

ଏଇ ଘଣ୍ଟାଟି ପାଇଁ ସେ ପ୍ରଥମକରି ଅନୁଭବ କଲା ଯେ ସେ ଅନ୍ୟମାନଙ୍କଠାରୁ କିଛିଟା ପରିମାଣରେ ସ୍ଵତନ୍ତ୍ର; କିଛିଟା ପରିମାଣରେ ବଡ଼ । ତା’ପରେ ସେ ପ୍ରକୃତରେ ବଢ଼ିଯାଇଥିଲା । ହାଇସ୍କୁଲର କିରାଣି ଚାକିରି, ବର୍ଷକୁ ବର୍ଷ ଇନ୍‍କ୍ରିମେଣ୍ଟ, ଜମିକିଣା, ଘରତୋଳା ଇତ୍ୟାଦିର ଜୁଆରରେ ଭାସି ଯାଉ ଯାଉ ସେ ଭୁଲିଯାଇଥିଲା ଭଟ୍ଟାକଥା । ଯେଉଁଦିନ ସେ ଲକ୍ଷ୍ୟକଲା ସେ ତାର ଦରମାର ଶେଷସୀମାରେ ଉପସ୍ଥିତ, ସେ ଅନୁମାନ କରି ପାରିଲା ଭଟ୍ଟାର ଉଜାଣି ସୁଅରେ ସେ ଭାସି ଚାଲିଚି । ଚାକିରିର ଶେଷ ବର୍ଷତକ ମାସ ଆରମ୍ଭରେ ଏତିକି ପରିମାଣର ଦରମା । ଆଉ କୌଣସି ପରିବର୍ତ୍ତନ ନାହିଁ । ତାର ଅନ୍ୟ ସାଙ୍ଗମାନେ ପ୍ରମୋସନ ପାଇ ବଢ଼ି ଚାଲିଛନ୍ତି । ହାଇସ୍କୁଲର କିରାଣି ହେଲେ ଆଉ କି ପ୍ରମୋଶନ ତା’ପାଇଁ ଅଛି ? ତା ମୁଣ୍ଡ ବୁଲେଇବାକୁ ଲାଗିଲା-। ସେଇ ଦିନଠାରୁ ତାର ଆରମ୍ଭ ହେଲା ଦାନ୍ତ ଦେଖେଇ ହସିବା ଓ ଆଖିବୁଜି କଣ କୁଆଡ଼ୁ ଭାବିବା ବା କିଛି ନ ଭାବିବା ।

 

ଏଇସବୁ କଥା ଭାବୁ ଭାବୁ ସେ କେତେବେଳେ ତାଙ୍କ ଅଞ୍ଚଳର ହାଇସ୍କୁଲ ପାଖରେ ପହଞ୍ଚିଗଲାଣି ତାକୁ ଜଣାନାହିଁ । ସେଇ ସ୍କୁଲଟି ଗାଁର ବାହାରେ ଅବସ୍ଥିତ । ନିକଟରେ ମହାଦେବ ମନ୍ଦିର ଛଡ଼ା ଆଉ କିଛି ନାହିଁ । ରାତିରେ ପ୍ରାୟ ସେଠାରେ କେହି ରହନ୍ତିନି । ଜଣେ ଅଧେ ସ୍କୁଲରେ ଶୋଇବାକୁ ଆସନ୍ତି । ସେତେବେଳ ପର୍ଯ୍ୟନ୍ତ କେହି ଆସିନଥାନ୍ତି କି ଆସି ଶୋଇପଡ଼ିଲେଣି । ସେ ଆସି ଠିଆହେଲା ସ୍କୁଲର ଭଙ୍ଗା ଗେଟ୍ ପାଖରେ । ତା ସମୟରେ ଏଇଟି ଥିଲା ତାଙ୍କ ଅଞ୍ଚଳର ଏକମାତ୍ର ହାଇସ୍କୁଲ । ଏଇ ସ୍କୁଲହତା ଭିତରେ ଅଣଶିଶୁ ଶ୍ରେଣୀଠାରୁ ଆରମ୍ଭ କରି ଏକାଦଶ ପର୍ଯ୍ୟନ୍ତ ସବୁ କ୍ଲାସ ଥିଲା । ତା ଗାଁରେ କୌଣସି ସ୍କୁଲ ନ ଥିବାରୁ ତାକୁ ଏଇଠି ହିଁ ବିଦ୍ୟାରମ୍ଭ କରିବାକୁ ପଡ଼ିଥିଲା । ତାର ତେରଟି ବର୍ଷ ସେ ଏଇଠି କଟେଇ ଦେଇଚି । ଜୀବନର ହସ କାନ୍ଦ ସବୁ ଅନୁଭୂତି ଏଇଠୁ ହିଁ ଚେର ଦେଇଛନ୍ତି । ତା’ପରେ ଶାଖା ପରେ ଶାଖା ବିସ୍ତାର କରି ଚାଲିଛନ୍ତି ସେମାନେ । ସେମାନଙ୍କ ଭାରା କାନ୍ଧେଇ ସେ ଆଜି କ୍ଳାନ୍ତ ହେଇପଡ଼ିଲେଣି; କିନ୍ତୁ ଏ ସ୍କୁଲ ଅନ୍ଧାର ଭିତରେ ଏକ ତପସ୍ୟାରତ ଯୋଗୀଭଳି କି ନିରାସକ୍ତ ଭାବରେ ବସିଚି ! ହାତ ବଢ଼ିଗଲା ଭଙ୍ଗାଗେଟ୍ ଆଡ଼େ । ଗେଟ୍କୁ ଛୁଉଁ ଛୁଉଁ ତା’ ଦେହରେ ଏକ ତଡ଼ିତ୍‍ପ୍ରବାହ ଖେଳିଗଲା । ସାଙ୍ଗେସାଙ୍ଗେ ଖୋଲିଗଲା ସବୁଯାକ କବାଟ ଝରକା ଗୋଟା ପରେ ଗୋଟା ।

 

ଝରକା ଉପରେ ଠିଆ ହୋଇ ସରୁସରୁ ହାତଦି’ଟା ଉପରକୁ ଟେକିଦେଇ ତଳକୁ ଡେଇଁ ପଡ଼ିଲା ରୋଗଣା ପିଲାଟିଏ । ଆଣ୍ଠେଇ ପଡ଼ିଲା ବାଲିଆ ମାଟି ଉପରେ । ଚଟ୍‍କରି ଉଠିପଡ଼ି ଆଣ୍ଠୁରୁ ବାଲି ଝାଡ଼ିଦେଇ ଦଉଡ଼ିଆସିଲା ତା ପାଖକୁ । ଆଗରେ ଆସି ଠିଆହେଲା । ପେଟଟି ଆଗକୁ ବାହାରି ପଡ଼ିଚି । ଚିରାମଇଳା ପେଣ୍ଟଟିକୁ ମୋଡ଼ିଦେଇ ପିନ୍ଧିଛି । ପେଣ୍ଟ ତଳୁ ଚେର ଭଳି ଦି’ଟା ଗୋଡ଼ ତଳକୁ ଜାବୁଡ଼ି ଧରିଚି । ନାକରୁ ସିଙ୍ଗାଣି ଧାରେ ବୋହିଆସୁଛି ପାଟି ପାଖକୁ । ସାଙ୍ଗେ ସାଙ୍ଗେ ଜିଭ ବୁଲି ଯାଉଛି । ସଁ କରି ଶୋଷି ନଉଚି ନାକ ଭିତରକୁ ଓ ବାଁ ହାତ ବୁଲେଇ ନେଇ ପେଣ୍ଟ ପଛରେ ଘଷିଦେଉଛି । ପିଲାଟି ତାକୁ ଗାରଡ଼େଇଁ ଚାହିଁଲା । ତା’ ପରେ ଖନେଇ ଖନେଇ କହିଲା— “ଜାଣିଛୁ ନାଁ ? ମୁଁ ବଡ଼ ହେବି । ମୁଁ ପହିଲିମାନ ହେବି । ପାଠ ପଢ଼ିବି । କାଳିଆ ଘୋଡ଼ାରେ ଚଢ଼ିବି ।” ତା’ପରେ ସେ ଫୁଲିବାକୁ ଲାଗିଲା । ତା ମୁଣ୍ଡ ସରଗକୁ ଫୁଟି ବାହାରି ପଡ଼ିଛି । ହାତ ଦି’ଟାରେ ତାରାମାନଙ୍କୁ ଧରି ଖେଳୁଚି ।

 

ଏକ ଦୀର୍ଘଶ୍ୱାସ ଫଁ କରି ବାହାରି ଆସିଲା ତା ଭିତରୁ । ଏଭଳି ଅପ୍ରାକୃତି ଭାବରେ ବଢ଼ି ଯାଇଥିବା ପିଲାଟି କମିଆସିଲା । ପୁଣି ସେହି ପେଟୁଆ ନଳିଗୋଡ଼ା, ସିଙ୍ଗାଣିନାକା ବିକଳିଆ ଛୁଆଟା ତା ଆଗରେ ପଡ଼ିଗଲା । କେତେବେଳୁ ପ୍ରାଣ ଉଡ଼ିଯାଇଥିଲା ତା ଦେହରୁ ।

 

ଅତି ନିର୍ଦ୍ଦୟଭାବରେ ପିଲାଟିର ଶବଉପରେ ପାଦ ପକେଇ ସେ ଆଗେଇଗଲା । ଚାରି ପାଞ୍ଚ ପାହୁଣ୍ଡ ଯାଇଛି କି ନାହଁ ପଛକୁ ଟାଣି ହେଇଆସିଲା । କଣ୍ଟା ବାଡ଼ରେ ତା ଲୁଗା ଲାଗିଯାଇଥାଏ ଜୋରରେ । ପୁଣି ସେ ଠିଆ ହେଇଗଲା ବାଧ୍ୟ ହେଇ । କଣ୍ଟାବୁଦା ଭିତରୁ ଡେଇଁପଡ଼ିଲା ତା’ ଆଗକୁ ଦଶମ ଶ୍ରେଣୀରେ ପଡ଼ୁଥିବା ସୁସ୍ଥ ବାଳକ ଜଣେ । ହାତରେ ଗୋଟିଏ ଫୁଟ୍‍ବଲ । ବାଡ଼ ସେକଡ଼ରେ ସେଇ ଶ୍ରେଣୀର ଝିଅଟିଏ । ଓଠରେ ପତର ଛିଣ୍ଡାଉଥାଏ । ମୁହଁ ଉପରେ ତାର ନାଚିଯାଉଥାଏ ସୁଲୁସୁଲିଆ ପବନ, ସୂର୍ଯ୍ୟର ଝଲମଲ କିରଣ ଓ ଜହ୍ନର ରୂପେଲି ଝରଣା । ଅତୀତ ବର୍ତ୍ତମାନକୁ ଚାହିଁଲା । ଆବୁ ଭଳି ଉଠୁଥିବା ଦିଟା ହନୁହାଡ଼ । ଶୁଖି ଶୁଖି ବଙ୍କା ହେଇଯାଇଥିବା ଓଠ ଦିଟା । ବାଳକକୁ ସତରେ ହସ ଲାଗିଲା । ବାଳିକା ଆଡ଼କୁ ମୁହଁ ବୁଲେଇନେଲା ସିଏ । ବାଳିକା ଡାକିଲା, “ଟିକେ ଏଇଠିକି ଆସ ।” ସେ ତା ପାଖକୁ ଗଲା । ତା ହାତରେ ଲଫାପାଟି ଗେଞ୍ଜିଦେଇ ବାଳିକା ଦୌଡ଼ିଲା ପରି ଉଭେଇଗଲା । ଚିଠିଟି ଖୋଲିଲା । ପ୍ରେମିକା ତାର ଲେଖିଚି—ତାର ବାହାଘର ଠିକ୍ ହୋଇଗଲା । ସହରରେ ଚାକିରି କରିଥିବା ଜଣଙ୍କ ସାଙ୍ଗରେ । ତାଙ୍କର କୁଆଡ଼େ ଭାରି ଧନୀ । ସେ ପିଲାଟି ଦେଖିବାକୁ ଭାରି ସୁନ୍ଦର । ସେ ଆଉ ଏଣିକି ସ୍କୁଲକୁ ଆସିବନି । ବୋଉ ତାର ମନା କରିଦେଇଚି । ତେବେ ସେ ବାହା ହେଇଗଲେ ବି ଏ ଜୀବନରେ ତାକୁ ଭୁଲିବ ନି । ଫୁଟ୍‍ବଲ ଖସିପଡ଼ିଲା ତା ହାତରୁ । ତାକୁ ସ୍ଥିର ରଖି ସ୍କୁଲଘର, ପାଟ, ଗାଁ, ଗଛ, ଆକାଶ, ପୃଥିବୀ ସବୁ ଘୂରିବାକୁ ଲାଗିଲା । ମାଇନରରେ ବୃତ୍ତି ପାଇଥିବା ପିଲା ଏବଂ ପ୍ରତ୍ୟେକ ପରୀକ୍ଷାରେ ପ୍ରଥମ ହୋଇଥିବା ପିଲା ଦଶମ ବାର୍ଷିକ ପରୀକ୍ଷାରେ ତୃତୀୟ ହେଲା । ମାଟ୍ରିକ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାଶ କରି ଗାଁରେ ଚୁପ୍ ହେଇ ଯିବାଆସିବା କଲା । ଶିକ୍ଷକମାନେ କେବଳ ଆଖିପାଟି ଆଁ କରି ଚାହିଁରହିଲେ ତା ଆଡ଼େ ।

 

ବାଳକଟି ତା ଆଡ଼େ ଚାହିଁଲା । ମୁହଁ ଶୁଖିଯାଇଥାଏ ବିଚାରାର । ସେ ରାଗିଗଲା ସେଇ ବାଳକଟି ଉପରେ । ରାଗରେ କହିପକାଇଲା, “ଭୀରୁ, କାପୁରୁଷ” । ଦୁଇଟି ଶବ୍ଦର ପ୍ରତିଧ୍ୱନି ସାଙ୍ଗେ ସାଙ୍ଗେ ଫେରିଆସିଲା ତା କାନ ଭିତରକୁ । ବାଳକଟି ମିଳେଇଗଲା ତା ଶବ୍ଦ ତରଙ୍ଗ ସହ । ଲୁଗାର କଣ୍ଟା ଛଡ଼େଇ ସେ ଆଗେଇଲା । କେଇ ପାହୁଣ୍ଡ ଯାଇଚିକି ନାଇଁ ତାର ମନେପଡ଼ିଗଲା ଘଣ୍ଟା କଥା-। ଘଣ୍ଟାକୁ କାନରେ ଜାକି ଧରିଲା । ଘଣ୍ଟାର କଣ୍ଟାଗୁଡ଼ାକ ମଲା ଡାଳ ଭଳି ଲାଗି ରହିଥିଲେ ସେଥିରେ । ହାତଟି ନଇଁ ଆସିଲା, ଆର ହାତଟି ଘଣ୍ଟାର ଚାବିକୁ ଟାଣିଦେଲା । ଘୂରେଇ ଚାଲିଲା । ଚାବି ଘୂରୁଛି । ମିନିଟ୍‍କଣ୍ଟା ଦୌଡ଼ୁଛି ଘଣ୍ଟା ଚାରିପାଖେ । ଘଣ୍ଟାକଣ୍ଟାଟି ଛୋଟେଇ ଛୋଟେଇ ଦୌଡ଼ୁଚି । ଚାବି ମୋଡ଼ା ଚାଲିଚି । ଅଚଳ ଘଣ୍ଟାର ଚାବିମୋଡ଼ା ଚାଲିଚି । ଆରେ ଆରେ, ସେ ଏ କଣ କରୁଚି ? ଚାବିକୁ ଓଲଟା ମୋଡ଼ି ଚାଲିଚି । ମିନିଟ୍‍କଣ୍ଟା, ଘଣ୍ଟାକଣ୍ଟା ଓଲଟା ଘୂରୁଛନ୍ତି । କେତେ ଘଣ୍ଟା କେତେ ଦିନ ସେମାନେ ଓଲଟା ଘୂରିଗଲେଣି । କଣ ହେଲା କେଜାଣି ସେ ଅଧିକ ଉତ୍ସାହିତ ହୋଇପଡ଼ିଲା ଏବଂ ମୋଡ଼ି ଚାଲିଲା । ମୋଡ଼ି ମୋଡ଼ି ହାତ ଟିପଦି’ଟା ତାର ବଥା ହେଇଗଲାଣି । ସେ କିନ୍ତୁ ପଛେଇ ଯାଇପାରୁନି ତାର ଯୌବନକୁ, ତାର କୈଶୋରକୁ, ତାର ପ୍ରେମ ଚିଠିକୁ, ତାର ଫୁଟ୍‍ବଲକୁ, ତାର ଗଜୁରି ଆସୁଥିବା ନିଶକୁ । ପିଲାଦିନର ପାଠ ବହି ସବୁ ଚଢ଼େଇ ହୋଇ ଉଡ଼ିଯାଉଛନ୍ତି କାହିଁ କେତେ ଦୂରକୁ । ତାରା ସ୍ଵପ୍ନ, ତାର ଅତୀତର ଭବିଷ୍ୟତ, ତାର ବଗିଚାର ବଢ଼ନ୍ତି ଫୁଲଗଛ ଫୁଟିଆସୁଥିବା ଫୁଲ ତା ଆଖି ଆଗରେ ଝାପ୍ସା ହେଇ ଯାଉଛନ୍ତି । ତା ଦେହରୁ ଝାଳ ବୋହିଯାଉଚି । ହାତ ଦୁଇଟି ଥକ୍କା ହେଇ ନିଜ ନିଜ ସ୍ଥାନରେ ଓହଳି ପଡ଼ୁଛନ୍ତି । କିଛି ସମୟ ପରେ ପୁଣି ପାଦ ଦି’ଟା ଘୁଷୁରିବାକୁ ଲାଗିଛନ୍ତି ।

 

ଏମିତି ଗୋଟାଏ ଘୁଷୁରିହବା ଅବସ୍ଥା ଯେ କି ଯନ୍ତ୍ରଣାଦୟାକ ସେ ବେଶ୍ ଜାଣେ । ଚେୟାର, ଟେବୁଲ ଓ ଫାଇଲରେ ଲାଖିଯାଇ ସେ ବାହାରକୁ ଅନାଇଥାଏ । ବାହାରେ ପିଲାମାନେ ଡେଉଁଥାନ୍ତି, ଖେଳୁଥାନ୍ତି । ବଢ଼ିଯାଉଥାନ୍ତି ଦିନକୁ ଦିନ ବର୍ଷକୁ ବର୍ଷ ଗୋଟାଲେଖା କ୍ଳାସ୍‍ ଡେଇଁଯାଉଥାନ୍ତି । ଯେଉଁ ପିଲାମାନେ ଫେଲ୍ ହେଇଯାନ୍ତି, ଅଟକି ଯାଆନ୍ତି ଆଉ ବର୍ଷେ ଲେଖା ପରୀକ୍ଷା ଫଳରେ ତାଙ୍କ ନାଁ ନ ପାଇ କାନ୍ଦି କାନ୍ଦି ଘର କୁ ଫେରନ୍ତି । ପାଶ୍ କରିଥିବା ପିଲାମାନେ ହସରେ ଫାଟି ପଡ଼ନ୍ତି । ଭୋଜିରେ ମାତିଉଠନ୍ତି । ସେତେବେଳେ ତାକୁ ଜଣାପଡ଼େ ସେ ଯେପରି ଶେଷଥର ପାଇଁ ଫେଲ୍ ହେଇ ଏକାଠି ଅଟକି ଯାଇଚି । ଏଇ ଟେବୁଲ୍, ଏଇ ଚେୟାର, ଏଇ ଫାଇଲ୍, ଏଇ ଦରମା, ଏଇ ଦାନ୍ତଦେଖା, ଏଇ ନାଲିଆଖି ତାକୁ ବାନ୍ଧି ଖଟେଇ ପକେଇଛନ୍ତି । ତା ଆଗ କାନ୍ଥରେ ଖେଳସାର୍ ପେନ୍‍ସିଲ୍‍ରେ ସ୍କେଲ୍ ଆଙ୍କି ଦେଇଛନ୍ତି । ପ୍ରତି ଛ’ମାସରେ ପ୍ରତ୍ୟେକ ପିଲା ସେଇଠି ଠିଆହେଇ ନିଜର ଉଚ୍ଚତା ମାପନ୍ତି । କି ଖୁସି ଇଞ୍ଚେ ଅଧଇଞ୍ଚ ବଢ଼ିଯିବାରେ । ସେତେବେଳେ କାମ ବାହାନାରେ ସେ ମୁହଁଟିକୁ ପୋତି ଦେଇଥାଏ ତଳକୁ । ଥରକର କଥା ତାର ଏବେ ବି ମନେଅଛି । ମନେଅଛି କହିଲେ ଭୁଲ୍ ହେବ । ମନେପଡ଼ିଗଲେ ହୃଦୟରୁ ଲହୁ ଝରିପଡ଼ୁଚି-। ସେଦିନ ପିଲାଙ୍କର ଉଚ୍ଚତା ମାପ ସରିଥାଏ । ସ୍କୁଲ ଛୁଟିପରେ ପିଲା ଓ ଶିକ୍ଷକମାନେ ଯେଝା ଘରକୁ ଚାଲିଗଲେଣି । ସେ ସେମିତି ବସିଥାଏ ତା ଚେୟାରରେ । ଆଖି ତାର ଲାଖି ରହିଥାଏ ସେଇ କାନ୍ଥ ସ୍କେଲ୍ ଉପରେ । ନାକରୁ ଫଁ ଫଁ ନିଶ୍ୱାସ ବାହାରୁଥାଏ । ଛାତି ଧଡ଼ପଡ଼ ହଉଥାଏ । ସାହସ ସଂଗ୍ରହ କରି ଉଠିଲା । ଧୀର ପାଦରେ ବାହାରକୁ ଆସିଲା, କନ୍‍କନ୍ ହେଇ ଅନେଇଲା ଆଡ଼କୁ ସାଡ଼କୁ । ତାପରେ ଇଟା ଖଣ୍ଡିଏ ଉଠେଇ ଧରିଲା । ସେମିତି ଧୀର ପାଦରେ ଆସି ସ୍କେଲ୍ ତଳେ ଇଟା ଖଣ୍ଡକ ଥୋଇଲା । ହାତରେ ଖଣ୍ଡେ ପଟା ସ୍କେଲ୍ ଧରି ସେଇ ଇଟା ଉପରେ ଠିଆହେଲା । ମୁଣ୍ଡ ଉପରେ ସ୍କେଲ୍‍ଟି ଥୋଇ ଟିକେ ହସିଦେଲା । ଠିକ୍ ସେତିକିବେଳେ ଆଖି ପଡ଼ିଗଲା ହେଡ଼ମାଷ୍ଟରଙ୍କ ଉପରେ । ଅଫିସ୍‍ର ଗୋଟିଏ କଣରେ ଠିଆହେଇ ସେ କେତେବେଳୁ ଏସବୁ ଲକ୍ଷ୍ୟ କରୁଥିଲେ । ହଠାତ୍ ଜୋରରେ ହସି ଉଠିଲେ । ତା ହାତରୁ ସ୍କେଲ୍‍ଟି ଖସିପଡ଼ିଲା । କିନ୍ତୁ ସେ ସେଇଠି ଅଟକି ଯାଇଥାଏ । ହେଡ଼ମାଷ୍ଟ୍ରେ ଜୋରରେ ହସି ଉଠୁଥାନ୍ତି ବେଳକୁ ବେଳ । ତାକୁ ଜଣା ପଡ଼ୁଥାଏ ତା ହାଡ଼ଗୁଡ଼ା ଯେପରି ହେଡ଼ମାଷ୍ଟ୍ରେ ଚୋବେଇ ଯାଉଛନ୍ତି । ସେ ଯେତେବେଳେ ତା ହାତକୁ ଟାଣିନେଇ କହିଲେ, “ଥାଉ ଥାଉ, ଅଧିକ ବଢ଼ିବା ଦରକାର ନାହିଁ । ଅଫିସ୍ ବନ୍ଦ କରି ଚାଲ ।” ସେ ଓହ୍ଲାଇ ଆସିଲା ଇଟା ଉପରୁ ।

 

ଦଳେ କୁକୁର ଏକାସାଙ୍ଗରେ ଭୁକି ଉଠିଲେ । ସେ ଦେଖିଲା ସେ ପହଞ୍ଚି ଯାଇଛି ଗାଁ ମୁଣ୍ଡରେ । ଆଉ କେଇଟା ଘର ଛାଡ଼ି ତା ଘର ।

 

ତା ଘର । ଏକ ମାହାଲା କୋଠାଟିଏ । କୋଠା ଭିତରେ ତା ସ୍ତ୍ରୀ ଓ ପାଞ୍ଚଟି ଝିଅ । ବଡ଼ ଦୁଇଟି ଝିଅ ବିବାହ ବୟସର । ସ୍କୁଲଛାଡ଼ି ଘରେ ଅଛନ୍ତି । ମଝିଆଁ ଝିଅର ୧୦ମ, ସାନ ମଝିଆଁର ୭ମ ଓ ସବାସାନର ୪ର୍ଥ । ଝିଅଗୁଡ଼ିକ ସମସ୍ତେ ବେଶ୍ ବୁଦ୍ଧିମତୀ । କ୍ଳାସ୍‍ରେ ପ୍ରଥମ ଦ୍ୱିତୀୟ ହେବାର ଯେପରି ସେମାନଙ୍କର ହିଁ ଅଧିକାର । ଶିକ୍ଷକମାନେ ସମସ୍ତେ ପ୍ରଶଂସା କରନ୍ତି । ଏ ସମସ୍ତ ପ୍ରଶଂସା ଶୁଣି ତା ସ୍ତ୍ରୀ ଚିଡ଼ିଚିଡ଼ି ହୁଏ ଓ ସେ ନୀରବ ରହେ ।

 

ସେ ଆସି ଘରେ ପହଞ୍ଚିଲା । କବାଟ ଆଉଜା ହୋଇଥାଏ । କବାଟ ପେଲିଦେଇ ଘରେ ପଶିଲା । ସବୁ ଶୂନ୍‍ଶାନ୍ । କିଏ କୁଆଡ଼େ ଶୋଇପଡ଼ିଲେଣି । କାହାରି ପାଟି ଶୁଭୁନି । ଶୋଇବାଘରକୁ ପଶିଗଲା । ସାନ ମଝିଆଁ ଝିଅ ବସି ପଢ଼ୁଚି । ସବୁଠାରେ ପଢ଼ାରେ ତାର ବେଶୀ ମନ । ଅନ୍ୟ ଝିଅମାନେ ଆର ଘରେ ଶୋଇପଡ଼ିଲେଣି । ଖଟ ଉପରେ ତା ସ୍ତ୍ରୀ ଶୋଇଚି । ଘୁଂଗୁଡ଼ି ଶୁଭୁଚି ଜୋରରେ । ବେଣୀଟି ଓହଳି ପଡ଼ିଚି ଖଟ ତଳକୁ ସାପଟି ପରି ।

 

ସାନ ମଝିଆଁ ଝିଅ ବାପାଙ୍କୁ ଦେଖି ବୋଉଙ୍କୁ ଡାକିଲା । ବୋଉର ନିଦ ଭାଙ୍ଗିଯିବାରୁ ବଡ଼ ବିରକ୍ତ ହେଲା ତା ଉପରେ । ସେ କହିଲା ବାପା ଆସିଛନ୍ତି ବୋଲି । ବୋଉ ତାର ନିଦବାଉଳା କଣ୍ଠରେ କହିଲା, “ହଁ ଭାତ ଘୋଡ଼ା ହୋଇଚି । ଖାଇବାକୁ କହ ।” ଝିଅଟି ଉଠିପଡ଼ି ଚାଲିଗଲା ଭାତ ବାଢ଼ିବାକୁ । ସେ ଗଲା ଖଟ ପାଖକୁ ଜାମା ଓହ୍ଲେଇବାକୁ । ତା ସ୍ତ୍ରୀ ସେମିତି ପଡ଼ିଥାଏ ଖଟଉପରେ-। ଏଇ କେଇ ବର୍ଷ ହେବ ସେ ବହୁତ ମୋଟୀ ହୋଇପଡ଼ିଲାଣି । ବେଳେବେଳେ କଳିକଜିଆ କରି ଘର ଫଟାଏ । ବେଳେବେଳେ କାନ୍ଦି କାନ୍ଦି ଚୁପ୍ ହେଇ ରହେ । ପାଞ୍ଚଟି ପିଲାଙ୍କୁ ନେଇ କି ଦୁଃଖ, କି ଦୈନ୍ୟ ଭିତରେ ଅଛି ସେ ଜାଣେ । ଏଭଳି ପରିସ୍ଥିତିରେ ସେ କଣ କରିଥାନ୍ତା ? ହେଡ଼୍‍ମାଷ୍ଟର ବି ବାଧ୍ୟ କଲେ ତାକୁ ଏପରି କରିବା ପାଇଁ । ଏଥିରେ ତାର କେଉଁଠି ଦୋଷ ସେ ଜାଣିପାରୁନି । ତାକୁ କେହି ଟିକେ ବୁଝିବାକୁ ଚେଷ୍ଟା କରୁନି । ଏପରିକି ତା ସ୍ତ୍ରୀ ବି ନୁହେଁ । ବରଂ ସାମାନ୍ୟ କଥାରେ ତାକୁ କହେ, “ତମେ ତ ଗୋଟା ମଲା କାଠ—ତମେ କଣ ବୁଝିବ ?” ସେ ନୀରବରେ ଛିପ ଢୋକି ମୁହଁ ବୁଲାଏ । କ୍ରମେ କ୍ରମେ ତା ସ୍ତ୍ରୀ ପ୍ରତି ବି ତାର ଭୟ ଜାତ ହେଇଗଲାଣି । ତା ସ୍ତ୍ରୀର ଚର୍ବିଳ ପେଟ, ମୋଟା ହାତ, ଗର ଭଳିଆ ଜଂଘକୁ ଦେଖିଲେ ତା ଛାତିରୁ କଣ ଧଡ୍‍କରି ଖସିପଡ଼େ । ଆଖି ଆଗରେ ଝାପ୍ସା ଝାପ୍ସା ହେଇ କଣ ବୁଲିଯାଏ । ସେ ଭୟକରେ ତାର ସ୍ତ୍ରୀକୁ । ତାର ଘରକୁ । ତାର ସ୍କୁଲକୁ । ତାର ପୃଥିବୀକୁ ।

 

ଝିଅ ଆସି ଡାକିଲା ଖାଇବାକୁ । ସେ ଅନୁଭବ କଲା ତାକୁ ଭୀଷଣ ଭୋକ ହେଉଚି । ଶୁଖିଲା ଭାତ, ଥଣ୍ଡା ତରକାରି ଖାଇଗଲା ଏକାଦମ୍‍ରେ । ହାତ ମୁହଁ ଧୋଇ ଫେରିଆସିଲା ପୁଣି ଶୋଇବାଘରକୁ । ଝିଅ ମୁହଁମାଡ଼ି ପଢ଼ୁଥାଏ । ତା ବୋଉ ଉଠି ହାଇ ମାରୁଥାଏ । ଝିଅ ମୁହଁ ଟେକି ଅନେଇଲା । ବାପା ଦେଖିଲା ଝିଅ କଣ ପଚାରିବ ବୋଲି ହଉଚି । କହିଲା, “କଣ କିଲୋ ? କଣ କହୁନୁ ?” ଝିଅ ଛିପ ଢୋକି ପଚାରିଲା, “ବାପା, ମୃତନଦୀ କଣ ?”

 

ମୃତନଦୀ—ମୃତନଦୀ । ବାପାର ମୁଣ୍ଡରେ ମୃତନଦୀ ଶବ୍ଦଟି ଘୂରିଗଲା ଦଣ୍ଡେ । ତା’ପରେ ଥକ୍କା ହେଇ ଠିକ ହେଇଗଲା । ମୃତନଦୀ ସେ ଅନେକ ବର୍ଷ ତଳେ ପିଲାଦିନେ ପଢ଼ିଥିଲା-। ଆଉ ମନ ନାହିଁ କାହାକୁ କହନ୍ତି । ତା ସ୍ତ୍ରୀର ଆଖି ଦିଟା ତା ମୁହଁ ଉପରେ ପଡ଼ିଲା । ଆଖି ଦି’ଟା ତା ମୁହଁରୁ ରକ୍ତ ଶୋଷି ନେଉଥିଲେ । ସେ କୁନ୍ଥେଇ କୁନ୍ଥେଇ କହିଲା, “ମୃତ ଅର୍ଥ ମଲା, ନଦୀ ଅର୍ଥ ନଈ । ମୃତନଦୀ ହେଲା ମଲାନଈ ।” ଝିଅ କିଛି ନବୁଝି ପାରିଲା ଭଳି ଅନେଇଲା-। ତା’ପରେ ବହିପତ୍ର ଧରି ଆର ଘରକୁ ଚାଲିଗଲା ।

 

ତା ସ୍ତ୍ରୀ ବିଡ଼ିବିଡ଼ି ହେଇ ପୁଣି ଶୋଇପଡ଼ିଲା । ଦାଣ୍ଡ କବାଟ ମୁକୁଳା ପଡ଼ିଥାଏ । ସେ ଆସିଲା ବାହାରକୁ । ବାହାରେ ସୁଲୁସୁଲିଆ ପବନ ବହୁଥାଏ । କବାଟ ବାହାରୁ ଆଉଜେଇ ସେ ଗୋଟିଏ ଗୋଟିଏ ହେଇ ଚାଲିଲା ଗାଁ ମୁଣ୍ଡ ଆଡ଼େ । ଗାଁ ମୁଣ୍ଡରେ ବିସ୍ତୀର୍ଣ୍ଣ ବାଲିଶେଯ । ବସିପଡ଼ିଲା ବାଲି ଉପରେ । ଏଇ ବାଲିଶେଯ ଦିନେ ଥିଲା ଏକ ଭୟଙ୍କର ନଦୀର ଗର୍ଭ । ତା ପିଲାଦିନେ ସେ ଦେଖିଛି ଏଇ ନଈର ବଢ଼ି । କି ବିପଜ୍ଜନକ ଭାବରେ ମାଡ଼ିଆସେ ତାଙ୍କ ଗାଁକୁ । ସେମାନେ ଘରଦ୍ୱାର ଛାଡ଼ି ଅନେକ ଥର ପଳାଇଯାଇଛନ୍ତି ଅନ୍ୟ ଗାଁମାନଙ୍କୁ । ତା’ପରେ ସେ ନଈ ହୋଇପଡ଼େ ଶାନ୍ତ ନୀରବ । କି କମନୀୟ ସେ ଦୃଶ୍ୟ ! ଶରତ୍ ଋତୁରେ ଏ ନଈପଠା କି ବର୍ଣ୍ଣିଳ ହେଇଉଠୁଥିଲା । ଖରାଦିନେ ଏ ନଈର ଥଣ୍ଡା ପାଣିରେ ପାହଁରା କି ଆରାମଦାୟକ ।

 

କୁଆଡ଼େ ଗଲା ସେଦିନ । କୁଆଡ଼େ ଗଲା ସେ ନଈର କୁଳୁକୁଳୁ ସଂଗୀତ ! ସେ ସବୁ ଆଜି ଅଲୋଡ଼ା ଇତିହାସ । କେଉଁ ଏକ ନଈ–ବଂଧ ଯୋଜନାରେ ଏ ନଈର ସଂଗୀତ, ତାଣ୍ଡବ ରୂପସଜ୍ଜା ସବୁ ପୋତିହେଇ ପଡ଼ିଚି ତାର ବାଲିଶେଯ ତଳେ । ଉପରେ ଖାଲି ଧୂ–ଧୂ ବାଲି । ନୀରବ ନିଷ୍ଠୁର ବର୍ତ୍ତମାନ ।

 

ସେ ନିଜକୁ ବିଛେଇଦେଲା ବାଲିଶେଯ ଉପରେ । ତା ମନରୁ ଉଭେଇଗଲା ଦୁଃଖ, ଶୋକ, ଆନନ୍ଦ, ବିରକ୍ତି ଇତ୍ୟାଦି ସବୁକିଛି ଭାବ । ତା ଜୀବନର କାହାଣୀ ସେଇ ମୃତନଦୀର ବାଲିଶେଯ ଉପରେ ବୋହିଯିବାକୁ ଲାଗିଲା ।

Image

 

ଶ୍ରୀ କହ୍ନେଇଲାଲ ଦାସ

 

ସୁଖ

 

ଲୋକଟା ଟିକିଏ ଛିଡ଼ାହୋଇପଡ଼ିଲା । ପୁଣି ଆଗେଇଲା । ଏଥର ତାର ମୁହଁ ଦକ୍ଷିଣକୁ-। ଲୋକଟା ଥରେ ଥରେ ନଇଁପଡ଼ି ଭୂଇଁରୁ କିଛି ଖୋଜୁଥିଲା । ଖୋଜି ଖୋଜି ଆଗେଇ ଚାଲିଲା । କିଛିବାଟ ଯାଇ ପଛକୁ ଫେରି ଚାହିଁଲା । ତା’ପରେ ଆଗକୁ । ତା’ପରେ ସାମାନ୍ୟ ବାଁକୁ ମୁହେଁଇଲା-। ତା’ପରେ ଆଉ ଟିକିଏ ବାଁକୁ; ଏଥର ତା ମୁହଁ ସିଧା ପୂର୍ବଆଡ଼େ । ଖୋଜି ଖୋଜି ଚାଲିଲା । ଏତେବଡ଼ ପଡ଼ିଆଟାରେ କଣ ଖୋଜୁଛି ସେ ! ସେ ପୁଣି ସାମାନ୍ୟ ବାଁକୁ ବୁଲିଆସିଲା, ତା’ପରେ ପଛକୁ ଚାହିଁଲା, ଥରେ ଉଦାସ ହୋଇ ଦୂର ଦିଗ୍‍ବଳୟ ଆଡ଼େ ଅନେଇଲା । ପୁଣି ସେଇ ଖୋଜିବା-। ଗୋଟିଏ ଜାଗାରେ ନଇଁପଡ଼ି ଛୁଞ୍ଚିଭଳି ପଦାର୍ଥ ଉଠାଇ ନେଲା; କିନ୍ତୁ ହାତରେ ଧରି ଜାଣିପାରିଲା ସେଇଟା ସେ ଖୋଜୁଥିବା ପଦାର୍ଥ ନୁହେଁ । ପୁଣି ଆଗକୁ, ସାମାନ୍ୟ ବାଁକୁ, ଟିକିଏ ଡାହାଣକୁ, ଥରେ ପଛକୁ, ପୁଣି ଆଗକୁ, ପୁଣି ଆଗକୁ । ଏତେ ବଡ଼ ପଡ଼ିଆଟାରେ ସେ କେଉଁଠି ହଜାଇଦେଲା, ସେ ଜାଣେ, ତାକୁ ଖୋଜିବାକୁ ହିଁ ପଡ଼ିବ; କିନ୍ତୁ କେବେ ସେ ଖୋଜି ପାଇବ ତାର ଈପ୍‍ସିତ ପଦାର୍ଥ ! କିନ୍ତୁ କଣ ସେଇ ପଦାର୍ଥ ତାର ଯାହା ପାଇଁ ସେ ଏଇ ପଡ଼ିଆରେ ଘୂରି ବୁଲୁଛି-?

 

ମୁଁ ଗଛ ଉପରୁ ଚିତ୍କାର କଲି—କ’ଣ ଖୋଜୁଛ ହେ ବାବୁ ?

 

ଲୋକଟି ଉପରକୁ ଚାହିଁଲା । ମୋତେ ଦେଖିପାରିଲା ନାହିଁ । ଆଖି ଉପରେ ହାତଦେଇ ଆକାଶର ଉଜ୍ଜ୍ୱଳତାକୁ ଉହାଡ଼ କରି ମୋତେ ଦେଖିଲା । ଆଶ୍ଚର୍ଯ୍ୟ ହେଲା, ନିଶ୍ଚୟ । ତା’ପରେ ସେମିତି ଖୋଜିବା ମୁଦ୍ରାରେ ଗଛ ତଳକୁ ଆସି ଉପରକୁ ଚାହିଁଲା । ମୁଁ ସେତେବେଳେ ଗଛର ଅଗଡ଼ାଳରେ । ମୁଁ ସେଇଠି ବସି ଅନେକ ଦିନରୁ ପୃଥିବୀର ଦୃଶ୍ୟ ଦେଖୁଛି । ମୋର ଇଚ୍ଛା ବରଂ ସେଇଠି ବସି କେଉଁ ଏକ ବ୍ୟାଧର ତୀରରେ ପରଲୋକ ପ୍ରାପ୍ତହେବି; କିନ୍ତୁ ମୁଁ ତଳେ ପାଦ ଦେବିନାହିଁ । ମୁଁ ଲୋକଟିକୁ ସେଇ ଉପରୁ ଥାଇ ପଚାରିଲି—କ’ଣ ଖୋଜୁଛକି ହେ ? ପଇସା ?

 

ଲୋକଟି କହିଲା—ନା, ମୁଁ ଖୁବ୍ ସାବଧାନୀ । ଘରେ ତାଲା ପକାଇ ଦୁଇଥର ଟାଣି ପରୀକ୍ଷା କରେ । ପକେଟରେ ଗୋଟିଏ ଗୋଟିଏ ପଇସା ହିସାବ କରି ରଖେ । ମୋ ପାଖରୁ ପଇସା ହଜିବାର କୌଣସି କାରଣ ନାହିଁ ।

 

ମୁଁ ପଚାରିଲି—ତା’ ହେଲେ ?

 

ହଠାତ୍ ମୋ କାନ, ଲୋକଟି ଆରମ୍ଭ କଲା, କୁଣ୍ଡାଇ ହେଲା । ମୁଁ ଜାଣେ ଏଇ ପଡ଼ିଆରେ କେଉଁଠି ନା କେଉଁଠି ଗୋଟିଏ ସୁନା ଚଢ଼େଇର ପର ଖସିପଡ଼ିଛି । ସେଇଟା ପାଇଲେ ଏଇ ଗଛମୂଳରେ ବସି ପରଟା କାନରେ ଗେଞ୍ଜି ଝିର ଝିର ହାୱା ଖାଇବି । ମୋତେ ଆଜି ସେଇଟା ଖୋଜି ବାହାର କରିବାକୁ ପଡ଼ିବ ।

 

ମୁଁ ଖୁବ୍ ଜୋରରେ ହସିଲି । ଲୋକଟା ଆଉଥରେ ଆଖିରେ ହାତଦେଇ ଉପରକୁ ଚାହିଁଲା । ପଚାରିଲା—କିହୋ ! ତୁମେ ଗଛ ଅଗରେ ବସି କ’ଣ କରୁଛ ? କ’ଣ ଉପରକୁ ଉଠିବାର ଚେଷ୍ଟା !

 

ମୁଁ କହିଲି—ନାଇଁ, ସେମିତି କିଛି ନୁହେଁ । ଏଇଟା ଗୋଟିଏ ନିଛକ ଦୁର୍ଘଟଣା । ପିଲାଦିନୁ ଶୟନେ–ସ୍ୱପନେ–ଜାଗରଣେ ଏରୋପ୍ଳେନ୍‍ରେ ଉଡ଼ିବୁଲିବା ମୋର ଅଭ୍ୟାସ ଥିଲା । ବେଶ୍ ଉଡ଼ୁଥିଲି ନୀଳ ଆକାଶ ମଝିରେ, ପୁଞ୍ଜା ପଞ୍ଜା ମେଘ ଭିତର ଦେଇ ସୁନ୍ଦର ଉଡ଼ି ବୁଲୁଥିଲି । ତଳେ ଯେ ଗୋଟିଏ ପୃଥିବୀ ଅଛି ସେକଥା ବେମାଲୁମ ଭୁଲି ଯାଇଥିଲି; କିନ୍ତୁ ଦିନେ ହଠାତ୍ ତଳକୁ ଦେଖିବାର ଇଚ୍ଛାହେଲା । ଝର୍କାଦେଇ ତଳକୁ ଚାହିଁଲି । ଦେଖିଲି ଚାରିଆଡ଼େ ଗୋଳମାଳ, ଚାରିଆଡ଼େ ଅଶାନ୍ତି । ଦେଖିଲି ଗୋଟାଏ ଟାକ୍ସି ଡ୍ରାଇଭର ଗୋଟିଏ ଲୋକକୁ ଧକ୍କା ଦେଇ ପଳାଇଲା । ପବ୍ଲିକ ଠେଙ୍ଗେଇଲେ ଆଉ ଗୋଟିଏ ଟାକ୍ସି ଡ୍ରାଇଭରକୁ । ବିପ୍ଳବହେଲା, ଏ ରାସ୍ତାରେ ଆଉରି ବସ୍ ଦର୍କାର । ସେଇ ଦାବିରେ ସେ ରାସ୍ତାରେ ଯାହା ଖଣ୍ଡେ ଅଧେ ବସ୍ ଅଛି ପବ୍ଲିକ ତାକୁ ବି ଭାଙ୍ଗିରୁଜି ଖତମ୍ କରିଦେଲେ । ଏଇ ମନେକର ଠିକ୍ ଟାଇମ୍ରେ ଟ୍ରେନ୍ ଚଳାଇବାକୁ ପଡ଼ିବ, ଏଇ ଦାବିରେ ପବ୍ଲିକ୍ ଟ୍ରେନ୍‍ଟାକୁ ଅଟକାଇ ଦେଲେ । ତା’ ଛଡା଼ କଲେଜରେ ସ୍ଥାନାଭାବ, ପବ୍ଲିକ୍ ଭାଙ୍ଗିପକାଇଲେ କଲେଜ କୋଠା । ଏହିପରି ଚାରିଆଡେ଼ ଲଣ୍ଡଭଣ୍ଡ । ଏଠି ସେଠି ଘେରାଓ, ଧର୍ଷଣ, ଦୁର୍ନୀତି, ନାରୀଙ୍କ ପୌରୁଷପ୍ରାପ୍ତି ଆଉ ପୁରୁଷର ନାରିତ୍ଵ ପ୍ରାପ୍ତିର ମହତ୍ ଇଚ୍ଛା, ଏଣେତେଣେ ଲକ୍ଷ ଲକ୍ଷ କବି, କୋଟି କୋଟି ସାମୟିକ ପତ୍ରିକା, ଅର୍ବୁଦ ଅର୍ବୁଦ ସାହିତ୍ୟ ସଭା, କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ–କୋକେନ–ଏଲ. ଏସ୍. ଡ଼ି. ଏଣେ ତେଣେ ହତ୍ୟା, ଲୁଣ୍ଠନ, ସ୍ମଗଲିଂ, ସି.ଆଇ.ଏ, କେ. ଜି. ବି.,ଗଣତନ୍ତ୍ର ସିନେମାଷ୍ଟାର ନେତା, ଟାଉଟର ଭାଇର୍‍ସ, ମେକ୍‍ସି, ଲୁଙ୍ଗି, ଭ୍ରୂଣହତ୍ୟା, ନିରୋଧ, ସ୍ଳିଫିପିଲ, ଭେଜାଲ, ଭେଜାଲ୍, ଭେଜାଲ । ମୋ ଏରୋପ୍ଳାନ୍‍ଟାରେ ଯେମିତି ନିଶା ଧରିଲା । ଟଳମଟଳ ହେଲା । ବୁଝିପାରିଲି ଆଉ ଆଗକୁ ଯିବା ଅସମ୍ଭବ । ପାରାଚୁଟ ବାନ୍ଧି ପୃଥିବୀକୁ ଡେଇଁଲି; କିନ୍ତୁ ଭୂଇଁରେ ପାଦ ଦେଇ ପାରିଲି ନାହିଁ । ଏଇ ଗଛ ଉପରେ ଲାଖିଗଲି । ଏଇଠି ଦେଖୁଛି ପୃଥିବୀର ଦୃଶ୍ୟ । ଦେଖୁଛି ସବୁ ଲଣ୍ଡ ଭଣ୍ଡ ଭିତରେ ବି ପୃଥିବୀ ଘୂରିଚାଲିଛି । ଦିନ ପରେ ଦିନ ବହିଯାଉଛି ଅନନ୍ତ ଆକାଶରେ । ସୂର୍ଯ୍ୟର ଉଜ୍ଜ୍ଵଳତା କମି ଆସୁଛି । ଚନ୍ଦ୍ର ସାନ ହୋଇ ବାଲିଗରଡ଼ା ହୋଇଆସୁଛି । ମଣିଷ ପୁଣି ବିବର୍ତ୍ତନରେ ଅନ୍ୟ ଏକ ପ୍ରାଣୀ ହୋଇଉଠୁଛି ।

 

ଲୋକଟି କିନ୍ତୁ ମୋ କଥା ନ ଶୁଣି ଖୋଜିବା ଆରମ୍ଭ କରିଦେଲା । ସେ ବୋଧହୁଏ ମନେ ମନେ କହିଲା—କ’ଣ ମିଳିବ ମୋତେ ଏ ସବୁ ତତ୍ତ୍ଵରୁ । ସୁନା ଚଢ଼େଇର ପର ମୁଁ ଖୋଜୁଛି-। ଛୁଞ୍ଚିଭଳି ପର ଗୋଟାଏ । କାନ ଭିତରଟା ସର୍ ସର୍ କଲାଣି ।

 

ହଠାତ୍ ମୋ କାନ ଭିତରଟା କେମିତି ସର୍ ସର୍ ହେଲା; ପିମ୍ପୁଡ଼ି ପଶି ଗଲାକି ଭିତରେ-। ମୁଁ ଗୋଟିଏ କାଠି ଭାଙ୍ଗି ଆଣିଲି । ଖୁବ୍ ସନ୍ତର୍ପଣରେ ଭିତରେ ପୂରାଇ ଦେଲି । କେମିତି ଏକ ଯୋଗମୁଦ୍ରାରେ ମୋ ଆଖି ଅର୍ଦ୍ଧ ନିମିଳିତ ହୋଇଆସିଲା । ସାରା ଦେହରେ କେମିତି ଏକ ମଧୁର ଶୀତ୍କାର । ପୃଥିବୀର ସବୁ କୋଳାହଳ ଲଣ୍ଡଭଣ୍ଡଠାରୁ ମୁଁ କ୍ରମେ ଅଲଗା ହୋଇଗଲି । କାଠିଟା କାନ ଭିତରେ ଘୂରି ବୁଲିଲା । ସଙ୍ଗମର ଚରମ ମୁହୂର୍ତ୍ତରେ ତନ୍ମୟତା ନେଇ ମୁଁ କେବଳ ମୋ ସ୍ନାୟୁରେ ଅପୂର୍ବ ରୋମାଞ୍ଚ ଅନୁଭବ କଲି ।

 

ତଳକୁ ଚାହିଁ ଦେଖିଲି ଲୋକଟା ଅବିରାମ ଖୋଜି ଚାଲିଛି ସେଇ ସୁନାପର । ମୁଁ ସ୍ଥିରକଲି ମୋତେ ଆହୁରି ତଳକୁ ଓହ୍ଲାଇବାକୁ ପଡ଼ିବ । ପଡ଼ିଆ ଉପରକୁ ଓହ୍ଲାଇଯିବାକୁ ପଡ଼ିବ । ମୁଁ ବି ଖୋଜିବି ସେଇ ସୁନାପର । ଜାଣେ ପୃଥିବୀର ଅଶାନ୍ତି ଆହୁରି ବଢ଼ିଯିବ । ସୂର୍ଯ୍ୟ ଶୀତଳ ହେବ, ଚନ୍ଦ୍ର ହେବ ବାଲିଗରଡ଼ା, ପୃଥିବୀ ସେମିତି ଅବିରାମ ଗତିରେ ମହାଶୂନ୍ୟରେ ଘୂରିବୁଲିବ; କିନ୍ତୁ ମୁଁ କେବଳ ନୁହେଁ, କେବଳ ମଣିଷ ନୁହେଁ, ଏ ବିଶ୍ଵ ଚରାଚରର ସମସ୍ତ ପ୍ରାଣୀ ସେଇ କାନ କଣ୍ଡାଇବା ପରେ ଖୋଜିବେ, ଖୋଜି ବୁଲିବେ । ସେଇ ଛୁଞ୍ଚି ଭଳି ସୁନାପର ଯାହା ଆଗରେ ଅଛି ଛୁଞ୍ଚି ଭଳି ସୂକ୍ଷ୍ମ, ଖୁବ୍ ସୂକ୍ଷ୍ମ ଟିକିଏ ସୁଖ ।

Image

 

ଶ୍ରୀ ଅକ୍ଷୟ ମହାନ୍ତି

 

Unknown

ଶବ୍ଦ

 

କେଉଁ ମାନଧାତା, କେଉଁ ବେକାରୀ, କେଉଁ ଗଙ୍ଗ, କେଉଁ ରାଓ ଅମଳରୁ ଆମ ଗଳିକୁ ଯେ ମ୍ୟୁନିସିପାଲିଟିର ଶୁଭ ଦୃଷ୍ଟି ପଡ଼ିନି ତା କହି ହେବନାହିଁ । ଆମ ସାହି ଲୋକେ ମଧ୍ୟ ସେଥିପାଇଁ ବ୍ୟସ୍ତ ନୁହଁନ୍ତି । ମଇଳା ପଙ୍କ, ପଥର, କାଠିକୁଟା, ପଶୁପକ୍ଷୀଙ୍କ ମଳ ପଡ଼ି ପଡ଼ି ଗଳିଟା ଧୀରେ ଧୀରେ ସଂକୁଚିତ ହୋଇ ଚଲାବାଟ ରୂପ ନେଲାଣି । ତଥାପି ଆମର ହୋସ୍ ନାହିଁ । ବେଳେବେଳେ ଅକାଳେ ସକାଳେ ମଟରଗାଡ଼ି ଗୋଟେ ଆସିଲେ ଗଳିରେ ବଡ଼ ମଜା ହୁଏ । ଘରର ବୁଢ଼ା ବୁଢ଼ୀ, ସ୍ୱାମୀ ସ୍ତ୍ରୀ ସମସ୍ତେ ମଟର ଦେଖିବାକୁ ବାହାରି ଆସନ୍ତି, ଆଉ ସାହିର ଯେତେ ଛୁଆ ମଟର ପଛରେ ଚିଲେଇ ଚିଲେଇ ଦଉଡ଼ୁଥାନ୍ତି । ମଟରଟା ଗଳି ଭିତର ଦେଇ ଯିବା ଆମପାଇଁ ଗୋଟେ ଉତ୍ସବ । ଆମ ଗଳିର ଗାଈ, କୁକୁର, ଷଣ୍ଢ ସମସ୍ତଙ୍କ ଉପରେ ଗୋଟିଏ ଗୋଟିଏ ପୃଥକ ଗଳ୍ପ ଲେଖିହେବ; କିନ୍ତୁ ଆପାତତଃ ଆମ ଗଳିର ସବୁଠୁ ଦୁର୍ଦ୍ଧର୍ଷ ଦୁର୍ଦ୍ଦାନ୍ତ ସଦସ୍ୟ ଏକ କୁକୁର ଯାହାର ନାଁ କାଳିଆ, ତା’ ବିଷୟରେ ଲେଖୁଛି ।

 

ଆମ ଗଳିରେ ଚୋରି ହୁଏ—ଦିନ ଦି’ପହରେ; କାରଣ ରାତିସାରା ଲୋକମାନେ ଅନିଦ୍ରା ରୁହନ୍ତି । ଅଧିକାଂଶ ବଣିଆ, ତେଣୁ ରାତିସାରା ସେଇ ଠୁକ୍‍ଠାକ୍ ଶବ୍ଦ । ପୁଣି ଘରଗୁଡ଼ାକ ଏମିତ ଲଗାଲଗି ଯେ ଯଦି ଚୋରଟା ପଶିଚି ବୋଲି ଜଣାଗଲା ଓ ଲୋକ ତାକୁ ଗୋଡ଼ାନ୍ତି, ସେ ବାହାରକୁ ମଧ୍ୟ ବାହାରି ପାରିବନି । ତେଣୁ ଆମ ସାହିରେ ଯାହା ଚୋରି ହୁଏ, ତାହା ଦିନ ଦିପହରେ ଏବଂ ଦାଣ୍ଡ ଦୁଆର ବାଟେ । ତେଣୁ କାଳିଆ କୁକୁରର ରାତି ପହରା ଦେବା ଅନାବଶ୍ୟକ-

 

କାଳିଆ କୁକୁର ଏକ ଅଣ୍ତିରା କୁକୁର ଏବଂ କେବଳ ତାର କାମ ଏ ଘରୁ ସେ ଘରୁ ଆହାର ସଂଗ୍ରହ କରିବା—ଯେଉଁଦିନ ଯେଉଁଠି ଇଚ୍ଛାହେଲା ସେଇଠି ବାରଣ୍ଡାରେ ଶୋଇବା, ଅନ୍ୟାନ୍ୟ କୁକୁରଙ୍କ ସହିତ କଳି କଜିଆ କରିବା । ଅଯଥା ରାତିରେ ଭୁକିହେବା, ସାହିକୁ ସାପୁଆ କେଳା କି ମାଙ୍କଡ଼ ନାଚବାଲା ଆସିଲେ ଭୀଷଣ ଭାବରେ ଭୁକିବା, ଏହିପରି ଅନେକ । ମୋଟଉପରେ କାଳିଆ ଗଳିରେ ଅଛି; କିନ୍ତୁ ବିଶେଷ ଗୋଟାଏ ବଡ଼ ଚରିତ୍ର ନୁହେଁ କେବଳ ଜଣକ କଥା ଛାଡ଼ିଦେଲେ । ଆର ସାହିର ଫାଣ୍ଡିରୁ ଠିକ୍ ରାତିବେଳେ ରାଧୁ ଦଳେଇ କନେଷ୍ଟବଳ ରାତି ପହରାରେ ଯେତେବେଳେ ଆସେ, ସେତେବେଳେ ସମସ୍ତେ ଜାଣିପାରନ୍ତି ଯେ ବର୍ତ୍ତମାନ ରାତି ୧୨ଟା ବାଜିଲା । କାରଣ ରାଧୁ ଦଳେଇର ଜୋତା ଆବାଜ ହେବା ସଙ୍ଗେ ସଙ୍ଗେ କାଳିଆ ଭୁକି ଉଠେ । କାଳିଆ ଭୁକା ଶୁଣି ପାଖ ଗଳିର କୁକୁରମାନେ ଭୁକି ଉଠନ୍ତି । କାହା କାହା ଘରର ପୋଷା କୁକୁର ମଧ୍ୟ ଘରଭିତରୁ ଜବାବ ଦିଅନ୍ତି । ଏହିପରି ଗଳିରୁ ଗଳିକୁ ଅତିକ୍ରମ କରି କୁକୁର ଭୁକା ସହର ସାରା ବ୍ୟାପିଯାଇ ଘୋଷଣା କରେ ଫାଣ୍ଡିରୁ ବର୍ତ୍ତମାନ ରାଧୁ ଦଳେଇ ରାତି ପହରରେ ବାହାରିଲେ ।

 

ରାଧୁ ଦଳେଇ ମଧ୍ୟ ପ୍ରତି ରାତିରେ ଅଭ୍ୟାସବଶତଃ ତା’ ଲାଠିଟାକୁ ଇଲେକ୍‍ଟ୍ରିକ୍ ଖୁମ୍ବମାନଙ୍କରେ ବାଡ଼େଇ ଆସେ । ମୁହଁରେ ତା’ର ଗୋଟେ କଥା “ଶଳା ହାରାମୀ କୁକୁର—ଚୋରକୁ ଦେଖି ଭୁକିବନି—ପୋଲିସ୍‍କୁ ଦେଖି ଭୁକୁଛି ।” ରାଧୁଦଳେଇର କଥା ଶୁଣିଲେ କାଳିଆ ଆହୁରି ନିଶ୍ଚିତ ହୋଇଯାଏ । ଯେ ତା’ ଶତ୍ରୁ ବର୍ତ୍ତମାନ ଗଳିରେ ଉପସ୍ଥିତ । ସେ ଆହୁରି ଜୋରରେ ଭୁକି ଉଠେ । ତା’ପରେ ସାହିର ଗୋଟେ ଦିଟା ଟୋକା ଯେଉଁମାନେ ରାସ୍ତାର ବିଜୁଳି ଆଲୁଅ ତଳେ ତାସ୍ ଖେଳୁଥାନ୍ତି ଗୋଟେ ଦିଟା ବୋଲୁଅ ଫୋପାଡ଼ନ୍ତି । କାଳିଆ ଭୁକି ଭୁକି କାହାଘର କଡ଼ ଦେଇ କାହା ବାଡ଼ିଦେଇ ଅନ୍ୟ ଏକ ସାହିକୁ ଚାଲିଯାଏ ଓ ରାଧୁ ଦଳେଇ ସେ ଗଳିରୁ ବାହାରି ନ ଯିବା ଯାଏଁ ଭୁକୁଥାଏ । ରାଧୁ ଦଳେଇ ଚାଲିଗଲେ କାଳିଆ ଚୁପ୍; କିନ୍ତୁ ଆଶ୍ଚର୍ଯ୍ୟ ଏଇ ଯେ, ସକାଳେ ଯେତେବେଳେ ରାଧୁଦଳେଇ ଡ୍ୟୁଟି ଦବା ନାଆଁରେ ସାରା ରାତି ଶୋଇ ନିଦ ମଳ ମଳ ଆଖିରେ ଫେରିଆସେ ପୁଣି ଆମ ଗଳି ଦେଇ, ସେତେବେଳେ କାଳିଆ ମୁହଁ ଟେକି ମଧ୍ୟ ଚାହେଁନା ।

 

ଦିନେ ଦିନେ ରାଧୁଦଳେଇ ତା’ ଠେଙ୍ଗାଟା ବତିଖୁଣ୍ଟରେ ପିଟିଦେଇ କାଳିଆକୁ ଚମକାଇ ଦିଏ । କୁହେ “ଶଳା ରାତିରେ ଚିହ୍ନୁଛୁ—ଦିନରେ ଚିହ୍ନନୁ ।”

 

ତା’ପରେ ଦେଖ କାଳିଆକୁ । କାଳିଆ ଆରମ୍ଭ କରେ ଭୁକିବା । ଏଥର କିନ୍ତୁ ଛାନିଆରେ ଦଉଡ଼ୁଥାଏ ଆଉ ଭୁକୁଥାଏ । ବେଶ୍ ମଜା ଲାଗେ ଏଇ ଦୃଶ୍ୟଟା । ଆଉ ବୋର୍ ବି ଲାଗେ; କାରଣ ଏଇ ଦୃଶ୍ୟ ଆମେ କେଜାଣି କେତେ ବର୍ଷ ହେଲା ଦେଖିଆସୁଛୁ ।

 

ଖରା ବର୍ଷା ଶୀତ କାକର ସବୁଦିନେ ଏ ନାଟକ ଚାଲିଥାଏ । ଧୀରେ ଧୀରେ ଏ ଦୃଶ୍ୟ ଦେଖିବାକୁ କାହାର ମଧ୍ୟ ଆଉ ସ୍ପୃହା ରହିଲାନି; କିନ୍ତୁ ହଠାତ୍ ବେଳେ ବେଳେ ଅନୁଭବ କରୁ ଯେ, କାଳିଆ ବଞ୍ଚିଛି ଓ ରାଧୁ ଦଳେଇ ମଧ୍ୟ ବଞ୍ଚିଛି ।

 

ରାଧୁ ଦଳେଇ ଏ ଫାଣ୍ଡିରେ ଏବେ ବି ଅଛି । କେଉଁଠିକି ବଦଳି ହୋଇ ଯାଇନି । ଦିନେ ରାଧୁ ଦଳେଇର ଦେହ ବୋଧହୁଏ ଖରାପ ଥିଲା । ତା ପରିବର୍ତ୍ତେ ଆଉ ଜଣେ ସିପାହୀ ରାତି ଡିଉଟିରେ ଆସିଲା । ତା’ ଜୋତା ଶବ୍ଦ ଶୁଣି କାଳିଆ ଅଭ୍ୟାସବଶତଃ ଭୁକିଦେଲା; କିନ୍ତୁ ଅଳ୍ପ ସମୟ ପରେ ବୁଝିପାରିଲା ଏ ଲୋକ ଆଉ ଜଣେ । ତେଣୁ ଭୁକା ବନ୍ଦ କରି ନିର୍ବିଘ୍ନରେ ବାରଣ୍ଡାରେ ଶୋଇପଡ଼ିଲା । ମୁଁ ଏ ଘଟଣା ଦେଖି ଭାବିଲି, ବୋଧହୁଏ ରାଧୁ ଦଳେଇ କେବେ କାଳିଆକୁ ଗୋଟେ ପାହାର ପକେଇଛି । ଆଉ ସେଇ ରାଗରେ କାଳିଆ କେବଳ ରାଧୁ ଦଳେଇକୁ ଦେଖିଲେ ଭୁକେ । ମୁଁ ମଧ୍ୟ ଦିନେ ରାଧୁକୁ ପଚାରିଲି, ସେ କହିଲା ଯେ କାଳିଆ ତା ଦଶହାତ ପାଖକୁ ମଧ୍ୟ ଆସିନି । ସବୁବେଳେ ଦୂରରୁ ଭୁକେ । ରାଧୁ ଦଳେଇ ଛୁଟିରେ ଯାଏ ପୁଣି ଆସେ । କାଳିଆର ଭୁକା କିଛିଦିନ ପାଇଁ ବନ୍ଦ ହୁଏ, ପୁଣି ଆରମ୍ଭ ହୁଏ ।

 

ସେଦିନ ରାତିରେ ମୁଁ ଶୋଇନାହିଁ । ଦୂରରୁ ଶୁଭିଲା ରାଧୁ ଦଳେଇର ଜୋତା ମଚ୍ ମଚ୍-। ପରେ ପରେ ଠନ୍ କରି ଗୋଟେ ଆୱଜା । ରାଧୁ ଦଳେଇ ଠେଙ୍ଗାରେ ଗୋଟେ ପାହାର ଇଲେକ୍‍ଟ୍ରି ଖୁଣ୍ଟରେ; କିନ୍ତୁ ସାହିସାରା ଚୁପ୍‍ଚାପ୍ । କାଳିଆ ନାହିଁ ବୋଧହୁଏ । ପ୍ରେମ ଅନ୍ୱେଷଣରେ ହୁଏତ ଆଜି କାଳିଆ ଅନ୍ୟ ସାହିକୁ ଚାଲିଯାଇଛି । ଆଜି ରାଧୁ ଦଳେଇର ଜୋତା ଶଦ୍ଦ ଖୁବ୍ ଆସ୍ତେ-। ଯେମିତି ସେ ଧୀରେ ଧୀରେ ଚାଲୁଛି, ଯେମିତି ସେ କାହାକୁ ଖୋଜୁଛି !

 

ପାଦ ଶଦ୍ଦ ଆସି ମୋର ଘର ପାଖେ ହଠାତ୍ ଅଟକିଗଲା । ଚାଲୁଥିବା ଘଡ଼ିଟା ବନ୍ଦ ହୋଇଗଲେ ଯେମିତି କୋଠରିଟା ଗୋଟେ ଅସ୍ଵସ୍ତି କର ନିସ୍ତବ୍ଧତାରେ ଭରିଉଠେ, ଠିକ୍ ସେମିତି ଲାଗିଲା । ମୁଁ ଅପେକ୍ଷା କରି ରହିଥାଏ, ପୁନଶ୍ଚ କୌଣସି ଶବ୍ଦକୁ । ଆଜି ହୁଏତ କାଳିଆ ଏକ ନୂତନ ପ୍ରକାରର ଆକ୍ରମଣ କରିବାକୁ ପ୍ରତିଶ୍ରୁତି ଦେଇଛି । ହୁଏତ କେଉଁ ଅନ୍ଧାରିଆ ବାରଣ୍ଡା ଉପରୁ ସିଧା ଡେଇଁପଡ଼ିବ ରାଧୁ ଦଳେଇର କାନ୍ଧ ଉପରକୁ ଓ ତା’ ପରେ ତା’ ତୋଟିରେ ଦାନ୍ତ ଗଳେଇଦେଇ ରକ୍ତ ପିଇଦେବ । ଅସମ୍ଭବ ନୁହେଁ । ଆଜିକାଲି କାଳିଆ ରକ୍ତମୁହା ହୋଇଗଲାଣି । ଗଳି ଭିତରେ ଯଥେଷ୍ଟ ପରିମାଣରେ ଅଇଣ୍ଠା କଣ୍ଟା ମିଳୁ ନଥିବା ହେତୁ କାଳିଆ ଆଜିକାଲି ଅଧମାଇଲିଏ ଦୂରରେ ଥିବା ଗୋରୁ କିଲ୍‍ଖାନାକୁ ଯାଉଛି ଗୋରୁରକ୍ତ ପିଇବା ପାଇଁ । ଆଜିକାଲି କାଳିଆ ଭୀଷଣ କଦାକାର ଦେଖାଯାଉଛି । ସବୁବେଳେ ଦେହରେ ମୁହଁରେ ରକ୍ତର ଦାଗ । ମୁଁ ନିରବତା ଭିତରେ ମୋର ଛାତିର ସ୍ପନ୍ଦନ ମଧ୍ୟ ଶୁଣିପାରୁଛି । ବର୍ତ୍ତମାନ କ’ଣ ହେବ ! ରାଧୁ ଦଲେଇର ଜୀବନ ବର୍ତ୍ତମାନ ନିଶ୍ଚିତରେ ବିପନ୍ନ ଅବସ୍ଥାରେ ।

 

ରାସ୍ତା ଉପରେ ଅସ୍ପଷ୍ଟ ଶବ୍ଦ । କେମିତି ଗୋଟାଏ ଛଟପଟ ହେବାର ଶବ୍ଦ । ତାପରେ ରାଧୁ ଦଳେଇର ପାଦ ଶବ୍ଦ । ଫେରିଯାଉଚି ଫାଣ୍ଡି ଆଡ଼କୁ, ପୁଣି ଫେରିଆସିଲା ମୋ ଘର ଆଡ଼କୁ-। ରାଧୁ କ’ଣ କୌଣସି ଚୋରକୁ ଦେଖିଛି କି ? ମୁଁ ଆସ୍ତେ ଆସ୍ତେ ମୋ ଝରକା ଖୋଲିଲି ।

 

ରାସ୍ତା କଡ଼ରେ ଅନ୍ୟ ଲୋକର ଘର ବାରଣ୍ଡା । ଏକେବାରେ ଶୂନ୍‍ଶାନ୍ । ଅଳ୍ପ ଦୂରରେ ବିଜୁଳିବତି । ଅଳ୍ପ ଅଳ୍ପ ଆଲୋକରେ ବାରଣ୍ଡାଟା ବେଶ୍ ପରିଷ୍କାର ଦିଶୁଛି । ସେଠି ଅଛନ୍ତି ଦୁଇଟି ଜୀବ । କାଳିଆ ଶୋଇଛି ଓ ତା’ ମୁଣ୍ଡ ଉପରେ ବସିଛି ରାଧୁ ଦଳେଇ । ହାତରେ ତାର ଗୋଟେ ସଢେ଼ଇ । ଆସ୍ତେ ଆସ୍ତେ ପାଣି ଦଉଛି ତା’ ପାଟିରେ । କାଳିଆ ଯନ୍ତ୍ରଣାରେ କୁନ୍ଥେଇ ଉଠୁଛି । ମୁଁ ଆଉ ସମ୍ଭାଳି ପାରିଲିନି, ପଚାରିଲି :

 

“କ’ଣ ହେଲା କି ?”

 

ରାଧୁ ମୋ ଝରକା ଆଡ଼କୁ ଅନାଇଲା—କିନ୍ତୁ ମତେ ଦେଖି ପାରିଲାନି । ମୋ ଘର ଅନ୍ଧାର ଥିଲା । ମୋ ଆଡ଼କୁ ଚାହିଁ କହିଲା—

 

“କୁକୁରଟା ଉପରେ ବୋଧହୁଏ ମଟର କି ଶଗଡ଼ କ’ଣ ଚାଲିଯାଇଛି । ମରିବ ମରିବ ହଉଛି ।”

 

“ଯା ହେଉ ଆଉ ତୁମକୁ ହଇରାଣ କରିବନି ।” ରାଧୁ କିଛି ଜବାବ ଦେଲାନହିଁ । ମନେ ହେଉଥିଲା ହାଇରାଣଟା ଯେମିତ ସେ ଚାହୁଁଥିଲା । ଏଇ ହଇରାଣଟା ଯେମିତି ତା ଚାକିରିର, ତା ଜୀବନର ସ୍ଵାଦ । ରାଧୁ କୁକୁର ମୁହଁରେ ପାଣି ଦଉ ଦଉ କହୁଥିଲା—

 

“ନେ ଶଳା । ମୋରି ହାତରୁ ପାଣି ପିଇବାର ଥିଲା ।” କାଳିଆ ମରିବା ପୂର୍ବରୁ ଥରେ ମୁଣ୍ଡ ଉଠେଇଲା ଓ ରାଧୁ ଦଳେଇକୁ ଚିହ୍ନି ଗୋଟେ ଦୁର୍ବଳ ଭୁକା ଭୁକିଲା । ମାତ୍ର ଥରେ । ତା ପରେ ରାଧୁ କହୁଛି—

 

“ଚୁପ୍ ଚୁପ୍—ପାଣି ପି ପାଣି ପି ।”

 

କାଳିଆ ପ୍ରଭୁଭକ୍ତପରି ଲାଞ୍ଜ ଦୁଇ ଚାରି ଥର ହଲାଇଲା ଓ ତା ପରେ ପଥର ହୋଇଗଲା । ରାଧୁ ଦଳେଇ କାନ୍ଦିବାକୁ ଆରମ୍ଭ କଲା । ଯେମିତି ସେ ଗୋଟାଏ ସନ୍ତାନ ହରାଇଛି ! ମୁଁ କବାଟ ଖୋଲି ଯାଇ ତାକୁ ବୁଝେଇବା ପୂର୍ବରୁ ରାଧୁ ଦଳେଇ ଚାଲିଥିଲା ଫାଣ୍ଡି ଆଡ଼େ ।

 

ସେ ଦିନଠୁ ରାଧୁ ଦଳେଇର ଜୋତା ମଚମଚ ଆମ ଗଳିରେ ଆଉ ଶୁଭିନି । ଖବର ନେବାରେ ଜଣାଗଲା ରାଧୁ ଦଳେଇ ଇନ୍‍ସ୍‍ପେକ୍ଟରଙ୍କୁ ଅନୁନୟ କରି ଅନ୍ୟ ଫାଣ୍ଡିକୁ ବଦଳି ହୋଇଗଲା ।

Image

 

ଶ୍ରୀମତୀ ଯଶୋଧାରା ମିଶ୍ର

 

ଜହ୍ନରାତି

 

ମଞ୍ଜୁଶ୍ରୀ ଅତି ସରାଗରେ, ପ୍ରାଣ-ସଖୀ ପରି ବିଶ୍ଵାସରେ, ସ୍ଵାମୀ ଆଗରେ ନିଜ ବିବାହ-ପୂର୍ବ ଜୀବନର ପ୍ରେମ କାହାଣୀ ଶୁଣାଇ ବସିବା ଘଟଣା ଏ ପ୍ରଥମ ନୁହେଁ । ପ୍ରତିଥର ତାର ସବୁ ସାବଧାନତା ସତ୍ତ୍ୱେ ଏମିତି ହିଁ ଘଟେ । ଏମିତି ସୁନିଶ୍ଚିତ ମପାଚୁପା ପାଦରେ ଅଘଟଣଟି ଆସେ ଯେ ପ୍ରତି ପଦକ୍ଷେପରେ ଅବାଞ୍ଛିତ କଥାଟିଏ ଘଟୁଛି ବୋଲି ବୁଝି ବି ମଞ୍ଜୁଶ୍ରୀ କିଛି ହିଁ ପ୍ରତିକାର କରିପାରେନାହିଁ । ପ୍ରତିରୋଧ କରିବାର ଅଭିଜ୍ଞ ମନ ଆଉ ଇଚ୍ଛାଶକ୍ତି ମଧ୍ୟ, ତାର କୁଆଡ଼େ ହଜିଯାଇଥାଏ । ଅକାତରରେ ସେ ଦେଇଦିଏ, ଯେତିକି ଅବଦାନ ତାର ଘଟଣାଟିକୁ ଦିଆଯିବା କଥା ।

 

ଆଜି ପୁଣି ଲମ୍ବା ସମୟ କଟୁ ନ ଥିବା ଦି’ପହରଟାରେ କୁନିଝିଅର ଜାମାରେ ଫୁଲ ପକାଉ ପକାଉ ମଞ୍ଜୁଶ୍ରୀ ଅନେକବେଳୁ ସେଇକଥାଟାକୁ ଭାବି ହେଉଥାଏ । ଥଣ୍ଡା ମନରେ ଆପଣାକୁ ସତେ କି ବୁଝିବାଲାଗି ଚେଷ୍ଟା କରୁଥାଏ । ଆଉ ଫନ୍ଦି ହେଇ ଯାଇଥିବା ମେଞ୍ଚାଏ ସୂତାକୁ ସିଧା କରିବାକୁ ଚେଷ୍ଟାକଲାଭଳି ମନେପକଉଥାଏ—ତା’ପରେ ଠିକ୍ କୋଉ କୋଉ ଗଳି ବାଟେ କଥା ବୁଲି, କୋଉ ମୋଡ଼ ବାଙ୍କ ଖାଇ, ଶେଷରେ ନିଷିଦ୍ଧ ବିଷୟଠୁଁ ଲାଗିଲା କେଜାଣି ?

 

ଗତକାଲିର କଥା—ଅଧରାତି ହେବ, ଝିଅର ମୁତକନ୍ଥା ବଦଳେଇବାକୁ ମଞ୍ଜୁଶ୍ରୀ ଉଠିଥିଲା । ନିଦ ମଳମଳ ଆଖିରେ ଦେଖିଲା ବେଳକୁ ଶେଯସାରା ଜହ୍ନ ପଡ଼ିଚି । ଗତ ସନ୍ଧ୍ୟାରେ ପବନ ଆସିବବୋଲି ଝର୍କା ପର୍ଦ୍ଦା ଟେକି ରେଲିଂ ଦେହରେ ଗୁଞ୍ଜି ଦିଆଯାଇଥିଲା, ଏ ଯାଏଁ ସେମିତି ଟେକାହୋଇ ରହିଚି । ଖୋଲା ଝର୍କା ଦେଇ ଆକାଶ ଦିଶୁଥାଏ । ସେଥିରେ ଜହ୍ନ, ମେଘ ଓ ରାସ୍ତା ଆର ପାଖ ଲମ୍ବା ଇଉକାଲିପଟ୍‍ସ୍‍ ଗଛଟା—ସତେ କି ତା କଲେଜ ଡ୍ରାମାରେ ପ୍ରେମ-ସିନ୍‍ର ବ୍ୟାକ୍‍ଡ଼୍ରପ୍ ।

 

ବାସ୍ ସେତିକି । ସେଇ ମନେପକେଇ ଦେଉଥିବା ଦୃଶ୍ୟଟା ତାକୁ କଥା କୁହେଇବାକୁ ଏଡ଼େ ଅସ୍ତବ୍ୟସ୍ତ କରିପକେଇଲା ଯେ, ସେ ଭୁଲିଗଲା ଆଜି ରବିବାରଟାରେ ମାଂସ ତରକାରି ତଳି ଲାଗିଯାଇଥିବାର ଲାଜ କଥା; ପାଖ ଖଟରେ ନିଦରେ ବିଳିବିଳଉଥିବା ପୁଅକୁ କାଲି ସକାଳ ସାଢ଼େ ସାତଟାରେ ରେଡ଼ି କରି ଟାଇ–ଜୋତା–ବାକ୍ସ–ଟିଫିନ୍ ଡବା ସହିତ ସ୍କୁଲ୍ ବସ୍‍ରେ ବସାଇବାକୁ ଥିବା କଥା; ଏମିତିକି ପାଖରେ ଶୋଇଥିବା ବିଜୟର ଏଇ ପାଞ୍ଚବର୍ଷ ଭିତରେ ଟିକିଏ ମୋଟେଇ ଯାଇ ବେଶି ଦମ୍ଭିଲା ଦିଶୁଥିବା ଚେହେରା କଥା ।

 

ତେଣୁ ସେ କିଛି ଦିଶୁ ନ ଥିବା ଅନ୍ଧାର କୋଠରିଟିର ପାଖରେ ଶୋଇଥିବା ସଙ୍ଗୀଟିର ଦେହ ପାଖକୁ ଲାଗି ଆଉଜି ବସିଲା, ଆଉ ତା କାନ ବେକମୂଳେ ଆଙ୍ଗୁଠି ସଲସଲ କରି ତାକୁ ନିଦରୁ ଉଠେଇଲା । ତା’ ଇଚ୍ଛାମତେ କଡ଼ ଲେଉଟାଇ ତାଆରି ଆଡ଼କୁ ମୁହଁ କରିଥିବା ବିଜୟକୁ କହିଲା—କେଡ଼େ ନିଦରେ ଶୋଇଚ ମ ? କେତେ ଜହ୍ନ ପଡ଼ିଚି ଦେଖିଲଣି ?

 

ତା’ପରେ ବିଜୟର ନିଦ ଭାଙ୍ଗିବାକୁ ଓ କ୍ରମେ ଦୁହେଁ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରିବାକୁ ବେଶି ଡେରି ଲାଗିନଥିଲା । ମଞ୍ଜୁ କହି ଆଶ୍ଚର୍ଯ୍ୟ ହେଉଥିଲା କେମିତି ତା ସାଙ୍ଗ ଝିଅଦଳଟା ଜହ୍ନରାତିରେ ଛାତ ଉପରେ ଗୀତ ଗାଇଗାଇ ରାତି ପାହାନ୍ତା କରିଦିଅନ୍ତି । ଆଉ ବିଜୟ କହିଲା ପଡ଼ିଆରେ ଟୋକାଦଳଙ୍କ ସାଙ୍ଗେ ସାରାରାତି ଗୁଲି ଗପ କଥା, ଅଧରାତିରେ କ୍ୟାମ୍ପସ୍‍ର ରାସ୍ତା ରାସ୍ତା ବୁଲି ଝିଅଙ୍କ ବିଷୟରେ ଆଲୋଚନା କଥା । ଆଉ ଶେଷରେ ନିଦୁଆ ଗଳାରେ ଯୋଡ଼ିଲା—ଆଃ, ସେତେବେଳେ ପାଖେ ଟୋକାଦଳଟା ନ ଥାଇ ଯଦି ତମେ ଥାଆନ୍ତ ନା ମଞ୍ଜୁ !

 

ମଞ୍ଜୁଶ୍ରୀ ଜାଣିଶୁଣି ଫୁଲେଇ ଗଳାରେ କହିଲା—କାଇଁ, ମୁଁ ପାଖକୁ ଆସିଗଲା ପରେ କଣ ଗନ୍ଧେଇଲି ?

 

ବିଜୟର ସାଦାସିଧା ବେପରବାଏ ଉତ୍ତର—ନାଇଁ ଯେ, ବାହା ହେଲାରୁ ସିନା ପାଖକୁ ଆସିଲ, ହେଲେ ଆଉ ଜହ୍ନ ତଳେ ପଡ଼ିଆରେ ବୁଲିବାକୁ ଚାନ୍‍ସ ମିଳିଲା କେଉଁଠି ?

 

ଅଜବ ସତକଥା । କିଛି ଗଭୀର ଦୁଃଖ କି ଅନୁଶୋଚନାର ନୁହେଁ, ଅଥଚ ହାଲୁକା ହସରେ ଉଡ଼େଇ ଦେଇହୁଏନାହିଁ ।

 

ବିଜୟ ଓ ମଞ୍ଜୁଶ୍ରୀ, ଦୁହିଁଙ୍କ ଜୀବନରେ ଏ ଯାଏଁ ବାସ୍ତବରେ ବୋଧହୁଏ ସେମିତି କିଛି ଘଟିନି—ଗଭୀର ଦୁଃଖ ବା ହତାଶା ପାଇଲାଭଳି । ସଞ୍ଜବେଳେ ଦିନେ ଦିନେ ଘରେ ତାସ୍ ଖେଳ ଜମିଥିଲାବେଲେ ମଞ୍ଜୁଶ୍ରୀ ଯେତେବେଳେ ଗରମ ପକୁଡ଼ିର ପ୍ଲେଟ୍ ନେଇ ପହଞ୍ଚେ, ବିଜୟ ତାସ୍ ବାଣ୍ଟୁ ବାଣ୍ଟୁ ତା ଉପରେ ଗର୍ବୋତ୍‍ଫୁଲ୍ଲ ହସଟିଏ ପକାଇ କହେ—ଓଃ ଗଡ଼୍ ! ଏରେଞ୍ଜ୍ଡ଼୍ ମ୍ୟାରେଜ୍ରେ ଲୋକ କେମିତି ଏଡ୍‍ଜଷ୍ଟ କରନ୍ତି କେଜାଣି, ଆଜିକାଲି ଯୁଗରେ । ମୁଁ ଆଉ ମଞ୍ଜୁ, ଆମେ ପରସ୍ପରର ଚଏସ୍ ।

 

ବିଜୟ ସଙ୍ଗେ ମଞ୍ଜୁଶ୍ରୀର ପରିଚୟ ହେଲାଦିନୁ ଦୁହେଁ ପରସ୍ପରକୁ ନେଇ ଗର୍ବ ହିଁ କରିଚନ୍ତି । ପରିଚୟ ହେଇଥିଲା ବିଜୟର କଲେଜ ଛାଡ଼ିବା ଦିନ । କଲେଜ ଷ୍ଟେଜ୍‍ର; ମିଠାଗଳାରେ ଗୀତ ଗାଉଥିବା, ଆଉ ବାରଣ୍ଡାରେ ବିଜୁଳି ଖେଳାଇ ଚାଲିଯାଉଥିବା ସୁନ୍ଦରୀ ଝିଅଟି ସାଥିରେ ପ୍ରଥମ ଓ ଶେଷଥର ପାଇଁ କଥା କହିବାର ସଂକଳ୍ପ ନେଇ ବିଜୟ ଆସିଥିଲା ଓ ମଞ୍ଜୁଶ୍ରୀ ଆଗରେ ନିଜର ପରିଚୟ ଦେଇଥିଲା—ମୁଁ ବିଜୟ ପଟ୍ଟନାୟକ, କ୍ରିକେଟ ଖେଳେ, ଜାଣିଥିବେ । ଆପଣଙ୍କର ସଙ୍ଗୀତର ମୁଁ ଜଣେ ଫ୍ୟାନ୍...ମାନେ ଏଇଆ କହିବାକୁ ଆସିଥିଲି ଯେ...ଆଉ ହୁଏତ କେବେ ଦେଖାହେବନାହିଁ ଜୀବନରେ...ମୋର ରାଉରକେଲାରେ ଚାକିରି ହେଇଯାଇଛି...

 

ବିଜୟକୁ କ୍ରିକେଟ୍ ଖେଳାଳି ଭାବେ କିଏ ନ ଜାଣେ କଲେଜରେ ! ତା ବାପା ଜଣେ ବଡ଼ ଓକିଲ ଓ ତାଙ୍କର ଦୋ’ତାଲା କୋଠା ଅଛି । ଆଉ ଏବେ ପୁଣି ତାର ଚାକିରି ହୋଇଯାଇଚି ।

 

ଦୁଇଦିନ ପରେ ବିଜୟଠାରୁ ଚିଠିରେ ବିବାହ ପ୍ରସ୍ତାବ ପାଇ ମଞ୍ଜୁଶ୍ରୀ ଯେତେ ଖୁସି ହେଇନଥିଲା, ତାଠୁ ଯଥେଷ୍ଟ ବେଶି ଖୁସି ହୋଇଥିଲେ ତା ମା ‘ ବିଚାରୀ । ମଞ୍ଜୁଶ୍ରୀ ସତେ କି କେବଳ ଘଟଣା ସ୍ରୋତରେ ଭାସିଯାଇଥିଲା ।

 

ବାହାଘରବେଳେ ମା’ ଭଉଣୀଙ୍କ ଗଦ୍‍ଗଦ୍ ଭାବରୁ ଓ ସାଥୀ ପଡ଼ୋଶୀଙ୍କ ବଧେଇ, ଈର୍ଷାରୁ ମଞ୍ଜୁ ବୁଝିପାରିଥିଲା, ଯାହା ଘଟିବାକୁ ଯାଉଚି ଜୀବନରେ ତା’ଠୁ ଅଧିକ ସେ କେବେହେଲେ ପାଇନଥାନ୍ତା । ବାହାଘର ପରେ ଦୁହେଁ ଆସି ରାଉରକେଲାର ସୁନ୍ଦର ଛୋଟିଆ ଫ୍ଳାଟ୍‍ଟିରେ ଘରକରଣା ସଜାଡ଼ିଲେ । ମଞ୍ଜୁଶ୍ରୀ ସବୁଦିନେ ସାଜସଜ୍ଜାକୁ ଭଲପାଏ; କଲେଜ ଦିନରେ ତାର ଗୋରା ଡଉଲ ଡାଉଲ ଦେହଟିକୁ କେହି କେବେ ବିନା ଇସ୍ତ୍ରୀ ଶାଢ଼ିରେ କିମ୍ବା ତାର ଗୋଲିଆ ପିଲାଳିଆ ମୁହଁଟିକୁ ତେଲିଆ; ଆଲୁରି ଅବସ୍ଥାରେ ଦେଖିନାହିଁ । ଏଥର ବି ତାକୁ ନିଜର ଆଉ ବିଜୟର ରୁଚିର ମଝିଆ ମଝି ରାସ୍ତା ବାଛିନେଇ ସାଜସଜ୍ଜା, ଘରକରଣା କରିବାକୁ କିଛି ଅସୁବିଧା ହେଲାନି । ତାର ଘଞ୍ଚ କୁଞ୍ଚୁକୁଞ୍ଚିଆ ବାଳକୁ ଅନାୟାସରେ ବାଗରେ ସଜେଇ ବବ୍ ବାଳର ଧାରଣା ଦିଆଯାଇପାରେ, ବାଳ କାଟିଦେଇ ବିଜୟର ରୁଚିରେ ଆଘାତ ଦେବାର ପ୍ରୟୋଜନ ନାହିଁ ।

 

ସୁନ୍ଦର କଲୋନୀଟିରେ ବସା ପାତିବା ପରେ ଯାଇ ମଞ୍ଜୁଶ୍ରୀ ପ୍ରଥମକରି ଜାଣି ପାରିଥିଲା ବିଜୟ ଅନେକ ପୂର୍ବରୁ ତାର ପ୍ରଶଂସକ ଓ ପ୍ରଣୟପ୍ରାର୍ଥୀ ଥିଲା ବୋଲି ।

 

ତମେ ଖାଲି ସେଦିନର ଫଙ୍କ୍‍ସନ୍‍ରେ ଅଛ ବୋଲି ଜାଣିଲେ ମୁଁ ସଞ୍ଜବେଳୁ ସାମ୍ନା ଧାଡ଼ିରେ ସିଟ୍ ରଖି ବସେ, ଆଉ ତମ ପାର୍ଟତକ ସରିଗଲା ବୋଲି ଜାଣିଲେ ଆଉ ଜମା ବସି ପାରେନି, ସତ କହୁଛି ।

 

ବିଜୟ ଥଟ୍ଟା କରି ଆହୁରି ବି କହେ—“ହେଲେ ତମେ ଏକୁଟିଆ ଗାଇବା ଛାଡ଼ି ସେ ପଞ୍ଝାଏ ଲଫଙ୍ଗା ଟୋକା ଢଙ୍ଗି ଝିଅଙ୍କ ସାଙ୍ଗେ ଯାବତ୍ ହୋ ହୋ ଲା ଲା ଲା କୋରସ୍‍ଗୁଡ଼ାକରେ କାହିଁକି ମିଶ କହିଲ ?”

 

ଘରକରଣା ଓ ବିବାହିତ ଜୀବନର ଏକରକମ ନିଶ୍ଚିତ ଦିନଗୁଡ଼ିକ ବହିଯାଉଥିବାବେଳେ ଦିନେ ଦିନେ ବିଜୟ କଥାରେ ଉତ୍ସାହ ପାଇଁ ମଞ୍ଜୁ ଗପ ପକାଏ—“କଣ ହେଲୋ ଏଥର ଜାଣ; ନୀଳିମା ନିଜ ଡାଏଲଗ୍ ତ ଘୋଷି ନ ଥାଏ । ପ୍ରମ୍ପଟିଂ ଶୁଣି ମୋ ଡାଏଲଗ୍‍ଗୁଡ଼ା କହିପକେଇଲା ଷ୍ଟେଜ୍ ଉପରେ, ମୁଁ ଏଣେ କଣ କରିବି ବୁଦ୍ଧି ଦିଶୁନି ସେଇ ଯୋଉ ପାତ୍ରବାବୁଙ୍କ ଡିରେକ୍‍ସନ୍‍ରେ ପୂରା ଲମ୍ବା ଡ୍ରାମାଟିଏ ହେଇନଥିଲା ଆମ ସେକେଣ୍ଡ୍‍ ଇୟର ବର୍ଷ ?”

 

ବିଜୟ କହେ—“ମନେ ଅଛି, ମନେ ଅଛି । ଯୋଉ ଥର ମକ୍ବୁଲ୍ ତମ ବାପା ହୋଇଥାଏ, ଆଉ ଝିଅ ଲୋ ଝିଅ ଲୋ କହି ଦଶଥର ଲେଖା ତମ ପିଠି ଆଉଁସୁଥାଏ ।”

 

“ଦଶଥର କୋଉଠି ମ, ଥରେ ତ ! ହେଲେ ରିହସାଲ୍ ବେଳେ ଦିନେ ବି ଆଉଁସି ନ ଥିଲା, ରାଣ ଅଛି । ଷ୍ଟେଜ୍ ଉପରେ ମୁଁ ଆଉ କଣ କରିଥାନ୍ତି କହିଲ ?”

 

ବିଜୟ ଡ୍ରାମା କଲାପରି ସ୍ୱରଭଙ୍ଗୀ କରି କହେ—“ଆହା ! ମୋତେ ମକ୍ବୁଲ୍ର ରୋଲ୍ଟା ଭଲା ମିଳିଥାନ୍ତା, ଷ୍ଟେଜ୍ ଉପରେ ଅପତ୍ୟ ସ୍ନେହର କେମିତି ଫୁଆରା ଛୁଟେଇଥାନ୍ତି ଦେଖିଥାନ୍ତ ।”

 

ମଞ୍ଜୁ ଖିଲି ଖିଲି ହସେ ଓ ବିଜୟ ପାଖକୁ ଲାଗିଯାଇ ଆହୁରି ମଜା କଥାଟିଏ କହିବବୋଲି ମୁହଁ ଖୋଲେ । ହେଲେ କହେନାହିଁ । ହୁଏତ ରହିଯାଏ, ବାଁଆରେଇ ଦିଏ କାରଣ ସେତେବେଳକୁ କୋଉଠି ପତଳା ପିନ୍ ପିନ୍ କାଚ କାନ୍ଥଟିଏ ଥିବାର ସେ ସୁରାକ୍ ପାଏ, ଜାଣେ ଯେ ଆଉ ଟିକିଏ ପାଖେଇଲେ ହାତ ବାଜିବାର ଆୱାଜ୍ ଆସିବ, କୋଳାକୋଳିହୋଇ ଏକାକାର ହେଇଯିବାକୁ ବସିଲେ କାଚ ଭାଙ୍ଗି ଖଣ୍ଡିଆ ଖାବରା କରିଦେବ ।

 

ବେଳେବେଳେ କିନ୍ତୁ ଏମିତି ବି ହୁଏ ଯେ ମଞ୍ଜୁ ସେ ଠୁଣ୍ଠାଣ୍ ଆୱାଜ ଶୁଣିପାରେ ନାଇଁ । ଅଥବା ବିଜୟର ବେଳେବେଳେ କେଜାଣି କେଉଁ କାରଣରୁ ସ୍ୱାଭାବିକ ଖେଳୁଆଡ଼୍ ମୁଡ଼୍ ଆସିଯାଏ, ସେ ମଞ୍ଜୁକୁ ବାଁରେଇବାକୁ ଦିଏନାଇଁ ।

 

କାଲିର କଥା ।

 

“ଶୋଇଲଣି କି ମଞ୍ଜୁ !”

 

“ନାଇଁ ତ ।”

 

“ମୋ ନିଦଟା ଭାଙ୍ଗିଦେଲ, ଏଣେ ନିଜେ ଶୋଇଲଣି !”

 

“ଶୋଇନି ମ ।”

 

“କଥାଟିଏ କହ, ମଜା କଥାଟିଏ ।”

 

“କି ମଜାକଥା କହିବି ?”

 

“ତମ ହଷ୍ଟେଲ କଥା, ସାଙ୍ଗମାନଙ୍କ କଥା କହ । ପୁଅ ସାଙ୍ଗମାନଙ୍କ କଥା ବି ।”

 

ମଞ୍ଜୁ ନିଜେ ସାବଧାନ ହେବା ଛାଡ଼ି ଏଥର ଟପିକ୍ଟାକୁ ନେଇ ଆଉରି ଖେଳି ବସିଲା–“ତମେ କହ । ତମର ତ ଜହ୍ନରାତିରେ କୋଉ ଝିଅକୁ ନେଇ ବୁଲିବାର ଏଡ଼େ ସଉକ୍ ଥିଲା-।”

 

–“ସଉକ୍ ଥିଲେ କଣ ହେବ ? ତମେ ତ ମୋ ସ୍ୱଭାବ ଜାଣିଚ, ଆମ ଘର କଥା ବି ଜାଣିଚ ।”

 

–“ଭଲେଇ ହୁଅନି । ଥରେ କହୁନଥିଲ ତମ ଘରେ, ଖରାଦିନ ହୋଇଥାଏ । ତମର କୋଉମାନ ସବୁକୁଣିଆ ଆସିଥାନ୍ତି...’’

 

–“ଓହୋ ! ହେଲା ହେଲା, ମନେ ପଡ଼ିଲା । କହିଚି ତ ଥରେ, ଆଉ କ’ଣ ? ହେଲା ଏଥର ତମ କଥା କହ ।”

 

–“କେଉଁକଥା ତମକୁ ମୁଁ କହିନି ଯେ ପଚାରୁଚ ?”

 

–“ଏଇ କଥା ତ କହିନ । ଜହ୍ନରାତିରେ କେବେ କୋଉ ପୁଅ ସାଙ୍ଗେ ବୁଲିନ ?”

 

–“ନା”

 

–“ଏଃ, ନାଆଁ ନା ! ତମର ତ ଗୋଟାଏ ବାଟାଲିଆନ୍ ଉପାସକ ଥିଲେ ।”

 

ଏମିତି କହିଲାବେଳେ ବିଜୟ ସ୍ଵରରେ ପ୍ରଶଂସା ନା ଅଭିଯୋଗ କାହାର ମାତ୍ରା ବେଶି ଥାଏ ମଞ୍ଜୁ ବୁଝିପାରେ ନାହିଁ । ଅଥଚ ପାଖରେ ବିଜୟ ଦେହର । ନିବିଡ଼ ଉଷୁମ୍, ବାଳ ଉପରେ ବିଜୟ ହାତର ନିଶ୍ଚିତ ଆଶ୍ଵାସନା, ବ୍ୟଗ୍ର ବିଶ୍ଵସ୍ତ ସ୍ଵର କାନ ପାଖରେ–କହନା ମଞ୍ଜୁ । ମୁଁ ଜାଣି ନ ଥିବା ତମର ବାହାଘର ଆଗର ଦିନମାନଙ୍କର ଟିକିନିଖି କଥା, ଯେତେବେଳେ ମୁଁ ତମର କେହି ନ ଥିଲି, ତମର ସେତେବେଳର ଗୋଟିଏ ଅଧେ ଅନ୍ତରଙ୍ଗ ମୁହୂର୍ତ୍ତର କଥା ଜାଣିବାକୁ ଇଚ୍ଛା ହୁଏ ।

 

ମଞ୍ଜୁ କାଚ କାନ୍ଥର ଆଶ୍ଵସ୍ତିକର ଠିନ୍ଠାନ୍ ଘଣ୍ଟି ଶୁଣି ଆଗରେ କେଉଁ ଅନ୍ଧାରୁଆ କୂଅର ଆଶଙ୍କା କରିବ, କି ସାମ୍ନାରେ ବିଛା ଯାଇଥିବା ସବୁଜ ତାଳପତ୍ରରେ ବିଶ୍ଵାସ କରିବ ଭାବୁଭାବୁ ବିଜୟ ପଚାରିବସିଲା–”ମଞ୍ଜୁ, ରମେଶ ସାଙ୍ଗରେ ତମେ କେବେ ଜହ୍ନରାତିରେ ବୁଲିନ ?”

 

–“ଧେତ୍, ସବୁବେଳେ ଗୋଟାଏ–ମଞ୍ଜୁର ଏଥର ଗଳାରେ ଟିକିଏ ଭାରୀପଣ ଆସି ଯାଇଥାଏ ।”

 

–“ଧେତ୍ ଫେତ୍ରେ ଚଳିବନାଇଁ । ସତ କୁହ, ମୋ ସୁନାଟି । ମୁଁ ଜମା ରାଗିବିନାଇଁ । ଏଇ କଥାଟି ପଚାରିବାକୁ ମୋତେ କେବେ ଷ୍ଟ୍ରାଇକ୍ କରିନାଇଁ । ସତରେ ରମେଶ ସାଙ୍ଗେ ତମେ କେବେ ଜହ୍ନରାତିରେ ବୁଲିନ ?”

 

–“କେବେ ନୁହେଁ ।”

 

–“ଏମିତି ଚିଡ଼ିଯାଉଚ କ’ଣ ମ । ଖୁସିରେ କହ, ମନେପକେଇ କହ, ମୋ ସୁନାଟି ।”

 

–“ବୁଲିନାଇଁ ପରା କହିଲି ।”

 

–“କ’ଣ ତେବେ ପ୍ରେମ କରୁଥିଲ ମ ?”

 

–“କେବେ କହିଲି ପ୍ରେମ କରୁଥିଲି ବୋଲି ?”

 

–“ନ କହିଲେ କ’ଣ ହେଲା, ମୁଁ ଜାଣିନି ?”

 

–“ବେଶ୍, ଜାଣିଚ ତ, ଆଉ କ’ଣ ?”

 

–“ତମେ ଚିଡ଼ୁଚ ମଞ୍ଜୁ, ମର୍ଡ଼ର କରିଦେଉଚ ମୁଡ଼୍ଟା ।”

 

ମଞ୍ଜୁଶ୍ରୀ ନୀରବ ରହିଲା । ବିଜୟ ଟିକିଏ ରହି ରହି କହିଲା–

 

–“ରମେଶ କିନ୍ତୁ ବଡ଼ଜୋର୍ ତମ ପ୍ରେମରେ ପଡ଼ିଯାଇଥିଲା, ନୁହେଁ ?”

 

–“ତମକୁ ତ ସବୁ ଜଣା ।”

 

–“ସାରା କଲେଜକୁ ଜଣା ଥିଲା । ତମର ବି ତ ପ୍ରେମ ହେଇଯାଇଥିଲା; ଖାଲି ତମ ମହାଚଣ୍ଡୀ ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଡରି–

 

–“ସବୁ ଜାଣିଥିଲ ତ’ ବାହା ହେଲ କାହିଁକି ?”

 

–“ଭାବିଲି ମିଛ ହେଇଥିବ । ସତ କହିଲ, ନ ଥିଲା ?”

 

–“ଜମା ନୁହେଁ, ଖାଲି ଫ୍ରେଣ୍ଡ୍ ସିପ୍ ଥିଲା ।”

 

–“ସେଇଆକୁ ମାଇଲ୍ଡ଼୍ ପ୍ରେମ କୁହାଯାଏ ।”

 

–“ତମେ ଜାଣିଥିବ ।”

 

–“ମୁଁ ତ ଖାଲି ପ୍ରଚଣ୍ଡ ପ୍ରେମ କଥା ଜାଣିଚି ।”

 

କନା ଉପରେ ଗଣ୍ଠି ପକାଇ ଦାନ୍ତରେ ସୂତା ଛିଡ଼ାଇ ମଞ୍ଜୁ ଦୀର୍ଘଶ୍ଵାସ ଛାଡ଼ିଲା । ଆନ୍ତରିକତା, ବିଶ୍ୱାସର ଏଇ ପାହାଚରେ ପହଞ୍ଚିଲା ପରେ କୁଆଡ଼କୁ ମୋଡ଼ିବାକୁ ହୁଏ ? କଲେଜ ଜୀବନ–ସାରା କଲେଜରେ ତ ମାତ୍ର ଚାରି ଛଅ ଯୋଡ଼ି ପ୍ରେମକରନ୍ତି ବା ଅନ୍ୟମାନଙ୍କୁ ବେଖାତିରକରି ରାସ୍ତାରେ ଏକାଠି ଚାଲନ୍ତି । ବାକୀ ପିଲାଏ କେବଳ ଗୁଜବ ମାଧ୍ୟମରେ ଆନନ୍ଦ ନିଅନ୍ତି । ରମେଶ ସାଙ୍ଗରେ ମଞ୍ଜୁର ପ୍ରେମ ହେଉ ବା ନ ହେଉ, ସାରା କଲେଜ ଜାଣିଥିଲା ପ୍ରେମ ବୋଲି । ବିଜୟ ବି ଜାଣିଥିଲା । ବାହାଘର ପରେ ମଞ୍ଜୁ କେବେ ବିଫଳ ପ୍ରେମ ଲାଗି ଅନୁତାପ କରିନି, କିମ୍ଵା ବିଜୟ ପାଖେ ନିଜକୁ ଅପରାଧୀ ବୋଲି ମନେ କରିନି । ରମେଶ ସାଙ୍ଗେ ତା ବାହାଘର ହେଇପାରି ନ ଥାନ୍ତା ବୋଲି ସେ ମୂଳରୁ ଜାଣିଥିଲା–ରମେଶ କହିଥିଲା, ସେମାନେ ନୈଷ୍ଠିକ ବ୍ରାହ୍ମଣ ବୋଲି ତାର ଆଉ ରମେଶର ସଂପର୍କ ବିଷୟରେ ବିଜୟ କେବେ ପ୍ରଶ୍ନ ପଚାରିଲେ, କଥାଟିକୁ ବିଜୟ କେମିତି ଗ୍ରହଣ କରିବ, ସେଥିପ୍ରତି ହିଁ କେବଳ ସତର୍କ ରହି ଉତ୍ତରରେ ସତ୍ୟର ମାତ୍ରା କମ୍ ବେଶି କରିଚି ମଞ୍ଜୁଶ୍ରୀ । ତେବେ ହଁ ଚାଲିଯାଇଥିବା ଦିନଗୁଡ଼ିକର ଆହୁରି ଅନେକ ଅନ୍ତରଙ୍ଗ ସ୍ମୃତି ପରି, ରମେଶ ବି ପ୍ରାୟ ମନେ ପଡ଼େ ।

 

ବିଜୟ ଆଗରେ ନିଜ ମନକୁ କେବଳ ଖୋଲିଦେବାର ଇଚ୍ଛାରୁ ହିଁ ନୁହେଁ, ସବୁଦିନ ଲାଗି ବିତିଯାଇଥିବା ମୁହୂର୍ତ୍ତର ରୋମାଞ୍ଚକୁ ହୁଏତ ପୁଣିଥରେ ବଞ୍ଚିବାର ଲୋଭ ଛାଡି଼ପାରେନାଇଁ ମଞ୍ଜୁ, ତେଣୁ ଆରମ୍ଭ କରେ–”ସେଥର କଲେଜର ଏନୁଆଲ୍ ଡ୍ରାମାରେ ମୁଁ ହିରୋଇନ ହେଇ ନ ଥିଲି–”

 

–“ମକ୍ବୁଲ ତମ ବାପା ହେଇଥିଲା ?”

 

–“ନା ମ, ମୋ ଥାର୍ଡ଼ ଇଅର୍ ବର୍ଷ ଯୋଉ “ଶ୍ରାବଣୀ” ବୋଲି ଡ୍ରାମାଟା ହେଇଥିଲା–”

 

–“ଦୀପକ ହିରୋ ହେଇଥିଲା ନା ?”

 

–“ରମେଶ ହିରୋ ହେଇଥିଲା, ତମର ମନେ ନାହିଁ ସତରେ ?”

 

–“କହ, କହ ମନେ ପଡ଼ିଯିବ ।”

 

–“ସେଥର ବୁଲା ପଟ୍ଟନାଏକ ଦଳର ପିଲା କଲେଜ ଇଉନିଅନ୍ର ଡ୍ରାମା କରେଇ ଦେବେନି ବୋଲି ଧମକ ଦେଇଥାନ୍ତି, ମନେ ନାହିଁ ? ଆମେ ପ୍ରଥମରୁ ମେକ୍ଅପ୍ ହେଇ ବସିଥାଉ, ପ୍ରଥମ କୋରସ୍ ପରେ ଆମ ଡ୍ରାମା ଥାଏ...”

 

–“କୋରସ୍ରେ ତମେ କେମିତି ନ ଥିଲ ? ତମେ ତ ସବୁ ହୋ ହୋ–ଲା ଲା ରେ ବୁଡ଼ି ଯାଇଥାଅ–”

 

–“ତମେ ଖାଲି ଥଟ୍ଟା କଲେ ମୁଁ କହିବିନି ।”

 

–“କହ କହ ।”

 

–“ବୁଲା ପଟ୍ଟନାଏକ ଦଳ କୋରସ୍ ନ ସରୁଣୁ ସତରେ ଗୋଳମାଳ ଆରମ୍ଭ କରିଦେଲେ । କୁଆଡ଼େ ଯାଇ ଲାଇନ୍ କାଟିଦେଲେ–ଆମେ ଡ଼ରି ଛାନିଆ ହେଇଗଲୁ ପ୍ରଥମେ । ପୁଣି ମହାନ୍ତିବାବୁ ହେରିକା ଆସି ଆମକୁ କହିଲେ ଡରିବାର କିଛି ନାଇଁ, ସବୁ ଠିକ୍ଠାକ୍ ଅଛି, ଲାଇଟ୍ ଆସିଯିବ ପାଞ୍ଚ ଦଶ ମିନିଟ୍ରେ ।”

 

–“ଷ୍ଟେଜ୍ ପଛ ପାଖ ଦେଇ ଲମ୍ବ ବାରଣ୍ଡାଟା ଯାଇଥାଏ, ସେଇଠି ଆଉ ତା ପଛପାଖ ପଡ଼ିଆରେ ଆମେ ସବୁ ବୁଲୁଥାଉ । ରମେଶ ଆଉ ମୁଁ ଡାଏଲଗ୍ ସବୁ ମନେପକାଉ ଥାଉ । ଏତେ ଜହ୍ନ ଆଲୁଅ ସେ ଫର୍ଚ୍ଚା ଦିଶୁଥାଏ ଚାରିଆଡ଼ । ଦେବାଦାରୁ ଗଛର ପତ୍ରମାନ ବି ଚିକ୍ଚିକ୍ ସଫା ଦିଶୁଥାଏ । ରମେଶ କହିଲା–ଦେବଦାରୁ ପତ୍ର ଦେଖିଲେ ମୋତେ ତମର ମୁଣ୍ଡବାଳ ମନେ ପଡ଼େ-।”

 

ମଞ୍ଜୁ କଥା ବନ୍ଦ୍ କଲା ଓ କିଛିବେଳ ଚୁପ୍ଚାପ୍ ବିତିଲା ପରେ ବିଜୟ କହିଲା–‘‘ସେଇଠୁ”-?

 

–“ଆମେ ଚାଲୁ ଚାଲୁ ଲାଇବ୍ରେରୀ ପଛ ଯାଏ ଚାଲି ଆସିଥାଉ, ମୁଁ କର୍ଡିଗାନ୍ଟା ଛାଡ଼ି ଆସିଥାଏ ଗ୍ରିନ୍ରୁମ୍ ପାଖେ । ଭାରି ଶୀତ ହେଉଥାଏ । ମୁଁ ଦି’ହାତ ଦେହରେ ଜାକି କହିଲି–ଭାରୀ ଶୀତ । ମୋ ଦାନ୍ତ ଠକ୍ ଠକ୍ ବାଜିଲା । ରମେଶ ତା କୋଟ୍ ଖୋଲି ମୋ ପିଠି ଉପରେ ଘୋଡେ଼ଇ ଦେଲା... ଆଉ ମୋ ପିଠି ପାଖରୁ ହାତ ଗୁଡେ଼ଇ କହିଲା–”ଆହୁରି ଶୀତ ହେଉଚି ?”

 

–“ତା ପରେ ?”

 

“...ତା ପରେ ମୁଁ ଘଡି଼ ଦେଖିଲି, ବେଳ ହେଇଯାଇଥିଲା । କାଳେ ଅନ୍ୟମାନେ ଆମକୁ ଖୋଜୁଥିବେ ବୋଲି ଆମେ ଫେରିଲୁ ।”

 

–“ସେତିକିରେ ? ଆଉ ଟିକିଏନାକୁ ଲୁଚଉଚ ।”

 

–“ଆଉ କଣ ?”

 

ମଞ୍ଜୁ କାନରେ ଫୁସ୍ ଫୁସ୍ କରି ବିଜୟ ପଚାରିଲା–”ରମେଶ କିସ୍ କରିଦେଲା କି ? ମୋ ରାଣ, କୁହ, ଏତେ ଦିନ ପରେ ମୁଁ ଜମା ମାଇଣ୍ଡ୍ କରିବିନି । ’

 

–“ନାଇଁ ନାଇଁ, ବିଶ୍ୱାସ କର, ଖାଲି ମୋ ହାତ ଧରିପକାଇ ଥିଲା ।”

 

–“ସେତିକି ? ମୋ ଦେହ ଛୁଇଁ କହୁଚ ?”

 

ମଞ୍ଜୁ ଶ୍ରୀ ଅନୁଭବ କଲା ତାର ଦେହ ହାତ ଶକ୍ତ ହୋଇଆସୁଚି । ଦେହରେ ପଡ଼ିଥିବା ହାତ ଆପେ ମୁକୁଳି ଯାଇ ଫେରିଆସୁଚି । ବଦଳିଲା ସ୍ଵରରେ କହିଲା–”ସେମିତି ରାଣ ପକେଇଲେ ମୁଁ କିଛି କହିବିନି । ତମେ କହିଥିଲ ରାଗିବନି ବୋଲି ?”

 

–“କିଏ କହିଲା ମୁଁ ରାଗିଛି ? ପାଖକୁ ଘୁଞ୍ଚି ଆସ ଆଉ ଟିକେ ।”

 

ପର ଦିନ ସକାଳେ ମଞ୍ଜୁଶ୍ରୀର ଆଖି ଖୋଲିଲାବେଳକୁ ବିଛଣାରେ ଖରା ପଡ଼ିଲାଣି । ବିଜୟ ଗାଧୁଆ ପାଧୁଆ ସାରି ଦର୍ପଣ ପାଖେ ସାର୍ଟ ବୋତାମ ଲଗାଉଛି । ମଞ୍ଜୁଶ୍ରୀର ଛାତି ଚାଉଁ କିନା ହେଲା, ଭୁଲ୍ ମାଗିଲା ପରି ସ୍ଵରରେ କହିଲା–”କେତେ ଡେରି ଯାଏ ଶୋଇଗଲି ମ, ଉଠେଇ ଦେଲନି ।”

 

ବିଜୟ ଦର୍ପଣ ଭିତରେ ନିଜକୁ ଅନେଇ ରହି କେବଳ ଗମ୍ଭୀର ହୁଁଟିଏ କଲା ଓ ଅନେକ ଦିନ ତଳେ ଘୋଷିଥିବା ବୀଜଗଣିତର ସୂତ୍ରଟିଏ ପରି ମଞ୍ଜୁଶ୍ରୀ ଦେଖିଲା ମାତ୍ରେ ଚିହ୍ନିପାରିଲା; ଦର୍ପଣରେ ବିଜୟର ସଦ୍ୟ ଖିଅରକରା ସତେଜ ମୁହଁ–କାନ୍ଥର ଫଟୋଟିଏ ପରି ଭାବ ରେଖାହୀନ-।”

 

ମଞ୍ଜୁଶ୍ରୀ ପପୁକୁ ସ୍କୁଲ ପାଇଁ ତିଆର୍ କରିସାରି ଊର୍ଦ୍ଧ୍ୱଶ୍ୱାସ ହେଇ ଜଳଖିଆ ପ୍ଲେଟ୍ ସଜାଡ଼ି ଟେବୁଲ୍ରେ ଥୋଇଲା ବେଳକୁ ବିଜୟ ଜୋତା ପିନ୍ଧୁ ପିନ୍ଧୁ କହିଲା–ତା ସ୍ୱରଟା ଏତେ ବେପରବାଏ ଯେ, ଅସ୍ୱାଭାବିକ ମନେ ହୋଇଥାଏ ।

 

–“ଦେହଟା ଭଲ ଲାଗୁନି, ଖାଇବିନି ଭାବୁଚି ।”

 

–“କଣ ହେଲା ଦେହ ? ଖଣ୍ଡିଏ…”

 

–“ପ୍ଲିଜ–ଡେରି ଭି ହେଇଗଲାଣି ।”

 

ବିଜୟ ଗାମ୍ଭୀର୍ଯର ରେଖାହୀନ ଚେହେରା ନେଇ ବାହାରିଗଲା । ଜଳଖିଆ ଥାଳିଆ ଧରି ଠିଆହେଇ ମଞ୍ଜୁଶ୍ରୀ ଭାବିଲା, ଏବେ ସିଏ ନିଜେ ଜଳଖିଆ ଖାଇଲେ କି ନ ଖାଇଲେ କାହାରି କିଛି ଯାଏ ଆସେନା । ତେବେ କିଛିବେଳ ଭିତରେ ସିଏ ଗାଧୁଆ ପାଧୁଆ ସାରି ଯଥାବିଧି ପାଉଡ଼ର ସିନ୍ଦୂର ମାରି ଚାକରାଣୀର କାମ ତଦାରଖ ତଥା ଘର ସଜଡ଼ା ଆଦିରେ ଲାଗିଗଲା । ପଡ଼ୋଶିନୀ ମିସେସ୍ ମହାନ୍ତି ଏମିତି ସକାଳବେଳା ବିନା ନୋଟିସ୍ରେ ବୁଲିବାକୁ ଚାଲି ଆସନ୍ତି । ଅସନା ଘର, ଅପନ୍ତରା ବେଶ ବାସ ଦେଖିଲେ ଶ୍ୟେନ ଦୃଷ୍ଟରେ ଶୋଷି ନେବେ ପରମ ସନ୍ତୋଷରେ ।

 

ଦି’ପହରରେ ବିଜୟ ପାଇଁ ଲଞ୍ଚ୍ ଡବା ପଠେଇଦେଇ ମଞ୍ଜୁଶ୍ରୀ ସିଲେଇରେ ଲାଗିଯାଇଥିଲା । କିନ୍ତୁ ଥରକୁ ଥର ଛୁଞ୍ଚିରୁ ଖସୁଥିବା ସୂତା ଗଳେଇ ଓ ଫନ୍ଦି ହେଉଥିବା ସୂତାର ଗଣ୍ଠି ଫିଟେଇ ଏତେ ଦିକ୍ଦାର ହେଇଗଲା ଯେ ଛୁଞ୍ଚିଟା କନାରେ ମାରିଦେଇ ଦୂରକୁ ଠେଲିଦେଲା । ତା ପରେ ଅବାକ୍ ହେଲା ଏଇଆ ଭାବି ଯେ, ପ୍ରତିଥର ସ୍ୱାମୀକୁ ଶୁଣାଇଲା ଭଳି ନୂଆ ରୋମାଞ୍ଚକର କଥାଟିଏ ସେ ତାର ବିସ୍ତୃତପ୍ରାୟ ଘଟଣା–ବିରଳ ପ୍ରେମ–ଜୀବନରୁ ଆବିଷ୍କାର କରେ କେମିତି ? କେଉଁଥିପାଇଁ ଏମିତି ଅଜବ ପରିସ୍ଥିତିଟିଏ ସୃଷ୍ଟି ହୁଏ ? ଆତ୍ମୀୟତାର ନିବିଡ଼ତାକୁ ପରଖିବାର ଦୁର୍ବାର ଇଚ୍ଛାରୁ, ନା ଚିକ୍କଣ ଝଡ଼ାପୋଛା ଜୀଇଁବାର ନିସ୍ତବ୍ଧତାକୁ ତାଳ ଫୋଟକାଟିଏରେ ମୁହୂର୍ତ୍ତକ ଲାଗି ଭାଙ୍ଗି ଦେବା ପାଇଁ ?

 

ପରଦିନ ସନ୍ଧ୍ୟାରେ ବିଜୟ ସୁଟକେଶ୍ ସଜାଡ଼ୁ ସଜାଡ଼ୁ କହିଲା–”ମ୍ୟାଚ ଅଛି କଟକରେ, ଆଜି ରାତି ବସ୍ରେ ଯାଉଛୁ ଆମେମାନେ, ଶନିବାର ଫେରିବୁ ।”

 

ମଞ୍ଜୁଶ୍ରୀ ଆହତ ହେବାର ଭାବ ଦେଖାଇଲା ନାହଁ, କେବଳ ସାମାନ୍ୟ ଆଶ୍ଚର୍ଯ୍ୟ ହେଲାପରି ପଚାରିଲା–”ହଠାତ୍ ଖବର ଆସିଲା କି ? କିଛି କହି ନଥିଲ ଯେ ?”

 

ବିଜୟ ତା ସ୍ପୋର୍ଟସ୍ ପେଣ୍ଟ୍ ଭାଙ୍ଗି ରଖୁଥିଲା । ତାର ସେଭିଂ ସେଟ୍, ସାବୁନ୍ ଡବା ପାଖରେ ଥୋଇ ମଞ୍ଜୁଶ୍ରୀ : ଅନେକ ଦୋଦୋପାଞ୍ଚ ପରେ ପଚରିଲା–”ତମେ ବି ତ ମୋ ଦେହରେ ହାତଦେଇ କହିଥିଲ ରାଗିବ ନାଇଁ ବୋଲି, କହିଲ ଏତେଦିନ ପରେ କିଛି ଯାଏ ଆସେ ନାଇଁ, ପୁଣି ଏମିତି ରାଗିବାର କଣ ଉଚିତ ହେଉଚି ?”

 

ବିଷୟ ବସ୍ତୁଟି ଆଦୌ ବୁଝିପାରି ନ ଥିବା ଭଳି ବିଜୟ ଆଶ୍ଚର୍ଯ୍ୟ ମୁହଁ କଲା । ତା’ପରେ ଖଟାକ୍କିନି ସୁଟ୍କେଶ୍ ବନ୍ଦକରି କହିଲା–”ପ୍ରତିଥର ତମଠୁ ନୂଆ ନୂଆ କଥା କେମିତି ବାହାରେ ?”

 

ଚା ତିଆରି କଲାବଳେ ଗାଲ ଉପରେ ଓଠଯାଏ ବହିଯାଉଥିବା ଗରମ ଲୁହ ଦେଇ ଚୁଲିର ନୀଳ ନିଆଁକୁ ଅନେଇ ମଞ୍ଜୁଶ୍ରୀ ମନେ ମନେ ଆହୁରି ଅନେକଥର ପରି ପ୍ରତିଜ୍ଞା କରୁଥିଲା–ଖୁସି ଉଚ୍ଚାଟର ମୁହୂର୍ତ୍ତରେ ବା କଦବା ଜହ୍ନରାତିଟିଏରେ ଓଠରୁ ଖସିଯାଇଥିବା କେଇପଦ ଉପରେ ଭରସା କରିବୁନି । ବିଜୟର ବା ଦୋଷ କଣ ? ଦିନ ଆଲୁଅରେ ତା’ଠୁ ବଡ଼ ତା ସ୍ୱାମୀପଦ ।

 

ବିଜୟ ଜୋତା ପିନ୍ଧୁ ପିନ୍ଧୁ ତରବରରେ ଚା ପିଇଲା ଓ ‘ଆଚ୍ଛା ଚାଲିଲି’ କହି ସୁଟ୍କେଶ୍ ଧରି ବାହାରି ଯିବାଯାଏଁ ଥରେହେଲେ ମଞ୍ଜୁଶ୍ରୀ ସହିତ ଆଖି ନ ମିଳେଇ ଘର, ବାରଣ୍ଡା, ପାହାଚ, ସରୁ ରାସ୍ତା ଓ ଫାଟକ ପାରିହେଇଗଲା ।

 

ପର ତିନିଦିନ ମଞ୍ଜୁଶ୍ରୀ ବାଡ଼ିଗଛରୁ ପିଜୁଳି ପାରି ଜେଲି ତିଆରି କଲା । ପଡ଼ୋଶୀ ମିସେସ୍ ବୋଷଙ୍କ ଘରେ ବସି ନୂଆ ଏଲ. ପି. ରେକର୍ଡ଼ ଶୁଣିଲା ଓ ପପୁର ପୁରୁଣା ପାଠଯାକ ରିଭିଜନ୍ କରାଇଲା ଆସନ୍ତା ପରୀକ୍ଷା ଲାଗି ।

 

କେତେଥର ଚିଠି ଲେଖିବ ବୋଲି ବସି ଜାଣିପାରିଲା ନାଇଁ ଯେ, କାହାକୁ ଲେଖିବ । ତାର ଦୁଇ ଭଉଣୀ ବାହାହେଇ ଘର ସଂସାର କଲେଣି, ନର୍ସ ଚାକିରୀରେ ଚିରବ୍ୟସ୍ତ ମାଆ ଏତେଦିନକେ ନିଶ୍ଚିନ୍ତରେ ଟିକିଏ ଶୋଇପାରୁଥିବ ଝିଅମାନଙ୍କ ବୋଝ ଉଠିଗଲା ବୋଲି । ପାଠ ପଢ଼ାବେଳର ଝିଅମାନେ କିଏ କୁଆଡ଼େ ରହିଲେଣି, କେତେକ ଏଇଠି ବି ଅଛନ୍ତି–ବଜାର କି ସିନେମା ହଲ୍ରେ ଭେଟ ହୁଏ । ମଞ୍ଜୁଶ୍ରୀ ଆଜିକାଲି ଯାହାକୁ ବା ଚିଠି ଲେଖେ, ପ୍ରତିଟି ଚିଠି କେବଳ ସେ ସୁଖୀ ବୋଲି ସେମାନଙ୍କର ଧାରଣା ବଳବତ୍ତର କରିବାପାଇଁ ।

 

ପିଲାଦିନେ ବାପାଙ୍କ ମୁହଁ ଝାପ୍ସା ମନେଅଛି । ମା’ର ଧଳା ଡ୍ରେସ୍, କ୍ଲାନ୍ତ ଝାଳୁଆ ମୁହଁ ଦେଖିଲେ ମଞ୍ଜୁ କଥା କହିବାକୁ ଭରସେ ନାହିଁ । ଘରୁ ବାହାରି ସ୍କୁଲ କି କଲେଜରେ ପହଞ୍ଚିଗଲାକ୍ଷଣି ତାକୁ ଲାଗେ ସତେ କି ଦେହରେ ଡେଣା ଲାଗିଗଲା ।

 

ମଞ୍ଜୁଶ୍ରୀ ଆଶା କରିଥିବା ସ୍ଵାମୀଠାରୁ ବିଜୟ ଅନେକ ବେଶି, ତା ପାଖେ ଥିଲେ ମଞ୍ଜୁ କୁ ଆଉ କିଛିର ଭୟ ନାହିଁ । ସେଇଥିପାଇଁ ବୋଧହୁଏ ସେ ବେଳେ ବେଳେ ନିଜ ସୀମା ଭୁଲିଯାଏ ଓ ବିଜୟକୁ ହିଁ ଡରିବା କଥା ଭୁଲିଯାଏ ।

 

ଶନିବାର ଦିନ ଉପରଓଳି ନୂଆ ଶିଖିଥିବା ଖୋଷାରେ ଯୁଇମାଳଟିଏ ପିନ୍ଧି, ବସିବା ଘରୁ ବାରଣ୍ଡା ପାହାଚଯାଏଁ ପ୍ରାୟ ଦଉଡ଼ିଯାଇ ମଞ୍ଜୁଶ୍ରୀ ଅଟୋରୁ ଓହ୍ଲାଉଥିବା ବିଜୟକୁ ସ୍ଵାଗତ କଲା-। ବିଜୟ ନିଶ ତଳୁ ସୁନ୍ଦର ଦାନ୍ତସେଟ୍ ଦେଖାଇ କହିଲା–“ଆମେ ଜିତିଲୁ ।” ମଞ୍ଜୁଶ୍ରୀ ଆଶ୍ୱସ୍ତି ର ଦୀର୍ଘଶ୍ଵାସ ଛାଡ଼ିଲା, କହିଲା–”ମୁଁ ତ ଜାଣିଥିଲି ତମେ ଜିତିବ ।”

 

ରାତିରେ ପପୁ ତା ନୂଆ ଖେଳନାକୁ କୁଣ୍ଢେଇଧରି ଶୋଇଯାଇଥାଏ, ମିନିର ନୂଆ ଫ୍ରକ୍ଟି ଦୁଧବାନ୍ତିରେ ଓଦାହୋଇ ପାଲଟା ସରିଥାଏ । ମଞ୍ଜୁଶ୍ରୀ ରୋଷେଇ ଘର ବନ୍ଦକରି ଆସିଲାବେଳକୁ ବିଜୟ ଟେବୁଲ୍ ଉପରେ ଖୋଲା ସୁ୍ଟ୍କେସ୍ ପାଖେ ବସିଥାଏ–ଝର୍କା ବାହାରକୁ ଅନେଇଥାଏ । ବାହାରେ ଜହ୍ନ ନ ଥାଏ । ମଞ୍ଜୁଶ୍ରୀ ଭିତରକୁ ଆସିଲାକ୍ଷଣି ବିଜୟ ଦୃଷ୍ଟି ଫେରାଇଲା, ଉଠିଆସି ଦୁଇହାତରେ ମଞ୍ଜୁଶ୍ରୀକୁ ପାଖକୁ ଟାଣିନେଲା । ମଞ୍ଜୁ ହଠାତ୍ ନୂଆ ଶାଢ଼ୀଟା ପିଠି ଉପରଦେଇ ଗୁଡ଼େଇ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲା, ପଚାରିଲା–

 

–“ଏଇ କଣ ?”

 

–“ତମ ପାଇଁ ଶାଢ଼ୀଟିଏ । ପପୁ, ମିନି ଙ୍କ ପାଇଁ ଜିନିଷ କାଢ଼ିଲାବେଳେ ତମେ ପଚାରିଲ ବି ନାଇଁ ତମ ପାଇଁ କଣ ଆଣିଚି ବୋଲି ?”

 

କୋହମିଶା; ବସାଗଳାରେ ମଞ୍ଜୁଶ୍ରୀ କହିଲା–”ପ୍ରତିଥର କଣ କିଛି ଗୋଟାଏ ଆଣିବା ଦରକାର ? ମୁଁ କଣ ପିଲା ହେଇଚି ?”

 

ବିଜୟ ତାକୁ ଛାତି ଉପରେ ଜାକି ଧରିଲା, କହିଲା–”ମଞ୍ଜୁ, ତମକୁ ମୁଁ ବହୁତ ଭଲପାଏ, ଜୀବନରେ ସବୁଠୁ ବେଶି, ବିଶ୍ଵାସ କରୁନ ମୋତେ ?”

 

ମଞ୍ଜୁଶ୍ରୀ ଟେବୁଲ୍ ଉପରେ ଅସ୍ତବ୍ୟସ୍ତ ଖେଳେଇହୋଇ ପଡ଼ିଥିବା ସୁଟ୍କେସ୍କୁ ସଜାଡ଼ିବା କଥା ଭାବୁଥାଏ, ଭାଗ୍ୟ ଭଲ ଝରକା ପର୍ଦ୍ଦା ଟେକା ହେଇନାଇଁ ଏମିତି ବେଳେ–ଭାବୁଥାଏ ଓ କାନ୍ଥ କଡ଼ରେ ବୁଢ଼ିଆଣୀଟିଏ ଲାଗିପଡ଼ି ତା ଜାଲ ମରାମତି କରୁଥିବା ଲକ୍ଷ୍ୟ କରୁଥାଏ ।

 

ବିଜୟ ଧୀର ଗଳାରେ ତା କାନ ପାଖେ କହିଯାଉଥିଲା, ଆଉ ଶେଷରେ ପଚାରିଲା–”ମଞ୍ଜୁ, କହିଲନି ତ, ମୋତେ ବିଶ୍ଵାସ କରୁଚ କି ନାଇଁ ?”

 

ମୁଣ୍ଡ ଟୁଙ୍ଗାରି ଅତି ଧୀରେ ମଞ୍ଜୁଶ୍ରୀ କହିଲା–”କରେ । ଆଉ କାହାକୁ ବିଶ୍ଵାସ କରିବି ?”

 

ବୁଢ଼ିଆଣୀଟି ନିଜ ଜାଲ ଭିତରେ ଏଥର ନିଶ୍ଚୁପ ହୋଇ ବସିପଡ଼ିଥାଏ । ମଞ୍ଜୁର ଖିଆଲ୍ ହେଲା ବୁଢ଼ିଆଣୀ ନିଜ ଜାଲରେ ନିଜେ ଫନ୍ଦି ହୁଏ ନାଇଁ କେବେ କେମିତି ? ତା ଗୋଡ଼, ଦେହ ଆଉ ତା ତିଆରି ସୁନ୍ଦର ଘରର ତନ୍ତୁ ମଝିରେ ପତଳା ପିନ୍ ପିନ୍ କାନ୍ଥଟିଏ ଥାଏ କି ?

Image

 

ଶ୍ରୀ ରାଧାବିନୋଦ ନାୟକ

 

ଅନୁଚ୍ଚାରିତ

 

ଚେଷ୍ଟା କରାଗଲେ ଅପ୍ରୀତିକର ପରିସ୍ଥିତିଗୁଡ଼ିକୁ ଅତିକ୍ରମ କରାଯାଇରାନ୍ତା ! ଏଇଟା ଖାଲି କହିବା କଥା । କେହି କଣ ଇଚ୍ଛାକରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ! ହୁଏତ ସମସ୍ତ ସଂଯମ ସତ୍ତ୍ବେ କେତେବେଳେ ଗଣ୍ଠି ହୁଗୁଳିଯାଏ ଓ ପ୍ରକୃତିସ୍ଥ ହେଲାବେଳକୁ ମଣିଷ ଦେଖେ ସେ ତା’ର ଅକ୍ତିଆର୍ର ବାହାରକୁ ଚାଲିଯାଇଛି । ଯଦି ନିଜ ପକ୍ଷରୁ ଭୁଲ ରହିଯାଇଛି, ଅନ୍ତରରେ ଲଜ୍ଜିତ ହୁଏ କିମ୍ୱା ଠିକ୍ ଥିଲେ ଅହଙ୍କାର ମାଧ୍ୟମଦେଇ ନିଜର ଭାବଟିକୁ ପ୍ରକାଶ କରିଦିଏ ।

 

ଏ ଘଟଣାଟି କିନ୍ତୁ ସ୍ଵତନ୍ତ୍ର । ଏଥିରେ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷ ପ୍ରତି ଆକ୍ଷେପ ନଥିଲା ବରଂ ଆକ୍ଷେପଟା ଗୋଟାଏ ଆଲୋଚନାକୁ କେନ୍ଦ୍ର କରି ସଭାପତିଙ୍କ ଦୃଷ୍ଟିଭଙ୍ଗୀ ପ୍ରତି ।

 

ସମରେନ୍ଦ୍ର ଆପାତତଃ ଲେଖା ବନ୍ଦକଲେ ଓ କଲମର କେପ୍ ଦେଇ ଲେଖା ଖାତାର ମଝି ଭାଙ୍ଗରେ ଥୋଇଦେଲେ । ପରିଷ୍କାର କାଚ ଗ୍ଲାସ୍ରୁ ଢୋକେ ପାଣି ପିଇ ଖଣ୍ଡେ ସିଗ୍ରେଟ୍ ମୁହଁରେ ଧରିଲେ । ପରେ ଚେୟାରଟିକୁ ସାମାନ୍ୟ ପଛକୁ ଘୁଞ୍ଚାଇ ନିଜର ଆସନ ଛାଡ଼ିଲେ ଓ କୋଠରୀ ମଧ୍ୟରେ ପାୟଚାରି ଆରମ୍ଭ କରିଦେଲେ ।

 

ସତରେ କଣ ପରିସ୍ଥିତିଟିକୁ ଅତିକ୍ରମ କରାଇପାରିଥାନ୍ତା । ସେ ପୂର୍ବ ଘଟଣାଟିକୁ ମନରେ ଦୋହରେଇବାକୁ ଲାଗିଲେ । ଜଣେ ନିମନ୍ତ୍ରିତ ଅତିଥି ହିସାବରେ ଯେଉଁ ସୌଜନ୍ୟତା ରଖିବା କଥା ସେ ରଖିଥିଲେ ଓ ଉପସ୍ଥିତ ପ୍ରତ୍ୟେକ ସଭ୍ୟଙ୍କୁ କୋମଳହସରେ ଆପ୍ୟାୟିତ କରିଥିଲେ । ଏପରିକି ଯେଉଁ ବୟସ୍କ ଭଦ୍ରବ୍ୟକ୍ତି ଅନୁଷ୍ଠାନର ସମ୍ପାଦକଙ୍କ ଦ୍ଵାରା ପ୍ରସ୍ତାବିତ ଓ ଅନ୍ୟ ଜଣେ ସଭ୍ୟଙ୍କଦ୍ୱାରା ସମର୍ଥିତ ହୋଇ ସଭାପତି ହେଲେ ଏବଂ ଯାହାଙ୍କ ପାଇଁ ଏ ବିତର୍କର ସୃଷ୍ଟି ସେ ଉପସ୍ଥିତ ହେଲାବେଳେ ମଧ୍ୟ ତାଙ୍କ ବୟସକୁ ସମ୍ମାନ ଦେବାକୁ ଯାଇ ସମରେନ୍ଦ୍ର ତାଙ୍କ ନିକଟରେ ନିଜର ସମର୍ପଣ ଭାବ ପ୍ରକାଶ କରିଥିଲେ । ଅଥଚ ଘଟଣାଟା କେମିତି କ୍ରମେ ଜଟିଳ ହୋଇ ଶେଷରେ ଗୋଟିଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲା ।

 

ସମରେନ୍ଦ୍ରଙ୍କର ଚିନ୍ତା ଗୋଟାଏ କୂଳ ଛୁଇଁଲା । ନିରପେକ୍ଷ ବିଚାରରେ ସେଥିପାଇଁ ସେ ଦାୟୀ ନୁହନ୍ତି ବରଂ ଏପରି ଏକ ପରିସ୍ଥିତିର ଉଦ୍ଭବ ହେଲା କେବଳ ଅନୁଷ୍ଠାନର ସମ୍ପାଦକଙ୍କ ପାଇଁ-। କାରଣ ସଭାପତି ମହାଶୟ ସଭା ପରିଚାଳନାର ଦାୟିତ୍ୱ ମୁଣ୍ଡକୁ ନେବାର ଅଳ୍ପ ସମୟ ପୂର୍ବରୁ ଛାତିପକେଟରୁ ବାହାର କରିଥିବା ଖଣ୍ତେ ଟୁକୁରା କାଗଜରେ ପ୍ରସ୍ତୁତ କାର୍ଯ୍ୟସୂଚୀଟିକୁ ତାଙ୍କ ଆଗରେ ପେଶ୍ କରିଦେଲେ, ଯେଉଁଥିରେ ଦୁଇ ନମ୍ବରରେ ଥିଲା ସାହିତ୍ୟ ଆଲୋଚନା–‘ସାଂପ୍ରତିକ ସାହିତ୍ୟରେ ଜୀବନଚିତ୍ର’ ଓ ମୁଖ୍ୟ ଆଲୋଚକ ସମରେନ୍ଦ୍ର ନିଜେ ।

 

ସେପର୍ଯ୍ୟନ୍ତ କଥା ଠିକ୍ ଥିଲା । କାର୍ଯ୍ୟସୂଚୀଟା ସାମ୍ନାକୁ ଆସିଗଲା ପରେ ସଭାପତି ଯତ୍ନରସହିତ ପକେଟରୁ ଚଷମା କାଢ଼ି ସେଥିରୁ ଚଷମାଟି ବାହାର କଲେ ଏବଂ ଅଳ୍ପ ବ୍ୟବଧାନରେ ପଞ୍ଜାବୀର ଝୁଲ ଅଂଶଦ୍ୱାରା ଚାଷମାଟିକୁ ପରିଷ୍କାରକରି ଆଖିରେ ଦେଲେ । ତାପରେ ଚଷମା କାଚକୁ ବେନିଭାଗ କରିଥିବା ସୀମାରେଖାର ନିମ୍ନଅଂଶ ଦେଇ କାର୍ଯ୍ୟସୂଚୀଟିକୁ ପରୀକ୍ଷା କରିନେଲେ ଏବଂ ସାମାନ୍ୟ ପରେ ବାଁ ହାତରେ ଚାଷମାଟିକୁ ବାହାର କରିଦେଇ ଆଲୋଚନା ଆରମ୍ଭ କରିବାକୁ ସମରେନ୍ଦ୍ରକୁ ଅନୁରୋଧ କଲେ ।

 

ସମରେନ୍ଦ୍ର ପୁଣିଥରେ କଥାଟାକୁ ନୂଆକରି ମନେପକାଇବାକୁ ଚେଷ୍ଟା କଲେ ଓ ଠିକ୍ ସେତିକିବେଳେ ବକ୍ତବ୍ୟ ସମୟର ସଭାପତିଙ୍କ ମୁହଁଟା ମନକୁ ଆସିଲା । ପ୍ରଥମତଃ ଲୋକଟାର ଚେହେରା ଦେଖିଲେ ବିରକ୍ତି ଆସିବ । କାରଣ ତାଙ୍କ ଶରୀରରେ ଆନୁପତିକ ମେଦ ବୃଦ୍ଧି ଘଟି ନଥିବା ହେତୁ ସେ କେମିତି ଗୋଟାଏ ବ୍ୟତିକ୍ରମ ପରି ଲାଗନ୍ତି, ପୁଣି ତାଙ୍କ ଫୁଲିଲା ଫୁଲିଲା ଗାଲ ଓ ଉଚ୍ଚ କପାଳ ବିଶିଷ୍ଟ ଚେପ୍ଟା ମୁଣ୍ଡ ମଧ୍ୟରେ ଛୋଟ ଆଖି ଦୁଇଟିକୁ ଦେଖିଲେ ମନେହେବ ଯେମିତି ତାଙ୍କ ମସ୍ତିଷ୍କରେ ବୁଦ୍ଧି ନାମକ ସୂକ୍ଷ୍ମ ପଦାର୍ଥଟି ଅତ୍ୟଧିକ ମେଦର ଚାପରେ କୁଆଡ଼େ ନିଶ୍ଚିହ୍ନ ହୋଇଯାଇଛି; ଫଳରେ ତଦ୍ଜନିତ ଅସହାୟତା ସେଇ ଆଖି ଦୁଇଟିଦେଇ ପ୍ରକାଶିତ ହେଉଛି ଅଥଚ ସେ ତାଙ୍କର ପ୍ରତ୍ୟେକ କଥା ଉପରେ ହସନ୍ତି ଓ ସେ ଯେ ସଂପୂର୍ଣ୍ଣ ରୋମାଣ୍ଟିକ୍ ସେଇଟା ପ୍ରମାଣ କରିବାକୁ ଆଖି, ଭ୍ରୂଲତା ଇତ୍ୟାଦିରେ ଅନେକ ଭଙ୍ଗୀ କରନ୍ତି ।

 

‘ଭେଗ୍’–ପୌଢ଼ଙ୍କର ସମୁଦାୟ ଆଲୋଚନାକୁ ଯେମିତି ସମରେନ୍ଦ୍ର କେବଳ ଗୋଟାଏ ଶବ୍ଦରେ ପ୍ରକାଶ କରିଦେଇ ଆଶ୍ୱସ୍ତ ହେଲେ ଓ ପୁନର୍ବାର ଟେବୁଲ ନିକଟକୁ ଆସି ତାଙ୍କ କଳ୍ପିତ ଲେଖାରେ ମନୋନିବେଶ କଲେ ।

 

ମତଗୁଡ଼ିକୁ ମାଇକ୍ରେ ପ୍ରଚାର କରି ଲାଭ ନାହିଁ । ମଣିଷ ସଭ୍ୟ ହେଲାଠାରୁ ସମାଜରେ ତା’ର ଉପରସ୍ତରରେ ଥିବା ଲୋକଙ୍କର ବହୁମତ ଶୁଣି ଆସିଛି଼, ଅଥଚ଼ ସେଗୁଡ଼ିକର ଜୀବନରେ ସଫଳ ପ୍ରୟୋଗ କେମିତି ସୁଦୂରପ୍ରସାରୀ ସେମିତି ଘଟିବାର କାରଣ ମଧ୍ୟ ରହିଛି଼ । କହୁଥିବା ଲୋକର ନିଜ କଥାଗୁଡ଼ିକୁ କାର୍ଯ୍ୟକାରି କରିବାରେ ନିଷ୍ଠାର ଅଭାବ ଏତେ ବେଶୀ ଫଳରେ ଶୁଣିବା ଲୋକ ଭାବେ ଏଗୁଡ଼ିକୁ ସେ ପରିହାସରେ କହୁଛି଼ । ତେଣୁ ସେ ଗୋଟିଏ ସହଜ ସିଦ୍ଧାନ୍ତରେ ପହଞ୍ଚେ–ହୁଏ ତ କହିବା ତାଙ୍କର ପେଶା ଏବଂ ବହୁ ବିରକ୍ତିକର ପରିବେଶରୁ ମୁକ୍ତି ପାଇଁ ଦୁଇ ଘଣ୍ଟା ଗାଲୁଗଳ୍ପ ଶୁଣିବାରେ ବି କିଛି଼ଟା ମାନସିକ ବିଶ୍ରାନ୍ତି । ଲୋକ କିଛି ପଢୁ଼ଛି, ହେଉ ବରଂ;

 

“ବାଳକ ନିରୁଦ୍ଦିଷ୍ଟ–ଟୁନୁ ତୁମ କଥା ଚିନ୍ତା

କରି କରି ବୋଉ ବିଛଣା ଧରିଲେଣି,

ପାଖରେ ଟଙ୍କା ନ ଥିଲେ ଆମକୁ ଜଣାଅ

ନଚେତ୍ ଠିକଣା ଜଣାଇଲେ ଆମେ ଯାଇ

ନେଇଆସିବୁ...”

କିମ୍ଵା, “ଷାଠିଏ ବର୍ଷ ବୃଦ୍ଧର ସାତ ବର୍ଷ ବାଳିକା ପ୍ରତି

ପାଶବିକ ଅତ୍ୟାଚାର...”

 

ଇତ୍ୟାଦି ଇତ୍ୟାଦି । ଅକ୍ଷର, ଶବ୍ଦ, ବାକ୍ୟ ଦେଇ ଧାରଣାକୁ ପ୍ରକାଶିତ କରିବାକୁ ହେବ, ମଣିଷର ମନକୁ ଛୁଇଁବା ପାଇଁ ହେବ । ଲୋଡ଼ା ନାହିଁ ସଭା, ଡାକବାଜି ଯନ୍ତ୍ର, ଧଳାକାଗଜରେ କାର୍ଯ୍ୟସୂଚୀ ଓ ଫୁଲହାର; ପୁଣି ମୁରବିସୁଲଭ ଗାମ୍ଭୀର୍ଯ୍ୟ ଭିତରେ କେଇପଦ ହିତୋପଦେଶ । ଗୋଟାଏ ଚିରାଚରିତ ଦେହଘଷା ଦୃଶ୍ୟ, ସବୁ ଅସାର ଫମ୍ପା–ନାଁ ମନକୁ ଛୁଏଁ, ନାଁ ଚିନ୍ତାଶକ୍ତିକୁ । କିଛି ଉନ୍ନାଦନା ଓ କିଛି ଅସଫଳ ପରିଶ୍ରମ ।

 

ସେଇ ଘଟଣାଠାରୁ ସମରେନ୍ଦ୍ରଙ୍କର ଗୋଟିଏ କଥା–ବର୍ଣ୍ଣମାଳା ଦେଇ ଧାରଣାକୁ ବୁଣିଦିଅ, ଉର୍ବର ମାଟି ଓ ଅନୁକୂଳ ପାଗ ପାଇଲେ ମଞ୍ଜି ଅଙ୍କୁରିବ । କଥା କହି, ଯୁକ୍ତିକରି ସଖା ଓ ପ୍ରୀତିର ମଣିଷଙ୍କ ସହିତ ସମ୍ପର୍କ ତୁଟାଇ ଲାଭ ନାହିଁ । ସମୟ ତ ଏମିତି, କଥା କଥାକେ ମଣିଷ ବିଚ୍ଛିନ୍ନ, ନିଜ ସ୍ତ୍ରୀ ମୁହଁ ବିକୃତ ଦିଶୁଛି, ଉଜ୍ଜ୍ୱଳ ହେଉଛି ସଭାର ପ୍ରଥମ ଧାଡ଼ିରେ ବସିଥିବା ମୁହଁମାନ । ଏମିତି ଅବସ୍ଥାରେ କଥାକହି ଯୁକ୍ତିକରି ଲାଭ କଣ । ବର୍ଣ୍ଣମାଳାରେ ବୁଣିଦିଅ କଥା । ନିରୁଦ୍ଦିଷ୍ଟ ବାଳକ ବା ଷାଠିଏ ବର୍ଷ ବୃଦ୍ଧର ସାତବର୍ଷ ବାଳିକା ଉପରେ ପାଶବିକ ଅତ୍ୟାଚାର କଲମ ତଳେ, ଆଖି ହୁଏ ତ ଅଟକିଯିବ ଲୋକର । ମନକୁ ଘେନିଲେ କହିବ–କଥାଟାଏ ।

 

ସେ କଣ ମନଘେନା କଥା କହୁ ନ ଥିଲେ–ସମରନ୍ଦ୍ରେ ଲେଖା ବନ୍ଦକରି କଲମଟିକୁ ଦାନ୍ତରେ କାମୁଡ଼ିଲେ । କି ଅସହିଷ୍ଣୁ ସ୍ଵର, କି ଅନୁଦାର ଦୃଷ୍ଟିଭଙ୍ଗୀ ସେ ପ୍ରୌଢ଼ଙ୍କର । ନିଜ ବୟସର ସମସ୍ତ ଗାମ୍ଭୀର୍ଯ୍ୟ ଭୁଲି ସେ ଯେମିତି ପିଲାଳିଆ ଯୁକ୍ତି ଆରମ୍ଭ କରିଦେଲେ ସମରେନ୍ଦ୍ର ସେହି ସ୍ତରକୁ ଓହ୍ଲେଇ ଆସିଥିଲେ ହୁଏତ ହାତାହାତି ଅଳ୍ପବାଟ ବୋଲି ମନେ ହୋଇଥାନ୍ତା । ଅଥଚ ସମରେନ୍ଦ୍ର ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତିପରି ଅତି ନମ୍ରଭାବେ କଥାଟିକୁ ବୁଝାଇବାକୁ ଚେଷ୍ଟା କଲେ–ଦେଖନ୍ତୁ ମୁକ୍ତି ପିପାସା ମଣିଷର ଚିରନ୍ତନ ପ୍ରବୃତ୍ତି, ବର୍ତ୍ତମାନର ଦୁନିଆରେ ସେ ଅତିଷ୍ଠ । ତେଣୁ ସେ ଗୋଟିଏ ମୁକ୍ତ ପୃଥିବୀର ସନ୍ଧାନ କରୁଛି... ତା’ର ଏଇ ଇଚ୍ଛା ତା’ର ପ୍ରତିଟି ଲେଖାରେ ପ୍ରତିଫଳିତ ହେଉଛି–ଟ୍ରାସ୍, ଟ୍ରାସ୍କିଲୋ ଓଜନରେ ବି ସେ ସାହିତ୍ୟ ବିକ୍ରି ହେବନି । ନିଜର ସଂସ୍କୃତି ସତ୍ୟ ଶିବ ସୁନ୍ଦରର ସାହିତ୍ୟାଦର୍ଶକୁ ଏମାନେ ହତ୍ୟା କରୁଛନ୍ତି । ସାହିତ୍ୟ ବିକୃତ, ସାହିତ୍ୟିକର ଦିଗ୍ଦର୍ଶନ ନାହିଁ ।

 

ସମରେନ୍ଦ୍ର ପ୍ରତିବାଦ କରିଥାନ୍ତେ–ଏବର ମଣିଷର ହେତୁ ହେଲା ପରେ ସେ ସଂସ୍କୃତିର ଅର୍ଥ ଜାଣିଛି ଭାଷାକୋଷରୁ, ସତ୍ୟ ଶିବ ସୁନ୍ଦର ତା’ ନିକଟରେ ଗୋଟିଏ ବାଣୀ କେବଳ । ପୂର୍ବ ବଂଶଧର (ପ୍ରୌଢ଼ଙ୍କ ଗୋଷ୍ଠୀ) ନିଜର ଆଚାର ବିଚାର ବ୍ୟବହାରରେ ସେ ସବୁର ତଣ୍ଟି ଚିପି ମାରିଦେଇଛନ୍ତି । ... କିନ୍ତୁ ସେ କିଛି କହିପାରିଲେ ନାହିଁ । କାରଣ ପ୍ରୌଢ଼ଙ୍କର ଉଚ୍ଚ କଣ୍ଠସ୍ଵର ତଥା ତାଙ୍କ ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଐକ୍ୟତାନରେ ତାଙ୍କ ମତପ୍ରତି ସମର୍ଥନ ଜଣାଉଥିଲେ ।

 

ସମରେନ୍ଦ୍ର ସେ ସଭାରୁ ଉଠିଆସିଥିଲେ ଓ ବାଟରେ ଘଟଣାଟିକୁ ସୁଗଭୀର ଭାବେ ଚିନ୍ତା କରିଥିଲେ । ତାଙ୍କ ଭିତରେ ପ୍ରୌଢ଼ଙ୍କର ସେଇ ଅଛିଣ୍ଡା ଉକ୍ତି... ସଂସ୍କୃତି...ସତ୍ୟ ଶିବ ସୁନ୍ଦର... ତାକୁ ଛାଡ଼ି ହେବନି । ପ୍ରତି ଭାରତୀୟ ରକ୍ତରେ ଯେମିତି ମିଶିଯାଇଛି ସେ ଧାରାଟା । ସମରେନ୍ଦ୍ର ଠାଏ ଅଟକି ଯାଇଥିଲେ ରାସ୍ତାରେ ଓ ଆକାଶକୁ ଚାହିଁ ସ୍ଵର୍ଗତୋକ୍ତି କଲାପରି ପ୍ରଶ୍ନ କରିଥିଲେ ନିଜକୁ, ନିଜର ମୌଳିକ ଚେତନାକୁ ପ୍ରୌଢ଼ ନିଜର ଯୁକ୍ତି ପ୍ରତି ବିଶ୍ଵସ୍ତ ତ; ନାଁ ଏଇଟା ତାଙ୍କ ଆଚରଣଠାରୁ ବିପରିତଧର୍ମୀ ଏକ ମୌଖିକ ପ୍ରଚାର । ତାଙ୍କର ଚିନ୍ତା, ଯନ୍ତ୍ରଣା, ଅସନ୍ତୋଷ ଇତ୍ୟାଦି କଣ ପ୍ରୌଢ଼ଙ୍କର ବାଣୀଠାରୁ ଯଥେଷ୍ଟ ଦୂରବର୍ତ୍ତୀ ?

 

ଚିନ୍ତାର ଖିଅଟା ମିଳିଯାଇଥିଲା ସେତେବେଳେ ନାଁ, ବରଂ ଯଥେଷ୍ଟ ନିକଟବର୍ତ୍ତୀ । ଏଇ ଯନ୍ତ୍ରଣାମୟ ଅନ୍ନେଷଣ ଭିତରେ ହୁଏତ ସଂସ୍କୃତି ବା ସତ୍ୟ ଶିବ ସୁନ୍ଦରର ଧାରଣାଟା ନିର୍ଦ୍ଦିଷ୍ଟ ରୂପ ନେଇ କେତେବେଳେ ଧରାପଡ଼ିଯିବ ହାତରେ ଏବଂ ସେ ନିଶ୍ଚିତ ତା’ର ସେଇ ଅନ୍ୱେଷଣ ମଧ୍ୟରେ ପାଇବାର ବ୍ୟାକୁଳତା ଅଛି । ସେ କହୁଛି...ଏଇ ଦେଖ ମୁଁ ଅନାଥଟିଏ, ଏକାକୀ ରାଜପଥରେ, ମୋ ଘର ଉଜୁଡ଼ିଯାଉଛି...ପିତା ମାତା ପ୍ରିୟ–ପରିଜନଙ୍କଠାରୁ ବିଚ୍ଛିନ୍ନ–ଅନ୍ଧାର ଭିତରେ ସେମାନଙ୍କୁ ମୁଁ ଦରାଣ୍ଡୁଛି–ମୋର ଲୋଡ଼ା ଦୀପ ଶିଖାଟିଏ–ମୋ ହୃଦୟର ପ୍ରତିନିଧି ମୋ ମୁହଁକୁ ପରିଚିତ କରାଇଦେବ ଅନ୍ୟମାନଙ୍କ ସହିତ । ମୁଁ ଖୋଜୁଛି ମୋର ପ୍ରାଚୀନ ଧାରାଟିକୁ ଯେଉଁଠି ମଣିଷ କହୁଥିଲା ଆମେ, ମୁଁ ନୁହେଁ । ଅଥଚ ପ୍ରୈାଢ଼ଟି ପରିଚିତ ହେଇପାରୁନି ଏଇ ସ୍ଵର ସହିତ ବରଂ ତା’ର ଶକ୍ତି ଦେଇ ପ୍ରତିରୋଧ କରୁଥିଲାବେଳେ ଅଲକ୍ଷ୍ୟରେ ଆତ୍ମପ୍ରବଞ୍ଚନା ଭିତରେ ବୁଡ଼ିଯାଉଛି ।

 

ସମରେନ୍ଦ୍ର ଆକାଶରୁ ମୁହଁ ଫେରାଇଲେ ନିଜର ପୁରାତନ ପୃଥିବୀକୁ । ଆତ୍ମସନ୍ତୋଷର ଏକ ଭାବ ତାଙ୍କୁ ସେ ସମୟରେ ନିଜ ଧାରଣା ପ୍ରତି ଅଧିକ ବିଶ୍ଵସ୍ତ କରିଦେଲା । ସବୁ ଠିକ୍ ଅଛି–ସମରେନ୍ଦ୍ର ଘରକୁ ଫେରିଆସିଲେ ଓ କଣ କରିବେ ନ କରିବେ ଦ୍ଵନ୍ଦରୁ ରକ୍ଷା ପାଇବାପାଇଁ ଅଧିକାଂଶ ସମୟ ପରି ଗୋଟିଏ ଗଳ୍ପର ପରିକଳ୍ପନା କଲେ ।

 

ସମରେନ୍ଦ୍ର ପ୍ରକୃତିସ୍ଥ ହେଲେ ଓ ପୁନର୍ବାର ଲେଖାଟିରେ ମନଦେଲେ ।

 

ଅନ୍ତିମ ପର୍ଯ୍ୟାୟ । ଦ୍ୱନ୍ଦ । ନାୟକ ଏବକା ସମୟର ଏକ ଅସାମାଜିକ ଯୁବକ ଏବଂ ନାୟିକା ଏକ ସମ୍ଭ୍ରାନ୍ତ ପରିବାରର କନ୍ୟା, ପୁଣି ଚଉଦ ପନ୍ଦର ବର୍ଷର । ପରସ୍ପର ପ୍ରତି ସେମାନେ ଅତିରିକ୍ତ ଆସକ୍ତ, ଅଥଚ ସେମାନଙ୍କ ପଥରେ ଅନ୍ତରାୟ ସାମାଜିକ ବିଧି ନିୟମ, ଅନ୍ୟରୂପରେ କନ୍ୟାର ପିତାମାତା ।

 

ପରିଣତି ! ପରିଣତିଟାଇ ଚରମ ସମସ୍ୟା । ବିଭିନ୍ନ ବାଟରେ ଗଳ୍ପଟିକୁ ଶେଷ କରାଯାଇପାରେ, ସମରେନ୍ଦ୍ର ଚିନ୍ତାକଲେ । ହୁଏତ ବାଧ୍ୟବାଧକତାରେ ସେମାନଙ୍କ ପ୍ରେମକୁ ଧ୍ଵଂସ କରାଯାଇପାରେ । ନୀରବରେ ସେମାନେ ଅନନ୍ତସମୟ ଧରି ପରସ୍ପରକୁ ଅପେକ୍ଷା କରିପାରନ୍ତି । ଯେଉଁ କଥାଟା ଆପାତତଃ ସମରେନ୍ଦ୍ର ସ୍ଥିର କରିଛନ୍ତି, କନ୍ୟାଟି ରାତିରେ ଉଠି ପିତାମାତାଙ୍କ ମୁହଁରେ କାଳିଦେଇ ଅସାମାଜିକ ଯୁବକ ସହିତ ଚାଲିଯାଇପାରେ ଅନିର୍ଦ୍ଦିଷ୍ଟ ପଥରେ ।

 

ସମରେନ୍ଦ୍ର ଲେଖା ମାଧ୍ୟମରେ ଜୀବନ ଉପରେ ପ୍ରାଧାନ୍ୟ ଦିଅନ୍ତି । ସମରେନ୍ଦ୍ର ପାଣି ଦି’ଢ଼ୋକ ପିଇ ବିଗ୍ରହର ଚକ୍ଷୁଦାନ ପାଇଁ ଆଗେଇ ଯାଉଥିଲେ–ଯାଉ ସେ ମେଞ୍ଚଡ଼ ଟୋକୀ, ସେ ଟୋକାଟା ଅସାମାଜିକ ହୋଇପାରେ; କିନ୍ତୁ ତା’ର ପ୍ରାଣ ଅଛି ଓ ସେ ପ୍ରାଣକୁ ଚିହ୍ନିପାରିଛି ଏ କନ୍ୟା...ପ୍ରେମ ତ କେବଳ ମାତ୍ର ସତ୍ୟ, ଚିରନ୍ତନ ।

କେହି ଅଶରୀରୀ ଯେମିତି ସମରେନ୍ଦ୍ରଙ୍କ ହାତକୁ ଧରି ରୋକିଦେଲା–ଲେଖି ଦେଇ ପାରିବୁ ଏତେବଡ଼ କଥାଟେ ! ସାମାଜିକତାର ଅଲଘ୍ୟ ସୀମାକୁ ଗୋଟିଏ ଗାରରେ ଭାଙ୍ଗିଦେବୁ– ! ମନେକର ସେ କନ୍ୟାଟି ତୋ ନିଜର ଏବଂ କୌଣସି ସକାଳେ ପରିଷ୍କାର ମନନେଇ ଯେତେବେଳେ ଦେଖିବୁ ପାଖ କୋଠରିର ଦରଜା ମେଲା ଓ ସମ୍ବାଦପତ୍ର ବାର୍ତ୍ତା ପ୍ରଚାର କରିବ ଅମୁକ ବାବୁଙ୍କ ଚଉଦ ବର୍ଷର କନ୍ୟା ମଧ୍ୟରାତ୍ରିରେ ଜଣେ ଅସାମାଜିକ ଯୁବକ ସହିତ ଅନ୍ତର୍ଦ୍ଧାନ...ପାରିବୁ ତ ? ଚିନ୍ତାକର; ବର୍ଣ୍ଣମାଳାରେ ଧାରଣା ବୁଣିଦେବା ସହଜ; କିନ୍ତୁ କଣ ବୁଣୁଛୁ ସେଇଟାଇ ସମସ୍ୟା ।

କଲମର ମୁନଟା ସତରେ ଭାଙ୍ଗିଗଲା କି । ତାଙ୍କ ମନରେ କେନ୍ଦ୍ରୀଭୂତ ସମସ୍ତ କ୍ରୋଧ ଓ ସ୍ପଷ୍ଟ ମତପ୍ରଚାରର ସମସ୍ତ ଝୁଙ୍କ୍ ବିରାଟ ଏକ ଦ୍ଵନ୍ଦରେ ରୂପାନ୍ତରିତ ହେଲା । ବାସ୍ତବିକ ଗଳ୍ପନାୟିକା ଯଦି ତାଙ୍କ ନିଜ କନ୍ୟା ହୁଏ...ଏଇ ତ ସାହିତ୍ୟସଭାର ସେ ପ୍ରୌଢ଼ଙ୍କର ପ୍ରେତଟା ଯେମିତି କ୍ରମେ ସମରେନ୍ଦ୍ରଙ୍କର ଗୋଡ଼ଦେଇ ସମୁଦାୟ ଶରୀର ଓ ଚିନ୍ତାଶକ୍ତିକୁ ଗ୍ରାସ କରିବାକୁ ବସିଲାଣି । ହୁଏତ ଅଳ୍ପ ସମୟ ପରେ ସେ ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ନିଦରୁ ତାଙ୍କ ବାଣୀ ପ୍ରଚାର କରିବେ–ଦେଖ ବାପା, ପରକନ୍ୟାକୁ ନିଜର ମାତୃବତ୍ ଜ୍ଞାନକରିବ, ପରଦ୍ରବ୍ୟକୁ ଠେଲି ଦେବ, ସର୍ବଦା ଉଚିତମାର୍ଗରେ ଗମନ କରିବ ଇତ୍ୟାଦି ଇତ୍ୟାଦି ।

ସମରେନ୍ଦ୍ର ପୁନର୍ବାର ଚିନ୍ତାକଲେ–ସତକି, ଏଇଟା କଣ ମୋର ପ୍ରକୃତ ପରିଚୟ । ନାଁ–ନାଁ–ରାସ୍ତାରେ ଚାଲିଯାଉଥିବା ପରର କନ୍ୟା ବା ଦାରା–ମାନଙ୍କର ଶରୀରରେ ଠାଏ କେମିତି ତା’ର ଆଖି ଅଟକିଯାଏ, ପୁଣି ବାଡ଼ିର କଦଳୀକାନ୍ଦିଟା ଠାରୁ କୋଠା ଓ କାର ପର୍ଯ୍ୟନ୍ତ କେମିତି ନିଜର କରିନେବାକୁ ଇଚ୍ଛା ହୁଏ…ଏଇଟା ସତ, ମଣିଷର ପ୍ରବୃତ୍ତି । କେତେଦିନ ଆଉ ସଂସ୍କୃତି ନାଁରେ ଜୀବନଟାକୁ ଅସ୍ୱୀକାର କରି ଚାଲିବୁ ?

ସମରେନ୍ଦ୍ରକୁ ଯେମିତି କିଏ ଶକ୍ତ ଧକ୍କାଟାଏ ଦେଲା–ଯାଆରେ ବାପୁ । ବର୍ଣ୍ଣମାଳାରେ ଧାରଣା ବୁଣି ଦେ । ସେ ଟୋକିକୁ ତା ପ୍ରେମିକ ସାଙ୍ଗରେ ବିଦା କରିଦେ…ତେଣିକି ତୋର ଛୁଟି । ଯାହା ଭାବୁଥାଉ ତୋ ସମାଜ । ସତ୍ୟର ମୁଖା ଖୋଲି ଦେ ।

 

ଗୋଟାଏ ଉତ୍ତେଜନାରେ ସମରେନ୍ଦ୍ର ଗଳ୍ପଟିକୁ ଶେଷକରିବା ପାଇଁ ସିଦ୍ଧାନ୍ତ ନେଇ କୋଠରିକୁ ଫେରୁଥିଲାବେଳେ ପାଖ କୋଠରିରେ ତାର ଆଖି ଅଟକି ଗଲା ଏବଂ ସେ ଦେଖିଲା ସଂପୂର୍ଣ୍ଣ ଏକ ଆଲୋକିତ ରାଜ୍ୟରେ ରୀତା ଶୋଇଛି ତାର ଚଉଦ ପନ୍ଦର ବର୍ଷର ଗୋଡ଼ ଦୁଇଟିକୁ ଖୋଲା କରି ।

 

(ପ୍ରକାଶ ଥାଉକି ରୀତା ଗୋଟାଏ ବାଳିକା । ସେ ସମରେନ୍ଦ୍ରଙ୍କର ଦୂର–ସମ୍ଫର୍କୀୟା । ହିସାବରେ ଥଟ୍ଟା ଲାଗେ । ଛୁଟି କଟାଇବା ପାଇଁ ତାଙ୍କ ନିକଟକୁ ଆସିଛି । ସେ ସଂପ୍ରତି କୋୖଣସି ବାଳିକା ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ । ଏ ଯାଏ ଶାଢ଼ୀପିନ୍ଧା ଶିଖି ପାରିନି ।)

 

ସମରେନ୍ଦ୍ର ପାଦ ଟିପି ଟିପି ସେ କୋଠରିରେ ପ୍ରବେଶକଲେ ଓ ଖଟର ବାଡ଼ା ଉପରେ ଭରାଦେଇ ରୀତାର ଶରୀର ଉପରେ ଝୁଙ୍କି ପଡ଼ିଲେ । ଆପାତତଃ ରୀତାର ନିଷ୍ପାପ ଶରୀର, ତାର ଖୋଲା ଗୋଡ଼ ଦୁଇଟିର ତ୍ୱକ୍ । କେତେବା ଦୂରତ୍ୱ ତୃଷାର୍ତ୍ତ ଠାରୁ ନଦୀର ରାସ୍ତା; କିନ୍ତୁ ଅଙ୍କା ବଙ୍କା, ସ୍ଥାନେ ସ୍ଥାନେ କଣ୍ଟା ଓ ଅରମାରେ ପୂର୍ଣ୍ଣ ।

 

ଖଟ ବାଡ଼ରେ ଭରାଦେଇ ଝୁଙ୍କି ପଡି଼ଥିବା ତରୁଣ ସମରେନ୍ଦ୍ର । ଉଚିତ ଅନୁଚିତ ମନର ବିଚାର କେବଳ ।

 

ସମରେନ୍ଦ୍ର ସିଧାହୋଇ ଠିଆହେଲେ ଓ ହାଇ ମାରିଲେ । ତାଙ୍କର ମନେହେଲା ରାତିର ଜୀବନ ଅଛି, କୋଠରିର ଜୀବନ ଅଛି, ପରିବେଶର ଜୀବନ ଅଛି । ପ୍ରତ୍ୟେକ ନିଜ ନିଜର ଭୂମିକାରେ ସତର୍କ । ସେମାନେ ଯେମିତି ସବୁକଥା ଅଲକ୍ଷ୍ୟରେ ରେକଡିଂ କରି ନେଉଛନ୍ତି ଏବଂ ସକାଳ ହେଲେ ତାଙ୍କ ସ୍ତ୍ରୀ ନିକଟରେ ଖୋଲିଦେବେ ଗତ ରାତିରେ ସମୂଦାୟ ବୃତ୍ତାନ୍ତ–ଅଳ୍ପକେ ଅଟକିଗଲା ସିନା ବାୟାଟା, ନ ହେଲେ ସେ ତୃଷାର୍ତ୍ତ କଣ୍ଟା ଅରମାକୁ ମାଡ଼ି ମକଚି ନଦୀ ନିକଟରେ ପହଞ୍ଚି ଯିବାକୁ ଉଦ୍ୟମ କରିଥିଲା ।

 

ସମରେନ୍ଦ୍ର ସତର୍କ ହେଲେ–ସବୁ ଇଚ୍ଛା ନିର୍ଦ୍ଦିଷ୍ଟ ନୁହେଁ ଏବଂ ନିର୍ଦ୍ଦିଷ୍ଟ ଇଚ୍ଛାର ପରିପ୍ରକାଶ ଅନେକସମୟରେ ଏକ ବିପଜ୍ଜନକ ଘଟଣା ! ଆପତତଃ ଗଳ୍ପଟାକୁ ଶେଷ କରିବା ପାଇଁ ହେବ ।

 

ଦ୍ରୁତ ପଦକ୍ଷେପପରେ ସମରେନ୍ଦ୍ର ନିଜ ଆସନକୁ ଫେରିଆସିଲେ ଓ ଗଳ୍ପର ଶେଷ ଧାଡ଼ିରେ କନ୍ସେଣ୍ଟ୍ରେଟ୍ କଲେ । ମାତ୍ର ଧାଡ଼ିଟିଏ । ଢେ଼ର ପୂର୍ବରୁ କନ୍ୟାଟି ତା’ର ଆବଶ୍ୟକୀୟ ଜିନିଷପତ୍ର ଚମଡ଼ା ସୁଟ୍କେଶ୍ରେ ଭର୍ତ୍ତିକରି ପ୍ରସ୍ତୁତ ହୋଇ–ଗଲାଣି । କେବଳ ଶୋଇଥିବା ବାପା ମାଙ୍କ ପାଦରୁ ଧୂଳି ନେଇ ମୁଣ୍ଡରେ ମାରି ସେମାନଙ୍କର କଲ୍ୟାଣ ଭିକ୍ଷାକରିବ । ଘର ସାମ୍ନା କୃଷ୍ଣଚୂଡ଼ା ଗଛମୂଳେ ଅପେକ୍ଷା କରିଥିବା ଯୁବକ ନିକଟରେ ପହଞ୍ଚିବା ପୂର୍ବରୁ ଥରେ ଫେରି ନିଜ ଘରକୁ ଚାହିଁ ରକ୍ତ ନାମକ ଏକ ସମ୍ପର୍କକୁ କାଟିଦେଇଛି ବୋଲି ଦୁଃଖ କରିବ ଏବଂ ଅନ୍ଧାରରେ ଦୁଇଟୋପା ଲୁହ ଗଡା଼ଇ ଦେବ ଆଖିରୁ–ବାସ୍, ତା’ପରେ ଗଳ୍ପଟା ପୂର୍ଣ୍ଣହୋଇ ଯିବ ।

 

ଏଇମାତ୍ର କଥା, ଅଥଚ ପୁଣି ବିଶୃଙ୍ଖଳା–ସକାଳର କଥାଟା ମନେପଡ଼ିଗଲା । ସ୍ତ୍ରୀ କହୁଥିଲା ଦିନ କେଇଟା ଭିତରେ ରୀତା ପଡୋ଼ଶୀଙ୍କ ଅଠରବର୍ଷିଆ ପୁଅ ସାଙ୍ଗରେ ବେଶ୍ ଜମେଇ ଦେଲାଣି, ଦିନରେ ମୁହୂର୍ତ୍ତଟେ ଘରେ ରହୁନି, ସବୁବେଳେ ସେ ଟୋକା ସାଙ୍ଗରେ ଫୁସ୍ଫୁସ୍ ।

 

ଆହା, ଯେଉଁତ ଟୋକା, ଶାଲା ନମ୍ବର ୱାନ ହାରାମୀ । ଚେହେରା ଯେମିତି କାର୍ଯ୍ୟମାନ ବି ସେମିତି । କାହିଁକି କେଜାଣି ସମରେନ୍ଦ୍ର ସେ ଟୋକାଟାକୁ ଆଦୌ ସହ୍ୟ କରି ପାରନ୍ତିନି । ବିଶେଷ କରି ଏଇ କଥାଟା ଶୁଣିଲାଠାରୁ ସେ ଟୋକା ଗାଲରେ ଥାପଡ଼ଟେ ମାରିବାପାଇଁ ତାଙ୍କର ଇଚ୍ଛା ହେଉଚି । ଅସାମାଜିକ ବର୍ବର କଉଠିକାର । ଶାଲା ନିଜର ମା’ ଭଉଣୀ ନାହାନ୍ତି ।

 

ସକାଳ ହେଲେ ରୀତାକୁ ଏ ବିଷୟରେ ସତର୍କ କରିବାକୁ ହେବ ।

 

ଆଉମାତ୍ର କେତୋଟି ମୂହୁର୍ତ୍ତ, ବର୍ଣ୍ଣମାଳା ଦେଇ ନିଜର ଧାରଣା । ସବୁ କେମିତି ଗୋଳମାଳ ହୋଇଗଲା–ସେ କନ୍ୟାଟି ଶୋଇଥିବା ପିତାଙ୍କର ପାଦ ଧୂଳି ନେଉଥିବାବେଳେ ପିତାଙ୍କର ନିଦ ଭାଙ୍ଗି ଯାଇଛି ଏବଂ ତାଙ୍କର କର୍କଶ କଣ୍ଠସ୍ୱର ଓ ତୀବ୍ର ଦୃଷ୍ଟିରେ କାକୁସ୍ଥ କନ୍ୟାଟି ।

 

ଆଲୋକ ଭିତରେ ସମରେନ୍ଦ୍ର ଅତିଷ୍ଠ ହେଉଥିଲେ । ସେ ହଠାତ୍ ସ୍ୱିଇଚ ଅଫ୍କଲେ ଓ ବିଛଣାରେ ଗଡ଼ିଯାଇ ଚିନ୍ତା କରୁଥିଲେ । ସେ ପୌଢ଼ଙ୍କ ସହିତ ଏମିତି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରିଥିଲେ ଭଲ ହୋଇଥାନ୍ତା ।

Image

 

ଶ୍ରୀ ପୂର୍ଣ୍ଣାନନ୍ଦ ଦାନୀ

 

ପଡ଼ୋଶିନୀ

 

ବଲାଙ୍ଗୀରଠାରୁ ଆଜି ଖଣ୍ଡିଏ ପତ୍ର ଆସିଛି । ଏକଦା ମୋର ପଡ଼ୋଶିନୀ ଅଧ୍ୟାପିକା ପ୍ରଣତି ରାୟଙ୍କର ପତ୍ର । ମୋର ବଲାଙ୍ଗୀରଠାରୁ ସମ୍ବଲପୁରକୁ ବଦଳି ହୋଇ ଆସିବା ପ୍ରାୟ ଛଆମାସ ହେବ । ଏ ଭିତରେ ତାଙ୍କଠାରୁ କୌଣସି ପତ୍ର ନ ଥିଲା, ଯଦିଓ ମୁଁ ତାଙ୍କୁ ସମ୍ବଲପୁରରୁ ପହଞ୍ଚିବା ପରେ ପରେ ସୌଜନ୍ୟ ଦୃଷ୍ଟିରୁ ଦେଇଥିଲି ଖଣ୍ଡେ ପତ୍ର । ଛଅମାସ ପ୍ରାୟ ଚୁପ୍ ରହିବା ପରେ, ହଠାତ୍ କିମିତି କଣ ହେଲା ଯେ, ସିଏ ଚିଠିଟିଏ ଦେଲେ, କେଜାଣି ! ଆଜି ସେ ଖଣ୍ଡିକ ମୋତେ ମିଳିଛି । ଏଇ ଛଅମାସ ଭିତରେ କୌଣସି ଅବକାଶରେ ଅଧ୍ୟାପିକା ପ୍ରଣତିଙ୍କ ସହ ମୋର ସକ୍ଷାତ୍ ବି ଘଟି ନାହିଁ ।

 

ଅଧ୍ୟାପିକା ପ୍ରଣତି ବଲାଙ୍ଗୀରରେ ଥିଲେ ଆମ ଭଡ଼ାଘରର ପଡ଼ୋଶିନୀ–ଦୀର୍ଘ ତିନି ବର୍ଷ କାଳ । କୌଣସି କ୍ୱାଟରସ ପାଇବାର ସମ୍ଭାବନା ନ ଦେଖି, ମୁଁ ଏକ ଭଡ଼ାଘର ଯୋଗାଡ଼ କରିଥିଲି–ଦୁଇଟି କୋଠରି, କିଚନ୍ ରୁମ୍, ବାଥ୍ ରୁମ୍ ଓ ଲାଟ୍ରିନ୍ ଏବଂ ବାରଣ୍ଡାଟାଏ–ଘରମାଲିକେ କହିଥିଲେ, “ଅଢ଼େଇସ ଟଙ୍କାରୁ କମ୍ ନୁହେଁ ।” ଅଗତ୍ୟା ରହିବାକୁ ହୋଇଥିଲା । ମାତ୍ର ଘରଟିକୁ ବିଭାଜନ କରାଯାଇଛି ଛଅଇଞ୍ଚ ଓସାରବିଶିଷ୍ଟ ଇଟା–କାନ୍ଥରେ–ଯେପରିକି ବର୍ଲିନ୍ ଲାଇନ୍ । କାନ୍ଥ ଆରପଟେ ଠିକ୍ ମୋ ଭଳିଆ ଘର–ଦୁଇଟି କୋଠରି, କିଚନ୍ ରୁମ୍ ଇତ୍ୟାଦି । ମୁଁ ମୋ ପରିବାର ନେଇ ସେ ଘରେ ରହିଲାବେଳକୁ, କାନ୍ଥ ଆରପଟ ଘରେ ସେ ପର୍ଯ୍ୟନ୍ତ କେହି ରହି ନ ଥିଲେ । ଆଶ୍ଚର୍ଯ୍ୟ, ଭଡ଼ାଘର ପୁଣି ଖାଲି ପଡ଼ିଛି !

ମୁଁ ଯେକୌଣସି ମୁହୂର୍ତ୍ତରେ ସେ ଘରେ ଜଣେ ପଡ଼ୋଶୀଙ୍କୁ ଆଶା କରୁଥିଲି । ମାତ୍ର ଶୁଣିବାକୁ ପାଉଥିଲି ଯେ, ଘର ମାଲିକଙ୍କ ସହ କୌଣସି ଭଡ଼ାଘର ପ୍ରତ୍ୟାଶୀଙ୍କ ଦରଦାମ ଛିଣ୍ଡେ ନାଇଁ । ମାଲିକେ ଜବାବ ଦିଅନ୍ତି “ହେଇ, ଦେଖୁ ନାହାନ୍ତି ଆପଣଙ୍କ ଆଖି ସାମ୍ନାରେ ବାବୁ ଅଢ଼େଇଶ ଟଙ୍କା ଦେଉଛନ୍ତି ।” ହୁଏତ ଦର କମିବାର କୌଣସି ସମ୍ଭାବନା ନ ଦେଖି, ଭଡ଼ାଘର ପ୍ରତ୍ୟାଶୀ ବାବୁଜଣକ ଫେରିଯାଆନ୍ତି । ପାଖ ଘର ତଥାପି ଖାଲି ପଡ଼େ ।

ସନ୍ଧ୍ୟାରେ ଯେତେବେଳେ ଆମ ଘରେ ଲାଇଟ୍ ଜଳେ, ପାଖଘର ଅନ୍ଧାର ଥାଏ; ସେତେବେଳେ ମୋ’ ଚାରିବର୍ଷର ପୁଅ ସେ ଅନ୍ଧାରକୁ ଚାହିଁ ଚାହିଁ କହେ “ବାପା, ସେ ଅନ୍ଧାର ଘରେ କଣ ଅଛି ?” ମୁଁ ହଠାତ୍ ଥତମତ ହୋଇଯାଏ; ତଥାପି ପୁଅକୁ ବୁଝେଇ କହେ “ସେ ଘରେ ଆଉ କେତେ ଦିନ ପରେ ବାବୁ ଜଣେ ଆସି ରହିବେ । ତାଙ୍କର ତୋ’ ଭଳିଆ ପୁଅ ଝିଅ ବି ଅଛନ୍ତି । ସେମାନେ ଆସିଲେ, ତୁ ସେମାନଙ୍କ ସହ ଖେଳିବୁ । ତୋ’ ସାଇକେଲ୍ରେ ସେମାନଙ୍କୁ କେତେ ଦୂର ନେଇଯିବୁ । ସେତେବେଳକୁ ଏ ଅନ୍ଧାର ଆଉ ରହିବ ନାଇଁ; ଲାଇଟ୍ ଜଳିବ । ବୁଝିଲୁ ?”

ପୁଅ କଣ ବୁଝେ, କେଜାଣି ! କହେ, “ବାପା, ସତେ !”

ମୁଁ କହେ, “ଆରେ, ହଁ...”

ସତକୁ ସତ, ଦିନେ ମୁହଁ ସଞ୍ଜବେଳକୁ କାନ୍ଥ ସେପଟ ଘରେ ହଠାତ୍ ଲାଇଟ୍ ଜଳିଉଠିଲା । ମୁଁ ସେତେବେଳକୁ ବଜାରପଟୁ ବୁଲାବୁଲିରୁ ଫେରି ବାଥ୍ ରୁମ୍ରେ ମୁହଁ ହାତ ଧୋଉଥିଲି ଏବଂ ପୁଅକୁ ଡ଼ାକି କହୁଥିଲି “ହଇରେ, ସିଲଟ ବାହାର କର, ପାଠ ପଢ଼ିବା ।” ବୋଧେ ସେତେବେଳକୁ ସେ ଘରେ ରହିବା ଆମର ମାସେ ଦେଢ଼ ମାସ ହୋଇ ସାରିଥାଏ । ପୁଅ ମୋ ପାଖକୁ ଦୌଡ଼ିବା ପ୍ରାୟ ଆସି କହିଲା–“ବାପା, ଅନେଇଲ ସେ ଘରେ ଲାଇଟ୍ ଜଳିଛି ।” ମୁଁ ଅନେଇଲି “ଆରେ, ସତେ ତ !”

କିଛି କଥାବାର୍ତ୍ତାର ଶବ୍ଦ ଶୁଭୁଥିଲା ବୋଧେ ଘର ମାଲିକଙ୍କର ଆଉ କୌଣସି ନାରୀର । ବୋଧେ ଏଣିକି କେହି ଆମର ପଡ଼ୋଶୀ ହେବେ । ପରେ ଘର ମାଲିକ ଆସି ମୋତେ କହିଗଲେ “ପାଖ ଘରେ ଜଣେ ରହିଲେ ।

ପରଦିନ ଜାଣିବାକୁ ମିଳିଲା ସେଠାରେ ପଡ଼ୋଶୀ ହେଲେ ଜଣେ ନାରୀ, ଜଣେ ଅଧ୍ୟାପିକା । ପରଦିନ ସଞ୍ଜବେଳକୁ ଆମ ଦରଜାରେ ଖଟ୍ ଖଟ୍ ଶବ୍ଦ ହେଲା । ଦରଜା ଫିଟେଇବାବେଳକୁ ଦେଖିଲି ଜଣେ ନାରୀ, ଯୁବତୀ କହନ୍ତୁ, ବୟସ ତିରିଶ ପାଖାପାଖି । ମୁଁ ଟିକେ ବିସ୍ମୟରେ କହିଲି–“ଆପଣ ?”

“ମୁଁ” ଯୁବତୀ ଜଣକ କହିଲେ “ପ୍ରଣତି ରାୟ । ଅଧ୍ୟାପିକା । ଆପଣଙ୍କର ପଡ଼ୋଶିନୀ ହେଲି...”

“ଆରେ, ଆସନ୍ତୁ...ଆସନ୍ତୁ ଭିତରକୁ ।” ସେ ଆସିଲେ । ତା’ପରେ ଚିହ୍ନା ପରିଚୟ ଏବଂ ଅନେକ ଅନେକ କଥାବାର୍ତ୍ତା ।

ଆମେ ଆଶ୍ୱସ୍ତ ହେଲୁଁ ଯେ, ଯାହାହେଉ, ଏଣିକି ଜଣେ ପଡ଼ୋଶିନୀ ହେଲେ । ଭୁବନେଶ୍ଵରରୁ ବଦଳି ହୋଇ ଆସିଥିଲେ ଅଧ୍ୟାପିକା ରାୟ । ଏକାକିନୀ ଅର୍ଥାତ୍ ଏଯାଏଁ ଅବିବାହିତା ।

 

ସେଦିନ ପଚାରୁଁ ପଚାରୁଁ ଥଟ୍ଟାରେ ତାଙ୍କୁ ପଚାରି ଦେଇଥିଲି “ଆପଣ କଣ ବିବାହ କରିବେନି ?”

 

ଅଧ୍ୟାପିକା ରାୟ ଟିକେ ନୀରବ ରହିଲେ । ମନରେ ବୋଧେ କଣ କିଛି ଘଟିଗଲା । ତଥାପି କହିଲେ “ଆଜ୍ଞା ! ବିବାହଟା କଣ ନିତାନ୍ତ ଜରୁରୀ ?” ପୁଣି ନୀରବତା । ମୁଁ ଭାବିଲି, ବୋଧେ ମୋ ପ୍ରଶ୍ନ ତାଙ୍କୁ ଆଘାତ ଦେଇଛି । ତେଣୁ କଥାଟାକୁ ବାଁରେଇ ଦେଇ, ଏଡ଼େଇ ଦେଇଥିଲି ସେଦିନ ।

 

ଅଧ୍ୟାପିକା ପ୍ରଣତି କିନ୍ତୁ ଥିଲେ ଜଣେ ପୋଖତ ଗପୁଡ଼ି । କଥାବାର୍ତ୍ତାରେ ଅଳ୍ପ ସମୟ ଭିତରେ ଆପଣାର କରିନେବାରେ ଥିଲା ତାଙ୍କ ଦକ୍ଷତା । କଥା କହିବାବେଳେ ତାଙ୍କ ଚାହାଁଣିର ଛଟା ଅବଶ୍ୟ ସୃଷ୍ଟିକରିପାରୁଥିଲା କୁହୁକ । ବସ୍ତୁତଃ ଅଳ୍ପଦିନ ଭିତରେ ଆମ ପାଖ ପଡ଼ୋଶୀରେ ଅଧ୍ୟାପିକା ରାୟ ଯେ ଜଣେ ସୁପରିଚିତ ଭଦ୍ରମହିଳା ହୋଇପଡ଼ିଲେ ଏଥିରେ କିଛି ଭାବିବାର ନଥିଲା । କୁଆଡ଼େ ଶାଢ଼ି ପ୍ରତି ଥିଲା ତାଙ୍କର ପ୍ରଚଣ୍ଡ ମମତା, କେହି କେହି କହିବାର ଶୁଣାଯାଇଥିଲା, ଅଧ୍ୟାପିକା ରାୟ ଦିନକୁ ତିନିଥର ଶାଢ଼ି ନ ବଦଳାଇଲେ ଘରୁ ବାହାରନ୍ତି ନାଇଁ ।

 

ସେଦିନ ପ୍ରାୟ ଅପରାହ୍ଣବେଳକୁ ଅଧ୍ୟାପିକା ରାୟ ମୋତେ ବଳାତ୍କାର କରି ଡାକିନେଲେ ତାଙ୍କ ଘରକୁ । “ଆରେ, ଭିତରକୁ ଆସନ୍ତୁ” କହି ସୋଫାଆଡ଼କୁ ଅଙ୍ଗୁଳି ଦେଖେଇଦେଲେ; ମୁଁ ବସିଲି । ତା’ପରେ ସେ ବଜେଇଲେ ତାଙ୍କର ରେକର୍ଡ଼ପ୍ଳେୟାର କୌଣସି ଉତ୍ତେଜିତ ହିନ୍ଦୀ ଗୀତ । କହିଲେ “ଏକା ଏକା ମୋତେ ଭଲ ନ ଲାଗିଲେ, ମୁଁ ଏମିତି ଗୀତ ଶୁଣେ-। ମୁଁ ତଥାପି ନୀରବ ଥିଲି ଏବଂ ପଢ଼ିନେଉଥିଲି ତାଙ୍କ କୋଠରିର ଚେଷ୍ଟାକୃତ ଆଭିଜାତ୍ୟ ଓ ଆଧୁନିକତାର ଅକ୍ଷରମାନଙ୍କୁ । ଠିକ୍ ସେତିକିବେଳେ ସେ କହିଲେ–“ଆପଣ କ’ଣ ପିଇବେ–ଚା’ ନା କଫି ?” ମୁଁ କହିଥିଲି–“ନା, କିଛି ଦରକାର ନାଇଁ ।” ସେ କହିଲେ–“ନା, କଫି ପିଇବାକୁ ହେବ-। ମୁଁ କିନ୍ତୁ କେବେ ଚା’ ପିଏନା..... ।” ତା’ ପରେ ସେ କଫିର ବ୍ୟବସ୍ଥାରେ ହିଁ ରହିଲେ । ରେକର୍ଡ଼–ପ୍ଲେୟାରରୁ ଗୀତ ଚାଲିଥାଏ । ମୁଁ ତଥାପି ତାଙ୍କ କୋଠରିକୁ ଚାହିଁଥିଲି ଏବଂ ତହିଁରୁ ଅଧ୍ୟାପିକା ରାୟଙ୍କୁ ବିଶେଷତଃ ତାଙ୍କ ମନକୁ ହିଁ ଅଧ୍ୟୟନ କରୁଥିଲି । ଏ କୋଠରି ନିର୍ଦ୍ଦେଶ କରୁଥିଲା ଯେ, ଅଧ୍ୟାପିକା ରାୟଙ୍କ ମନରେ ଯେ ଅନେକ ଯନ୍ତ୍ରଣା । ସେହି ଯନ୍ତ୍ରଣାମାନଙ୍କରୁ ମୁକ୍ତି ପାଇବା ପାଇଁ ଅଧ୍ୟାପିକା ରାୟ ଯେ ତଥାକଥିତ ବସ୍ତୁବାଦୀ ଆଭିଜାତ୍ୟର ଛଳନା ଭିତରେ ନିଜକୁ ମଜଗୁଲ ରଖୁଛନ୍ତି–ଏକଥା ସତ, ଫୁଲର ଗନ୍ଧ ଭଳି ।

 

ଅଳ୍ପ ସମୟ ଭିତରେ ଅଧ୍ୟପିକା ରାୟ ପହଞ୍ଚିଗଲେ, କିଚନ୍ରୁମରୁ, ଟ୍ରେ’ରେ କଫି ଧରି । କହିଲେ–‘‘ନିଅନ୍ତୁ ।”

 

ତା’ ପରେ ଲୁହା ଆଲମିରାଟାକୁ ଖୋଲି କହିଲେ–“ଏଟା କିଣିଥିଲି ଚଉଦଶହ ଟଙ୍କାରେ; କିମିତି ହୋଇଛି ? ଦେଖନ୍ତୁ ନା, ୟା’ ଭିତରେ କିମିତି ଶାଢ଼ିମାନଙ୍କୁ ସଜେଇ ରଖିହେଉଛି-?”

 

“ବେଶ୍, ଭଲ ତ !” –ମୁଁ କହିଥିଲି ଏବଂ ପୁଣି ଡ୍ରେସିଂଟେବୁଲ ଆଡ଼କୁ ଜାଣିଶୁଣି ଆଖି ପକେଇ ପଚାରିଲି–“ଏହାର ଡିଜାଇନ୍ଟା କ’ଣ ଆପଣଙ୍କ ପସନ୍ଦ ?”

 

ଅଧ୍ୟାପିକା ରାୟ ବେଶ୍ ଆଗ୍ରହ ସହ କହିଥିଲେ–“ହଁ, ମୋର ! ଭଲ ହୋଇଚି ନା ! ହଜାରେ ପାଖାପାଖି ଟଙ୍କା ପରା ପଡ଼ିଲା । ଆଉ ଦେଖନ୍ତୁ ନା, ସେ ଯେଉଁ ସିଲେଇ ମେସିନ୍, ତାକୁ ବ୍ୟବହାର କରିବା ପାଇଁ ମୋର ବା ସମୟ କାହିଁ ? ଦାମ୍ ଆଠ ଶହ କି ଏମିତି କିଛି ଟଙ୍କା ବୋଧେ...”

 

“ବେଶ୍ ଭଲ ତ !” –ମୁଁ କହିଥିଲି ଏବଂ ମୁଁ ବେଶ୍ ହୃଦୟଙ୍ଗମ କରି ନେଇଥିଲେ ଯେ ଅଧ୍ୟାପିକା ରାୟ କୌଣସି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତା’ ପର ଅନେକ ସମୟ ଅନେକ କଥାବାର୍ତ୍ତା । ସେ ଦିନ ମୁଁ ଫେରିଥିଲି ଏବଂ ଫେରିବାବେଳକୁ ଥଟ୍ଟାରେ ଅଧ୍ୟାପିକା ରାୟ ମୋତେ କହିଥିଲେ–“ଆପଣ ସ୍କୁଟରଟିଏ ଜାଣୁନାହାନ୍ତି କାହିଁକି ? ସୁବିଧା ହୁଅନ୍ତା ।” ହସି ହସି କହିଥିଲି, “ପେଟ୍ରୋଲ ଖର୍ଚ୍ଚ କ’ଣ ଆପଣ ଦେବେ ?”

 

ଅଧ୍ୟାପିକା ରାୟ ଯା’ହେଉ ଘରେ ବେଶ ଜମେଇସାରିଥିଲେ । ଅନେକ ଲୋକଙ୍କ ଯିବା ଆସିବା । ଏଣିକି ତାଙ୍କ ପକ୍ଷରୁ କେତେଥର, କେତେ ଅଭିଯୋଗ ହେଲାଣି ଯେ, ଆମ ଘରପଟୁ ତାଙ୍କ ଘରକୁ ନାଳ–ପାଣି ବୋହିଯାଉଛି, ଗନ୍ଧଉଛି; ପୁଣି ଆମ ଘର ଧୂଆଁ କାହିଁକି ତାଙ୍କ ଘରେ ପଶୁଛି, ଆମେ ଟିକେ ସତର୍କ ରହିବା କଥା; ମଝି କାନ୍ଥରେ ଆମେ କାହିଁକି ବେଡ଼ସିଟ୍ ଶୁଖାଉଛୁଁ, ଛୁଆଙ୍କ ମୂତରେ ଗନ୍ଧଉଛି–ଏମିତି ଅନେକ ଅନେକ ଅଭିଯୋଗ । କେବଳ ସେତିକି ନୁହେଁ, ତାଙ୍କ ଦେହେପା’ ଅସୁସ୍ଥ ହେଲେ, କେତେ ଲୋକ ତାଙ୍କୁ ଘେରି ରହିଥାନ୍ତି; ମୁଁ କାହିଁକି କେବଳ ମୁହଁ ମାରିଦେଇ ଆସେ ? –ଏଭଳି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଛି, ଇତ୍ୟାଦି । ସେ ଅନେକ କଥା । ତେବେ ମୁଁ ଯେ ଆଦୌ ଜଣେ ଭଲ ପଡ଼ୋଶୀ ନୁହେଁ–ଏ କଥା ମଧ୍ୟ ଅଧ୍ୟାପିକା ରାୟଙ୍କର ହିଁ ମତ ଓ ପ୍ରଚାର । ତେଣୁ ମୁଁ ଯେଉଁଦିନ ବଦଳି ଆଦେଶ ପାଇ ବଲାଙ୍ଗୀରରୁ ସମ୍ବଲପୁର ଚାଲିଆସିଲି, ସେଦିନ ଅଧ୍ୟାପିକା ରାୟ ଯେଉଁ ଦୁଃଖ ପ୍ରକାଶ କରିଥିଲେ, ତାର ଅନ୍ତରାଳରେ ହୁଏତ ଥିଲା ତାଙ୍କର ପ୍ରଚ୍ଛନ୍ନ ଆନନ୍ଦ ।

 

ସେହି ପଡ଼ୋଶିନୀ ଅଧ୍ୟାପିକା ପ୍ରଣତି ରାୟଙ୍କୁ ମୁଁ ଆଦୌ ଭୁଲିନାହିଁ; ବରଂ ବୁଝିଛି, ତାଙ୍କ ମନର ଯନ୍ତ୍ରଣା । ସେ ଯେ ଏକାନ୍ତ ଏକାକିନୀ–ଏଇ ଏକାକୀ ଭାବି ହିଁ ଯେ ତାଙ୍କୁ ଛଟପଟ କରୁଥିବ, ଏହା ସତ କଥା । କେବଳ ସେତିକି ନୁହେଁ, ତାଙ୍କ ମନ ଭିତରେ ଯେ ଏକ ମିଛ ଅହଂକାର, ଏକ ଛଳନାର ଆଭିଜାତ୍ୟ, ଏକ ବସ୍ତୁବାଦୀ ମୋହ, ସର୍ବୋପରି ଏକ ଶୂନ୍ୟତାର ଖାଁ ଖାଁ ଭାବ ରହିଛି, ଏ କଥା ବି ମିଛ ନୁହେଁ । ତେବେ ଅଧ୍ୟାପିକା ରାୟ ଏପର୍ଯ୍ୟନ୍ତ ‘ମାନବିକଳତା’କୁ ବୁଝିପାରି ନାହାନ୍ତି ବୋଲି ହୁଏତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତେଣୁ ମୁଁ ତାଙ୍କ ପାଇଁ ଭଲ ପଡ଼ୋଶୀ ନ ହେବା ସ୍ୱାଭାବିକ ।

 

ସେ ଯାହାହେଉ, ଦୀର୍ଘ ଛଅମାସ ପରେ, ଆଜି ତାଙ୍କ ନିକଟରୁ ଖଣ୍ଡିଏ ପତ୍ର ମିଳିଛି । ସେ ଲେଖିଛନ୍ତି ଏଇଭଳି–

 

“ଶ୍ରଦ୍ଧେୟ ଆନନ୍ଦବାବୁ,

 

କ୍ଷମା ଦେବେ । ମୁଁ ଅପାଣଙ୍କୁ ଭୁଲ ବୁଝିଥିଲି । ଆପଣଙ୍କ ମନରେ ଅନେକ କଷ୍ଟ ଦେଇଛି । ସେଥିପାଇଁ ମୁଁ ଦୁଃଖିତ ।

 

ଆପଣ ମୋର ପଡ଼ୋଶୀ ଥିଲେ, ବୁଝି ନ ଥିଲି । ଏବେ ଜଣେ ପଡ଼ୋଶୀ ଆସି ଅଛନ୍ତି; ତାଙ୍କ ଆସିବା ପରେ, ଆପଣଙ୍କୁ ବୁଝିଛି ।

 

ଆପଣ ଥିଲେ, ମୁଁ ଏଠାରେ ନିରାପଦ ଥିଲି । ସେ ଯେଉଁ ପଡ଼ୋଶୀ ଆସିଛନ୍ତି ସେ ତ ପଡ଼ୋଶୀ ନୁହନ୍ତି, ପଡ଼ୋଶୀ ନାଁ ରେ ଜଣେ ପଶୁ । ବରଂ ଯେତେ ଚଞ୍ଚଳ ମୋର ଏଠାରୁ ବଦଳି ହୋଇଯାଏ, ସେତେ ଭଲ । ନଚେତ୍... ଛାଡ଼ନ୍ତୁ–ଏକଥା ସତ ଯେ ମଣିଷକୁ ଏତେ ସହଜରେ ଚିହ୍ନି ହୁଏନା...

 

X X X ଇତ୍ୟାଦି । ନମସ୍କାରାନ୍ତେ–ଇତି ।

 

ଆପଣଙ୍କର ଏକଦା ପଡ଼ୋଶିନୀ

ପ୍ରଣତି ରାୟ ।”

 

ମୁଁ ଚିଠି ବନ୍ଦ କରୁଥିଲି ଏବଂ ପ୍ରଣତି ରାୟଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଭାବୁଥିଲି–“ଅଧ୍ୟାପିକା ରାୟ, ଆପଣ ‘ମାନବିକତା’କୁ ବୁଝିବାକୁ ଚେଷ୍ଟା କରନ୍ତୁ ।”

Image

 

ଜ୍ୟୋତ୍ସ୍ନା ରାଉତରାୟ

 

ଖରାଦିନ

 

ଇଚ୍ଛାମତୀ ! ସବୁଥର ଏଇ ଖରାଦିନ ଆସେ ବାହାରର ତୃଷ୍ଣା ପରି, ଏଇ ତପ୍ତ ବାଲୁକା ପରି । ଆଉ ସେଇ ଦୌଡ଼ି ଦୌଡ଼ି ଆସୁଥିବା ଝାଞ୍ଜି ପରି । ତଥାପି ତମଠାରୁ ମୋର ନିସ୍ତାର ନାହିଁ-। ତମେ ଠିକ୍ ଆସ ଏଇ ଖରାଦିନରେ ନୀଳ ଏଇ ଅହଂକାର ପରି । ରାତିର ଶୂନଶାନ୍ ଜ୍ୟୋତ୍ସ୍ନା ପରି ଆଉ ପୁଣି ଥରେ ମୋ କ୍ଷତରେ ମଲମ ଲାଗେ । ଚାରିପାଖେ ସାମାନ୍ୟ ଟିକେ ଆରାମ । ଖରାଦିନେ ଅସରାଏ ଶୀତଳ ବର୍ଷାପରି ମୁଁ ସ୍ଵସ୍ତି ପାଏ ।

 

ଇଚ୍ଛାମତୀ ! ଖରାଦିନଟା କଣ ଯେ–ଭାରି ଅଦ୍‍ଭୁତ ନା ? ଧଡ଼୍ଧାଡ଼୍ ଢ଼ିଙ୍କିପାହାର ଶବ୍ଦ କିମ୍ବା ଅନ୍ୟ କିଛି । ଗନ୍ଧରାଜର ବାସ୍ନା ଆଉ ତାକୁ ପାଇବାର, ତାକୁ ହରାଇବାର ସେଇ ଅଦ୍‍ଭୁତ ବିଷାଦରେ ଭରା ଖରାଦିନ । ଶୁଭେ ତୁମର କ୍ଳାନ୍ତ ନୂପୁର । ବର୍ଷ ବର୍ଷ ଧରି ସେଇ ନୀଳକାନ୍ତ ମଣିର ସନ୍ଧାନ । ପ୍ରଥମ ପାପର ସେଇ ରୁଣୁଝୁଣୁ ଲାଲ ଚୁଡ଼ିର ସଂଳାପ ।

 

ଇଚ୍ଛାମତୀ ! ହଠାତ୍ ଫେରିଆସେ ଆନମନା ସେଇ ସମୟର କଥା–ତମେ ଅଷ୍ଟାଦଶୀ ଆଉ ମୋର ବାଇଶ । ତମର ସେଇ ଅଦ୍‍ଭୁତ ବିଶେଷଣ ସବୁ ମୋ ପ୍ରତି ଭଲଲାଗେ ଶୁଣିବାକୁ । ନିଜକୁ ଅସମ୍ଭବ, ଅଦ୍‍ଭୁତ ମନେ ହୁଏ । ନିଷ୍ଠାପର ଭାବେ ସାରାଦିନ ଅସହ୍ୟ ଝାଞ୍ଜି ଭିତରେ ଅଙ୍କ କଷିସାରିବା ପରେ ଦିନାନ୍ତର ସେଇ ମନୋରମ ମୁହୂର୍ତ୍ତ । ଥଣ୍ଡା ହୋଇଆସୁଥିବା ପବନ । ଚମ୍ପା, ବଉଳର ବାସ୍ନା । ଅଳ୍ପକିଛି ନକ୍ଷତ୍ରର ସମାବେଶ । ତମର ସେଇ ଚିକ୍ଚିକ୍ ଆଖିର ଭାଷା ତମକୁ ମୋର କିଛି ଦେବାକୁ ଇଚ୍ଛାହୁଏ । ବିଶାଳ ସେଇ ଅଶ୍ୱତ୍ଥର ଆରପଟେ ଅନ୍ଧାର । ସନ୍ଧ୍ୟାର ନୈଶବ୍ଦ । ସାରା ଦିଗନ୍ତ ଘେରି ଏକ ରକ୍ତବର୍ଣ୍ଣର ବଳୟ ଏବଂ ତାର କୌମାର୍ଯ୍ୟ ହରଣର ଗର୍ବ । ହଠାତ୍ ମୋର ତାକୁ ଆତ୍ମୀୟ ମନେହୁଏ; କିଛି ଦବାକୁ ଇଚ୍ଛାହୁଏ । ତମେ କିନ୍ତୁ ଚୁପ୍ଚାପ୍ ଫେରିଯାଅ ମତେ ସବୁ ଦାନକରି । ମୋର ସବୁ ସଞ୍ଚୟର ଉପହାରକୁ ଉପହାସ କରି ।

 

ଇଚ୍ଛାମତୀ, ଜାଣେନା ସୂର୍ଯ୍ୟ କି ବସ୍ତୁ । ଏକ ସ୍ଥିର ଅଗ୍ନିପିଣ୍ଡ ନା କିଛି ଚୂର୍ଣ୍ଣବିଚୂଣ୍ଣ ସ୍ୱର୍ଣ୍ଣ ଅଳଙ୍କାରର ଏକତ୍ର ସମାବେଶ । ଯିଏ ବ୍ଳଟିଂ ପେପର୍ ପରି ନିମିଷକେ ମୋର ସମସ୍ତ ହୃଦୟର ଆବେଗ ଶୁଖେଇଦିଏ । କେତେ ଅଦ୍‍ଭୁତ ସୂର୍ଯ୍ୟ ସୋହାଗଭରା ଏଇ ଖରାଦିନ । କେବଳ ଶୂନ୍ୟ ତାର ରଙ୍ଗ । ଚୁପ୍ଚାପ୍ ନିଃଶବ୍ଦ । ଠା–ଠା ଭୂମିର ସଙ୍ଗୀତ ଓ ଘୂର୍ଣ୍ଣିବାୟୁ ଭିତରେ ଏକ ନିଥର, ସମତଳ, ଶ୍ୟାମଳ ପୁଷ୍କରିଣୀ ପରି ଛୁଇଁଯାଏ ସେସବୁ ଦିନର ଦୁର୍ଲଭତା । ମୁଁ ମୁଣ୍ଡ ନୁଆଏଁ ତା ପାଖରେ । ଅପମାନିତ ବ୍ୟଥାପରି ସେଇ ଲାଲ ଶିମୁଳି ଗଛର ପ୍ରଶ୍ନ–କଣ ପାଇଲ ଏ ସମୟ ଭିତରୁ ? ଏ ସହରରେ କଣ ହୃଦୟ ଅଛି ? ମୁଁ ପୁଣି ମୁଣ୍ଡ ନୁଆଏଁ ଅପମାନରେ । ଅବ୍ୟକ୍ତ ଲଜ୍ଜାରେ ଖରାଦିନର ବୁଦ୍ଧପୂର୍ଣ୍ଣିମାର ରାତ୍ରି ଗାଢ଼ହୁଏ । ଜହ୍ନ ଏକା ଏକା ଫେରିଯାଏ ତଥାଗତ ବୁଦ୍ଧଙ୍କ ପରି । ମୋ ତପସ୍ୟା ମଧ୍ୟ ସୁଦୃଢ଼ ହୁଏ; ଆଉ ଇଚ୍ଛାମତୀ, ତମେ ହିଁ ମୋର ସାରାରାତିର ଧୁବ୍ରତାରା ହୋଇ ଜଳିଉଠ । ସେଇ ଅଶ୍ୱତ୍ଥ ଗଛ । ସେଇ କୌମାର୍ଯ୍ୟହରଣର ଲଗ୍ନ ଆଉ ସେଇ ନିରୁଦ୍ଦେଶ ହୋଇଯିବାର ପୂର୍ବ ଠିକଣା...

 

ଇଚ୍ଛାମତୀ, ମୁଁ ବର୍ତ୍ତମାନ ଏକୁଟିଆ । ଭୀଷଣଭାବେ ନିଃସଙ୍ଗ । କିନ୍ତୁ ଦୁଃଖିତ ନୁହେଁ, କେବଳ ଅନୁତପ୍ତ । ମୋର ଡାକ୍ତରବନ୍ଧୁ କହୁଛି, ମୋ ରକ୍ତରେ ଅନେକ ରୋଗର ଜୀବାଣୁ । ମୋ ରକ୍ତରେ ଯେକୌଣସି ସୃଷ୍ଟି ବିକଳାଙ୍ଗ ବା ମୃତ ହୋଇଯାଇପାରେ । ଏହା କେମିତି ସମ୍ଭବ ହେଲା-? ସେ ବନ୍ଧୁର ମତ ମୁଁ ଯଦି ହୃଷୀକେଶ ବା ଅନ୍ୟ କେଉଁଠିକୁ ଯାଇ ସନ୍ନ୍ୟାସ ଗ୍ରହଣ କରେ ତେବେ ଭଲ । ମୋର ବର୍ତ୍ତମାନ ମୌନବ୍ରତ ପାଳନକରିବା ଉଚିତ । ତେବେ କଣ ମୁଁ ଆଉ ଏକ ତଥାଗତ ହୋଇଯିବି ! ମୁଁ ତ ଏହା କେବେ ଚାହିଁ ନଥିଲି ! କିନ୍ତୁ ସେ ବୟସଟା ତ ବୋରିଂ ନ ଥିଲା-। ନଥିଲା ଏମିତି ନିର୍ଜନତମ ଶୂନ୍ୟତା । ନଥିଲା ଭଲମନ୍ଦର ବିଚାର । ନଥିଲା ପାପ–ପୁଣ୍ୟର ଭୟ-। ତମକୁ ପଛରେ ପକାଇଦେଇ ଆଗକୁ ଦୌଡ଼ି ଚାଲିଯିବାର ଅଦ୍‍ଭୁତ ପ୍ରୟାସ । ଗୋଟିଏ ରୁମ୍ରେ ତିନୋଟି ମଶାରି ଭିତରେ ଥିବା ମୁଁ ଏବଂ ମୋର ବନ୍ଧୁଙ୍କର ପ୍ରେମ ଅନୁଭୂତି ଏବଂ ସେମାନଙ୍କଠୁ ବଳିଯିବାର ସଂକଳ୍ପ । କି ସ୍ୱାର୍ଥପର ହୋଇଯାଇଥିଲି ମୁଁ ସେଦିନ । ତମର କୌମାର୍ଯ୍ୟକୁ ହରଣ କରି ମୁଁ କେବଳ ନିଜକୁ ଆଲିଙ୍ଗନ କରି ବସିଲି । ମୁଁ କେତେ ଗ୍ଳାମରସ ଥିଲି ସେଦିନ ! ଆଜି କିନ୍ତୁ ଇଚ୍ଛାମତୀ ! ତମ ପାଖରେ ମୋର ସମସ୍ତ ଅହଂକାର ଲୋଟିଯାଇଛି ଏକ ବାଧ୍ୟ ଝରଣାପରି-। ମୁଁ ଦୋଷୀ, ତମର ସେଇ କ୍ଷମାହୀନ ସ୍ନେହର କଣ ତୁଳନା କରାଯାଇପାରେ !

 

ଇଚ୍ଛାମତୀ, କ୍ରମାଗତ ବିସ୍ଫୋରଣ ପରେ ସେଦିନ ଥିଲା ଏମିତି ଏକ ଖରାଦିନ । ଅଶ୍ୱତ୍ଥ ଗଛର ଡାଳରେ ବିଭୋର ଥିବା ପକ୍ଷୀଯୁଗଳର ମିଥୁନ ମୂର୍ତ୍ତି ଆଡ଼େ ଚାହିଁ ତମେ କହିଥିଲ ‘ମୁଁ ଆତ୍ମହତ୍ୟା କରୁଛି ।’ ଖୁବ୍ ପାଖରେ ଥିଲା ନୂଆ ତିଆରି ହୋଇଥିବା ଟ୍ରେନ୍ଲାଇନଟା ଏବଂ ଆଚମକା ଏକ ଟ୍ରେନ୍ର ଚାଲିଯିବାର ଶବ୍ଦ ଭିତରେ ଚାପା ପଡ଼ିଯାଇଥିଲା ତମର ବ୍ୟଥାତୁର ଭାଷାସବୁ । ପୁଣି ଥରେ ସେଇ କୌମାର୍ଯ୍ୟହରଣ ଏବଂ ଶେଷଥର । ତମେ ପ୍ରତିବାଦହୀନ । ମୋର ପଶୁତ୍ଵ ପାଇଁ ତମର ଏତେ ମମତା କେମିତି ଲୁଚି ରହିଥିଲା ଏବଂ ତା’ପରେ ପ୍ରତାରଣା–ଗତାନୁଗତିକ । ନାଟମଞ୍ଚରେ କୁଶଳୀର ଅଭିନୟ କେତେ ମିଳନାତ୍ମକ, ବିୟୋଗାନ୍ତକ, ହସ–କାନ୍ଦର ଅଭିନୟ । କେବଳ ସୁଖ ସୁଖ...ସୁଖ... । ତାପରେ ଛନ୍ଦପତନ । ପର୍ଦାବତରଣ । ବାଇଶିରୁ ବତ୍ରିଶ । ସତୃଷ୍ଣ ମନ ଚାହୁଁଛି କା’ର ଶୀତଳ ପଣତର ଛାଇ । କା’ର ଶୁଭ୍ର ଅନୁରାଗର ଜ୍ୟୋତ୍ସ୍ନା । ଉଦ୍ଦାମ ଅମୃତ ପ୍ରେମର ସାହାରା, କା’ର ପୂର୍ଣ୍ଣାଙ୍ଗ ଆତ୍ମୀୟତା ! କିନ୍ତୁ ନା...ସବୁ ପାସପୋର୍ଟ, ସବୁ ଠିକଣା ହଜିଯାଇଛି । କାହାର ସ୍ଵାକ୍ଷର ରହିପାରିନି ଗାଢ଼ କାଳିରେ । କେବଳ ତୁମେ ଇଚ୍ଛାମତୀ, ଅଷ୍ଟାଦଶୀ ହୋଇ ରହିଯାଇଛ; ଆଉ ରହିଯାଇଛି ତମର ନିଃସଙ୍ଗ ଲୁକ୍କାୟିତ ଭଲପାଇବା ପରି ଏଇ ଶୂନ୍ଶାନ୍ ଖରାଦିନ । ଝଲମଲ ପୋଷାକ ନାହିଁ । ବସନ୍ତର ଫୁଲବନ ନାହିଁ । ନାହିଁ ପୁଣି ପ୍ରଜାପତିର ଆମୋଦ । କେବଳ ଗାଢ଼ ଖାଁ–ଖାଁ ଶୂନ୍ୟ ନୀଳ ଆକାଶ, ନିଃଶବ୍ଦ ପ୍ରାର୍ଥନା, ମୁଠାଏ ଭର୍ତ୍ତି ଖରାଦିନ ଏବଂ ଶୂନ୍ୟତା ।

 

ଇଚ୍ଛାମତୀ, ତମେ ଗରୀୟସୀ ସଂଖ୍ୟାହୀନ ରଙ୍ଗିନ ଶାଢ଼ି ଓ ଉଡ଼ନ୍ତ ମ୍ୟାକ୍ସି ପାଖରେ ତମେ ସତେ କେତେ ବର୍ଣ୍ଣମୟ ! ପ୍ରତିଦିନ ସୂର୍ଯ୍ୟ ଉଇଁଲେ ଅସନ୍ତୋଷ । ସୂର୍ଯ୍ୟ ଢଳିଗଲେ ଅସନ୍ତୋଷ । ତମର ସେଇ ସୁନ୍ଦର ମନ୍ତ୍ରପୂତ ଉଚ୍ଚାରଣ ବିଶେଷଣ ସବୁ ନିର୍ଭୁଲଭାବେ ମନର ଅନୁକୋଣରେ ସ୍ପନ୍ଦିତ ହେଉଛନ୍ତି । ମନେ ହେଉଛି ତମର ସୁଗନ୍ଧ ଶରୀରଟା ଉଷ୍ଣ ଆଲିଙ୍ଗନ ଭିତରେ ଜଡ଼େଇ ଧରି ମୋର ପାପବିଦ୍ଧ ଶରୀରକୁ କଥା କହୁଛି–”ଏଇ ତ ପୁଣି ମୁଁ ଆସିଛି I” ଦୁର୍ଦ୍ଦାନ୍ତ କାମନାର ଘୋଡ଼ା ପିଠିରେ ଚାବୁକ ଲଗେଇ, ମୁଁ ଯେତେବେଳେ ସେଇ ଦେହର ସୌରଭକୁ ଚାହୁଁଛି, ଠିକ୍ ସେତିକିବେଳେ ଝିରି ଝିରି ବର୍ଷା, ଗୋଧୂଳିର ବର୍ଷା, ଅଦିନିଆ ଖରାଦିନର ବର୍ଷା । ନା, ତମର ଶରମର ନୁହେଁ, କେବଳ ଭିଜା ଭିଜା ଝର୍କାର ପର୍ଦାସବୁ ଓ ପ୍ରବଞ୍ଚକ ପବନ ମୋର ଦେହ ଛୁଇଁଯାଉଛି । ଆଉ ଏଇ ଶରଶଯ୍ୟାରେ ମୁଁ ଧ୍ୟାନରତ ଭୀଷ୍ମ ପରି କେବଳ ଦୁଃସ୍ଵପ୍ନ ଦେଖୁଛି । ସେଠି ପ୍ରେମର ସଙ୍ଗୀତ ନାହିଁ । ଜୀର୍ଣ୍ଣ ଫସ୍ଫୁସ୍ ଅମ୍ଳଜାନହୀନ । ଆଉ ଖରାଦିନର ଶୂନ୍ୟ ନିଃସଙ୍ଗାତା । ଦୀର୍ଘଶ୍ୱାସ, ଠା ଠା ଓଦା ମାଟିର ନୂଆ ଗନ୍ଧ I

 

ଇଚ୍ଛାମତୀ, ବହୁଦିନରୁ ତମର କିଛି ସୁସମ୍ବାଦ ପାଇନାହିଁ । ତମେ କେମିତି ଅଛ ? କେଉଁଠି କଣ କରୁଛ ? କିଏ ସେଇ ଭଲ ଖବର ଦେବ ତମ ବିଷୟରେ । ସେଇ ଆଗଦିନ ପରି ଗୋଲାପି ଲଫାପାଟି ବଢ଼େଇଦେଇ ପୋଷ୍ଟ ପିଅନ ବକ୍ସିସ ଚାହୁଁନି, ବନ୍ଧୁମାନେ ମୁଚୁକି ହସୁନାହାନ୍ତି-। ବର୍ଷଯାକର କର୍ମବ୍ୟସ୍ତତା ପରେ ଏଇ ଖରାଦିନର ଅବକାଶ କେତେ ମୂଲ୍ୟହୀନ ସତରେ । କେମିତି ଏଇ ଖରାଦିନ ମୋର ଏତେ ନିଜର ହୋଇଗଲା ! କଣ ଏଇ ଖରାଦିନ ଅବକାଶର ଦିନ ବୋଲି ! ଖରାଦିନସବୁ ଖୁବ୍ ଲମ୍ବା ବୋଲି ! ଖରାଦିନ ନିଃସଙ୍ଗ ବିଷାଦରେ ଭରା ବୋଲି ! ନା ଖରାଦିନ ତମକୁ ଏକାନ୍ତରେ ପାଇ ପୁଣି ହଜେଇ ଦେଇଥିଲି ବୋଲି ! ଅବା ଖରାଦିନେ ଅନ୍ଧକାର ନଥାଏ ବୋଲି । ହଠାତ୍ ଯଦି ତମ ସହିତ ଦେଖାହୁଏ ଏଇ ଖରାଦିନରେ କିମ୍ବା ତୁମେ ଆଗପରି ସେଇ ଅଦ୍‍ଭୁତ ବିଶେଷଣରେ ମୋର ମନକୁ ଅହଙ୍କାରୀ କରିଦିଅ କିମ୍ବା ତମର କୌମାର୍ଯ୍ୟ ଲୁଣ୍ଠନ କରି, ତମକୁ ଅସହାୟ ଭାବେ ତ୍ୟାଗ କରି ମୁଁ କୁହୁଡ଼ି ହୋଇ ଲୁଚିଯାଏ, ଆଉ ତମେ ତମର କ୍ଷମାହୀନ ସ୍ନେହରେ ମତେ ଆଗପରି ଚିଠି ପରେ ଚିଠି ଲେଖନ୍ତି, ମୁଁ ନୀରବ ରହନ୍ତି । ଥକ୍କି ଯାଇ ତମେ ବି ନିଜେ ଚୁପ୍ ରହିଯାନ୍ତ ।

 

ନା ଇଚ୍ଛାମତୀ, ସେସବୁ ଆଉ ସମ୍ଭବ ନୁହେଁ । ସୁଖ ଥରେ ଆସେ । ସମୟ କ୍ଷମା ଦିଏନା । ଗୁଡ଼ାଏ ଖରାଦିନ ୟା’ଭିତରେ ମୁହଁ ଦେଖାଇ ଫେରିଗଲେଣି । ଅବହେଳା କରି କରି ଏଇ ଖରାଦିନକୁ ମୁଁ ଭଲପାଇସାରିଲିଣି । ଆଉ ଏସବୁ ଭିତରେ ତମକୁ ହରାଇ ଦେଇଥିବାର ସତ୍ୟ ପ୍ରଚ୍ଛନ୍ନ ହୋଇଗଲାଣି । କେବଳ ତମର ସେଇ ଅଷ୍ଟାଦଶୀ ଦେହଟା ମୋର ମନରେ, ଦେହରେ ଦୌଡ଼ି–ବୁଲୁଛି । ମୋ ନିଜର ଅନ୍ଧକାର ମୋ ଚାରିପାଖେ । କ୍ଷମା ଦେବାକୁ କେହି ନାହିଁ-। କେବଳ ଅଛି ତମର ଭାବନା, ତମର କ୍ଷମାହୀନ ସ୍ନେହ । ତମର ମନ୍ତ୍ରପୂତ ବିଶେଷଣ ସବୁ, ଯାହା ମୋ ଆହାରରେ ବିଷ ଭରିଦେଉଛି । ଅନ୍ଧକାର ଭିତରେ ମୋ ନିଦ୍ରାରେ ବ୍ୟାଘାତ ହୋଇ ଛିଡ଼ା ହେଉଛି । ଆଜି ମନେ ହେଉଛି, ମୁଁ ମୋର ସମସ୍ତ କିଛି ହରେଇଛି । ଯାହା କେବେ ଖୋଜି ପାଇବିନି I କେବଳ ସଞ୍ଚୟହୀନ ଅପଚୟ । ବୁଦ୍ବୁଦ ପରି ମିଳେଇ ଯାଇଛି; କିନ୍ତୁ ମତେ କାନ୍ଦ ଲାଗୁଛି, ମୋ ନିଜପାଇଁ ନୁହେଁ, ତମପାଇଁ ଇଚ୍ଛାମତୀ । ମୋର ଅବିଚାର ପାଇଁ ମଧ୍ୟ । କେବଳ ଏଇ ଖରାଦିନ ମୋର ପ୍ରିୟ । ମୋର ବନ୍ଧୁ, ମୋର ଦୋସର । ଝାଳ ଜୁଡ଼ୁ ବୁଡ଼ୁ ଦେହରେ ରୁଦ୍ଧଶ୍ୱାସ ହୋଇ ମୁଁ ଖରାଦିନର ଝର୍କାପାଖେ ଛିଡ଼ାହୁଏ । ଝାଞ୍ଜି ପବନ ସହିତ ସାମାନ୍ୟ ଶୀତଳତାର ସ୍ପର୍ଶହୋଇ ତମର ସ୍ମୃତି ଭାସିଆସେ ଦୂରରୁ । ମୁଁ କେଉଁଠି ଛିଡ଼ାହୋଇଛି ଅନୁଭବ କରେ । ଶୂନ୍ୟ ପ୍ରେକ୍ଷାଗୃହ ଭିତରେ କେବଳ ମୁଁ ଦର୍ଶକ । ଜନାକୀର୍ଣ୍ଣ ମଞ୍ଚଉପରେ ମୁଁ ଏକକ ନାୟକ । ତମେ ମତେ ଚିହ୍ନିପାରୁନ ଇଚ୍ଛାମତୀ ? ମୁଁ ତମର ସେଇ ନୀଳଲୋହିତ । ତମର ଭଲପାଇବାକୁ ଛିନ୍ନଭିନ୍ନ କରି ଦିନେ ଯିଏ ନିରୁଦ୍ଦେଶ ହୋଇ ଯାଇଥିଲା । କେବଳ ଏଇ ଖରାଦିନ ହିଁ ତମକୁ ପୁଣିଥରେ ମୋ ପାଖକୁ ନେଇ ଆସୁଛି, ଅତନୁର ସ୍ପର୍ଶ ପରି ମତେ କ୍ଷମାକରୁଛି ମମତାମୟୀଟିଏ ପରି । ମୋର ଖରାଦିନର ଆଇନାରେ ଗରୀୟସୀ, କେବଳ ତମର ମୁହଁ । ଜାଣ କି ମୁଁ ଆଜି କାଙ୍ଗାଳ କେବଳ ତମ ପାଇଁ । ଦୁଃଖର ରୂପ ଏଇ ଖରାଦିନ । ସ୍ଵେଦରକ୍ତ ଭିତରେ କେବଳ ହାହାକାର ଏବଂ ଆତ୍ମଶୁଦ୍ଧି । ଆଉ ତା’ରି ଭିତରେ ତମର ଅନୁତପ୍ତ ନୀଳଲୋହିତ । ଆଉ ଥରେ ଚିହ୍ନି ଦେଖ ଇଚ୍ଛାମତୀ–ମୁଁ ନୀଳଲୋହିତ । ଦେଖ, ପୁଣି ଖରାଦିନ ଆସିଛି ।

Image

 

ଶ୍ରୀ ଅଶୋକ କୁମାର ଚନ୍ଦନ

 

ଅନ୍ୟ ଗ୍ରହର ମଣିଷ

 

ଭିନ୍ନ ସ୍ଥାନ, ଭିନ୍ନ ମଣିଷ ।

 

ଡ୍ରାଇଭର ହର୍ଣ୍ଣ ଦେବା ଆଗରୁ ଯେଉଁ ଲୋକଟି ଗେଟ୍ ଖୋଲିଲା, ସୁଦୀପ ତା’ ଉପରେ ମନେ ମନେ ବିରକ୍ତ ହୋଇ ସାରିଥିଲା । ମଣିଷ ପକ୍ଷରେ ଏତେଟା ଦୟନୀୟତା ଅଶୋଭନୀୟ ଏବଂ ଅସହ୍ୟ । ଖୋଲି ସାରିଥିଲା ଏକମାତ୍ର ସୁଟ୍ ଥିବା ବଙ୍ଗଳାର ସମସ୍ତ ଦ୍ଵାର ଓ ଝରକା । ସଲିମ ହୋଲଡ଼୍–ଅଲ୍ ଟି ଭିତରକୁ ସେଇ ଲୋକଟା ସହିତ ଟେକି ଆଣିବା ବେଳକୁ ସୁଦୀପ ଆଖି ବୁଲାଇ ନେଇଥିଲା ବଙ୍ଗଳାର ଚାରିଆଡ଼େ । ନାତିଉଚ୍ଚ ମୁଣ୍ଡିଆ ଉପରେ ପୁରୁଣା ବଙ୍ଗଳାଟିଏ । ଚୌକିଦାର ବୋଧହୁଏ ସ୍ଥାନୀୟ ଏବଂ ଅବୈତନିକ । ଅଗଣାରେ କେତୋଟି ସୁସ୍ଥ ସବଳ କୁକୁଡ଼ା ଓ ଗୋଟିଏ କଅଁଳା ବାଛୁରୀ । ଡ୍ରାଇଭର ସଲିମ୍ ବଡ଼ପାଟିରେ ଚୌକିଦାରକୁ ପଚାରୁଥାଏ–’ପାଣି ଅଛି ? ‘ସୁଦୀପ ଶୁଣିପାରେ ନାହିଁ ତାର ଉତ୍ତର । ସୁଟ୍ ଭିତରେ ଗୋଟିଏ ପରିଷ୍କାର ଶେଯ ଏବଂ ଦୁଇଟି ଚଉକି ମଝିରେ ବେତ ଟିପୟ ।

 

କ’ଣ କରୁଥିବ ଏବେ ବୋଉ ? ରୋଷେଇଘରେ ଚୁଲି ଲାଗି ସାରିଥିବ । ହୁଏତ ବୋଉ ରାତିର ରନ୍ଧାରନ୍ଧି ବିଷୟରେ ଚାକର ଟୋକାକୁ ଉପଦେଶ ଦେଉଥିବ ।

 

ସୁଦୀପ ଚାହୁଁଥିଲା, କିଛି ସମୟ ପାଇଁ ସଲିମ୍ ଓ ଚୌକିଦାର ତା’ ଦୃଷ୍ଟିର ଅନ୍ତରାଳକୁ ଚାଲିଯାନ୍ତୁ । ସେମାନେ ପରସ୍ପର ଭିତରେ ବନ୍ଧୁତା ଓ ବାର୍ତ୍ତାଳାପ ଜମାନ୍ତୁ । ସଲିମ ପଚାରୁ, ଚୌକିଦାରର କେତୋଟି କୁକୁଡ଼ା ଓ କେତୋଟି ଛୁଆପିଲା କିମ୍ଵା ତାର ଆୟର ପରିମାଣ ଏବଂ ଲାଜେଇଲା ଭଳି ଚୌକିଦାର ଅନୁସନ୍ଧାନ କରୁ, ବାବୁ କେଉଁଠୁ ଆସିଛନ୍ତି କିମ୍ଵା ସଲିମ କେତେବର୍ଷ ହେଲା ଚାକିରି କଲାଣି । ନୂତନ ସମ୍ପର୍କଟିଏ ସୃଷ୍ଟି ହେଉ । ଅଥଚ ସୁଦୀପ ପାଇଁ ଥରେ ଥରେ ପୃଥିବୀର ସମସ୍ତ ମଣିଷ ଘୃଣ୍ୟ ହୋଇଯାଆନ୍ତି । ଅନ୍ୟ କେହି ତା’ ସହିତ କିଛି ନିଅଣ୍ଟିଆ ସ୍ଥାନର ବାୟୁମଣ୍ଡଳରେ ନିଃଶ୍ଵାସ ପ୍ରଶ୍ଵାସ ନେଉ, ସୁଦୀପ କାହିଁକି ସହ୍ୟ କରିପାରେନାହିଁ । ଚୌକିଦାର ଏବଂ ସଲିମ ଯାଆନ୍ତୁ ଏବେ ଘେରାଏ ବୁଲି ଆସନ୍ତୁ । ସୁଦୀପ ଯାହା ଚାହେଁ ଅନେକ ସମୟରେ କହିପକାଏ । ସେ ସଲିମ ପ୍ରତି ବିରକ୍ତି, କ୍ରୋଧ ବା ଘୃଣା ପ୍ରକାଶ ନକରି ଅଭିଭାବକ ଭଙ୍ଗୀରେ କହିଲା, “ମୋତେ ଘଣ୍ଟାଏ ପରେ ଡାକିବ । ସଂଧ୍ୟା ସାତଟା ।”

 

ତା’ ଜେଜେଙ୍କ ଅମଳର କାନ୍ଥଘଣ୍ଟାରେ କ’ଣ ଏବେ ଠିକ୍ ଛ’ଟା ବାଜୁଥିବ ? ସାନ ଭାଇମାନେ ଇସ୍ତ୍ରି ପୋଷାକ ପିନ୍ଧି ସିନେମା ଦେଖି ବାହାରିଥିବେ । ପରିଚିତ କୋଠରିର ବନ୍ଧନୀରୁ ବେପରୁଆ ପାଦକାଢି଼ ବାହାରି ଯାଉଥିବେ । ଅଥଚ ସୁଦୀପ ଏବେ ଫେରିଯିବାକୁ ଚାହେଁ ତାର ପିଲାବେଳର ପଢ଼ା କୋଠରିଟିକୁ, ଏବେ ବି ଯେଉଁଠି ଆଧାଚିରା ବହିର ସ୍ତୂପଟିଏ ଅଛି । ତା’ ଭିତରେ ହୁଏତ ଲୁଚି ରହିଥିବ ତା’ ହାତଲେଖା ଖଣ୍ଡିଏ ଦୁଇଖଣ୍ଡ ଚିଠି ଯାହା ସେ ତାର କୌଣସି କଳ୍ପିତ ପ୍ରେମିକା ପାଖକୁ ଲେଖିଥିଲା ।

 

ବଙ୍ଗଳା ଚାରିକଡ଼େ ବୁଲିଯାଇଥିବା ରାସ୍ତାରେ ଏବେ କେତୋଟି ଛୋଟ ଛୁଆ ଖେଳୁଛନ୍ତି-। ବୋଧହୁଏ ଚୌକିଦାରର ପିଲାମାନେ । ପିଲାଙ୍କର ଓ ଚୌକିଦାରର ଶାରୀରିକ ବର୍ଣ୍ଣ ସଂପୂର୍ଣ୍ଣ ବିପରୀତ । ହୁଏତ ଚୌକିଦାର ସ୍ତ୍ରୀ ନିହାତି ସୁନ୍ଦରୀ । ବୟସ ହୁଏତ ଅନ୍ୟୂନ ତିରିଶ ସୁଦୀପଠୁଁ ଚାରିବର୍ଷ ବଡ଼ ।

 

ବୋଉ ଏବେ ବି ତାର ଜନ୍ମଦିନରେ କେତେ କଣ ପୂଜା କରେ । ତାର ଜନ୍ମଦିନରେ ସୁଦୀପ ଅନୁଭବ କରେ ଯେପରି ସେ ଗୋଟିଏ ଅବାଧ୍ୟ ଶିଶୁ ହୋଇଯାଇଛି । ଘରେ ନଥିଲେ କାହା ପାଖରେ ବା ସେ ଅବାଧ୍ୟ ହେବ ? କୌଣସି କାରଣ ନଥିଲେ ବି ସେ ତାର ସମସ୍ତ ଟୁର୍ ପ୍ରୋଗ୍ରାମ ବାତିଲ କରିଦିଏ । ଏକାନ୍ତ ଜିଦ୍ଖୋର ଭଳି କୌଣସି ବନ୍ଧୁ ବା ସହକର୍ମୀଙ୍କୁ ସିନେମା ଦେଖିବା କିମ୍ଵା ମଦ ପିଇବା ପାଇଁ ବାଧ୍ୟ କରେ ।

 

ଏଠି ସଂଧ୍ୟା ଚିକ୍ ଚିକ୍ କଳା ପୋଷା ବିଲେଇଟିଏ ଭଳି ସ୍ପର୍ଶକାତର । ନିଜ ଶେଯ ବି ସୁଦୀପର ଆଖିରେ ଦିଶେନାହିଁ । ଅନ୍ଧାରରେ ତା’ ଆଖି ଦୁଇଟି ବ୍ୟତୀତ ହୁଏତ ସବୁକିଛି ହଜିଯାଇଛି । କାଲି ସକାଳୁ ତାକୁ ଏ ଅଞ୍ଚଳର କେତୋଟି ଆଦିବାସୀ ଗାଁ ବୁଲି ଲୋକଙ୍କୁ ପଚାରି ଏବଂ ସମ୍ଭବତଃ ଆଖିରେ ଦେଖି ବୁଝିବାକୁ ପଡ଼ିବ ଏଠି ଲୋକେ ଖାଉଥିବା ଖାଦ୍ୟ ପଦାର୍ଥର ପୁଷ୍ଟିକରତା । ସେଇ ସମ୍ବନ୍ଧୀୟ ବିଶ୍ଵସଂସ୍ଥା ପାଖରେ ତାକୁ ଦାଖଲ କରିବାକୁ ପଡ଼ିବ ଗୋଟାଏ ରିପୋର୍ଟ । ମନଗଢ଼ା କଥାକୁ ଡାଏରିସ୍ଥ କରିଦେଲେ ବି ପରିଶେଷରେ ତାହା ରିପୋର୍ଟଟିଏ ହୋଇଯାଏ । ଜିପ୍ଟିଏ, ଜଣେ ଡ୍ରାଇଭର, ଚାରି ଅଙ୍କର ବେତନ । ମାସରେ ପଚିଶ ଦିନ ଟୁର୍ । ମନ୍ଦ ନୁହେଁ । ବୋଉ ପ୍ରଥମେ ମନା କରୁଥିଲା । ବାପା ଚାକିରୀ–ବଜାର ଅନୁଧ୍ୟାନ କରି କହିଲେ, ଯାଉ । ସୁଦୀପ୍ ବାପାଙ୍କୁ କୃତଜ୍ଞତା ଜଣାଇ ପାରିନଥିଲା ବା ବୋଉକୁ ବିରକ୍ତ କରାଇ ନଥିଲା । ଘର ଏବଂ ଘରୋଇ ସହରରୁ ସାମୟିକ ମୁକ୍ତି ଅପରିହାର୍ଯ୍ୟ ।

 

ନିଜ ସହରରେ ଅନ୍ଧାର ଭିନ୍ନ ଲାଗେ । ସୁଦୀପ୍ର ଘରଥିବା ଗଳିରେ ମାଳେ ବାର୍ ଲାଇଟ୍ ଜଳିଉଠେ । ଝର୍କାଦେଇ ସେ ଦେଖେ ଯେଉଁଠି ସାମାନ୍ୟ ଟିକିଏ ଅନ୍ଧାର ସେଠି କିଏ ଜଣେ ପରିସ୍ରା କରୁଛି କିମ୍ବା କୁକୁରଟିଏ କୋଉଠୁ ଉଠେଇ ଆଣିଥିବା ପତ୍ର ଚାଟୁଛି । ଗଳି ରାସ୍ତାରେ କିଛି ଲୋକ କ୍ଳାନ୍ତ ହୋଇ ଘରକୁ ଫେରୁଥାନ୍ତି ଆଉ କେଇଜଣ ବେଶ୍ ଫୂର୍ତ୍ତିରେ ଅନ୍ୟ ଦିଗକୁ ମୁହେଁଇଥାନ୍ତି । ସୁଦୀପକୁ ବି ଦିନେ ଦିନେ ସେମାନଙ୍କ ସହିତ ସାମିଲ ହେବାକୁ ପଡ଼େ । ଚିହ୍ନା ଲୋକଙ୍କୁ ମୁହଁ ଲୁଚାଇବା ପାଇଁ ଅନ୍ଧାରର ଅନେକଟା ଆବଶ୍ୟକତା ଥାଏ ଯାହା ସେ ନିଜ ସହରରେ ପାଏନାହିଁ ।

 

ସଲିମ୍ର ପୁରୁଣା ଘଣ୍ଟା ବୋଧହୁଏ ଠିକ ଚାଲୁନଥିଲା । ଶେଯରେ ଗଡ଼ି ଗଡ଼ି ସୁଦୀପ୍ ଦେଖିଲା ଲଣ୍ଠନଟିଏ ପାଖେଇ ଆସୁଛି । ଚୌକିଦାର ଓ ସଲିମ୍ । ଉଭୟେ କୋଠରୀକୁ ପଶିବା ପରେ ପରେ ଚୌକିଦାରର ‘ବାବୁ’ ଡାକ ଓ ସାମାନ୍ୟ ଗନ୍ଧରୁ ସୁଦୀପ୍ ଜାଣି ପାରିଲା ସେମାନେ ପିଇଛନ୍ତି । ଟିପୟ ଉପରେ ଲଣ୍ଠନଟି ରଖୁଥିବା ଚୌକିଦାରକୁ ସୁଦୀପ୍ ପଚାରିଲା, “ରନ୍ଧାରନ୍ଧି ଚାଲିଛି ?” ଚୌକିଦାର ମୁଣ୍ଡ ନୁଆଇଁ କହିଲା, “ସାର୍” । ତାପରେ ମୁଣ୍ଡ ଟେକି ପୁଣି ଟିକିଏ ହସିଦେଇ ସଲିମ୍ ମୁହଁକୁ ଚାହିଁଲା । ଉଭୟେ ଯେମିତି କିଛି କହିବା ପାଇଁ ପରସ୍ପରଠାରୁ ଅନୁମତି ଚାହୁଁଥିଲେ । ଚୌକିଦାର ଏଥର ସାମାନ୍ୟ ଲାଜେଇଲା ଭଳି ହେଲା । ଦୁଦୀପ୍ ପଚାରିଲା, “କ’ଣ କିଛି ଦରକାର, ପଇସା ?” ଚୌକିଦାର ଏବେ ବୋଧହୁଏ କିଛିଟା ସାହସ ପାଇଲା । ସେ ବାଁ ହାତରେ କାନ ଆଉଁସି କହିଲା, “ବାବୁ, କାଲି ପାଖ ଗାଁ ବଜାର କି’ନା, ସେ କହୁଥିଲା ଖଣ୍ଡିଏ ସାବୁନ କିଣିବ ।” ସୁଦୀପ୍ କିଛି ବୁଝି ନ ପାରି ପଚାରିଦେଲା, “କିଏ” ? ଚୌକିଦାର ପୁଣି ଲାଜେଇଗଲା । ସଲିମ୍ ଏଥର ପୁଣି ଝର୍କାଦେଇ ଅନ୍ଧାରକୁ ଦେଖି କହିଲା, “ତା, ସ୍ତ୍ରୀ ରାନ୍ଧୁଛି ।” ସୁଦୀପ୍ ମୁରବି ଭଙ୍ଗୀରେ କହିଲା, “ଆଚ୍ଛା, ଯାଅ ଶୀଘ୍ର କାମ ସାର ।” ଏକାମାତ୍ର ଲଣ୍ଠନଟି ପୁଣି ଫେରିଗଲା ରୋଷେଇଘର ଆଡ଼କୁ ।

 

କୋଠରିଟି ସାମାନ୍ୟ ଆଲୋକିତ ଦିଶୁଛି । ସୁଦୀପ୍ ଝର୍କାଦେଇ ଚାହିଁ ଦେଖିଲା । କେତୋଟି ଗଛ ଆଢ଼ୁଆଳରୁ ଜହ୍ନ ଉଠି ଆସୁଛି । ଜହ୍ନରାତି ଓ ନିର୍ଜନତା ଯୋଗସୂତ୍ର ସ୍ଥାପନ କରିବା ଓ କରିପାରିବା ପାଇଁ ଏକ ସ୍ୱତନ୍ତ୍ର ବୟସ ଅଛି । ଏମିତି ମୁହୂର୍ତ୍ତମାନଙ୍କରେ ନିର୍ଜନ କୋଠରି ଭିତରେ ଅନ୍ୟଜଣକ ଉପସ୍ଥିତିର ଆବଶ୍ୟକତା ଅନୁଭବ କରିବା ସୁଦୀପ୍ ପକ୍ଷରେ ସ୍ଵାଭାବିକ । ସେ ଦୀର୍ଘଶ୍ଵାସଟିଏ ଛାଡ଼ିଲା ଏବଂ ବେଶ୍ ଶୁଣି ପାରିଲା ତାର ମୃଦୁଶବ୍ଦ । କେମିତି ଏକ ଶୂନ୍ୟତା ଯେପରି ତାକୁ ଅସଂଖ୍ୟ ଅଦୃଶ୍ୟ ସ୍ରୋତରେ କବଳିତ କରିନେଉଛି । ଲଣ୍ଠନଟି ପୁଣି ପାଖେଇ ଆସୁଛି । ପ୍ରଥମେ ଚୌକିଦାର ଲଣ୍ଠନକୁ ଟିପୟରେ ଥୋଇଲା । ପୁଣି ଫେରିଗଲା ବାରଣ୍ଡାକୁ ଏବଂ ନେଇଆସିଲା ରାତ୍ରିଭୋଜନ । ବୋଧହୁଏ ତା’ ସ୍ତ୍ରୀ ବାରଣ୍ଡାରେ ଛିଡ଼ାହୋଇଛି । ସୁଦୀପ୍ ସ୍ପଷ୍ଟ ଶୁଣି ପାରୁଥିଲା ଚୁଡ଼ିର ରୁଣୁଝୁଣୁ ।

 

ଘରେ ତା’ ନିଜ କୋଠରିକୁ ଅନ୍ୟ କୋଠରିମାନଙ୍କଠାରୁ ପୃଥକ୍ କରୁଥିବା ପାତଳ ପରଦାର ଅନ୍ୟପଟେ ଚୁଡ଼ିର ଶବ୍ଦ ଶୁଣିଲେ ସୁଦୀପ୍ ସହଜରେ ଅନୁମାନ କରିପାରେ ବାହାରେ କିଏ ଚଳପ୍ରଚଳ ହେଉଛି–ବୋଉ, ଭାଉଜ କିମ୍ବା ଭଉଣୀ । ‘ଜଳତରଙ୍ଗ’ ସୁଦୀପ୍ର ସବୁଠୁଁ ପ୍ରିୟ, ବୋଧହୁଏ ଚୁଡ଼ିର ରୁଣୁଝୁଣୁ ସହିତ ତାର ସାମଞ୍ଜସ୍ୟ ଯୋଗୁଁ ।

 

ଯାତ୍ରା ଜନିତ କ୍ଲାନ୍ତିରେ ସୁଦୀପ୍ର ଆଖିପତା ଲାଗି ଆସୁଥାଏ । ଚୌକିଦାର ଅଇଁଠା ବାସନ ଉଠାଇବା ବେଳକୁ ସେ ଶେଯରେ ଗଡ଼ି ସାରିଥାଏ । ଲଣ୍ଠନଟି ସାମାନ୍ୟ କମାଇ ଚୌକିଦାର ତାକୁ ବିରକ୍ତ ନକରି ଦ୍ୱାର ଆଉଜାଇ ନେଲା । କେଜାଣି ରାତି କେତେଟା ହେବ କୋଠରି ଭିତରେ କାହାର ଉପସ୍ଥିତିରେ ସୁଦୀପ୍ ଚମକି ପଡ଼ିଲା । ସାମ୍ନାରେ ତାର ଗୋଟିଏ ନାରୀ ମୂର୍ତ୍ତି । ପରିଚିତ ଚୁଡ଼ି ଶବ୍ଦରୁ ସୁଦୀପ୍ ଅନୁମାନ କଲା, ସେ ଚୌକିଦାରର ସ୍ତ୍ରୀ । ଏତେ ରାତିରେ ତାରକୋଠରିରେ ଗୋଟିଏ ନାରୀର ଅନଧିକାର ପ୍ରବେଶରେ ସୁଦୀପ୍ ମନେ ମନେ ବିରକ୍ତ ହେଉଥିଲେ ବି ତାକୁ ଚାଲିଯିବା ପାଇଁ କହି ପାରିଲାନି । ଜୀବନରେ ପ୍ରଥମ ଥର ପାଇଁ ସମ୍ମୁଖୀନ ହେଉଥିବା ଏଇ ଅଜବ ଘଟଣାରେ ସେ ଅନେକଟା ନିର୍ବାକ୍ ହୋଇ ପଡ଼ିଥିଲା । ଅନ୍ୟ ଉପାୟ ନଦେଖି ସେ ପୁଣି ଶୋଇ ରହିବାର ଛଳନା କଲା । ଅଥଚ ସ୍ତ୍ରୀ ଲୋକଟି କୋଠରିରୁ ଚାଲିଯିବାର ଉପକ୍ରମ କରୁନାହିଁ । ସୁଦୀପ୍ ଚିତ୍କାର କଲେ ବି ମାତାଲ ହୋଇ ଶୋଇଥିବା ସଲିମ୍ ବା ଚୌକିଦାର କେହି ଉଠିବେନ । ବରଂ ଚିତ୍କାର କଲେ ସୁଦୀପ୍ ପକ୍ଷରେ ଅନେକଟା ଭୀରୁତା ହେବ । ହୁଏତ ଚୌକିଦାରର ପ୍ରଚ୍ଛନ୍ନ ସମ୍ମତି ଥିବ । ତାକୁ ଆଶ୍ଚର୍ଯ୍ୟ କରି ସ୍ତ୍ରୀ ଲୋକଟି ସୁଦୀପ୍ର ଶେଯରେ ବସିପଡ଼ି ଚାପା କଣ୍ଠରେ କହିଲା, “ବାବୁ, ଗୋଡ଼ ମୋଡ଼ିଦେବି ?” ଏବଂ ସୁଦୀପର ଉତ୍ତରକୁ ଅପେକ୍ଷା ନକରି ସେ ହାତ ଦୁଇଟି ବଢ଼ାଇଦେଲା ତାର ପାଦ ଆଡ଼କୁ । ବହୁତ ଦିନ ହେଲା ସୁଦୀପ୍ କୌଣସି ନାରୀର ସ୍ପର୍ଶ ଅନୁଭବ କରି ନଥିଲା । କେବେ କେମିତି ସେ ଅସୁସ୍ଥ ହୋଇ ପଡ଼ିଲେ ବୋଉ ବା ଭଉଣୀ ମୁଣ୍ଡ ଟିପି ଦିଅନ୍ତି । ସ୍ତ୍ରୀ ଲୋକଟିର କଅଁଳ ପାପୁଲିର ମୃଦୁଚାପ ଉପଭୋଗ୍ୟ ହେଲେ ବି ଅଗତ୍ୟା ସୁଦୀପ୍ ଧଡ଼ପଡ଼ ହୋଇ ଉଠିବସିଲା । ଅଜଣା ଆଶଙ୍କା ଓ ଉତ୍ତେଜନାରେ ତାର ଦେହ କମ୍ପି ଉଠୁଥିଲା । ନାଭି ପିଣ୍ଡରୁ ବକ୍ଷ ଗହ୍ୱର ଯାଏ ପ୍ରବାହିତ ଏକ ସୀତ୍କାରରେ ତାର ନିଃଶ୍ୱାସ ପ୍ରଶ୍ୱାସ ପ୍ରଖର ହୋଇ ଉଠୁଥାଏ । ଥରିଲା କଣ୍ଠରେ ସେ କହିଲା, “କାଲି ବଜାରରେ କଣ କିଣିବ ପରା ।” ସ୍ତ୍ରୀ ଲୋକଟି ସମ୍ମତିରେ ମୁଣ୍ଡ ତଳକୁ କଲା । ସୁଦୀପ ତକିଆ ତଳୁ଼ ପର୍ସ ବାହାର କରି ଖଣ୍ଡିଏ ପାଞ୍ଚ ଟଙ୍କିଆ ନୋଟ୍ ତା’ ହାତକୁ ବଢ଼ାଇଦେଲା । ତଥାପି ସେ ଶେଯରୁ ଉଠିବାର କୌଣସି ଉଦ୍ୟମ କରୁନଥିବାରୁ ସୁଦୀପ ଆଦେଶ ଦେବା ଭଳି କହିଲା, “ଯାଅ ।” ଏଥର ବାଧ୍ୟ ହୋଇ ସେ ଉଠିଲା ଏବଂ ଦ୍ୱାର ଆଡ଼କୁ ଆଗେଇଲା । ସେଇ ଅପସୃୟମାନ ନାରୀମୂର୍ତ୍ତିକୁ ଚାହିଁ ସୁଦୀପ ମନେ କରୁଥିଲା ତାର ଭାଉଜଙ୍କ ନିଖୁଣ ଗଢ଼ଣକୁ । କାହିଁକି କେଜାଣି ସ୍ତ୍ରୀ ଲୋକଟା ପ୍ରତି ତାର ସହାନୁଭୂତି ଆସୁଥିଲା । ସୁଦୀପ ଯନ୍ତ୍ରଚାଳିତ ପରି ଉଠିଯାଇ କୋଠରି ଦ୍ୱାର ଭିତରପଟୁ ବନ୍ଦ କଲା-

 

ଦରଜାରେ ସଲିମର ବାରମ୍ବାର ଆଘାତ ପରେ ସୁଦୀପର ନିଦ ଭାଙ୍ଗିବା ବେଳକୁ ସକାଳ ପ୍ରାୟ ଆଠଟା ହୋଇ ସାରିଥାଏ । ନିତ୍ୟକର୍ମ ଓ ବ୍ରେକଫାଷ୍ଟ ସରିବା ବେଳକୁ ପ୍ରାୟ ନ’ଟା । ବଜାର ସଉଦା ପାଇଁ ସଲିମର ବରାଦ ମୁତାବକ ସୁଦୀପ ଚୌକିଦାରକୁ କୋଡ଼ିଏଟି ଟଙ୍କା ବଢ଼ାଇଦେଲା । ଆଜି କେତୋଟି ଆଦିବାସୀ ଗାଁ ବୁଲି ଲେକଙ୍କ ଖାଦ୍ୟର ପୁଷ୍ଟିକରିତା ସମ୍ପର୍କରେ ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ । ସଲିମ ଜିପ୍ ଷ୍ଟାର୍ଟ କରିବା ବେଳକୁ ଚୌକିଦାର ଏବଂ ତା’ ସ୍ତ୍ରୀ ମଧ୍ୟ ବଜାରକୁ ବାହାରି ପଡ଼ିଥାନ୍ତି । ଦୁର୍ଗମ ରାସ୍ତା ଦେଇ ସଲିମ ବେଶ୍ ସନ୍ତର୍ପଣରେ ଡ୍ରାଇଭିଂ କରୁଥାଏ । ପ୍ରାୟ ଘଣ୍ଟାଏ ପରେ ଜିପ୍ଟି ଗୋଟିଏ ଗାଁ ମୁଣ୍ଡରେ ପହଞ୍ଚିଲା । ଜିପ୍ ଅଟକିବା କ୍ଷଣି ଦଳେ ଲୋକ ଜମିଗଲେ । ଏମିତି ହୀନସ୍ୱାସ୍ଥ୍ୟ ଲୋକଙ୍କୁ ଦେଖି ସୁଦୀପର ମନରେ ଏକ ଅଜବ ଭାବ ସୃଷ୍ଟି ହେଉଥାଏ । ତାକୁ ଲଗୁଥାଏ, ଭାରତ–ବର୍ଷର ଏହି ନିରନ୍ନ ନାଗରିକମାନଙ୍କ ଖାଦ୍ୟର ପୁଷ୍ଟି କରିତା ଅନୁଧ୍ୟାନ କରିବା । ଏକ କରୁଣ ପ୍ରହସନ । ସୁଦୀପ ଜିପ୍ରେ ବସି ବସି ଚାରିଆଡ଼କୁ ଆଖି ବୁଲାଉଥାଏ । ସଲିମ ଜଣେ ଦୁଇଜଣ ବୟସ୍କ ଲୋକଙ୍କୁ ତାଙ୍କ ଆଗମନର ତାତ୍ପର୍ଯ୍ୟ ବୁଝାଉଥାଏ । ଅଗତ୍ୟା ସେଇ ବୟସ୍କ ଲୋକମାନେ ସୁଦୀପକୁ ହାଇଯୋଡ଼ି ଦଣ୍ଡବତ କଲେ । ସୁଦୀପ ଜିପ୍ରୁ ଓହ୍ଲାଇଲା । ପୁରୁଖା କେଇଜଣ ତା’ ସାଙ୍ଗରେ ଗାଁ ଭିତରକୁ ଆଗେଇଲେ । ତଥାପି ଜିପ୍ ପାଖରୁ ଭିଡ଼ କମି ନଥାଏ ।

 

ମଧ୍ୟବୟସ୍କ ଲୋକଟିଏ ସୁଦୀପକୁ ଦେଖାଇଦେଲା ଖଜୁରି ଗଛଟିକୁ । ଗଛର ବାହୁଙ୍ଗାମାନଙ୍କ ତଳକୁ ଗୋଟାଏ ମାଠିଆ ଝୁଲୁଥାଏ । ସୁଦୀପ ପ୍ରଥମେ ବୁଝିପାରି ନଥିଲା କ’ଣ ହେଉଥିବ ସେଥିରୁ । ଲୋକଟି ପାଖରେ ଛିଡ଼ା ହୋଇଥିବା ପ୍ରାୟ ପନ୍ଦର ବର୍ଷର ପିଲାଟିଏ ତା’ ନିଜ ଅଣ୍ଟା ଓ ଗଛ ସହିତ ବାନ୍ଧିଦେଲା ଗୋଟାଏ ଶକ୍ତ ଦଉଡ଼ି । ତାପରେ ପ୍ରାୟ ପାଞ୍ଚ ମିନିଟ ଭିତରେ ଉଠିଗଲା ଉପରକୁ ଓ ମାଠିଆଟି ସାମାନ୍ୟ ପରଶ୍ରମରେ କାଢ଼ିଆଣିଲା । ତା’ହାତରୁ ମାଠିଆଟି ଆଣି ସୁଦୀପକୁ ପାଖେଇ ଛିଡ଼ାହେଲା ଲୋକଟା । ସୁଦୀପ ମୁହଁ ପାଖକୁ ନେଇ ମାଠିଆ ଭିତରକୁ ଚାହିଁଲା । ଅସହ୍ୟ ଗନ୍ଧରେ ହଠାତ୍ ସେ ପ୍ରାୟ ଅଣନିଃଶ୍ୱାସ ହୋଇପଡ଼ିଲା । ଅଥଚ ନିର୍ବିକାର ଭାବେ ଲୋକଟି କହିଲା, “ବାବୁ, ଏଇଟା ତାଡ଼ି ।” ସୁଦୀପ ମାଠିଆ ଭିତରକୁ ଚାହିଁ ଦେଖିଲା ଆଉଥରେ । ବୋଧହୁଏ ମାଠିଆ ଅନେକ ଦିନ ହେଲା ପରିଷ୍କାର ହୋଇନାହିଁ । ସେ ଖବରକାଗଜରେ ପଢ଼ିଥିବା ସମ୍ବାଦମାନଙ୍କୁ ମନେକଲା, ଏମିତି ମଦ ପିଇ ଚକ୍ଷୁଶକ୍ତି ହରେଇଛନ୍ତି, କେବେ କେମିତି ଅନେକ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ସୁଦୀପ ଗାଁର ଧୂଳି ରାସ୍ତାରେ ଆଗେଇଲା । ପଛକୁ ଲେଉଟି ଦେଖିଲା ବେଳକୁ ମାଠିଆରୁ ଗୋଟାଏ ଆଲୁମିନିଅମ୍ ଗ୍ଲାସରେ ଢାଳି ସେଇ ମଧ୍ୟବୟସ୍କ ଲୋକଟି ଏବଂ ଗଛରୁ ମାଠିଆଓହ୍ଲାଇଥିବା ପିଲା ତାଡ଼ି ପିଉଛନ୍ତି । ଏଇନେ ତାଙ୍କ ପାଖରେ ଛିଡ଼ା ହୋଇଛି ବୁଢ଼ୀଟିଏ । ମୁଣ୍ଡରେ ତାର ଗୋଟିଏ ବଡ଼ ଟୋକେଇ । ଦୁଇଜଣଯାକ ବୁଢ଼ୀ ସାମ୍ନାରେ ଗାମୁଛା ପତାଇଦେଲେ ଓ ସେ ଓଜାଡ଼ିଦେଲା କିଛି କିଛି ମୁଢ଼ି ଏବଂ ସେଇ ମଧ୍ୟବୟସ୍କ ଲୋକଟି ଭର୍ତ୍ତି ହୋଇଥିବା ଆଲୁମିନିଅମ ଗ୍ଲାସଟି ବଢ଼ାଇଦେଲା ବୁଢ଼ୀ ହାତକୁ । ମାଠିଆ ଓହ୍ଲାଇଥିବା ପିଲା ଏବେ ଗୋଟିଏ ଦୁର୍ବୋଧ୍ୟ ଗୀତ ଗାଇବା ଆରମ୍ଭ କଲାଣି । ବୁଢ଼ା ଗ୍ଲାସଟି ଶେଷ କଲା ବେଳକୁ ଲୋକଟି ପାଟିକରି ଉଠିଲା, “ଆଃ…ତାଡ଼ି, ମୁଢ଼ି, ବୁଢ଼ୀ...ଆଃ... ।” ହୁଏତ କୌଣସି ଗୀତର ଘୋଷା । ସୁଦୀପ୍ ସେମାନଙ୍କ ଆଡ଼ୁ ମୁହି ଫେରାଇ ଆଣିଲା । ତଥାପି ସେମାନଙ୍କ ବିକୃତ ସ୍ଵର ନିରବଚ୍ଛିନ୍ନ ।

 

ଜିପ୍କୁ ଘେରି ଦଳେ ଲଙ୍ଗଳା, ପେଟୁ ପିଲା ଛିଡ଼ା ହୋଇଥାନ୍ତି । ସଲିମ ଏକୁଟିଆ ଜିପ୍ରେ ବସିଥାଏ ଓ କେତେବେଳେ କେମିତି ପାଖ ଘର ଆଡ଼କୁ ଚାହୁଁଥାଏ । ସୁଦୀପ ନିରେଖି ଦେଖିଲା ବେଳକୁ ସେ ଘରର ଅଗଣାରୁ ଦଳେ ଆଦିବାସୀ ତରୁଣୀ ଜିପ୍ ଏବଂ ସଲିମ୍କୁ ଉତ୍ସୁକ ଆଖିରେ ଚାହିଁଛନ୍ତି । ସୁଦୀପ ବଡ଼ ପାଟିରେ ଡାକିଲା, “ସଲିମ୍” । ଯନ୍ତ୍ରଚାଳିତ ପରି ସଲିମ୍ ଆସିଲା । ଦଳେ ଛୁଆ ଜିପ୍କୁ ଘେରି ଛିଡ଼ା ହୋଇଥାନ୍ତି ଏବଂ ଆଉ ଦଳେ ସଲିମ୍କୁ ଅନୁସରଣ କରି ସୁଦୀପ ପାଖକୁ ଚାଲିଆସିଲେ । ସେଇ ତରୁଣୀମାନେ ଏବେ ସୁଦୀପ ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି । ସୁଦୀପ୍ ଅନୁଭବ କରୁଥାଏ ଯେପରି ସେ ଏକ ଅନ୍ୟଗ୍ରହର ମଣିଷ ।

 

ସଲିମ୍ର ସାମାନ୍ୟ ଧମକରେ ସେହି ହୀନସ୍ୱାସ୍ଥ୍ୟ ଶିଶୁଦଳ ଛିନ୍ଛତ୍ର ହୋଇ ଗାଁ ମଝିର ‘ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ’ ଅନୁରୂପ ବିଲର ହିଡ଼ତଳମାନଙ୍କରେ ଆତ୍ମଗୋପନ କଲେ । ସୁଦୀପ୍ ଓ ସଲିମ୍କୁ ବାଟ କଢ଼ାଇ ନେଉଥିବା ଏକମାତ୍ର କଙ୍କାଳସାର ମଣିଷର ବୟସ ଅନୁମାନ କରିବା ମୁସ୍କିଲ । ତା’ ମୁହଁର କୁଞ୍ଚିତ ରେଖାମାନଙ୍କୁ ଚାହିଁ ସୁଦୀପ ଅନୁଭବ କରୁଥିଲା ଯେପରି ସେ ମଣିଷ ନୁହେଁ ଗୋଟିଏ ପ୍ରାଗ୍ଐତିହାସିକ ଜୀବ । ସଂକୀର୍ଣ୍ଣ ହିଡ଼ ଉପରେ କିଛିଦୂର ଆଗେଇବା ପରେ ଖଜୁରିଗଛର ବାହୁଙ୍ଗା ଆଚ୍ଛାଦିତ ଗୋଟିଏ ଘରେ ପହଞ୍ଚିଲେ । ଘର ଭିତରକୁ ପଶିବା ବେଳେ ସୁଦୀପ୍ ଭାବୁଥିଲା ଯେପରି ସେ କୌଣସି ଅଜ୍ଞାତ ଗୁମ୍ଫାରେ ପ୍ରବେଶ କରୁଛି । ସଲିମ୍ ସାଙ୍ଗରେ ସାମାନ୍ୟ ବାର୍ତ୍ତାଳାପ ପରେ ଲୋକଟି ଘରକୋଣରେ ସଯତ୍ନ ରକ୍ଷିତ ଗୋଟିଏ ହାଣ୍ଡିର ଘୋଡ଼ଣି ଉଠାଇଦେଲା । ହଠାତ୍ ଏକ ବିକୃତ ଗନ୍ଧରେ ସୁଦୀପ୍ର ନାସା କୁଞ୍ଚିତ ହୋଇପଡ଼ିଲା । ତଥାପି ସୁଦୀପ୍ ହାଣ୍ଡି ଭିତରକୁ ଦେଖିଲା, ପ୍ରାୟ ପଚିଆସୁଥିବା ପେଜୁଆ ଭାତ । ସୁଦୀପ୍ ଲୋକଟିର ମୁହଁକୁ ପ୍ରଶ୍ନିଳ ଆଖିରେ ଚାହିଁଲା ଏବଂ ବୁଝିପାରିଲା ପରି ଲୋକଟି କହିଲା, “ବାବୁ, ଏହା ‘କୁସନା’ । ରନ୍ଧା ଭାତକୁ ଏମିତି ଘୋଡ଼ାଇ ରଖିବା ପରେ ଏଥିରେ ସାତ ପ୍ରକାର ଚେରମୂଳିର ‘ରାନୁ’ ମିଶାଯାଏ... ।” ଲୋକଟି ହୁଏତ ଆଉ କଣ କହିଥାନ୍ତା ଅଥଚ ସୁଦୀପ୍ କ୍ଷୀପ୍ର ପାଦରେ ଘର ବାହାରକୁ ଚାଲି ଆସିଲା । ହଳଦିଆ ଅନ୍ଧାରରେ ସାମାନ୍ୟ ଉଜ୍ଜ୍ଵଳ ଦିଶୁଥିବା ଲୋକଟିର ମୁହଁରେ ଏବେ ଅସହାୟତାର ସ୍ପଷ୍ଟ ଛାପ । ସେ ତାର ଶିରାଳ ହାତ ଲମ୍ବାଇ ସୁଦୀପ୍କୁ ଦେଖାଇଦେଲା ଦିଗ୍ବଳୟ ଯାଏ ବିସ୍ତାରିତ ଚିରୁଳା ଚିରୁଳା ଫାଟିଯାଇଥିବା ବିଲକୁ । ଲୋକଟିର କୋହମିଶା ଦୀର୍ଘଶ୍ୱାସରୁ ସୁଦୀପ୍ ଅନୁମାନ କଲା ହୁଏତ ସେ ଯେକୌଣସି ମୁହୂର୍ତ୍ତରେ କାନ୍ଦିପକାଇବ ।

 

ବଙ୍ଗଳାର ଉନ୍ମୁକ୍ତ ଗେଟ୍ରେ ଜିପ୍ ପ୍ରବେଶ କଲାବେଳକୁ ସୁଦୀପ୍ର ମନ ଗୁଡ଼ାଏ ଅସଂଲଗ୍ନ ଚିନ୍ତାରେ ଭାରାକ୍ରାନ୍ତ ହୋଇ ପଡ଼ିଥିଲା । ଟିପୟରେ ମଧ୍ୟାହ୍ନ ଭୋଜନ ସଜାଇ ରଖିବାବେଳେକୁ ଚୌକିଦାରର ସ୍ତ୍ରୀକୁ ସୁଦୀପ କଣେଇ ଚାହିଁଲା । ବିନା ଅନ୍ତର୍ବାସରେ ପରିହିତ ପାତଳ ଶାଢ଼ିର ଆବରଣ ଦେଇ ତାର ଅବୟବ ବେଶ୍ ଆକର୍ଷଣୀୟ ଦିଶୁଥାଏ । ଶସ୍ତା ତେଲର ଆଘ୍ରାଣ, ଅଦ୍‍ଭୁତ କେଶ ପ୍ରସାଧନ ଓ ନୂଆ ରିବନର ପରିପାଟୀ ଏବଂ ତାର ମୁହଁରେ ଲାଗିରହିଥିବା ହସରେ ସୁଦୀପ୍ ଆମୋଦିତ ହୋଇପଡ଼ିଥିଲା । କୌଣସି ଭାବପ୍ରବଣତାକୁ ପ୍ରଶ୍ରୟ ନଦେଇ ଭୋଜନ ଶେଷକରି ସେ କ୍ଲାନ୍ତହୋଇ ଶେଯରେ ଗଡ଼ିଗଲା । ବାହାରୁ ଚୌକିଦାରର ସ୍ତ୍ରୀ ଓ ସଲିମ୍ର ଚାପାକଣ୍ଠର ବାର୍ତ୍ତାଳାପ ଓ ହସ ତାକୁ ଅସ୍ପଷ୍ଟ ଶୁଭୁଥାଏ ।

 

ପ୍ରାୟ ପାଞ୍ଚଟା ବେଳକୁ ସୁଦୀପ୍ ଆଖି ମଳି ମଳି ଉଠିଲା । ଖଣ୍ଡିଏ ସିଗ୍ରେଟ୍ରେ ନିଆଁ ଲଗାଇ ବାରଣ୍ଡାର ଇଜି ଚେୟାରରେ ସେ ତନ୍ଦ୍ରାଚ୍ଛନ୍ନ ଭାବରେ ବସିଥାଏ । ସେ ସଂପୂର୍ଣ୍ଣ ସଚେତନ ହେବାବେଳକୁ ଚୌକିଦାର ଗେଟ୍ ଦେଇ ବଙ୍ଗଳା ଆଡ଼କୁ ମୁହାଁଇଥାଏ । ତାର ପାଦ ଦୁଇଟି ଠିକ୍ ପଡ଼ୁନଥାଏ ଏବଂ ତାକୁ ଅନୁସରଣ କରି ଅନୁରୂପ ଅବସ୍ଥାରେ ଟଳିଟଳି ଅଚିହ୍ନା ଆଦିବାସୀ ଯୁବତୀଟିଏ ଆସୁଥାଏ । ସେମାନେ ପାଖେଇ ଆସିଲା ପରେ ସୁଦୀପ୍ ଦେଖିଲା ଚୌକିଦାର ହାତରେ ଦୁଇଟି କୁକୁଡ଼ା । ଜୀଅନ୍ତା କୁକୁଡ଼ାଟି ଛଟପଟ ହୋଇ କକ୍ କକ୍ ଶବ୍ଦ କରୁଥାଏ । ଅଥଚ ଅନ୍ୟଟି ମୃତ । ତା’ ପର ଦେଇ ଟୋପାଟୋପା ରକ୍ତ ବାରଣ୍ଡା ଉପରେ ଖସି ପଡ଼ୁଥାଏ । ଚୌକିଦାର କିଛି କହିବା ଆଗରୁ ଆଗନ୍ତୁକା ଯୁବତୀଟି ସୁଦୀପ୍ର ସାମ୍ନା–ସାମ୍ନି ନିର୍ଭୀକ ଭାବରେ ଛିଡ଼ା ହେଲା ଏବଂ ଉନ୍ମାଦିନୀ ପରି ତା’ କପାଳର ସିଂଦୁରଟୋପାକୁ ପାପୁଲିରେ ପୋଛିଦେଇ ପାଟି କରି ଉଠିଲା, “ବାବୁ, ମୋତେ ନେବୁ ପରା, ନେ... ।”

 

ସୁଦୀପ୍କୁ ଲାଗୁଥାଏ ଯେପରି ସେ କୌଣସି ସ୍ୱପ୍ନ ଦେଖୁଛି କିମ୍ବା ସେ କୌଣସି ଉଦ୍ଭଟ ନାଟକର ଗୋଟାଏ ଦୁର୍ବୋଧ୍ୟ ଦୃଶ୍ୟର ଏକମାତ୍ର ଦର୍ଶକ । ସେ ଅଗତ୍ୟା କୋଠରିକୁ ପଶିଯାଉଥିଲା ଅଥଚ ସଲିମ ପ୍ରାୟ ଦୌଡ଼ିଆସିଲା ତା ପାଖକୁ । ଥରିଲା ସ୍ୱରରେ ସେ ସୁଦୀପ୍କୁ ବୁଝାଇଦେଲା, “ବାବୁ, ଆପଣ ବଜାର ପାଇଁ ଚୋୖକିଦାରକୁ ଦେଇଥିବା ଟଙ୍କାରେ ସେ ଯେଉଁ କୁକୁଡ଼ାଟି କିଣିଥିଲା ତାହା କୁକୁଡ଼ା ଲଢ଼େଇରେ ଜିଣିଲା ଏବଂ ପରାଜିତ ଲୋକଟି ତା’ ସ୍ତ୍ରୀକୁ ହାରିଯାଇଛି ।” ସୁଦୀପ୍ ସଲିମ୍ ଉଦ୍ଦେଶ୍ୟରେ ମାତ୍ର ଗୋଟାଏ ଶବ୍ଦ ଉଚ୍ଚାରଣ କଲା, “ଯିବା ।”

 

ସୁଦୀପ୍ର ଜିପ୍ ବଙ୍ଗଳାର ଗେଟ୍ ଅତିକ୍ରମ କରୁଥିବାବେଳକୁ ଚୋୖକିଦାର, ତା’ ସ୍ତ୍ରୀ ଓ ସେଇ ଯୁବତୀଟି ନିର୍ବାକ୍ ହୋଇ ଚାହିଁ ରହିଥାନ୍ତି । ଯୁବତୀର କପାଳରେ ନେସି ହୋଇଥିବା ସିନ୍ଦୁର ଓ ସୂର୍ଯ୍ୟାସ୍ତର ରଙ୍ଗ ମଧ୍ୟରେ ସୁଦୀପ୍ କୌଣସି ପାର୍ଥକ୍ୟ ଦେଖିପାରୁ ନଥିଲା ।

 

ଭିନ୍ନ ସ୍ଥାନ, ଭିନ୍ନ ମଣିଷ ।

Image

 

ଶ୍ରୀ ଗୌର ପଟ୍ଟନାୟକ

 

ରଙ୍ଗ ଯନ୍ତ୍ରଣା

 

କାନ୍ଥଘଣ୍ଟାରେ ଏଗାରଟା ବାଜିଲା । ଅନ୍ୟମନସ୍କ ଭାବରେ ଡିଟେକ୍ଟିଭ୍ ବହି ଉପରୁ ମୁହଁ ଉଠେଇ ଛନ୍ଦା ଘଣ୍ଟାକୁ ଚାହିଁଲା । ମନେହେଉଛି ତା ଛାତିର ସ୍ପନ୍ଦନ ସହିତ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଯେମିତି ପ୍ରତିଯୋଗିତା କରିବାକୁ ଆରମ୍ଭ କରିଦେଇଛି । ଘଣ୍ଟାର ଶବ୍ଦ ଯେତିକି ବଢ଼ି ବଢ଼ି ଯାଉଛି ତା’ ହୃଦୟର ସ୍ପନ୍ଦନ ସେତିକି ବଢ଼ି ବଢ଼ି ଯାଉଛି । ତା’ର ଦୁର୍ବଳ ଛାତି ଥରେଇ ବାହାରି ଆସିଲା ଗୋଟାଏ ଲମ୍ବା ଦୀର୍ଘଶ୍ୱାସ । କେତେ ଅସହାୟତା ଭରିରହିଛି ସେ ନିଃଶ୍ୱାସରେ ! କିନ୍ତୁ କାହିଁକି ? କାହିଁକି ଛନ୍ଦାର ଜୀବନ ଆଜି ଛନ୍ଦହୀନ, ଅବୋଧ୍ୟ ? ତା’ର ଭବିଷ୍ୟତ ଆଜି ଅନ୍ଧକାରମୟ । ସେଇ ଅନ୍ଧାର ଭିତରେ ସେ ହଜିଯାଉଛି । ଭୟର ଶିକାର ହୋଇ ପଳାୟନ କରିବାର ବାଟ ଖୋଜୁଛି; କିନ୍ତୁ ମୁକ୍ତି କାହିଁ ? ଏ ବ୍ୟାଧିଗ୍ରସ୍ତ ସମାଜଠାରୁ ଯେତିକି ଯେତିକି ଦୁରେଇଯିବାକୁ ସେ ଚାହୁଁଛି ସେତିକି ସେତିକି ଛନ୍ଦି ହୋଇଯାଉଛି ।

 

କୁଆଡ଼େ ଗଲା ଯୌବନର ସେଇ ରଙ୍ଗିନ ଦିନଗୁଡ଼ାକ ? କୁମାରୀ ଜୀବନର ବର୍ଣ୍ଣିଳ ରୋମାଞ୍ଚକର ଅନୁଭୂତିଗୁଡ଼ିକ ସ୍ୱପ୍ନପରି ହଜିଯାଇଛି । ସ୍ମୃତିର ଶାମୁକାରେ ଖାଲି ଯନ୍ତ୍ରଣାର ଭିଡ଼ ।

 

ସତର ବର୍ଷର କୁମାରୀ ଝିଅଟିଏ । ଏଇ ସଦ୍ୟ ଫ୍ରକ୍ ଛାଡ଼ି ଶାଢ଼ି ପିନ୍ଧିଛି । ନାଚି ନାଚି ହସିଖେଳି ବଡ଼ ହୋଇଛି । କେତେ ଟୋକାଙ୍କ ଆଖି ଅଟକି ନ ଯାଇଛି ! କୁଆଁରୀ ବୟସରେ ‘ସ୍ୱାମୀ’ ଶବ୍ଦଟା ତା ପାଁଇ ଥିଲା ଗୋଟାଏ ‘ଗମ୍ଭୀର’ ଶବ୍ଦ । କିନ୍ତୁ ମନ ତରଳିଗଲା, ସେ ନିଜ ପାଖରେ ଆବିଷ୍କାର କଲା ଜଣେ ପରପୁରୁଷକୁ । ସେଇ ପରପୁରୁଷ ପୁଣି ହେଲା ନିଜର ଏବଂ ସେଇ ଗମ୍ଭୀର ଶଦ୍ଦର ପ୍ରତୀକ ।

 

କେତେ ଆଶା କେତେ ସ୍ଵପ୍ନ ନେଇ ସେ ପାଦ ବଢ଼େଇଥିଲା ଆଗକୁ ଆଗକୁ ।

 

କିନ୍ତୁ...

 

ରମେଶ ଆଇ. ଏ. ଏସ୍. ପାଇଛି । ବଡ଼ ଚାକିରି ପାଇଛି । ସୁନ୍ଦର ଚେହେରା ପାଇଛି । ସଂଭ୍ରାନ୍ତ ପରିବାର, ସୁନ୍ଦର କୋଠା, ପ୍ରଚୁର ବ୍ୟାଙ୍କ ବାଲାନ୍ସ୍, ଚାକର ପୂଝାରୀ ଗଣ୍ଡା ଗଣ୍ଡା, ଅଭାବ କ’ଣ ? ଘରେ ଏୟାର୍ କଣ୍ଡିସନ୍ ଖଞ୍ଜା ହୋଇଛି, ଫ୍ରିଜ୍, ଦାମିକା, ସୋଫା ସେଟ୍, ରେକଡ଼ ପ୍ଳେୟର ସବୁ ଅଛି । ତଥାପି କିଛି ଗୋଟାଏ ଯେମିତି ଅଭାବ ରହିଯାଉଛି । ସବୁ ଥାଇ ବି କିଛି ନଥିଲା ପରି ମନେ ହେଉଛି । ଛନ୍ଦା ପାଇଁ ଏତେ ବଡ଼ କୋଳାହଳ ବେସୁରା ବେତାଳିଆ ଲାଗୁଛି । ଏତେ ଧନସମ୍ପଦ ଭିତରେ ସେ ପୋତିହୋଇପଡ଼ୁଛି, ତା’ର ନିଃଶ୍ଵାସ ରୁନ୍ଧ–ହେଇଯାଉଛି । ତା’ର ପ୍ରାଣ ଯନ୍ତ୍ରଣାରେ ଛଟପଟ ହେବାରେ ଲାଗୁଛି । କିଏ ବୁଝିବ ତା’ର ଦୁଃଖ ? କ’ଣ ବା ତା’ର ଦୁଃଖ ? ସେ ନିଜେ ବି ଜାଣେନା କ’ଣ ପାଇଁ ସେ କଷ୍ଟ ପାଉଛି ! ଏଇ କ’ଣ ଜୀବନ ?

 

ସେ ଦୁଃଖର ଶେଷ କେଉଁଠି ? ଶେଷ ଅଛି ତ ? ସେ ଦୁଃଖର ଶେଷ କ’ଣ ଦୁଃଖରେ-? ଦୁଃଖ ଆଉ ଦୁଃଖ । ଦୁଃଖ ଛଡ଼ା ଆଉ କିଛି ନାହିଁ ତା’ ଜୀବନରେ । ଜୀବନର ଅନ୍ୟ ନାମ ତା’ ହେଲେ କ’ଣ ଦୁଃଖ ? ଏ ଯୁକ୍ତିର ମୂଲ୍ୟ ଥାଇ ନ ପାରେ; କିନ୍ତୁ ତା ପାଇଁ ଦୁଃଖ ହିଁ ସତ୍ୟ-

 

ଅଭିଧାନରେ ‘ଶାନ୍ତି’ ବୋଲି ଗୋଟାଏ ଶବ୍ଦ ଅଛି । ଛନ୍ଦା ଜୀବନରେ କିନ୍ତୁ ଶାନ୍ତିର ମୂଲ୍ୟ କିଛି ନାହିଁ । ଶାନ୍ତି କ’ଣ ? କାହିଁ ସେ ଶାନ୍ତି ? ଶାନ୍ତି ତା’ ପାଇଁ ଡିମିରିର ଫୁଲ !

 

କାନ୍ଥଘଣ୍ଟାର ଘଣ୍ଟାକଣ୍ଟା ଓ ମିନିଟକଣ୍ଟା କ୍ଷିପ୍ରଗତିରେ ଦୌଡ଼ୁଛନ୍ତି । ଘଣ୍ଟାରେ ବାରଟା ବାଜିଲା, ତଥାପି ରମେଶବାବୁ କ୍ଲବରୁ ଫେରିନାହାନ୍ତି । ଫେରିପାରନ୍ତି, ଆଜି ଫେରି ବି ନ ପାରନ୍ତି । କୌଣସି ଧରାବନ୍ଧା ନିୟମ ନାହିଁ ତାଙ୍କର । କ୍ଳବ୍ ଭଲ ତ ସେ ଭଲ । ସେ କହନ୍ତି, କ୍ଲବକୁ ଯିବା ଟା ମୋର ଏକମାତ୍ର ହବି ।

 

ପୋର୍ଟିକୋରେ କାର୍ ଅଟକିବାର ଶବ୍ଦ । ଗାଡ଼ିଦରଜା ଖୋଲା, ପୁଣି ବନ୍ଦ ହେଲା । ତା ପର ଘଟଣା ନିହାତି ସ୍ଵାଭାବିକ ସବୁଦିନ ଭଳି । ଦୁଇଟି ଅସଂଯତ ପାଦର ସିଡ଼ିରେ ଚଢ଼ିବାର ଆପ୍ରାଣ ଚେଷ୍ଟା ଅସଂଯତ ସଂଳାପର ପୁନରାବୃତ୍ତି ।

 

ମଝିରେ ମଝିରେ କୌଣସି ଏକ ଶସ୍ତା ସିନେମା ଗୀତର ବେସୁରା ଗୁଞ୍ଜରଣ ।

 

ଛନ୍ଦା ହସିଲା । ମନଖୋଲା ହସ । ସେ ହସରେ ଭରି ରହିଥିଲା କେତେ ବ୍ୟଥା ଓ ବେଦନା । ସବୁ ଯେମିତି ଅବୋଧ୍ୟ,ଖାପଛଡ଼ା । ମଣିଷ ଜୀବନଠାରୁ ସେ ଯେମିତି ଦୂରକୁ ଦୂରକୁ ଚାଲିଯାଉଛି, ହଜି ଯାଉଛି । ନିଜ ଭିତରେ ନିଜକୁ ହଜାଇ ପୁଣି ଖୋଜିହେଉଛି । ଜାଣି ଜାଣି ନିଜକୁ ହଜାଇ ପୁଣି ଖୋଜିବାରେ ଆନନ୍ଦ ଅଛି । ସେଥିପାଇଁ ଆମେସମସ୍ତେ ଜୀବନ–ନାଟକରେ ଜଣେ ଜଣେ ପୋଖତ ଅଭିନେତା ଅଭିନେତ୍ରୀ ଭଳି ଯେ ଯାହାର ଭୂମିକାରେ ଅଭିନୟ କରିବାରେ ବ୍ୟସ୍ତ-। କିଏ ହାରିଯାଇଛି ତ କିଏ ସଫଳ ଅଭିନୟ କରିପାରିଛି । ଏ ଅଭିନୟରେ ଅବଶ୍ୟ ମଧୁର ଯନ୍ତ୍ରଣା ଅଛି । କିନ୍ତୁ ଆମେ ସମସ୍ତେ ନିଜକୁ ତା’ରି ଭିତରେ ହଜେଇ ପୁଣି ଖୋଜୁଛୁ,ପାଉଛୁ; ପୁଣି ହଜେଇ ପୁଣି ଖୋଜୁଛୁ । ସେଥିପାଇଁ ମୁଁ ପାଗଳ,ତୁମେ ପାଗଳ, ଆମେ ସମସ୍ତେ ପାଗଳ ।

ସେଥିପାଇଁ ରମେଶଚନ୍ଦ୍ର ଦାସ କ୍ଲବ୍କୁ ଯାଆନ୍ତି,ବିଦେଶୀ ପାନୀୟ ପିୟନ୍ତି, ମାତାଲ ହୁଅନ୍ତି ଏବଂ...

ସମାଜରେ ତାଙ୍କର ପ୍ରତିଷ୍ଠା ଲୋଡ଼ା; ଚାରି ଜଣରେ ଜଣେ ହେବାକୁ ପଡ଼ିବ, ଅନ୍ୟ ଅଫିସ୍‍ରଙ୍କ ସହିତ ତାଳ ଦେଇ ଚାଲିବାକୁ ପଡ଼ିବ । ନହେଲେ ସେ ପଛରେ ପଡ଼ିଯିବେ । ବନ୍ଧୁମାନେ କ’ଣ କହିବେ ? କହିବେ, ମାଇଚିଆଟା, ଟଙ୍କାକୁ ଡରୁଛି, ଘରମୁହାଁଟା...ଇତ୍ୟାଦି ଇତ୍ୟାଦି କେତେ ବିଶେଷଣ ଲୋଡ଼ା ପଡ଼ିବ ।

ଏଇଥିପାଇଁ ଲୋଡ଼ା କୋଠା, ଗାଡ଼ି, କ୍ଲବ୍, ମଦ, ଟଙ୍କା...ଏଇ ତ ଆଭିଜାତ୍ୟର ଚିହ୍ନ !

ରମେଶ କୌଣସି ପ୍ରକାରେ ବେଡ୍ରୁମ୍କୁ ଆସି ଶେଯ ଉପରେ ଲମ୍ବ ହୋଇ ପଡ଼ିଗଲେ । କଣ୍ଠସ୍ଵର କ୍ଷୀଣରୁ କ୍ଷୀଣତର ହୋଇ ଆସୁଥିଲା । ଅଧାଖୋଲା ‘ଟାଇ’ଟା ସାପଭଳି ବେକରେ ଗୁଡ଼େଇ ହୋଇ ତଳକୁ ଝୁଲିପଡ଼ିଛି । କୋଟ୍ର ଭିତର ପକେଟରେ ପୁଳାଏ ନୋଟ–ଅନୂଢ଼ା କୁମାରୀଟିଏ ପାଶବିକ ଅତ୍ୟାଚାରରେ ଧର୍ଷିତା ହେଲାପରେ ମଉଳି ଗଲାପରି ଦିଶୁଛି । ବିଦେଶୀ ମଦର ଗନ୍ଧ ଦେଶୀ ଦାମିକା ଧୂପକାଠିର ସମସ୍ତ ଶକ୍ତିକୁ ମଳିନ କରି ପରିବେଶକୁ ଭାବଗମ୍ଭୀର କରି ତୋଳୁଛି ।

ଏଇ ପୁରୁଷଟି ସହିତ ଛନ୍ଦା ଆଜିକୁ ସାତବର୍ଷ ତଳେ ଛନ୍ଦି ହୋଇଥିଲା । ବାପା କେତେ ଖୋଜି ଖୋଜି ଶେଷରେ ରମେଶକୁ ତାର ଲାଇଫ୍ ପାଟନର୍ କରି ବାଛିଥିଲେ । ରମେଶ ସେତେବେଳେ ଆଇ. ଏ. ଏସ୍. ପାଇଥିଲେ ବୋଲି ବାପା ମଧ୍ୟ ବିବାହବେଳେ ନଗଦ ଲକ୍ଷେ ଟଙ୍କା ଯୌତୁକ ଦେବାକୁ ରାଜି ହୋଇଥିଲେ ।

ରମେଶବାବୁ ବୋଧେ ଶୋଇପଡ଼ିଲେଣି । ରମେଶ ମଦ ପିଇ ମାତାଲ; କିନ୍ତୁ ଛନ୍ଦା ମଦ ନ ପିଇ ମାତାଲ । ଛନ୍ଦାର ସଂଯମର ସମସ୍ତ ଅବରୁଦ୍ଧ ଦ୍ଵାର ଖୋଲି ହୋଇଯାଇଛି । ଅନ୍ୟମନସ୍କ ଭାବରେ ତା ଭିତରୁ ବାହାରିପଡ଼ିଛି, ପ୍ରଭୁ...କେତେ ଆଉ ପରଖିବ... ? କଟକରେ ସାତବର୍ଷ ରହି ଯିଏ ଚଣ୍ଡିମନ୍ଦିର ଦ୍ୱାର ମାଡ଼ିନାହିଁ ତା ପାଖରେ ଏ ବିରୋଧାଭାଷା ! ଛନ୍ଦା ମୂର୍ତ୍ତିପୂଜାକୁ ଅନ୍ଧବିଶ୍ୱାସ କହି ଥଟ୍ଟା କରିଛି । କିନ୍ତୁ ଏ କ’ଣ ? ଛନ୍ଦା ନିଜକୁ ବି ପରଖି ପାରୁନାହିଁ । ସେ କ୍ରମେ ଦୁର୍ବଳ ହୋଇପଡ଼ୁଛି । ବିପଦରେ ପଡ଼ିଲେ ମଣିଷ ଭଗବାନଙ୍କୁ ଡାକେ ? ନରମାୟା ନାରାୟଣଙ୍କୁ ମଧ୍ୟ ଅଗୋଚର ।

ରମେଶଙ୍କର ଘୁଙ୍ଗୁଡ଼ି ଶୁଣାଗଲାଣି । ଗୋଡ଼ର ଜୋତା ଖୋଲାହୋଇନି । ଡ୍ରେସ୍ ଖୋଲାହୋଇନି । ଖୋଲିବାକୁ ହେବ । ଗରମ ଦିନ । ଫୁଲ ସ୍ପୀଡ଼୍ରେ ପଙ୍ଖା ବୁଲେଇଲେ ବି ଗରମ ।

ରମେଶଙ୍କ ଘୁଙ୍ଗୁଡ଼ି ଶବ୍ଦ ବଢ଼ିବାରେ ଲାଗିଛି । ଘଣ୍ଟାର ଶବ୍ଦଟା ଆହୁରି ଆହୁରି ବଢ଼ିବାରେ ଲାଗିଛି । ଛନ୍ଦାକୁ ବେଶି ବେଶି ଗରମ ଲାଗୁଛି ।

ଛନ୍ଦା ଚଟି ଘୋଷାଡ଼ି ଘୋଷାଡ଼ି ଆସି ଝରକା ପାଖରେ ପହଞ୍ଚିଲା, ପରଦାଟାକୁ ବାଁ ହାତରେ ଠେଲି ବାହାରକୁ ଅନେଇଲା । କେତେ ତାରା ଏ ରାତିରେ ! ସପ୍ତମୀ ଜହ୍ନଟା କୁଜିବୁଢ଼ୀ ଭଳି ବଙ୍କେଇଯାଇଛି । ଅନ୍ଧାର କ୍ରମଶଃ ବହଳ ହେଉଛି ।

ବିଜୁଳି ଆଲୁଅରେ ଅସ୍ପଷ୍ଟ ଦେଖାଯାଉଛି ଡ୍ରାଇଭର ଲକ୍ଷ୍ମଣ ମୁଣ୍ଡାର ଝାଟିମାଟିର ଘର । ମଝିରେ ମଝିରେ ଚାଳ ଉଡ଼ିଯାଇ ଦାନ୍ତ ନିକିଟି ଖତେଇ ହେଲାଭଳି ଦିଶୁଛି । ଝରକାବାଟେ ଡିବିରି ଆଲୁଅର କ୍ଷୀଣ ରେଖାଟିଏ ସ୍ପଷ୍ଟ ବାରିହୋଇପଡ଼ୁଛି । ଭିତରୁ ଲକ୍ଷ୍ମଣ ମୁଣ୍ଡା ଆଉ ତା’ ସ୍ତ୍ରୀର ଖିଲିଖିଲି ହସ ଭାସି ଆସୁଛି । ଆଃ... ସେ ହସଗୁଡ଼ାକ ଯେମିତି କଣ୍ଟାଭଳି ଫୋଡ଼ିହୋଇଯାଉଛି ତା’ ଦେହରେ । ଧଡ଼୍ଧାଡ଼୍ କରି ଝରକା କବାଟଟାକୁ ବନ୍ଦ କରିଦେଲା ଛନ୍ଦା ।

 

ସବୁଦିନ ଭଳି ସକାଳ ହୋଇଛି । ରମେଶଙ୍କର ନିଦ ଭାଙ୍ଗିନି । ଛନ୍ଦା ନିତ୍ୟକର୍ମ ସାରି ଗାଡ଼ିପାଖକୁ ଆସିଲା । ଚକ ଗଡ଼ିଲା । ଦଶ, କୋଡ଼ିଏ, ତିରିଶି, ଚାଳିଶି, ପଚାଶ, ଷାଠିଏ, ସତୁରୀ...

 

ଛନ୍ଦାର ଆଦେଶରେ ଗାଡ଼ି ଅଟକିଲା ଗୋଟାଏ ବିଦେଶୀ ମଦ ଦୋକାନ ସାମନାରେ । ପୁଣି ଆଦେଶ, “ଲକ୍ଷ୍ମଣ ! ଗୋଟାଏ ବୋତଲ ଆଣିବ ।”

 

ବାବୁଙ୍କର ସବୁଠୁ ପ୍ରିୟ ରମ୍ । ଏକଥା ଲକ୍ଷ୍ମଣ ଜଣେ । ତେଣୁ ଲକ୍ଷ୍ମଣ ମା’ଙ୍କୁ ଆଉ କିଛି ନ ପଚାରି ଦୋକାନଭିତରକୁ ପଶିଗଲା । କାଗଜରେ ଗୁଡ଼େଇ ବୋତଲଟି ନେଇ ଫେରିଲା । ସେଇ ଗାଡ଼ି ଭିତରେ ଛନ୍ଦା କାଗଜ ଖୋଲି ରମ୍ ବୋତଲରୁ ଢକ୍ଢ଼କ୍ ପିଇଗଲା । ଲକ୍ଷ୍ମଣ ନିଜ ଆଖିକୁ ବି ବିଶ୍ଵାସ କରିପାରିଲାନି । ଏ କ’ଣ ଦେଖୁଛି ସେ ?

 

“କେତେ ପେଟ୍ରୋଲ ଅଛି ଗାଡ଼ିରେ ?”

 

“ବହୁତ ଅଛି ମା”–ଲକ୍ଷ୍ମଣ ମୁଣ୍ଡ ପୋତି ଭୂମି ଉପରେ ଗାର ଟାଣି ଟାଣି ଉତ୍ତର ଦେଲା-

 

“ସିଧା ଚାଲ ।”

 

“କୁଆଡ଼େ ମା ?”

 

ଚଢ଼ାଗଳାରେ ଛନ୍ଦା ଆଦେଶ ଦେଲା, “ଚାଲ ଯୁଆଡ଼େ ଯେତେ ଦୂର ଯାଉଛି !” ଲକ୍ଷ୍ମଣର ବଡ଼ ବଡ଼ ଆଖି ଯୋଡ଼ିକ ଖୋସିହୋଇଗଲା । ସେ ଅସହାୟ ଦୃଷ୍ଟିରେ ଥରେ ଏପଟ ସେପଟ ଚାହିଁଲା । ବାଁ ହାତଟା ମୁହଁରେ ବୁଲେଇ ନେଇ ଝାଳ ପୋଛି ନେଲା ଏବଂ ଷ୍ଟିଅରିଂରେ ହାତ ରଖି ଗାଡ଼ିରେ ଷ୍ଟାର୍ଟ ଦେଲା । ଗାଡ଼ି ଚାଲିଲା ଗଛ, ଲଟା, ବିଲ, ଘରକୁ ପଛରେ ପକେଇ ।

 

ଲକ୍ଷ୍ମଣ ସାର୍ଟର ବେକ ପାଖରେ ମେଞ୍ଚେ ମଇଳା । କେମିତି ଗୋଟଏ ବିଚିକିଟିଆ ଝାଳଗନ୍ଧ ବାହାରୁଛି ସେଥିରୁ ।

 

ଛନ୍ଦା ହସିଲା ।

 

“ଆଚ୍ଛା ଲକ୍ଷ୍ମଣ”, ଛନ୍ଦା ଥଙ୍ଗେଇ ଥଙ୍ଗେଇ ପଚାରିଲା, “କାଲି ଅଧରତିରେ ତମେ ଆଉ ତମ ସ୍ତ୍ରୀ ଭାରି ଜୋରରେ ହସୁଥିଲ ଯେ ! କଥା କ’ଣ ?”

 

ଲକ୍ଷ୍ମଣ ଆଦୌ ପ୍ରସ୍ତୁତ ନ ଥିଲା ଏ ପ୍ରଶ୍ନର ଉତ୍ତର ଦେବାକୁ ହେବ ବୋଲି । ଟିକିଏ ଲାଜେଇଯାଇ କହିଲା, “କିଛି ନାଇଁ ମା, ଏଇ...ଏମିତି...”

 

“ନା, ନା, ନିଶ୍ଚୟ କିଛି ଅଛି, ମତେ କହିବନି ? ହଉ ।” ଛନ୍ଦା ମୁହଁରେ ଅଭିମାନ ।

 

“ମା’ ! କଥା କ’ଣ କି...ମୋର ତ ଚାରିଟା ଛୁଆ ହେଲେଣି । ଆଜିକାଲି ମହର୍ଗ ଯୁଗରେ ଏତେ ବଡ଼ କୁଟୁମ୍ବ ପୋଷିବା କଷ୍ଟ ହେଉଛି, ସେଇଥିପାଇଁ ମୁଁ ତାକୁ କହିଲି ଅପରେସନ କରିଦେବାକୁ । ସିଏ ତ ମହାମୂର୍ଖ, ତାକୁ ବୁଝେଇ ବୁଝେଇ ମୁଁ ହାଲିଆ ।”

 

ଛନ୍ଦା ରାଗିଉଠି ପାଟି କରି କହିଲା, “ଆରେ ଲକ୍ଷ୍ମଣ, ତମେ କ’ଣ ଗାଡ଼ିଟା ଆମ କୋଠି ଆଡ଼େ ନେଇ ଯାଉଛ ? ତମକୁ ପରା କହିଲି ସେ ପଟକୁ ନବା ପାଇଁ ?”

 

“ମା, ମୁଁ ଆପଣଙ୍କ ନିମକ ଖାଉଛି । ମତେ ଗାଳିଦିଅନ୍ତୁ ପଛେ ମୁଁ ଆପଣଙ୍କୁ ଏ ଅବସ୍ଥାରେ କୁଆଡ଼େ ନେଇ ପାରିବିନି । ଚାଲନ୍ତୁ, ଘରକୁ ଫେରିଚାଲନ୍ତୁ ।”

 

ଗାଡ଼ି ପୋର୍ଟିକୋ ତଳେ ଅଟକିଲା । ଲକ୍ଷ୍ମଣ ଗାଡ଼ିର ଡୋର୍ ଖୋଲି ଧରି ଅପେକ୍ଷା କଲା । “ଏ କ’ଣ ମା ? ଆପଣଙ୍କ ଆଖିରେ ଲୁହ ?” ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇଗଲା । ସେ ପ୍ରଥମ କରି ଦେଖିଲା ଛନ୍ଦା ଆଖିରେ ଲୁହ । ବଡ଼ଲୋକମାନେ ମଧ୍ୟ କାନ୍ଦନ୍ତି ! ସେ ତା ଛୋଟ ବୁଦ୍ଧିରେ କିଛି ବୁଝିପାରୁ ନଥିଲା ।

 

ଛନ୍ଦା କୌଣସି ଉତ୍ତର ନ ଦେଇ ଉପରମହଲାକୁ ଉଠିଲା ।

 

ତଳେ ଥାଇ ଲକ୍ଷ୍ମଣ ଉପର ମହଲାଆଡ଼େ ଖାଲି ଶୁଷ୍କଦୃଷ୍ଟିରେ ଅନେଇ ରହିଲା । ଉପରୁ ମା’ଙ୍କ ପାଟି ଶୁଭୁଥିଲା–ଦେଖ ଦେଖ ଡାର୍ଲିଂ, ମୁଁ ଆଜି ତୁମ ସହିତ ପାଦ ମିଳେଇ ନାଚିପାରୁଛି କି ନା, ଦେଖ ଡାର୍ଲିଂ, ବିବାହର ଦ୍ଵିତୀୟ ବର୍ଷ ତମେ ମୋର ଗର୍ଭ ନଷ୍ଟକରି ସେ ଦୁଃଖକୁ ଭୁଲିଯିବା ପାଇଁ ପରାମର୍ଶ ଦେଇଥିଲ; ଆଜି ପରୀକ୍ଷା କରି ଦେଖ ମୁଁ ସେ କଥା ଭୁଲି ପାରିଛି କି ନା ? ଦେଖ, ନିଃସନ୍ତାନ ହୋଇ ବି ମୁଁ ଆଜି ହସିପାରୁଛି କି ନା ଦେଖ ଡାର୍ଲିଂ, ମୁଁ ତୁମ ସହିତ ପାଦ ମିଳେଇ ଚାଲିପାରୁଛି କି ନା...

 

ତା’ପରେ ଖାଲି ହସ, ହସ ଆଉ ହସ । ସେ ହସର ଯେମିତି ଆଉ ଶେଷ ନାହିଁ ।

 

ପ୍ରାଥମିକ ଶ୍ରେଣୀର ବୋକା ଛାତ୍ରଟିଏ ପରି ଲକ୍ଷ୍ମଣ କିଛି ବୁଝି ନ ପାରି ହାଁ–କରି ଉପରକୁ ଅନେଇ ରହିଥିଲା ।

Image

 

ଶ୍ରୀ ଦାଶ ବେନହୁର

ନିଛାଟିଆ ମାଟି

 

ବହଳ ରାତି । ବାହାରେ ଜହ୍ନ ବରଷୁଚି । ଗୁମୁଟି ଚାଳଘର । ଜହ୍ନ ଆଲୁଅକୁ କୋଳକରିବାପାଇଁ ଘରଟାରେ ଝରକାଟିଏ ବି ନାହିଁ; ହତା ବଢ଼ାଇ ଧରିନିଅନ୍ତା ବା କେମିତି ? ନିବୁଜ ଗୁମୁଟି ଚାଳଘର । ଘରଭିତରେ ଘରେ ଅନ୍ଧାର ।

 

ସେଇ ଅନ୍ଧାର ଭିତରେ ବହକି ଆସୁଚି ଗୋଟାଏ ଉଝୁନ୍ତରା ମନ । ବିମୂର୍ଚ୍ଛିଆ ମାଇପି ମନଟିଏ । ଅନ୍ଧାରରେ ଖାଲି ଘୂରିବୁଲୁଚି, ଅଳନ୍ଧୁ ମେଞ୍ଚାପରି । ଥଳକୂଳ ନାହିଁ । ହେଇଟି ହେଇ ଯେମିତି ତା’ର ରାହା ସରି ସରି ଯାଉଚି; କିନ୍ତୁ ସେ ରାହା ସରିବାର ନୁହେଁ, ଛିଣ୍ଡିବାର ନୁହେଁ । ଡହଳ ବିକଳ ହେଇ ସେ ରାହାଧରି ଭାବିବାରେ ଲାଗିଚି । ମା’ ମନର ସବୁଯାକ କୋକନ୍ଦିଭାବକୁ ଦେହରେ ସିଝେଇ ସିଝେଇ ସେ ଅପେକ୍ଷା କରିଚି ସେଇ ଦିନକୁ । ଯେଉଁଦିନ ପୁଣିଥରେ ତା’ କୋଳରେ ହାଲୋଳ ଉଠିବ । ତା’ ଦେହ ଭୁଷୁଡ଼େଇ ଛିଟିକି ଆସିବ ଜୀଅନ୍ତା ମାଉଁସ ଫଡ଼ାଏ । ପିଲାଟିଏ । ମାଆଳିଆ ପତାକାଟିଏ । କୁଆଁ କୁଆଁ ରାବରେ ଗବ ଗବ କରି ତା’ କୋଳର ଖାଲିମାଠିଆରେ ଅଜାଡ଼ିଦେବ, ସେଇ ମଧୁରିଆ ମା’ ପଣିଆଁ ଟିକକ ।

 

ଗୁରେଇ ଶୋଇଚି । ଅନ୍ଧାରରେ ଆଖିକୁ ମେଲାକରି । ନିହିଡ଼ିକରି ଚାହିଁଚି ସେ ଅନ୍ଧାରର ଦର୍ପଣକୁ । ସେଥିରେ ସେ ଖୋଜିବୁଲୁଚି, ନିଜ ଦେହର ଏକ ପାଲଟାଟିକ ଜୀବନକୁ । ପାଖରେ ତା’ର ବିଶିଆ ଶୋଇଚି । ତା’ ଗେରସ୍ତ । ବିଶିଆ ଝାଳର ବରଷାରେ ଓଦା ହୋଇଗଲାବେଳେ, ଗୁରେଇ ପ୍ରତିଥର, ନିଜ ଦେହରେ ଗଛ ଉଠିବାର ଭାବନାଟିଏ ଗୋଟେଇ ନିଏ । କଲିଜା ପାଖରେ ଝୁଲେଇ ରଖେ । ଥନମୂଳ ତାର ସିରି ସିରି ଉଠେ । କଅଁଳ ଟୁକୁ ଟୁକୁ ଦୁଇଟି ଓଠ, ତାକୁ କଥା ଦିଅନ୍ତି, ମୁଁ ଆସିବି ଲୋ ମୁଁ ଆସିବି ।

 

ଏଇମିତି କଥା, ଢେର ଢେର ରାତିରେ ଗୁରେଇର ମନବାଲିରେ ଚିହ୍ନଟିଏ କରିଦେଇ, ପୁଣି ଲିଭିଯାଏ; କିନ୍ତୁ ଗୁରେଇର ରାହା ସରୁନି । ସେ ପୁଣି ରାହାଧରି ଭାବନାର ଦଉଡ଼ ଲଗେଇଚି-

 

ବିଶିଆ ଖଟି ଖଟି ବିଲରୁ ଆସିଥିଲା । କେତେବେଳୁ ଚଟେଇ ଉପରେ ନିହାଲ ହୋଇ ଶୋଇପଡ଼ିଲାଣି । ତା’ ନାକର ସଅଁ ସଅଁ ଗରମ ପବନରେ ଗୁରେଇର ଲଙ୍ଗଳା ଦେହକୁ ଓଳେଇ ପକେଇ ସେ କିଛି ସମୟତଳେ ଜାବୁଡ଼ି ଧରିଥିଲା । ଏବେ ଗରମ ଝାଡ଼ି ପେଟରେ ପେଟେ ନିଦ ପୁରେଇ ସେ ହଜମ କରୁଚି, ନିଦ ସରିଗଲେ ପୁଣି ଉଠିବ । ପୁଣି ଗରମ ଝୁଣିବ; କିନ୍ତୁ ଗୁରେଇ ଆଖିରେ ଭୋକ ନାହିଁ, କମରରେ ଗରମ ନାହିଁ କି ପେଟରେ ନିଦ ନାହିଁ । ସେ ଗୁଡ଼େଇ ତୁଡ଼େଇ ହଉଚି । ତାକୁ ଲାଗୁଛି ସତେ ଯେମିତି ତା’ ତଳିପେଟ ସିପି ସିପି ଯାଉଚି । ଚୋଚଲା ହୋଇଯିବ । ଆଉ ଫୁଲିବନି । ଆଉ ପେଟରେ ପିଢ଼ା ବୁଲିବନି । ଭାବି ଭାବି ତା’ ଆଖିରେ ଲୁହ ମାଡ଼ିଆସୁଚି । ସେ ଲୁହ, ତାର ମାଆପଣିଆକୁ ଅସରା ପରେ ଅସରାରେ ଅବା ଝିଙ୍ଗାସି ଦେଇ ଯିବ ।

 

ନିଜ ଭିତରେ ସେ କାହାକୁ ଗୋଟେ ଅଣ୍ଡାଳି ବୁଲୁଚି, ଧରି ପକେଇଲେ ଶାନ୍ତି ପାଇଯାଆନ୍ତା ।

 

ଗୁରେଇର କୋଳ ସବୁଦିନେ ପଥୁରିଆ ନଥିଲା । ଦିନେ ନିଜ କୋଳର ସାରଶୋଧ ସରସତା ଦେଖାଇ ସେ ଦୁଇ ଦୁଇଟି ପିଲାଙ୍କୁ ଉତାରି ଆଣିଥିଲା । ପୁଅଟିଏ, ଝିଅଟିଏ । ଆଦର ସିନିହରେ ନାଁ ଦେଇଥିଲା, କରୁଣା ଆଉ କଇଁ । ପିଲା ଦୁଇଟି ଥିଲେ ତାଙ୍କ ଦୁଇ ପ୍ରାଣୀଙ୍କର ଜୀବନ-। କାମରୁ ଫେରିଲେ, ବିଶିଆ ପିଲାଦୁଇଟାଙ୍କୁ ଗଳାମାଳି କରି ଲାଉକରି ବୁଲେ । ବେକ ପାଖରେ ମୁହଁ ପୂରେଇ କୁତୁ କୁତୁ କରେ । ବେଳେ ବେଳେ ଉପରକୁ ଟେକି ଫୋପାଡ଼ି ଧରି ହସାଇଦିଏ, ଗୁରେଇର କିନ୍ତୁ ହଲକ ଶୁଖିଯାଏ । କାଳେ ପଡ଼ିଯିବ ପିଲାଟା ? ହାତରୁ ଖସିଲେ ଅଣାଇତ । ଧାଇଁ ଯାଇ ସେ ବିଶିଆକୁ ବାରଣ କରେ । ବିଶିଆ କିନ୍ତୁ ଶୁଣେନା । ପିଲା ଦୁଇଟି ମଧ୍ୟ ଆଉଥରେ ଆଉଥରେ କହି ହାତଟେକି ଆଳ ଧରନ୍ତି । ଦୁଇ ବରଷ ତଫାତରେ ପିଲା ଦୁଇଟି । ତେଣୁ ଜଣକ ପାଇଁ ଗୋଟିଏ କାମ କଲେ ଆରଟି ଆଳ ଧରେ । ଗୁରେଇ ରାଗିଯାଇ ସମୟ ଅସମୟରେ ବିଧାଏ ଚାପଡ଼େ ବି ଦିଏ । ବିଶିଆ କିନ୍ତୁ ପିଲାଙ୍କ ଉପରେ ମାଡ଼ ସହିପାରେନା । ଓଲଟି ଗୁରେଇ ଉପରକୁ ହାତ ଉଞ୍ଚେଇ ଉହୁଙ୍କି ଆସେ । ଗୁରେଇ ଗାରୁ ଗାରୁ ହୋଇ ତୁନି ରହେ ।

 

ଗୁରେଇ ଯେ ପିଲାମାନଙ୍କୁ ନେଇ ରଙ୍କ ନ ହୁଏ, ଏପରି ନୁହେଁ । ଘରର ସବୁକାମ ସାରି ଛୁଆଙ୍କୁ ନେଇ ଗେଲେଇ ହେବାକୁ ତାକୁ ବେଳ କେତେବେଳେ ? ତା’ର ଗେଲ ସମୟତକ କେବଳ ତେଲ ହଳଦି ଲଗାଇଦେଲାବେଳେ ଓ ପିଲାମାନଙ୍କୁ ଖୁଆଇ ପିଆଇ ଶୁଆଇଲାବେଳେ । କୁରୁକୁରିଆ ନାନାବାୟା ଗୀତ ଗାଇ ସେ ଛୁଆଙ୍କ ଆଖିରେ ନିଦ ବୁଣିଦିଏ । ପିଲାମାନେ ତା’ର ଜୀବନ–ନାଟିକା ଗରିବ–ପସରା ।

 

ଏଇମିତି ସେଇମିତି ହେଇ ବିଶିଆ ଗୁରେଇଙ୍କର ବନ୍ଧାବନ୍ଧି ସଂସାର ସୁରୁଖୁରୁରେ ଗଡ଼ି ଚାଲିଥିଲା । ଦୁଃଖ ଯେ ନ ଥିଲା ନୁହେଁ, କିନ୍ତୁ ଦୁଃଖକୁ ଆଖିର ଅଞ୍ଜନ କରି ଦୁହେଁ ଦୁନିଆର ପରିସରକୁ ଉପଭୋଗ କରିନେଉଥିଲେ ।

 

ଧିଅସୁହା ଅଭ୍ୟାସଭଳି, ଦିନେ ବିଶିଆ କାମରୁ ଫେରି କଇଁକୁ ଖେଳଉଥିଲା । କଇଁ ଆଳ ଧରିଥାଏ, ବା...ଲୋ’ ମତେ ଟିକିଏ ଉପରକୁ ଫୋପାଡ଼େ, ମୋତେ ଟିକିଏ ଉପରକୁ ଫୋପାଡ଼େ । ବିଶିଆ ତା’କୁ ବୁଝେଇବା ପାଇଁ, ଥରଟିଏ ଉପରକୁ ଫୋପାଡ଼ି ଧରି ପକେଇଲା । କଇଁ ପୁଣି ଆଳ ଧରିଲା, ନାଇଁ ଭଉତୁ ଉପରକୁ । ନାଇଁ ନାଇଁ ଆଉଥରେ । ବିଶିଆ କହିଲା, ନାଇଁ ଆଜି ଥାଉ; କାଲି ପୁଣି ଖେଳିବା ! କିନ୍ତୁ କଇଁ ବୁଝିଲାନି । ଭୁଇଁଟାରେ ଗଡ଼ି ଗଡ଼ି କାନ୍ଦିଲା । ଅଗଣା ଦୁଲୁକେଇଲା । ବିଶିଆ ବାଧ୍ୟ ହୋଇ କଇଁକୁ ଆଣି କୋଳକଲା । ତା’ପରେ ଟିକିଏ ଅଧିକ ଉପରକୁ ଫୋପାଡ଼ି ଧରିବାକୁ ହାତ ବଢ଼େଇଲା ! କିନ୍ତୁ ଦଇବ ବିଧାନ ବିଚିତ୍ର । କଇଁର ଫ୍ରକ୍ ପବନରେ ଉଡ଼ି ବିଶିଆର ହାତରେ ଛନ୍ଦି ହୋଇଗଲା । ବିଶିଆ କଇଁର ଦେହକୁ ଧରିବା ପୂର୍ବରୁ କଇଁ ଗେଁ କିନା ଭୂଇଁରେ ପଡ଼ିଲା । ଗୁରେଇ, ମୋ ପିଲାର କ’ଣ ହେଲାଲୋ ବୋଲି କହି ହାଣ୍ଡିଶାଳରୁ ଅଗଣାକୁ ଝପଟି ଆସିଲା । ବିଶିଆର ମୁହଁ ସେତେବେଳକୁ ବିବର୍ଣ୍ଣ ! ସେ କଇଁକୁ କୋଳକୁ ଟାଣି ଆଣି ଧୂଳି ଝାଡ଼ିଦେଲା । କଇଁ କିନ୍ତୁ ଆଖିବୁଜି ଗୁଁ ଗୁଁ ହେଉଥାଏ । ଗୁରେଇ ଆଉ ନିଜକୁ ସମ୍ଭାଳି ପାରିଲାନି । ମୋ ପିଲାକୁ ମାରିଦେଲା ଲୋ କହି ସେ ଡକାପାରି କାନ୍ଦିଲା । ସାଇ ପଡ଼ିଶା ଆସି ରୁଣ୍ଡହେଲେ । ଆହା ହା ଚୁ ଚୁ କଲେ ! କିନ୍ତୁ କଇଁ ଆଖି ଆଉ ଆଲୁଅ ଚାଟି ପାରିଲାନି । ବାପା, ମା’ର ଅନିଦ୍ରା ରାତିକୁ ରଡ଼ି ବୋବାଳିରେ ଚିପୁଡ଼ି ସେ ରାତିର ଶେଷ ପହରକୁ ପୁରାପୂରି ଲିଭିଗଲା । ଡିବିରି ଆଲୁଅରେ କେବଳ ଦେଖାଦେଇଥିଲା, କଇଁ ନାକର ଦୁଇଧାର ରକତ ।

 

କେତେମାସ ଧରି ବିଶିଆ ତୁଣ୍ଡ ଖୋଲି କାହାକୁ କଥା କହିବାର କେହି ଶୁଣି ନାହାନ୍ତି । ମଲା ମୁର୍ଦ୍ଦାରଭଳି ସେ ସକାଳୁ କାମକୁ ଯାଏ । ସଞ୍ଜ ଗୁଞ୍ଜୁ ଗୁଞ୍ଜୁକୁ ଫେରେ । ଦୁହିଁଙ୍କ ଭିତରେ ହେମାଳ ବ୍ୟବଧାନ । ଗୁରେଇ ଆଉ ତା’ ଭିତରେ ନୀରବତାର ଶବ ବହୁଦିନ ଧରି ଜୀଇଁ ରହିଥିଲା-। ଜୀଇଁ ରହିଥିଲା ତା’ର ମୁର୍ଦ୍ଦାଳିଆ ଗନ୍ଧ । ବିଚରା କରୁଣାକୁ ଏସବୁ ଅଡ଼ୁଆ ଲାଗେ । ପିଲାଲୋକ-। ସେ ବି ଷଢ଼େଇ ଫାଳ, ଦିଆସିଲି ଖୋଳ ଓ ଧୂଳି ମାଟିର ଖେଳ ଭିତରେ ଅନେକ ମୂକ ହୋଇଯାଇଥିଲା ।

 

କିନ୍ତୁ ବିଶିଆ ଗୁରେଇଙ୍କ ଜୀବନରେ ଦୁଃଖ ସବୁଦିନେ ଆଖିର ମଲମ ହୋଇ ରହିଲାନାହିଁ । ଅଙ୍ଗାରଗୁଣ୍ଡ ଭଳି ସେ ଆଖି ରଗଡ଼ିଲା । ରବ ରବ କଲା । ଛାତିରେ ଶେଳ ହାବୁଡ଼େଇ, ଆଖିର ଲୁହ ହୋଇ ଖାଲି ରକତ ବୁହାଇଲା । ସବୁ ନିଗାଡ଼ି ଦେବାକୁ ଶପଥ ନେଇଥିଲା ବୋଧେ ।

 

ସେଦିନ ଉପରବେଳା ଗୁରେଇ ପଛରେ ଗୋଡ଼େଇ ଗୋଡ଼େଇ କରୁଣା ଯାଇଥିଲା ଗାଁ ସେପଟ ସାଉକାର ଘର ବିଲମୁଣ୍ଡକୁ । ସେଟା ଧାନ କଟାକଟି ସମୟ । ଏଇ ସମୟରେ ଗରିବଗୁରୁବା ଲୋକେ ବିଲମାଳ ବୁଲି ଧାନକେଣ୍ଡା ଗୋଟାନ୍ତି ।

 

ଜମି ମାଲିକକୁ ଅଧା ଦେଇ ଗୋଟେଇ ଥିବା ଧାନର ଅଧା ଘରକୁ ଆଣନ୍ତି । ଗୁରେଇ ସେଇ କେଣ୍ଡାଧାନ ଗୋଟାଉ ଥିଲା । ତା’ ପଛରେ ବୁଲି ବୁଲି କରୁଣା ବି ଧାନକେଣ୍ଡା ଗୋଟଉ ଥିଲା । ସଞ୍ଜ ଖସି ପଡ଼ୁଥାଏ । ଗୁରେଇ ଧାଇଁ ଧପଡ଼ ଧାନ ଗୋଟେଇବାରେ ଲାଗିଚି । ଏଇ ସମୟରେ କରୁଣା କିଳିକିଳା ରଡ଼ିଟାଏ ଛାଡ଼ିଲା । ଗୁରେଇ ପୁଅ ପାଖକୁ ଦଉଡ଼ିଗଲା । ସେତେବେଳକୁ ତିନି ହାତର ଲମ୍ବ ଜନ୍ତୁଟା କରୁଣାକୁ ଚୋଟ ମାରି ଚାଲିଗଲାଣି । ଗୁରେଇ, ମୋ ଧନରେ ବୋଲି ଝୁଣ୍ଟିପଡ଼ିଲା । ପୁଅକୁ ମାଟିରୁ ସାଉଁଟି ଧରିଲା । କାନ୍ଦି ବୋବେଇ ସେ କରୁଣାକୁ କାନ୍ଧରେ ପକାଇ ଘରକୁ ଧାଇଁଲା । ଘରକୁ ଆସିଲାବେଳକୁ କରୁଣାର ଅଣଚାଶ ବୋହିଲାଣି । ଦାଉକିନା ସେ ଚାଲିଗଲା । ଗୁରେଇ ଅତଡ଼ା ଖସେଇଲା ଭଳି ବାହୁନି କାନ୍ଦିଲା । ଭୂଇଁ କାମୁଡ଼ି କେତେଦିନ ପଡ଼ିରହିଲା ।

 

ପୁଣିଥରେ, ବିଶିଆ ଗୁରେଇକୁ ଅନେକ ଦିନପାଇଁ ପଥର କରି କରୁଣା ଚାଲିଗଲା ।

 

ତେର ଦିନ ଯାଏଁ ବିଶିଆ ଆଉ ଗୁରେଇଙ୍କର ପରିବାରଟି ଚୁପ୍ଚାପ୍ ହୋଇଗଲା । ଦିନରାତି ତାଙ୍କ ଘରେ ବୈରାଗ୍ୟ ଖେଳିବୁଲିଲା, ପାଣିରେ ଧଣ୍ଡଶାପ ପରି । ଗେରସ୍ତ ମାଇପି ସମ୍ପର୍କର କେରା କେରା ଫୁଲ ମାଙ୍କୁଡ଼ିଆ ଧଇଲା । ଜଉ ଲାଗିଲା ! କିନ୍ତୁ କେତେଦିନ ରହନ୍ତା ଏ ଝାଉଁଳା ମନ ? ଜୀଇଁ ରହିବାର ମୋହ ଓ ଦେହର ଗରମ ବାମ୍ଫ, ଦିନକୁ ଦିନ ତାଙ୍କ ଜୀବନର ମଶାଣିଆଁ ପାଉଁଶକୁ ଧୋଇବାରେ ଲାଗିଲା । ଆସ୍ତେ ଆସ୍ତେ ଗୁରେଇ ଓ ବିଶିଆ ସାଧାରଣ ଗାଉଁଲୀ ଜୀବନକୁ ଫେରିଆସୁଥିଲେ ।

 

ଯେତେ ଯାହା ହେଲେ ବି କୁଆଁ କୁଆଁ ରାଵକୁ ଅନିଷା କରିଥିବା ଦୁଇଟି ମନରେ ମଲା ମୂର୍ଚ୍ଛିକିଆ ନାକଚୁଣ୍ଟା ଖତୁଆ ଗନ୍ଧ, ଘରଛାଡ଼ି ପୂରାପୂରି ଚାଲିଗଲାନି ।

 

ଗୁରେଇ ଆଜିକାଲି ଘରକାମ ଓ ବିଶିଆ ପ୍ରତି ନିଘା ରଖିବା ଅପେକ୍ଷା ଧରମ କାମରେ ବେଶି ମନଦିଏ । ସକାଳୁ ଉଠି ଫୁଲ ତୋଳି ଗାଁ ମୁଣ୍ଡ ଠାକୁରାଣୀ ପାଟଚଣ୍ଡୀଙ୍କଠାରେ ଦେଇ ଆସେ-। ବେଳବୁଡ଼େ, ଅଗଣା ଚଉରାମୂଳେ ବେକରେ ଲୁଗା ଦେଇ ଢେର ସମୟ ଅଧିଆ ପଡ଼େ । ମୁଣ୍ଡ ଢୁକୁ ଢୁକୁ କରି ମାଟିରେ ଛୁଆଁଏ । ଘରଣୀପଣିଆର ଖୋଳପାରୁ ବାହାରି, ତା ଦେହ ଯେପରି ମାତା ଭାଵନାରେ ମିଶି ମିଶି ଯାଉଥିଲା । ପ୍ରତି ମଙ୍ଗଳବାର ଦିନ ଓଦା ଲୁଗା ପିନ୍ଧି, ହାତରେ ନିଆଁ ଖପରା ଧରି ଘର ଘର ବୁଲି ସେ ମଙ୍ଗଳବାର ଓଷା କରେ । ପିଲା ପାଇବାପାଇଁ ଦୁନିଆ ଯାକର ଠାକୁର ଠାକରାଣୀଙ୍କ ପାଖରେ ଦଇନି ହୁଏ । ଗୁରେଇ ବେକରେ ଗୋଟିଏ ଆମ୍ବକସିଆ ମାଳ ପିନ୍ଧିଥିଲା । ସେଇଟିକୁ ସେ ଆଡ଼େଇ ଦେଇଚି । ତା’ ବଦଳରେ ସେ ପିନ୍ଧିଛି, ଗଣ୍ଠି ଗଣ୍ଠି କିଆ ଖଣ୍ଡିଏ କନାଧଡ଼ି ।

 

ସେ’ ଆଉ ସଞ୍ଜବେଳେ, ବାଳ ସଜାଡ଼ି ଫୁଲ ଖୋସେନି । ବାଳରେ ମଥେଇ ଦେଇ ବାଳରୁ ଆଡ଼ୁଆ ଛଡ଼ାଏନି । ଗୋଡ଼ରେ, ଯାନିଯାତ୍ରା ମାନଙ୍କରେ ବି ଅଳତା ଦିଏନି । ପଚାରିଲେ କହେ, ନାଇଁ ଥାଉ, ମୋ ସୁଖ ଠାକୁରେ ସହୁନାହାନ୍ତି । ମୋର ଏଇ ହୀନିମାନିଆ ଦେହ ଦେଖିଲେ ଅବା ଠାକୁରଙ୍କର ଦୟାହବ ।

 

ସକାଳୁ ସେଦିନ, ଗୁରେଇ ତରତର ହୋଇ ଫୁଲ ତୋଳିବାପାଇଁ ବାହାରି ଯାଉଥିଲା । ସେତେବେଳକୁ ଫରଚା ହୋଇ ଆସିଲାଣି । ଏହି ସମୟରେ ଯୋଗୀର କେନ୍ଦରା ଗୀତ ତା କାନରେ ପଡ଼ିଲା । ଯୋଗୀଟି ଟୀକା ଗୋବିନ୍ଦଚନ୍ଦ୍ରରୁ ଗାଇ ଚାଲିଥିଲା :

 

ଅପୁତ୍ରକ ନାରୀ ମୁହଁ ଚାହିଁଗଲେ କାର୍ଯ୍ୟ କେବେ ସିଦ୍ଧି ନୋହି

ଅପୁତ୍ରକ ନାରୀ ଯେ ଡାଳେ ବସାଇ, ଡାଳଗୋଟି ଭାଙ୍ଗି ଯାଇ;

ଅପୁତ୍ରକ ନାରୀ ଭୂଇଁରେ ଚାଲିଲେ, ବାରହାତ ମାରୁ ହୋଇ

ଅପୁତ୍ରକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅଁ ଲୁଚଇ ॥

 

ଗୁରେଇ ସବୁ ଶୁଣିଲା । ମୁଣ୍ଡ ତା’ର ସିରିସିରେଇଲା । ଗୋଡ଼ତଳୁ ସତେ ଯେପରି ମାଟି ଖସି ଖସି ଗଲା । ସାରଦେହରେ ତା’ର ଅପମାନ, ଘୃଣା, ଲଜ୍ଜା, ଚରିଗଲା । ସେ ଡାକ ଛାଡ଼ିଲା, ହେ ଭଗବାନ କୋଉ ଦୋଷକୁ ମୋତେ ଏ ଦାରୁଣ ଦଣ୍ଡ ଦେଲା, କୋଉ ଦୋଷକୁ ମୋତେ ଏ କାନଫଟା କଥା ଶୁଣୋଉଚ । ଗାଁ ମାଇପେ ତାକୁ ପିଲାଖାଈ ଆଣ୍ଠୁକୁଡି଼ କହିଲେ, ସେ ଆଖିରେ ବାମ୍ଫ ପୂରେଇ ସହିଯାଏ ! କିନ୍ତୁ ସେ ଆଜିର ଏ କଥା ସହିପାରୁନି । ଏ ଯେ ଧରମ ବାଣୀ । ସତରେ କ’ଣ ସେ ଅଲକ୍ଷଣୀ ? ସେ ମାଟିରେ ଚାଲିଲେ କ’ଣ ମାଟି ମାରାହୁଏ ? ଡାଳରେ ବସିଲେ ଡାଳ ଭାଙ୍ଗିଯାଏ ? ଦେଉଳକୁ ଗଲେ, ସତରେ ଦିଅଁ ଲୁଚନ୍ତି ? ତେବେ କାହିଁକି ସେ ଏ ପୋଡ଼ା ଜୀବନ ରଖିବ ?

 

ସେଦିନ ଦେଉଳକୁ ଯାଇ, ସେ ଢ଼େର ସମୟ ମୁଣ୍ଡ ପିଟି କାନ୍ଦିଲା । କାନ୍ଦି କାନ୍ଦି ଆଖି ଫୁଲେଇ ଦେଲା । ମୁଣ୍ଡ ପିଟି ପିଟି ରକତ ବୁହାଇଦେଲା । ଘରକୁ ଫେରି ବିଶିଆକୁ ଦେଖି ନିଜକୁ ଆଇତରେ ରଖି ପାରିଲାନି, ଭକ୍ କରି କାନ୍ଦ ଉଛୁଳେଇ ଦେଲା । ବିଶିଆ କିଛି ବୁଝି ପାରିଲାନି । କେବଳ ଡବ ଡବ ଆଖିରେ ଚାହିଁ ରହିଲା ।

 

ବିଶିଆ ଗୁରେଇର ନିଜ ଉପରେ ସବୁ ଗଞ୍ଜଣା ଦେଖେ । ତା’ର ଓଷା, ଉପାସକୁ ନିରୀହ ଆକ୍ଷି ଏବଂ ଲମ୍ବା ନିଃଶ୍ଵାସରେ ସହିଯାଏ; କିନ୍ତୁ ନିଜେ ଓଷା ଉପାସରେ ଭାଗ ନିଏନା । କେବଳ ଦେଖେ ଗୁରେଇ ଚଉଁରା ମୂଳରେ ମୁଣ୍ଡ ପିଟିଲେ ସେ ନିଜକୁ ଧିକ୍କାର କରେ । ନିଜ ମାଇକିନାର ଏଇ ଅସାଡ଼ଭାବକୁ ଦଉଡ଼ିଭଳି ବିଶିଆ ନିଜ ବେକ ଚାରିପାଖେ ଗୁଡ଼େଇ ରଖେ, ହତାଶ ହୋଇ ଝୁଲିରହେ । ସେ ଅନୁଭବ କରେ ଯେପରି ନିଜ ଫସଲରେ ନିଜେ ସେ ପୋକ ହୋଇ କାଟୁଛି । ଘୁଣ ଲେସୁଚି । ବିଶିଆ ଏକ ଘୁଣଖିଆ କାଠ । କାଠ ଭିତରେ କଟ କଟ କରି ସେ, ଦାନ୍ତ ପେଷେଇ ଚାଲିଚି ।

 

କିଛିଦିନ ପରେ ହଠାତ୍ ଜଣେ ବାବାଜୀ ପାଖ ଗାଁକୁ ବିଜେ ହେଲେ । ଲୋକେ କୁହାକୁହି ହେଲେ, ବାବାଜୀ ମାହାପୁରୁଙ୍କର ବଡ଼ ପ୍ରତିଜ୍ଞା । ସେ ସିଦ୍ଧ ପୁରୁଷ । ବହୁତ ଲୋକଙ୍କୁ ଦୁଃଖରୁ ତାରିଛନ୍ତି । ବଡ଼ ବଡ଼ ଗହନ ଦୁଃଖରୁ । ଅନେକ ଅଚିହ୍ନା ବ୍ୟାଧିରୁ ଭଲ କରିଛନ୍ତି । ଯାହାକୁ ଯାହା ହୁକୁମ ତାଲିମ କରୁଛନ୍ତି, ତା ଫଳୁଛି । ଗୁରେଇ ଏକଥା ଶୁଣିଲା । ତା ମନରେ ଦଳିହୋଇ ଯାଇଥିବା ଆଶାଟିଏ ମଥାଟେକି କଅଁଳି ଉଠିଲା । ସେ ବିଶିଆ ପାଖରେ ପ୍ରସ୍ତାବ ବାଢି଼ଲା, ଆର ଗାଁକୁ ଯାଇ ବାବାଜୀଠାରୁ ହୁକୁମ ଓଷୁଅ ଆଣିବ । ଠାକୁରେ ତା’ର କୋଳ ଭରଣ କରିବେ ।

 

ବିଶିଆ ଶୁଣିଲା; କିନ୍ତୁ ପ୍ରତିବାଦ କରିପାରିଲାନି ।

 

ରାସ୍ତାରେ ଭୀଷଣ ଭିଡ଼ । ସିଦ୍ଧ ପୁରୁଷଙ୍କ ପାଖରେ ଦୁଃଖ ଜଣେଇ, ହୁକୁମ ପାଇବାପାଇଁ ସମସ୍ତେ ଧାଡ଼ି ଲମ୍ବେଇଛନ୍ତି । ଗୁରେଇ ଠେଲିପେଲି ଚାଲିଚି ! କିନ୍ତୁ ବିଶିଆ ମନରେ ଫୁଆରା ନାହିଁ, ଆବେଗ ନାହିଁ । ସେ କେବଳ ଗୁରେଇର ପିଛାଧରି, ନିଜକୁ ଘୋଷାରି ଚାଲିଚି । ଗୁରେଇ ମଝିରେ ମଝିରେ ପାଟି କରୁଛି, ଟିକିଏ ଶୀଘ୍ର ଚାଲମ—ଡେରି ହୋଇଯାଉଛି ଯେ ।

 

ବିଶିଆ କିନ୍ତୁ ନିଜ ଦେହର କ୍ଳୀବତ୍ୱକୁ ଆଉଁସୁଥିଲା । ସେ ଅଣ୍ଡାଳୁଥିଲା, ନିଜ ଦେହରେ ପଡ଼ିଯାଇଥିବା ଗଣ୍ଠିଟିକୁ । ଦୁଇଟି ପିଲା ଜନ୍ମ ହେଲାପରେ, ଡାକ୍ତରଖାନା ଯାଇ ବାପପଣିଆରେ ଗଣ୍ଠି ପକେଇ ଦେଇଥିବା କଥାଟିକୁ ସେ ଘା’ ଭଳି ସହିଯାଉଥିଲା । ନା’ କହିପାରୁଥିଲା ନା ସହିପାରୁଥିଲା ।

Image

 

ଡକ୍ଟର ରତ୍ନାକର ଚଇନି

 

ଅନ୍ୟ ଦେଶ ଅନ୍ୟ କଥା

 

ମୁଁ ଆଗ ଭୁଲଟା କରିପକାଇଲି ।

 

କଥାଟା କ’ଣ କି, ମୁଁ ଜମା ଦୁଇଟା ପୂର୍ବରୁ ସେତେ ବଡ଼ ଅଫିସ୍‍ ଭିତରକୁ ପଶିବାପାଇଁ କାୟ-ମନରେ ପ୍ରସ୍ତୁତ ହୋଇନଥିଲି; କିନ୍ତୁ ଦଶଟାବେଳକୁ ଯାଇ ରିସେପ୍ସନିଷ୍ଟଙ୍କ ଆଡ଼୍ଡ଼ାରେ ମୁଣ୍ଡ ଗୁଞ୍ଜି ଥିଲି, କାଳେ କିଏ ଚିହ୍ନା ପରିଚୟ ଲୋକ ଦେଖାହେବ, ତାଆରି ହାତରେ କାମଟା ଧରେଇ ଦେଇ ନିଜେ ଖସି ଆସିବି । ଦିଇଟା ବେଳଯାଏ ମୋର କିଏ ସେଠି ଅପେକ୍ଷା କରୁଛି ! ତା’ଛଡ଼ା ରାଜଧାନୀରେ ଅନ୍ୟ କେଇଟା ଅଫିସ୍‍ରେ ବି ମୋର ଛୋଟକାଟିଆ କାମ କିଛି ଥିଲା ।

 

ହଠାତ୍ ତରତର ହୋଇ ଭିତରକୁ ପଶି ଯାଉଥିବା ମୋର ପୁରୁଣା ବନ୍ଧୁ ବିନୋଦର ଆଖି ପଡ଼ିଗଲା ମୋ ଉପରେ । ସତ କହୁଚି, ମୁଁ ତାକୁ ପ୍ରଥମେ ଚିହ୍ନି ପାରି ନଥିଲି । ସେ ଆଗ ମତେ ଚିହ୍ନିପାରି ବନ୍ଧୁ ସଂଙ୍ଖୋଳିବାକୁ ଆଗେଇ ଆସିଲା । ଆଜିକାଲିକା ବନ୍ଧୁ ତାର ପ୍ରାରମ୍ଭିକ ପରିଚର୍ଚ୍ଚା ପରେ ମୁଁ କହିଉଠିଲି, ‘...ତା’ ହେଲେ ତୁ ଏଇଠି କାମ କରୁଛୁ ? ଆଚ୍ଛା... ! ଆଉ ତୋର ପିଲାପିଲି କେତୋଟି ? ସ୍ତ୍ରୀ କ’ଣ କରେ ?’

 

ଏମିତିଆ ପ୍ରଶ୍ନ ଆଜିକାଲି ଗୋଟାଏ ଫେସନ ହୋଇଯାଇଚି । ଯଦି ଶୁଣିବାକୁ ମିଳିଲା ବନ୍ଧୁ ପତ୍ନୀ ଶିକ୍ଷିତା, ଅଥଚ ଘରେଇ କାମରେ ନିଯୁକ୍ତା । ସାଙ୍ଗେ ସାଙ୍ଗେ ଉପଦେଶ ଦିଆଯାଏ, ତୋର ଏତେ ଲୋକ ଚିହ୍ନାଜଣା ଅଛ଼ନ୍ତି, କୋଉ ଅଫିସ୍‍ ଫଫିସ୍ରେ ଗୋଟାଏ ଢ଼ୁକେଇ ଦେ, ନିହାତିପକ୍ଷେ ମାଷ୍ଟରାଣୀ ଚାକିରୀରେ ଭର୍ତ୍ତିକରି ଦେଉନୁ । ଏବେ ତ ସ୍ତ୍ରୀ ଲୋକମାନଙ୍କୁ ସହରୀ ସ୍କୁଲରେ ଅଗ୍ରାଧିକାର ଦିଆଯିବାର ବ୍ୟବସ୍ଥା ହୋଇଛି । ନିକୁଚ୍ଛରେ ତିନିଶ’ ଟଙ୍କା ତ ଘରକୁ ଆସିବ-। ଆଜିକାଲିକା ଯୁଗ ତ ଯାହା ଦେଖୁଛୁ... ନଚେତ୍ ପିଲାଛୁଆଙ୍କ ବିଷୟରେ ଉପଦେଶ ଦେବାର ଥିଲେ କୁହାଯାଉଛି, ଆଉ ଆଗାନା । ବାସ୍ ସେତିକି । ଡାକ୍ତରଙ୍କ ପରାମର୍ଶନେ । ଆଜିକାଲିକା ଯୁଗରେ ଅଧିକାଟା ଭଲ ନୁହେଁ । ନିଜ ରକ୍ଷଣ ଅସମ୍ଭାଳ ପରା ! କିମ୍ବା, କ’ଣ ଏମିତି ହଉଚି ଥରକୁ ଥର । ଭଲ ଡାକ୍ତରଙ୍କୁ ଦେଖା । ହେଇଟି, ତୁ ସେ ଏଲୋପାଥିକ ଛାଡ଼ । ଆମ ଘର ପାଖରେ ଜଣେ ଭଲ ହୋମିଓପାଥିକ ବାଲା ଅଛନ୍ତି । ଭାରୀ ଭଲ ହାତ । ଥରେ ଆ’ କେତେବେଳେ । ଏମିତି ଏମିତି ଅନେକ ସମ୍ଭାବ୍ୟ ପ୍ରଶ୍ନୋତ୍ତର ଓ ଉପଦେଶ ।

 

ମାତ୍ର ବିନୋଦ ଓ ମୋ ଭିତରେ ଏ କଥାଭାଷା ବେଶି ଲମ୍ବିଲାନି । କାରଣ ସେ ତା ଅଫିସ୍‍ ସମୟ ବିଷୟରେ ସଚେତନ ଥିଲା । ମୁଁ ତାକୁ ମୋ କାମଟା ବତେଇ ଦେଇ ଖସିଯିବାକୁ ବସିଥିଲି । ସେ କିନ୍ତୁ ମତେ ଭିତରକୁ ନେଇଯିବା ପାଇଁ ବଦ୍ଧପରିକର ହୋଇ ସବୁଠାରୁ ମୋଟୀ ରିସେପ୍ସନିଷ୍ଟଙ୍କୁ କ’ଣ ଯାଇ କହିଲା । ବୋଧହୁଏ ସେ ତାଙ୍କ ଦଳର ସିନିୟର । ସେ ମୋଟୀ ସ୍ତ୍ରୀ ଲୋକଟି ତାର ଆଖି ଓ ମୁହଁର ଆକୃତିଠାରୁ ଢେ଼ର ବଡ଼, ଈଷତ ଲାଲ ରଙ୍ଗର ସନ୍‍ଗ୍ଲାସ ଭିତରୁ ମତେ ଓ ମୋ ଚରିତ୍ରକୁ ପରଖି ନେବା ଚାହାଁଣିରେ ଚାହିଁଲେ । କ’ଣ ଦେଖିଲେ କେଜାଣି ମୁଣ୍ଡ ଟୁଙ୍ଗାରିଦେଲେ । ବିନୋଦ ଫେରିପଡ଼ି ମତେ ଭିତରକୁ ଟାଣିନେଇଗଲା । ସେ କହି କହି ଚାଲିଥିଲା, ଆସିଚୁ ଯେତେବେଳେ-କାମଟା ସାରିଦେଇ ଯା’ । ଏଠିକା ବେପାର କ’ଣ ଜାଣିନୁ ? ଚକେ ଗଲେ ବାରହାତ ପରା ! ମତେ କିନ୍ତୁ ଭାରି ଦୋଷୀ ଦୋଷୀ ଲାଗୁଥିଲା । ସବୁବେଳେ ନୈତିକତାର ରାଜରାସ୍ତାରେ ଚାଲୁଥିବା ଲୋକ,—ତା’ ମାନେ ନୁହେଁ ଯେ, ମୁଁ ଭାରି ନୀତିବାନ୍; ମାତ୍ର ମୋର ବେଉସା ଯାହା, ସେଥିରେ ନୀତିବାନ ହେବାକୁ ହିଁ ପଡ଼ିବ । ତେଣୁ ଭଲ-ମନ୍ଦର ତଉଲ ଆମରି ଜାତିଟା ପାଖରେ ବେଶି । ଏଠି ଜାତି କଥାଟା ମୁଁ ମୋ କର୍ମ ଦୃଷ୍ଟିରୁ ବିଚାରକରି କହୁଚି ।

 

ଅନେକ ଛୋଟ-ବଡ଼ ମାନସିକ ଦ୍ୱନ୍ଦ ଓ କିନ୍ତୁର ଅର୍ଗଳିକୁ ଡେଇଁ ମୁଁ ଭିତରକୁ ଗଲି । ଭିତରକୁ ପଶିଗଲା ପରେ ନିଜକୁ ଆଗ ଥୋଡ଼ାଏ ଖଣ୍ଡେ ବୁଝେଇ ମନରେ ଦମ୍ଭ ଆଣିଲି । ତା’ପରେ ବିନୋଦକୁ କହିଲି, ମୁଁ ସିଧା ସେ ସେକ୍‍ସନକୁ ଯାଉଚି । ସେଠଉଁ କାମସାରି ତୋ କତିକି ଯିବି । ଭିତରକୁ ଆସିଲିଣି ଯେତେବେଳେ ଆଉ ତୃତୀୟ ପୁରୁଷର ଭୂମିକା ତତେ କାହିଁକି ଦେବି ?

 

ତାହାହିଁ ହେଲା । ବିନୋଦ ଚାଲିଗଲା ତା’ ଖୋପକୁ । ମୁଁ ଗଲି ମୋ କାମରେ । ସେତେବେଳକୁ ମୋ ଘଣ୍ଟାରେ ବାଜିଥିଲା ଦଶଟା ପଇଁତିରିଶ ମିନିଟ । ମୋର ଦରକାର ଥିବା ସେକ୍ସନରେ ପହଞ୍ଚି ଦେଖିଲି, ବାହାରେ ପିଅନଟିଏ ଅଧା–ଶୋଇଲା ଅବସ୍ଥାରେ; ହାତରେ ବିଡ଼ି ନିଭିଯାଇଚି କେତେବେଳୁ; ପାଟି ଅଳ୍ପ ମେଳା ଏବଂ ସେଥିରୁ ଗୋଟିଏ ଅଦ୍‍ଭୁତ ଶବ୍ଦ ଆସୁଚି ବାହାରି । ଘର ଭିତରେ ଘୁ-ଘୁ ପଙ୍ଖା; କାଗଜପତ୍ରଗୁଡ଼ାକ କିଲିକାଲିଆ; ବୋଧହୁଏ ତାଙ୍କୁ ଶୀତ କରିବଣି । ବାବୁ ବୋଇଲେ ଦି’ଜଣ । ଜଣେ ନିଜର ଘରୋଇ ଚିଠି ପଢ଼ୁଛନ୍ତି ବସି; ଆଉ ଜଣେ ପେନସିଲ କାଟୁଚନ୍ତି ।

 

ମୁଁ ବଡ଼ବାବୁଙ୍କ କଥା ପଚାରିଲି ସେଇ ପେନସିଲକଟା ବାବୁ ଜଣଙ୍କୁ । ଚିଠିପଢ଼ା ବାବୁଙ୍କ କାମରେ ବାଧା ସୃଷ୍ଟି କରିବା ଉଚିତ ମନେକଲିନି । ଧ୍ୟାନମଗ୍ନ ଋଷି ସମାଧିରୁ ଉଠିଲା ଭଳି ବହୁ ବିଳମ୍ବରେ ମୋର ଦୁଇ ତିନିଥର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ–‘କଣ କହିଲେ-?’ ମୁଁ ଆଉଥରେ ମୋର ପ୍ରଶ୍ନଟି ଦୋହୋରାଇଲି । ଏନ୍‍ପ୍ଳୁଏଞ୍ଜା ରୋଗରୁ ଉଠିଥିବା ପେସେଣ୍ଟଭଳି ସ୍ୱରକରି ସେ ବଡ଼ କଷ୍ଟକରି ଉତ୍ତର ଦେଲେ—‘‘ବାହାରକୁ ଯାଇଛନ୍ତି । ଦେଖୁନାହାଁନ୍ତି ତାଙ୍କ ଚଷମା ସେଠି ଥୁଆହେଇଚି...ଆଉ ଅଧଘଣ୍ଟାଏ ଛାଡ଼ି ଆସନ୍ତୁ ।”

 

ସତକୁ ସତ ମୁଁ ଦେଖିଲି ଚଷମା ଖୋଲା ଅବସ୍ଥାରେ ତାଙ୍କ ଟେବୁଲ୍ ଉପରେ ଅଛି ଏବଂ ତାଙ୍କ ପେନ୍‍ ରେ କ୍ୟାପ୍ ପେନ୍ ପଛଆଡ଼େ ଗୁଞ୍ଜାହୋଇ ଖୋଲା ଅବସ୍ଥାରେ ପେପର-ୱେଟ୍ ସହ ଗୋଟାଏ ଖୋଲା ଫାଇଲ୍ ଉପରେ ଥୁଆ ହୋଇଚି । ତାଙ୍କ ବସିବା ଚଉକି କରରେ ଝୁଲୁଚି ବେଗ୍‍ଟା । ହଟାତ୍ ଜରୁରୀ ଡାକରା ପାଇ ବାହାରକୁ ଚାଲିଯାଇଛନ୍ତି ବୋଧହୁଏ । ଜଣାପଡ଼ୁଛନ୍ତି ଭାରି କାମିକା ମଣିଷ । କାଳେ ପୁଣି କୋଉ କାମରେ ବାହାରକୁ ଚାଲିଯିବେ, ସେଥିପାଇଁ ମୁଁ ସେଇ ସେକ୍‍ସନରେ ବସିରହିଲି । ପେନ୍ସିଲକଟା ବାବୁ ଜଣକ ମୋ ଆଡ଼କୁ ଟିକେ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁଲେ । କ’ଣ ମୋ’ଠି କଳନା କଲେ କେଜାଣି, ପୁଣି ପେନସିଲ୍ କଟାରେ ମନଦେଲେ ।

 

ଆସିଲେ ଜଣେ ତରୁଣୀ । କ୍ଷିପ୍ରପାଦ, ପ୍ଲାଟଫର୍ମ ଜୋତର ଦମକା ସେକଥା କହି ଦେଉଥାଏ । ପାତଳ ସ୍ୱାସ୍ଥ୍ୟ, ସାବନା ରଙ୍ଗ, ତଥାପି ଦେହ-ମୁହଁରେ ଅନେକ ମେକ୍ଅପ୍ । ସେ ନିଜ ସିଟ ବସି ପଡ଼ୁ ପଡ଼ୁ ଦୀର୍ଘ ‘ଓଃ’ ଟାଏ ଛାଡ଼ିଲେ, ସାଇକେଲ ଚକାରୁ ଶବ୍ଦକରି ପବନ ବହାରିଯାଉଥିବା ଭଳି । ତା’ପରେ ଖୁବ୍ ଜୋରରେ ବୁଲୁଥିବା ମୁଣ୍ଡଉପର ପଙ୍ଖାଟି ଆଡ଼କୁ ଚାହିଁଲେ-। ବୋଧହୁଏ ଭାବୁଥିଲେ, ଆଉଟିକେ ଜୋରରେ ପଙ୍ଖାଟାକୁ ଘୂରେଇ ଦିଅନ୍ତାକି କିଏ । ତଥାପି ସେ ହାତରେ ଗୋଟିଏ ଫାଇଲ ଧରି ବିଞ୍ଚିହେଲେ । ସେ ଜମା କ୍ଳାନ୍ତ ଜଣାପଡ଼ୁନଥିଲେ । ତାଙ୍କ ମୁଁହ କହି ଦେଉଥିଲା, ସେ ଯେ କୌଣସି କାମ କରିବାକୁ ଏବେ ତିଆର ।

 

ଆଉ ଜଣେ ବାବୁ ଆସିଲେ ସେ ସେକ୍‍ସନ୍‍କୁ । ବେଶ୍ ଫିଟ୍‍ଫାଟ୍, ଲମ୍ବା କଲି, ଜୁଲଫି ବାଳ, ମୋଟା ନିଶ । ମୁହଁରେ ଅସମ୍ଭବ ଗମ୍ଭୀରତା । ତାଙ୍କ ଜୋତା ଶବ୍ଦରେ ପିଅନଟାର ନିଦ ଭାଙ୍ଗିଗଲା । ବୋଧହୁଏ ସେ ସେଇ ପରିଚିତ ଜୋତା ଶବ୍ଦ ଶୁଣିବା ପର୍ଯ୍ୟନ୍ତ ଶୁଏ । ତା’ପରେ ଉଠେ । ସେ ଉଠିଲା ଏବଂ ସାଙ୍ଗେ ସାଙ୍ଗେ ସେଇ ବାବୁଙ୍କୁ ଗୋଟାଏ ଭକ୍ତିପୂତ ନମସ୍କାର ଠୁଙ୍କିଲା । ବାବୁଙ୍କର ସେଆଡ଼କୁ ନିଘାନାହିଁ ଯେମିତି । ସେ ସେକ୍‍ସନ ଭିତରକୁ ଆସିଲାମାତ୍ରେ ସମସ୍ତେ ‘ଉଇସ୍’ କଲେ । ପିଅନଟା ବିନା ବାକ୍ୟ-ବ୍ୟୟରେ ଉଠିଯାଇ ଅଫିସ୍‍ କାନ୍ଥରେ ଝୁଲୁଥିବା ଘଣ୍ଟାକୁ ପଛେଇ ଦଶଟା ପାଞ୍ଚ କରିଦେଲା । ଅବଶ୍ୟ ସେତେବେଳକୁ ଏଗାରଟା ବାଜିବାକୁ ପାଞ୍ଚମିନିଟ ଥିଲା ।

 

ବାବୁ ଆଟେଣ୍ଡାନ୍‍ସ ଖାତାରେ ସମୟ ପକାଇଲେ ଦଶଟା । ପାଞ୍ଚ ମିନିଟ୍ଟା କିଛି ନୁହେଁ, ହାତରେ ପାଞ୍ଚ । ତା’ପରେ ତାଙ୍କର ସଂକ୍ଷିପ୍ତ ଓଜନଦାର ଆଦେଶରୁ ଜାଣିଲି ସେ ବାବୁଜଣଙ୍କ ତାଙ୍କ କର୍ମଚାରୀସଙ୍ଘର ଜଣେ ନେତା । ସେ ଚାନ୍ଦା ଆଦାୟ ଉପରେ, ମେମ୍ବରମାନେ ମାଇଚିଆ ନହୋଇ ଆକ୍‍ଟିଭ ହେବା ଉପରେ ଜୋର୍‍ ଦେଲେ । ସମସ୍ତେ ଥରକ ପାଇଁ ତାଙ୍କ ଆଡ଼କୁ ଆକୃଷ୍ଟ ହେଲେ ! ମାତ୍ର ନେତା ବକୃତା ସାରି ଖଣ୍ଡିଏ ଶସ୍ତା ଡିଟେକ୍ଟିଭ ବହିଧରି ପଢ଼ିବା ଆରମ୍ଭ କରିଦେବା ମାତ୍ରେ ପୁଣି ପେନ୍ସିଲ କଟା ଚାଲିଲା, ଚିଠି ପଢ଼ାର ପୁନରାବୃତ୍ତି ହେଲା ଏବଂ ଭ୍ୟାନିଟି ବ୍ୟାଗ୍‍ରୁ ଛୋଟ ଦର୍ପଣ କାଢ଼ି ନିଜର ମେକ୍–ଅପ୍ ସଜଡ଼ା ହେଲା ସମସ୍ତଙ୍କ ଅଲକ୍ଷ୍ୟରେ ! ଅଥଚ ସମସ୍ତେ ଦେଖିପାରୁଥିବା ଜାଗାରେ ।

 

ମୁଁ ଦେଖିଲି,ଘଣ୍ଟାଟା ଆଉ ଥରେ, ଦୁଇଥର ସେମିତି ପଛକୁ ଫେରିଲା । ମାତ୍ର ମୋ ଘଣ୍ଟାରେ ବାରଟା ଦଶ ହେଲା ବେଳକୁ ହଠାତ୍ ସେଇ ଘଣ୍ଟାରେ ସାଢ଼େବାର ହୋଇଥିବାର ଦେଖିଲି-। ଯନ୍ତ୍ରପାତି କଥା, କ’ଣ କେତେବେଳେ ହୋଇଯାଏ; କିଏ କହିବ ? ସତକଥା.... I ମୋ ଧୈର୍ଯ୍ୟର ବାଲିବନ୍ଧ କ୍ରମଶଃ ଭୁଷୁଡ଼ିବାକୁ ଆରମ୍ଭକଲା । ମୁଁ ବିନୋଦ ପାଖକୁ ଯାଇ ପାରୁନଥାଏ, କି ବସି ରହି ପାରୁନଥାଏ । ଭାବୁଥାଏ, କାଳେ ବଡ଼ବାବୁ ଆସି ପୁଣି କୁଆଡ଼େ ଚାଲିଯିବେ ଯଦି ଏତେବେଳ ଅପେକ୍ଷା କଲିଣି, ଆଉଟିକେ ରହେ ।

 

ଗୋଟାଏ ବାଜିଲା । ସେକ୍‍ସନରେ ସମସ୍ତେ ବ୍ୟସ୍ତ ନିଜ ନିଜ ବୃତ୍ତିରେ । ତରୁଣୀ ଜଣକ ମୋ ଉପସ୍ଥିତିକୁ ମୋଟେ ସହି ପାରୁନଥିଲା ବୋଧହୁଏ । କାହିଁକି ଏ ଲୋକଟା...,କିଛି ତ କହୁନି । ଲୋକଟା କି ଅସନା ପ୍ରକୃତିର...ଆମ ପ୍ରାଇଭେସିରେ ବାଧା ସୃଷ୍ଟି କରୁଚି ! ବୋଧେ ଏଇୟା । ମୁଁ କ୍ରମଶଃ ଅତିଷ୍ଠ ହୋଇ ଉଠୁଥିଲି, କେହି ତ ମତେ କିଛି ଆଉ ପଚାରୁନାହାନ୍ତି ।

 

ହଠାତ୍ ବିନୋଦ ଆସି ପହଞ୍ଚିଗଲା ।

 

“ଆରେ, ତୁ ସେତିକିବେଳୁ ବସିଛୁ ? ମୁଁ ଭାବିଲି, ତୁ ମତେ ନ କହି ଚାଲି ଗଲୁଣି ବୋଲି-! କ’ଣ ହେଲା ?” ବିନୋଦ ଏକା ନହସରେ ପଚାରିଗଲା ମତେ ଏତେକଥା ।

 

ବଡ଼ବାବୁ ବାହାରକୁ ଯାଇଥିବା କଥା ମୁଁ ବିନୋଦକୁ କହିଲି । ସେ କେଜାଣି କାହିଁକି ହସି ଉଠିଥିଲା, ତା’ପରେ ମୋ କାମ ବିଷୟରେ ସେ ଚିଠି ପଢ଼ିବାରେ ସମୟ କଟାଉଥିବା ବାବୁଙ୍କୁ କ’ଣ କହିଲା । କହିଲା—“ମୋର ବନ୍ଧୁ ସେ, ତା’କାମଟା ଯେମିତି ଶୀଘ୍ର ହୁଏ ।” ଲୋକଟା ଏମିତି ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା ଯେ, ତାହା ଆସ୍ତି କି ନାସ୍ତିବାଣୀ ମୋର ବୁଝିବା ମୁସ୍କିଲ ହୋଇ ପଡ଼ିଲା; କିନ୍ତୁ ବିନୋଦ ବାହାରକୁ ଆସି ତାହା ଆସ୍ତିବାଣୀ ବୋଲି ମୋତେ କହିଲା ।

 

ତା’ପରେ ମୁଁ ବିନୋଦକୁ ପଚାରିଲି, ଏ ବଡ଼ବାବୁଙ୍କ ରହସ୍ୟ କ’ଣ କହିଲୁ ? ତୁ ମୋ କଥାରେ ହସିଦେଲୁ ଯେ—

 

ବିନୋଦ କହିଲା, ଆରେ ତୁ ଏଡ଼େ ବୋକା ବୋଲି ମୁଁ ଜାଣିନଥିଲି, ବଡ଼ବାବୁ ଚରିତ୍ରଟି ଏକ ପ୍ରକ୍‍ସି । ସେ ସକାଳୁ ଆସି ଖାତାରେ ଦସ୍ତଖତ ମାରି ଚାଲିଯାଆନ୍ତି । ଏମିତି ଥୋଇଦେଇ ଯାଆନ୍ତି ତାଙ୍କ ଚଷମା, କଲମ, ଆଉ ବ୍ୟାଗ୍ ! ମାତ୍ର ଆଉ ହଳେ ଚଷମା, କଲମ ଧରି ଚାଲିଯାଆନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁରେ ଗୋଟିଏ ବଡ଼ କଣ୍ଟ୍ରାକ୍ଟରୀ ଚାଲେ । ସେ ସବୁବେଳେ ସେଥିରେ ବ୍ୟସ୍ତ ଥାଆନ୍ତି । ଦିନେ ଦିନେ ସଞ୍ଜକୁ ଫେରି ନିଜର ବ୍ୟସ୍ତତା ଦେଖାନ୍ତି । ଏମିତି ଏ ଅଫିସ୍‍ରେ ଅନେକ ଚାଲେ ।

 

ହଠାତ୍ ନିଜକୁ ଅବିଶ୍ୱାସ କରିବାକୁ ଆରମ୍ଭକଲି । ଆପଣମାନେ କ’ଣ ଏହାକୁ ସତ ବୋଲି ଭାବୁଛନ୍ତି ? ଏହା କ’ଣ ଆମ ଦେଶରେ ସମ୍ଭବ ନା’ ଇଏ ଗୋଟାଏ ଗପ ! ଇଏ କାହାଣୀ ଆମ ସମୟର ।

Image